Categories
ଆଞ୍ଚଳିକ

ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ବାଣପୁର ବ୍ଲକର ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ଦେବା ପାଇଁ ଦାବି

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସାରା ବିଶ୍ବକୁ କରୋନା ମହାମାରୀ କବଳିତ କରିଛି। ଭାରତରେ ମଧ୍ୟ ଏହାର ପ୍ରଭାବ କିଛି କମ୍ ନାହିଁ। ଭାରତରେ ଏହାର ଦ୍ରୁତ ପ୍ରସାର ଦେଖି ଭାରତ ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତେ ଏହି ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କାର୍ଯ୍ୟକାରୀ କରିଛନ୍ତି। ଏହି ଲକ୍‌ ଡାଉନ୍‌ ସମୟରେ ଯେପରି କେହି ଭୋକିଲା ନ ରୁହନ୍ତି ସେଥିପାଇଁ ରାଜ୍ୟ ସରକାର ବହୁପ୍ରକାରର ପଦକ୍ଷେପ ନେଇଛନ୍ତି।

ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡଧାରୀମାନଙ୍କୁ ତିନିମାସର ଆଗୁଆ ରାସନ ସାମଗ୍ରୀ ସହିତ ଏକ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ବଣ୍ଟନ କରୁଛନ୍ତି। ଏହି କ୍ରମରେ ବାଣପୁର ବ୍ଳକରେ ଅଧିବାସୀମାନେ ମଧ୍ୟ ରାସନ କାର୍ଡଧାରୀ ଏହି ସାମଗ୍ରୀ ପାଉଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ କ’ଣ କରିବେ? ଲକ ଡାଉନ ଯୋଗୁଁ କାମ ଧନ୍ଦା ବନ୍ଦ ଥିବାରୁ ଦିନ ମଜୁରିଆମାନେ କିପରି ତାଙ୍କର ପରିବାରଙ୍କ ମୁହଁରେ ଖାଇବା ଯୋଗାଇପାରିବେ? ଏପରି ବହୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ନାହିଁ। ସେମାନେ ଏହି ଯୋଜନାର ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନ କାର୍ଡ ନଥିବାରୁ ସରକାରଙ୍କ ଏହି ଯୋଜନା ପାଇପାରୁନାହାନ୍ତି। ଏହି ହିତାଧିକାରୀମାନେ ଦୀର୍ଘ ଦୁଇ ବର୍ଷ ଧରି ଅପେକ୍ଷା କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାସନକାର୍ଡ ପାଇପାରିନାହାନ୍ତି।

ବର୍ତ୍ତମାନ ଲକ ଡାଉନ ପରିସ୍ଥିତିରେ ପ୍ରାୟ ମାସେ ହେବ ସେହି ସମସ୍ତଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡିଛି। ଯାହା ଖାଇବା ପାଇଁ ଘରେ ଥିଲା ତାହା ଶେଷ ହୋଇଗଲାଣି। କାର୍ଡ ପାଇ ନ ଥିବା ଖାଉଟିମାନେ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ଯଦି ଏଭଳି ପରିସ୍ଥିତିରେ କୌଣସି ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ନ ଦିଆ ଯାଏ, ତେବେ କୌଣସି ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହେଲାଣି।

ତେଣୁ ପରିସ୍ଥିତିକୁ ଦେଖି ବ୍ଲକର ସମସ୍ତ ଅଧିବାସୀମାନଙ୍କୁ ରାସନ ସାମଗ୍ରୀ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଖୋର୍ଦ୍ଧା ଜିଲ୍ଲା ଜୋନ ନମ୍ବର ୧୩ର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଦାବି କରିଛନ୍ତି। ଅମରେନ୍ଦ୍ର ରଣସିଂହ ଏନେଇ ଜିଲ୍ଲାପାଳ ସୀତାଂଶୁ ରାଉତ, ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡଙ୍ଗୀ ଓ ଜିଲ୍ଲା ପ୍ରୋଜେକ୍ଟ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଓ ପିଏମ୍‌ଓ ଅଫିସଙ୍କୁ ଦାବିପତ୍ର ପଠାଇଛନ୍ତି।