ଖୋର୍ଦ୍ଧା: ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି, ନଷ୍ଟ କଲା ୩୦୦ କିଲୋ ବନସ୍ପତି ଘିଅ

Published: Apr 11, 2023, 3:44 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନ ଗୁଡିକରେ ନିକୃଷ୍ଟ ମାନର ଏବଂ ଅବଧି ସମାପ୍ତ ହୋଇ ସାରିଥିବା ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏହାକୁ ଗୁରୁତର ସହ ନେଇଛନ୍ତି।

ଡ଼ା ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। କିଛି ଦିନ ତଳେ ଟାଙ୍ଗୀର ଏକ ମିକ୍ସଚର ଫାକ୍ଟ୍ରିରୁ ଉକ୍ତ ବିଭାଗ ପାଖାପାଖି ୧୦୦ କେଜି ଜିନିଷ ନଷ୍ଟ କରିଥିବା ବେଳେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା।

ଅନୁରୂପ ଭାବେ ଆଜି ବିପୁଳ ପରିମାଣରେ ଅବଧି ସରିଯାଇଥିବା ବନସ୍ପତି ଘିଅ ନଷ୍ଟ କରିଛି ଖାଦ୍ୟ ଓ ସୁରକ୍ଷା ବିଭାଗ। ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଖାଦ୍ୟ ଓ ସୁରକ୍ଷା ଅଧିକାରିଣୀ ନିବେଦିତା ଭଟ୍ଟ ଏବଂ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ରାମେଶ୍ୱର ଓ ନିରାକାରପୁର ଅଞ୍ଚଳର ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନରେ ଚଢ଼ାଉ କରିଥିଲେ।

ତେବେ ଏକ ବେକେରି ୟୁନିଟ ରୁ ୩୦୦ କିଲୋ ଅବଧି ସମାପ୍ତ ହୋଇସାରିଥିବା ବନସ୍ପତି ଘିଅ ନଷ୍ଟ କରାଯାଇଛି। ତତସହିତ ୫ ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ଆକ୍ସନ ମୋଡ଼ ଦେଖି ବହୁ ଅସାଧୁ ବ୍ୟବସାୟୀ ପ୍ରମାଦ ଗଣୁଥିବାର ଦେଖିବାକୁ ମିଳିଛି। ଏପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଉଭୟ ଅଧିକାରୀ କହିଛନ୍ତି।

Related posts