Categories
ଆଞ୍ଚଳିକ

ବାଣପୁରରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଓ ଧୂଆଁନଳି ସେକ୍ସନ ଅଞ୍ଚଳରେ ବୁଧବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୂଁଆନଳି ସେକ୍ସନର କିଆଗୋରଡ଼ା ଗ୍ରାମ ଏବଂ ଗମ୍ଭାରୀମୁଣ୍ଡା ସେକ୍ସନର ଖିଲାମୁଣ୍ଡା ମନ୍ଦିର ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉଭୟ କାର୍ଯ୍ୟକ୍ରମରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀ ଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ତତସହିତ ଯଦି କୌଣସି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥୁବାର ଗ୍ରାମବାସୀ ମାନେ ଦେଖନ୍ତି ତେବେ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ମହାନ୍ତି। ଉଭୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବନପାଳ ଚିତ୍ରସେନ ଜେନା, ପ୍ରଦୀପ୍ତ ମହାନ୍ତି, ଦୁଃଶାସନ ନାୟକ, ଶିଳ୍ପୀସରିତା ମହାକୁଡ଼ ଯୋଗଦେଇଥିବା ବେଳେ କିଆଗୋରଡା, ପଙ୍କାଳ, ମହତପଲା ଏବଂ ଗୋପୀନାଥପୁର ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଫ୍ୟୁଜ କଲ ଅଫିସ କର୍ମଚାରୀଙ୍କୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରପାତି ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଫ୍ୟୁଜ କଲ ଅଫିସ ସାମ୍ନାରୁ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲୁଟିନେଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଖବର ମୁତାବକ ଗମ୍ଭାରୀମୁଣ୍ଡା ଟିପିସିଓଡ଼ିଏଲ ଫ୍ୟୁଜ କଲ ଅଫିସ ସମ୍ମୁଖରୁ ଶନିବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ମାନେ ଅଫିସ ଭିତରେ ଥିବା କର୍ମଚାରୀଙ୍କୁ ବାହାର ପଟୁ ତାଲା ପକାଇ କମ୍ପାନୀର ଏଲଟି କେବୁଲ ଏବଂ ବେଆର କଣ୍ଡକ୍ଟରଗୁଡିକୁ ଏକ ଟାଟା ଏସି ଗାଡ଼ିରେ ଲୋଡ଼ କରି ଏକ ଆଲ୍ଟୋ କାରରେ ଫେରାର ହୋଇଯାଇଥିଲେ। ଏ ନେଇ ସ୍ଥାନୀୟ ସିସି ଟିଭି ଫୁଟେଜ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ କମ୍ପାନୀ ଅଧିକାରୀ ଜାଣିବାକୁ ପାଇଥିଲେ। ଚୋରି ହୋଇଥିବା ବୈଦ୍ୟୁତିକ ସାମଗ୍ରୀର ପରିମାଣ ଆନୁମାନିକ ୧ ଲକ୍ଷ ୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ତେବେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଟିପିସିଓଡ଼ିଏଲ ନାଚୁଣୀ ଜେଇ ପ୍ରକାଶ ପଟ୍ଟନାୟକ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ଅନୁରୂପ ଭାବେ ଦୁର୍ବୁତ୍ତମାନଙ୍କୁ ଯଥାଶୀଘ୍ର ଗିରଫ ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଗମ୍ଭାରୀମୁଣ୍ଡାରେ ଜଘନ୍ୟ ହତ୍ୟାକାଣ୍ଡ: ସ୍ତ୍ରୀକୁ କଟୁରୀରେ ହାଣି ଖଣ୍ଡ ଖଣ୍ଡ କଲା ସ୍ୱାମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝରିଆଟାଙ୍ଗୀ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜେ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ ଘଟିକାରେ ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମର ବିଭୁଦତ୍ତ ରାୟ ତାଙ୍କ ସ୍ତ୍ରୀ ଙ୍କ ବେକକୁ କଟୁରୀରେ ହାଣି ଦେଇଛନ୍ତି। ଫଳରେ ସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ବିଭୁଙ୍କୁ ଅଟକ ରଖିଛି। ତେବେ ଏ ଘଟଣା ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟରେ ଏବିଭିପି ଦ୍ୱାରା ସ୍ଵଚ୍ଛ କ୍ୟାମ୍ପସ ଅଭିଯାନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ୱାରା ଏକ ସ୍ଵଚ୍ଛ  କ୍ୟାମ୍ପସ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଏବିଭିପି କ୍ୟାମ୍ପସ ୟୁନିଟ ସଭାପତି ସୁଜିତ ଜେନା ଓ ସମ୍ପାଦକ ଦୀପକ ବେହେରାଙ୍କ ନେତୃତ୍ୱରେ ଉକ୍ତ ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ। ଅଧ୍ୟକ୍ଷଙ୍କ ସହିତ ଶିକ୍ଷା ବିଭାଗ ଅଧ୍ୟାପକ ନୀଳମଣି ଘଡ଼ାଇ, କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଓ  ବରିଷ୍ଠ କିରାଣୀ ବସନ୍ତ ଛାଟୋଇ ଉକ୍ତ ଅଭିଯାନରେ ଭାଗନେଇ ଛାତ୍ର ଛାତ୍ରୀଙ୍କ ସହ ମହାବିଦ୍ୟାଳୟ କ୍ୟାମ୍ପସ ପରିସର ସଫା କରିଥିଲେ।

