Categories
ଆଞ୍ଚଳିକ

ବାଣପୁର ବଜାରର ବିଭିନ୍ନ ଦୋକାନ ତନଖି କଲା ଖାଦ୍ୟ ଓ ସୁରକ୍ଷା ବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ବିଭିନ୍ନ ଫଳ ଦୋକାନ ଓ ତେଜରାତି ଦୋକାନକୁ ତନଖି କରାଯାଇଛି। ତନଖି ସମୟରେ ପ୍ରାୟ ଦୋକାନୀ ଖାଦ୍ୟ ସୁରକ୍ଷା ଆଇନର ପ୍ରମାଣପତ୍ର ହାସଲ କରି ନଥିବା ପରିଲକ୍ଷିତ ହୋଇଛି। ବଜାରର ଫଳ ଦୋକାନି ଗୁଡିକ ଫଳ ପଚାଇବା ପାଇଁ କାରବାଇଟ ଓ ଥିନାଇଲ ବ୍ୟବହାର ଉପରେ ତନଖି କରାଯାଇଛି। ପ୍ରାୟ ଦୋକାନୀ ଥିନାଇଲ ବ୍ୟବହାର କରୁଥିବା ଅଧିକାରୀ କହିଛନ୍ତି।

କାରବାଇଟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବାରୁ ଥିନାଇଲ ସଠିକ ପରିମାଣର ବ୍ୟବହାର କରିବାକୁ ସଚେତନ କରାଯାଇଛି। ତତ ସହିତ ଖାଦ୍ୟ ସୁରକ୍ଷା ଆଇନର ପ୍ରମାଣପତ୍ର ହାସଲ କରିନଥିବା ତେଜରାତି ଦୋକାନୀଗୁଡିକୁ ବିଭାଗ ତରଫରୁ ନୋଟିସ ଜାରି ହେବା ସହ ପ୍ରତ୍ୟେକ ଦୋକାନୀଙ୍କୁ ପ୍ରମାଣପତ୍ର ହାସଲ ପାଇଁ ସଚେତନ କରାଯାଇଛି।

ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଏହି ଟିମ ବଜାରରେ ସଚେତନ କରିଥିବା ଜଣାଯାଇଛି। ଦୋକାନୀମାନେ ଏହାର ଖିଲାପ କଲେ ଆଗକୁ ବିଭାଗ ତରଫରୁ ଜୋରଦାର ଚଢ଼ାଉ କରାଯିବ ବୋଲି ଶ୍ରୀ ବଳ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି, ନଷ୍ଟ କଲା ୩୦୦ କିଲୋ ବନସ୍ପତି ଘିଅ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନ ଗୁଡିକରେ ନିକୃଷ୍ଟ ମାନର ଏବଂ ଅବଧି ସମାପ୍ତ ହୋଇ ସାରିଥିବା ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏହାକୁ ଗୁରୁତର ସହ ନେଇଛନ୍ତି।

ଡ଼ା ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। କିଛି ଦିନ ତଳେ ଟାଙ୍ଗୀର ଏକ ମିକ୍ସଚର ଫାକ୍ଟ୍ରିରୁ ଉକ୍ତ ବିଭାଗ ପାଖାପାଖି ୧୦୦ କେଜି ଜିନିଷ ନଷ୍ଟ କରିଥିବା ବେଳେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା।

ଅନୁରୂପ ଭାବେ ଆଜି ବିପୁଳ ପରିମାଣରେ ଅବଧି ସରିଯାଇଥିବା ବନସ୍ପତି ଘିଅ ନଷ୍ଟ କରିଛି ଖାଦ୍ୟ ଓ ସୁରକ୍ଷା ବିଭାଗ। ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଖାଦ୍ୟ ଓ ସୁରକ୍ଷା ଅଧିକାରିଣୀ ନିବେଦିତା ଭଟ୍ଟ ଏବଂ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ରାମେଶ୍ୱର ଓ ନିରାକାରପୁର ଅଞ୍ଚଳର ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନରେ ଚଢ଼ାଉ କରିଥିଲେ।

