Categories
ଆଞ୍ଚଳିକ

ବାଲୁଗାଁଠାରେ ଘରେ ପଶି ଯୁବତୀଙ୍କ ତଣ୍ଟି କାଟିବା ଘଟଣା : ଘଟଣାସ୍ଥଳରେ ଏସପି ସମେତ ସାଇଣ୍ଟିଫିକ୍ ଟିମ୍

ସମୀକ୍ଷା ବ୍ୟୁରୋ / ବାଲୁଗାଁ
ବାଲୁଗାଁର ଗଙ୍ଗନଗର ଗ୍ରାମରେ ଯୁବତୀଙ୍କ ଘରେ ପଶି ତଣ୍ଟିକାଟିବା ଘଟଣାକୁ ନେଇ ଚାଲିଛି ତନାଘନା। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ। ଖୋର୍ଦ୍ଧା ଏସପିଙ୍କ ଅଧ୍ୟକ୍ଷତାରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇଆଇସି ରମାକାନ୍ତ ମହାଳିକ ଓ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗ୍ରାମରେ ବାଲୁଗାଁ କଲେଜର ଯୁକ୍ତ ଦୁଇ କଳା ଛାତ୍ରୀ ଶିବାନୀ ବେହେରାଙ୍କ ଘରେ ପଶି ତାଙ୍କୁ ଜଣେ ଯୁବକ ଗଳାକାଟି ହତ୍ୟା କରିଛି। ଶିବାନୀ ତାଙ୍କ ଘର ବାରିପଟେ ଥିବା ଏକ କୋଠରୀରେ ବସି ପାଠ ପଢୁଥିବାବେଳେ ସେହି ଗ୍ରାମର ଜଣେ ଯୁବକ ଛାତ ଚଢି ଘରେ ପ୍ରବେଶ କରି ଏକ ଧାରୁଆ ଅସ୍ତ୍ର ଦ୍ବାରା ଶିବାନୀର ଗଳା କାଟି ଦେଇ ଫେରାର ହୋଇଯାଇଥିଲା। ପାଖ ରୁମରେ ବସିଥିବା ତାଙ୍କ ମା’ ଓ ଭାଉଜ ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମେନ୍ତ ବାଲୁଗାଁ ମେଡ଼ିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଗଳାକାଟି ଥିବା ଯୁବକ ଜଣକ ଏକତରଫା ପ୍ରେମ କରୁଥିବାର ସନ୍ଦେହ କରାଯାଉଛି। ପୋଲିସ୍ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଶିବାନୀଙ୍କ ମୃତଦେହକୁ ବୈଦ୍ୟନାଥପୁର ଥାନା ପୁଲିସ ଜବତ କରିଥିବାବେଳେ ଆଜି ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ଏହି ହତ୍ୟାକାଣ୍ଡର କାରଣ ଏବେବି ରହସ୍ୟାବୃତ୍ତ ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ବାହାରକୁ ଆସିବ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