ବିଦ୍ୟାର୍ଥୀ ପରିଷଦ ସଦାବେଳେ ଶିକ୍ଷା ସମସ୍ୟାକୁ ଗୁରୁତ୍ୱ ଦେଇ ଆସୁଛି ଓ ସାମାଜିକ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ କାମ କରିବା ସହ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ରକ୍ଷା, ଶୈକ୍ଷିକ ବାତାବରଣ ବଜାୟ ରଖିବା ଓ କ୍ୟାମ୍ପସର ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଭଳି ବହୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଛି ବୋଲି ନଗର ସମ୍ପାଦକ ବିକାଶ କୁମାର ସେଠି ମତ ପ୍ରକାଶ କରିଥିଲେ। ପରିଶେଷରେ ଏବିଭିପି ଦ୍ୱାରା କଲେଜର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।   ଅଧ୍ୟକ୍ଷ ସମସ୍ତ ଦାବିକୁ ଶୀଘ୍ର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶାଶ୍ୱତ, ଜିତେନ୍ଦ୍ର, ସିଲୁ, ରାଜେଶ, ଓମକାର,ବିରେନ, ସର୍ବେଶ୍ୱର, ଅମୀୟ, ପ୍ରିତମ, ବାଦଲ ଓ  ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପଦ ହରାଇଲେ ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚ

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ମାସ ଧରି ଚାଲିଥିବା ନାଟକର ପରିଶେଷରେ ଯବନିକା ପଡିଛି। ପଦ ହରାଇଛନ୍ତି ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚ। ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଛି। ଗମ୍ଭାରୀମୁଣ୍ଡା ପଞ୍ଚାୟତ ସରପଞ୍ଚ ବିମଳ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ୮-୦ରେ ଏହି ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଛି। ୧୧ ଜଣ ୱାର୍ଡମେମ୍ବର ମଧ୍ୟରୁ ୮ଜଣ ସରପଞ୍ଚଙ୍କ ବିରୋଧରେ ଭୋଟ୍ ଦେଇଥିଲେ। ତେବେ ଅନ୍ୟ ତିନି ଜଣ ଓ୍ବାର୍ଡମେମ୍ବର ଏହି ଅନାସ୍ଥା ପ୍ରସ୍ତାବ ଭୋଟରେ ଅନୁପସ୍ଥିତ ରହିଥିଲେ।  ଫଳରେ ସରପଞ୍ଚଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଛି। ସେଠାରେ ଅପ୍ରୀତିକର ପରିସ୍ଥିତିକୁ ତଥା ଉତ୍ତେଜନାକୁ ଏଡ଼ାଇବାକୁ ପାଇଁ ଜଣେ ଏସଡିପିଓ, ଦୁଇ ଜଣ ଡିଏସପି, ୫ଜଣ ଆଇଆଇସିଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ବିଜୟୀ ହୋଇ ସରପଞ୍ଚ ହୋଇଥିଲେ ବିମଳ ପଟ୍ଟନାୟକ। ତତ୍କାଳୀନ ବିଜେପି ବିଧାୟକଙ୍କ ସମୟରେ ବିଜେଡି ସରପଞ୍ଚ ଭାବେ ବିମଳ ପଟ୍ଟନାୟକ ବିଜୟୀ ହୋଇଥିବାବେଳେ ଏବେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତା ରହିଥିବା ସମୟରେ ସରପଞ୍ଚ ଗାଦିଚ୍ୟୁତ ହେବା ବେଶ୍‌ ଆଶ୍ଚର୍ଯ୍ୟଜନକ।

Categories
ଆଜିର ଖବର ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ତିନୋଟି ମନ୍ଦିରରୁ ବଡଧରଣର ଚୋରି

ସମୀକ୍ଷା ବ୍ୟୁରୋ
ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ କେହି ଦୁର୍ବୃତ୍ତ ତିନି ମନ୍ଦିରରୁ ଚୋରି କରିଥିବା ଜଣାପଡିଛି। ଘାସେଡିହ ଗ୍ରାମର ରାମଚଣ୍ଡୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବେଳେ ଗମ୍ଭାରୀମୁଣ୍ଡା ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ସୂଚନା ମିଳିଛି। ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଅଭିଯୋଗ ଅନୁଯାୟୀ, ରାମଚଣ୍ଡୀ ମନ୍ଦିରରୁ ସୁନାର ମଙ୍ଗଳସୂତ୍ର, ସୁନାର ଚିତଉ, ସୁନାର ଧାନମାଳି ସମେତ ରୂପାର କିରଟ ଏବଂ ୧୦୦ ଗ୍ରାମର ବେଲପତ୍ର ମାଳ ଚୋରି ହୋଇଛି। ଅପର ପକ୍ଷରେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭଙ୍ଗାଯାଇ ହୁଣ୍ଡିରେ ରହିଥିବା ସମସ୍ତ ଅର୍ଥରେ କଳାକନା ବୁଲାଇଛନ୍ତି ଲୁଟେରା। ଏହି ଦୁଇ ମନ୍ଦିର ସହିତ ଗମ୍ଭାରୀମୁଣ୍ଡା ବଜାର ମଝିରେ ଅବସ୍ଥିତ ତାରିଣୀ ମନ୍ଦିରରୁ ମଧ୍ୟ ବହୁ ଅଳଙ୍କାର ଲୁଟ ହୋଇଛି। ସ୍ଥାନୀୟ ଗ୍ରାମବାସୀ  ବାଣପୁର ଥାନାରେ ଅଭିଯୋଗ କରିବା ପରେ ବାଣପୁର ଥାନାର ନିର୍ଦ୍ଦେଶ କ୍ରମେ ଗମ୍ଭାରୀମୁଣ୍ଡା ଫାଣ୍ଡି ଥାନାଧିକାରୀ ମୁରଲୀଧର ବଳିଆରସିଂହ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟର : ସୀତାରମ ଅଗ୍ରଓ୍ବାଲ