Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାସୁମନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ସତ୍ୟବାଦୀର ସାରସ୍ବତ ସାଧକ ଉତ୍କଳର ବରପୁତ୍ର ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୪ ତମଶ୍ରାଦ୍ଧ ଦିବସ ତଥା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ। କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲେ ମଧ୍ୟ ନିରାଡମ୍ବର ଭାବରେ ଏହା ପାଳିତ ହୋଇଛି। ପ୍ରଭାତରେ ମହାବିଦ୍ୟାଳୟ ପୁଷ୍କରିଣୀରେ ତିଳ ତର୍ପଣ ପୂର୍ବକ ସ୍ବର୍ଗତ ପଣ୍ଡିତ ମିଶ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିବାବେଳେ ପରିସରରେ ଥିବା ପଣ୍ଡିତ ମିଶ୍ରଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ, ପ୍ରଶାସନିକ ଅଧିକାରୀ ଡ. ପ୍ରମୋଦ କୁମାର ପାଢୀ, ମୁଖ୍ୟ କିରାଣୀ ଶ୍ରୀ ଦୁର୍ଯ୍ୟୋଧନ ସାହୁ, କ୍ୟାପେଟନ୍‌ ଗୁରୁ କିଶୋର ନାୟକ, ପ୍ରାଧ୍ୟାପକ ପ୍ରଭାତ କୁମାର ହୋତା, ଶ୍ରୀ ଚିତ୍ତରଞ୍ଜନ ବେହେରା, ଡ. ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ଅମୂଲ୍ୟ ମାଳି, ମନୋଜ ପରିମାଣିକ, ପ୍ରଭାତ ମାର୍ଥା ଏବଂ କେତେଜଣ ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ମହାବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

କରୋନା କଟକଣା କୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଏବଂ କର୍ମଚାରୀ ମାନେ ସାମାଜିକ ଦୂରତ୍ୱ ରକ୍ଷା କରି ମାସ୍କ ପରିଧାନ କରି ଆଜିର ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଥିଲେ। ସୂଚନାଥାଉ କି ପିଢ଼ି ପରେ ପିଢ଼ି ଆମ ରାଜ୍ୟ ତଥା ଦେଶ ବିଦେଶକୁ ଶହ ଶହ ସୁନାମଧନ୍ୟ ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପ୍ରଦାନ କରିଆସୁଥିବା ଓଡ଼ିଶାର ଏହି ବହୁ ପୁରାତନ ଓ ପ୍ରତିଷ୍ଠିତ ମହାବିଦ୍ୟାଳୟ ଆଗାମୀ ଦୁଇ ବର୍ଷ ପରେ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଅଛି।