Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର:ଖୋର୍ଦ୍ଧାଜିଲ୍ଲା ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ଷାଠିଏ ବର୍ଷରେ ପଦାର୍ପଣ କରିଥିବାରୁ ରବିବାର ଠାରୁ ଦୁଇଦିନ ଧରି ବିଦ୍ୟାଳୟ ହୀରକ ଜୟନ୍ତୀ ମହୋତ୍ସବ ପାଳନ କରୁଛି। ଆଜିର ଉଦଘାଟନ ଉତ୍ସବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୂଷଣ ହରିଚନ୍ଦନ ଯୋଗ ଦେବାକୁ ଥିଲା। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କର ଗସ୍ତ ବାତିଲ ହୋଇଯାଇଥିଲା।

ଆଜିର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା କିଟ ୟୁନିଭର୍ସିଟିର ସାହିତ୍ୟ ବିଭାଗର ମୁଖ୍ୟ ଡ଼ଃ ବିଜୟା ନନ୍ଦ ସିଂ ଯୋଗ ଦେଇଥିବା ବେଳେ ସାମ୍ମାନ୍ୱିତ ଅତିଥିଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ଡା. ସନ୍ତୋଷ ତ୍ରିପାଠୀ, ଚିଲିକାର ପୂର୍ବତନ ବିଧାୟକ ଡ଼ଃ ବିଭୁତି ଭୂଷଣ ହରିଚନ୍ଦନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଚଳା ଗୁରୁ ଯୋଗଦେଇଥିଲେ। ଆଲୁମିନ କମିଟି ସଭାପତି ଡ଼ଃ ସୁରେନ୍ଦ୍ର ନାଥ ଦାସ ମଞ୍ଚ ପରିଚାଳନା କରିଥିଲେ।

ଅତିଥିମାନଙ୍କ ଦ୍ୱାରା ପ୍ରତିଷ୍ଠାତା ପର୍ଶୁରାମ ହରିଚନ୍ଦନ ଓ ଭାଗିରଥି ମାଲୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବିଜ୍ଞାନ ମେଳାକୁ ଅତିଥିମାନେ ବୁଲି ଦେଖିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭରେ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ l ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ପ୍ରକାଶିତ ବହୁ ପୁରାତନ ପତ୍ରିକା ଶତଘନୀକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳ ବାସୀ ବିମୋହିତ ହୋଇଥିଲେ।