ତେବେ ଏକ ବେକେରି ୟୁନିଟ ରୁ ୩୦୦ କିଲୋ ଅବଧି ସମାପ୍ତ ହୋଇସାରିଥିବା ବନସ୍ପତି ଘିଅ ନଷ୍ଟ କରାଯାଇଛି। ତତସହିତ ୫ ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ଆକ୍ସନ ମୋଡ଼ ଦେଖି ବହୁ ଅସାଧୁ ବ୍ୟବସାୟୀ ପ୍ରମାଦ ଗଣୁଥିବାର ଦେଖିବାକୁ ମିଳିଛି। ଏପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଉଭୟ ଅଧିକାରୀ କହିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ: ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ, ଜରିମାନା ଆଦାୟ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏକ ମିକ୍ସଚର ଫାକ୍ଟ୍ରିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ମୁତାବକ ଉକ୍ତ ମିକ୍ସଚର ଫାକ୍ଟ୍ରିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ହେଉଥିବାର ଅଭିଯୋଗ ପାଇଥିଲେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ। ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ଉକ୍ତ ସଂସ୍ଥାରେ ଚଢ଼ାଉ କରି ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରିଭାବେ ୧୦୦ କେଜି କଞ୍ଚା ମାଲ ନଷ୍ଟ କରାଯାଇଥିବା ବେଳେ ଏକାଧିକ ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାର ସିଡ଼ିଏମଓ ଡ଼ା ନାୟକ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ଼ ଏବଂ ମିଠା ଦୋକାନରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଁ ଭାଁ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ବିଭାଗୀୟ କର୍ମଚାରୀମାନେ କେଉଁ ଛଅ ମାସରେ ଥରେ କେବଳ ଦିବା ସମୟରେ ଚଢ଼ାଉ କରି କିଛି ହୋଟେଲ ଏବଂ ମିଠା ଦୋକାନ ମାନଙ୍କଠାରୁ ସ୍ୱଳ୍ପ ଫାଇନ କାଟି ଫେରିଯାଉଥିବା ବେଳେ ସନ୍ଧ୍ୟାକାଳୀନ ଚଢ଼ାଉ ଆଦୌ କରାଯାଉନାହିଁ। ଯାହାଫଳରେ ବାଲୁଗାଁ- ବାଣପୁର ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଏକାଧିକ ଫାଷ୍ଟଫୁଡ଼ ଏବଂ ଷ୍ଟ୍ରିଟ ଫୁଡ ଅସ୍ଥାୟୀ ସେଣ୍ଟରମାନ ଖୋଲାଯାଉଛି, ଯାହାକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେପାର ଜାରି ରହୁଛି। ଏପରିକି ବିଭିନ୍ନ ଫାଷ୍ଟଫୁଡ ସେଣ୍ଟରରେ ବେଆଇନ ଭାବେ ମଦ ମଧ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ତେବେ ସେଠାରେ ଖାଦ୍ୟର ମାନ ତଦନ୍ତ କରିବା ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ ଖାଦ୍ୟ ଓ ସୁରକ୍ଷା ପକ୍ଷରୁ ଲୋକ ଦେଖାଣିଆ ଅଦିନିଆ ଯାଞ୍ଚ ଧର୍ମକୁ ଆଖିଠାର ସଦୃଶ।  ଏନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ କରାଯାଉଥିଲେ ମଧ୍ୟ ସେସବୁକୁ ସଂପୃକ୍ତ ଖାଦ୍ୟ ଦୋକାନ ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଏପରିକି ଖାଦ୍ୟ ଓ ସୁରକ୍ଷା ବିଭାଗ ମଧ୍ୟ ଏସବୁକୁ ଅଣଦେଖା କରୁଥିବାର ଅନୁମେୟ ହେଉଛି।

ବିଭାଗ ର କୋହଳ ମନୋଭାବ ଲାଗି ଦୋକାନ ମାଲିକମାନେ ବେଖାତିର କରି ମନଇଚ୍ଛା ଅପମିଶ୍ରିତ ଖାଦ୍ୟ ଦେଉଛନ୍ତି ଏପରିକି ଗ୍ରାହକ ଅଭିଯୋଗ କଲେ ମଧ୍ୟ ଏହାକୁ ନଜର ଅନ୍ଦାଜ କରାଯାଉଛି। ତେବେ ଏହାର ସମାଧାନ ପାଇଁ କିଛି ମାସ ତଳେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କେବଳ ବାଣପୁର ବାଲୁଗାଁ ଓ ଟାଙ୍ଗୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ପରିତାପର ବିଷୟ ସମ୍ପୃକ୍ତ ଅଧିକାରୀ ବାଣପୁର-ବାଲୁଗାଁ ଅଞ୍ଚଳରେ ନିୟମିତ ଏବଂ ରାତ୍ରିକାଳିନ ଚଢ଼ାଉ କରୁନାହାନ୍ତି ଏବଂ ଏହା ପଛରେ କି ରହସ୍ୟ ଅଛି ତାହା ବାରି ହେଉନାହିଁ।

ତେବେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏ ଦିଗରେ ଦୃଷ୍ଟିଦେବେ ଏବଂ ବାଲୁଗାଁ-ବାଣପୁର ଅଞ୍ଚଳରେ ନିୟମିତ ବ୍ୟବଧାନ ସହ ସନ୍ଧ୍ୟାକାଳୀନ ଚଢ଼ାଉ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚିଲିକାର ବିଭିନ୍ନ ବରଫ କଳ ଉପରେ ଚଢ଼ାଉ

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ବଜାରରେ ଥଣ୍ଡା ମୃଦୁ ପାନୀୟ ଜଳର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବରଫ କଳ ଗୁଡିକରେ ସ୍ୱଚ୍ଛତା ଅବଲମ୍ବନ ହେଉନଥିବା ଏବଂ ଅପମିଶ୍ରଣ ହେଉଥୁବାର ଅଭିଯୋଗ ହେବା ପରେ ଆଜି ମଧ୍ୟାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ୍ ଅଧିକାରୀ ସତ୍ୟଜିତ୍ ପଟେଲ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଓ ବାଲୁଗାଁ ଅଞ୍ଚଳର ବିଭିନ୍ନ ବରଫ କଳରେ ଚଢ଼ାଉ କରିଥିଲେ।

ନାଚୁଣୀର ଗୋଟାଏ ଏବଂ ବାଲୁଗାଁର ଚାରି ଗୋଟି ବରଫ କଳରେ ଚଢ଼ାଉ କରାଯାଇଥିଲା। ତେବେ ସମସ୍ତ ବରଫ ଗୁଡ଼ିକ ବିଭିନ୍ନ ବ୍ୟବସାୟ ଉପଯୋଗୀ ହୋଇଥିବା ବେଳେ ଏହା ଘରୋଇ ବ୍ୟବହାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଜଣାପଡିଛି।

ତତସହିତ ଶ୍ରୀ ପଟେଲ ସମସ୍ତ ବରଫ କଳର ପାରିପାର୍ଶ୍ଵିକ ଅବସ୍ଥିତି, ପରିସରରେ ସ୍ଵଚ୍ଛତା ଆଦି ଯାଞ୍ଚ କରିବା ସହ ପାଣି ଏବଂ ବରଫର ମାନ ମଧ୍ୟ ଯାଞ୍ଚ କରିଥିଲେ।

ପରିଶେଷରେ ଶ୍ରୀ ପଟେଲ ବିଭିନ୍ନ ବରଫ କଳରୁ ବରଫ ଏବଂ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ଚାରି ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଥିବା ବେଳେ ସମସ୍ତ ବରଫ କଳ ମାଲିକମାନଙ୍କୁ କଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ସହ ଅପମିଶ୍ରିତ ବରଫ ବିକ୍ରି ନକରିବା ନେଇ ତାଗିଦ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ହୋଟେଲ୍ ଏବଂ ଢାବା ଉପରେ ଅତର୍କିତ ଚଢାଉ, ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ୍ ଏବଂ ଢାବା ଉପରେ ଅତର୍କିତ ଚଢାଉ କରାଯାଇଛି। ଉକ୍ତ ଚଢ଼ାଉରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ୍ ଅଧିକାରୀ ସତ୍ୟଜିତ୍ ପଟେଲଙ୍କ ସହ ଏକ ତିନି ଜଣିଆ ଟିମ ସାମିଲ ଥିଲେ।

ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ବେପାର ବାଣିଜ୍ୟ ସାଙ୍ଗକୁ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଚିଲିକା ମାଛ, ଚିଙ୍ଗୁଡି, କଙ୍କଡା ପାଇଁ ବେଶ୍ ପ୍ରସିଦ୍ଧ ଲାଭ କରିଛି। ମାତ୍ର ହୋଟେଲ ହେଉ ଅବା ଢ଼ାବାମାନଙ୍କ ପାଇଁ ଆଜି ଜାତୀୟ ସ୍ତର ଅବା ଆନ୍ତର୍ଜାତୀୟ ସ୍ତରରେ ଚିଲିକା ନାଁ ମାଟିରେ ମିଶିଯିବାକୁ ବସିଲାଣି। ନିମ୍ନ ମାନର ଖାଦ୍ୟ ତଥା ଅପମିଶ୍ରଣ ଖାଦ୍ୟପେୟ ଯୋଗୁଁ ବିଦେଶାଗତ ଅତିଥି ସହ ସ୍ଥାନୀୟ ଜନତା ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଏ ନେଇ ଗତ କିଛିଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ଅଚାନକ ଉକ୍ତ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଶ୍ରୀ ପଟେଲଙ୍କ କହିବା ମୁତବାକ ବାଲୁଗାଁ ଏବଂ ବାଣପୁର ସହରରେ ଏକାଧିକ ହୋଟେଲମାନଙ୍କ ଲାଇସେନ୍ସ ନଥିବାବେଳେ ଅନେକ ହୋଟେଲଗୁଡିକର ଲାଇସେନ୍ସ ନବୀକରଣ କରାଯାଇନାହିଁ। ଏପରିକି ଯାଞ୍ଚ ବେଳେ ନିମ୍ନ ମାନର ଖାଦ୍ୟ ପ୍ରସ୍ତୁତି ସାଙ୍ଗକୁ ଅପମିଶ୍ରଣ ଖାଦ୍ୟର ମଧ୍ୟ ନଜିର ଆସିଥିଲା। କିଏ ପୁଣି ବାସି ଖାଦ୍ୟ ରଖିଥିଲା ତ କିଏ ଅପରିଷ୍କାର ପରିବେଶ ସାଙ୍ଗକୁ ବାହାରେ ରଙ୍ଗ ଯୁକ୍ତ ଖାଦ୍ୟର ପସରା ମେଲି ଗ୍ରାହକଙ୍କୁ ଆକୃଷ୍ଟ କରିବା ଭଳି ନଜରରେ ଆସିଥିଲା।

ଏପରି ଅପ୍ରୀତିକର ପରିସ୍ଥିତିରେ ଆଜି ପ୍ରଥମକରି ଜରିମନା ଆଦାୟ କରାଯାଇ ସମସ୍ତ ହୋଟେଲ, ମିଠା ଦୋକାନୀ ଏବଂ ଢ଼ାବା ମାନଙ୍କୁ ତାଗିଦ୍ କରାଯାଉଛି। ଶ୍ରୀ ପଟେଲଙ୍କ କହିବା ମୁତାବକ ଉଭୟ ଅଞ୍ଚଳର ୨୦ ରୁ ୨୫ଟି ହୋଟେଲକୁ ଯାଞ୍ଚ କରାଯାଇଥିବା ବେଳେ ୧୧୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ସହ ୫୦ ରୁ ୬୦ କେଜି ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। ଏଥି ସହିତ ଆଗାମୀ ଦିନରେ ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ମୋଟା ଅଙ୍କର ଜରିମନା ଆଦାୟ ସହ ହୋଟେଲ ଏବଂ ଢ଼ାବା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ଶ୍ରୀ ପଟେଲ।

ବିଡ଼ମ୍ବନାର ବିଷୟ ଆଜି ଖାଦ୍ୟ ଓ ସୁରକ୍ଷା ବିଭାଗ ତରଫରୁ ଅଚାନକ ଚଢ଼ାଉ ଖବର କୋୖଣସି କାରଣରୁ ପ୍ରଚାରିତ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ପ୍ରାୟତଃ ବହୁ ମିଠା ଦୋକାନ ସମେତ ହୋଟେଲ ଢ଼ାବା ଆଦି ବନ୍ଦ ରହିଥିଲା।