Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କେତେ ସହଜ, କେତେ କଷ୍ଟକର? ସବୁ ସମସ୍ୟାର ସମାଧାନ କହିଲା ବାର କାଉନସିଲ

ନୂଆଦିଲ୍ଲୀ: ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଅର୍ଥାତ୍ ଦେଶର ସମସ୍ତ ନିର୍ବାଚନ ଏକାସାଙ୍ଗରେ ହେବା ଦରକାର। ଏହା ଏକ ପ୍ରସ୍ତାବ ଯେଉଁଥିରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ପରାମର୍ଶ ଦିଆଯାଇଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ସମର୍ଥନ କରିଛନ୍ତି।

ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ସାରାଦେଶରେ ପ୍ରତି ପାଞ୍ଚବର୍ଷରେ ଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ପ୍ରଶ୍ନ ଉଠୁଛି ଏସବୁ କେମିତି ହେବ? ଏହା ହେବା କେତେ ସହଜ ଏବଂ କେତେ କଷ୍ଟକର?

ପୂର୍ବରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥା କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ?
ସ୍ୱାଧୀନତା ପରେ ଦେଶରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ଧାରଣା ଲାଗୁ ହୋଇଥିଲା। ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା। ଅର୍ଥାତ୍ ଏହି ବ୍ୟବସ୍ଥାରେ ୪ ଥର ନିର୍ବାଚନ ହୋଇଥିଲା। ତା’ପରେ କେତେକ ରାଜ୍ୟରେ ସରକାରଙ୍କ ପତନ ଓ ବିଧାନସଭା ଭଙ୍ଗ ଯୋଗୁଁ ଏହି ପରମ୍ପରା ଭାଙ୍ଗି ଯାଇଥିଲା।

ପୁଣିଥରେ ଏକାସାଙ୍ଗରେ ନିର୍ବାଚନ କରାଇବା ସମ୍ଭବ କି?

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଭଲ ଲାଗୁଥିଲେ ମଧ୍ୟ ଏହାକୁ ପୁଣିଥରେ କାର୍ଯ୍ୟକାରୀ କରିବା ଏତେ ସହଜ ନୁହେଁ। ସମ୍ବିଧାନର ସାମ୍ପ୍ରତିକ ଢାଞ୍ଚା ଅନୁଯାୟୀ ଏକକାଳୀନ ନିର୍ବାଚନ ହୋଇପାରିବ ନାହିଁ। ଏକାସାଙ୍ଗରେ ନିର୍ବାଚନ କରିବାକୁ ହେଲେ ପ୍ରଥମେ ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡ଼ିବ।

ଖାଲି ସେତିକି ନୁହେଁ, ଅଧା ରାଜ୍ୟକୁ ମଧ୍ୟ ଏହି ସଂଶୋଧନକୁ ଅନୁମୋଦନ କରିବାକୁ ପଡ଼ିବ। ଏହାପରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ବିଲ ସଂସଦରେ ସଂଖ୍ୟାଗରିଷ୍ଠତା ସହ ପାରିତ କରିବାକୁ ପଡ଼ିବ। ଅର୍ଥାତ୍ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ସମୟ ଲାଗିବ ବୋଲି କୁହାଯାଇପାରେ।

ବାର କାଉନସିଲ ପକ୍ଷରୁ ଉଚ୍ଚସ୍ତରୀୟ କମିଟିକୁ ପରାମର୍ଶ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅନେକ ବ୍ୟାବହାରିକ ପ୍ରଶ୍ନ ଉଠୁଛି। ଉଦାହରଣସ୍ୱରୂପ, ନିର୍ବାଚନ ପରେ ଯଦି କୌଣସି ରାଜ୍ୟରେ ତ୍ରିଶଙ୍କୁ ବିଧାନସଭା ଥାଏ ତେବେ କ’ଣ ହେବ? ଯଦି ରାଜ୍ୟ ସରକାର ଅକାଳରେ ଭାଙ୍ଗିଯାଏ ତେବେ କ’ଣ ହେବ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ କେନ୍ଦ୍ର ସରକାର ନିକଟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ, ଯାହାର ନେତୃତ୍ୱ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଉଛନ୍ତି। ଏହି କମିଟି ଜନସାଧାରଣ ଓ ବିଶେଷଜ୍ଞଙ୍କଠାରୁ ମତାମତ ଲୋଡ଼ିଛି।

କେଉଁ ଆଇନଗତ ଏବଂ ପ୍ରଶାସନିକ ପରିବର୍ତ୍ତନ ଆବଶ୍ୟକ?

ବାର କାଉନସିଲ ଅଫ ଇଣ୍ଡିଆ (ବିସିଆଇ) ଦେଇଥିବା ପରାମର୍ଶ ଅନୁଯାୟୀ, ଗୋଟିଏ ସମୟରେ ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ହେଲେ ପ୍ରଥମେ ସମ୍ବିଧାନରେ କିଛି ପରିବର୍ତ୍ତନ ଜରୁରୀ। ଭାରତୀୟ ସମ୍ବିଧାନର ଧାରା ୮୩, ୮୫, ୧୭୨, ୧୭୪ ଓ ୩୫୬କୁ ବଦଳାଇବାକୁ ପଡ଼ିବ।

ଜନପ୍ରତିନିଧି ଆଇନ ୧୯୫୧ ଏବଂ ଅନ୍ୟାନ୍ୟ ନିର୍ବାଚନ ଆଇନରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ। ଏଥିରେ ସମସ୍ତ ନିର୍ବାଚନ ପାଇଁ ଏକକ ନିର୍ବାଚନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା, ପ୍ରଚାର ସମୟ ନିର୍ଦ୍ଧାରଣ କରିବା ଏବଂ ବ୍ୟୟ ସୀମା ନିର୍ଦ୍ଧାରଣ କରିବା ଅନ୍ତର୍ଭୁକ୍ତ। ଯଦି ପଞ୍ଚାୟତ ଓ ପୌର ସଂସ୍ଥାରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ଚାହୁଁଛନ୍ତି ତେବେ ଧାରା ୨୪୩ କେ ଓ ୨୪୩ ଜେଡଏରେ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ।

ନିର୍ବାଚନ ଆୟୋଗକୁ ସୁଦୃଢ଼ କରିବା

ଏକାସାଙ୍ଗରେ ନିର୍ବାଚନ ଅର୍ଥ ହେଉଛି କଠିନ ପରିଶ୍ରମକୁ ଦ୍ୱିଗୁଣିତ କରିବା। ତେଣୁ ନିରପେକ୍ଷ ଓ ସ୍ୱଚ୍ଛ ଢଙ୍ଗରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କୁ ଅଧିକ ସମ୍ବଳ ଓ କ୍ଷମତା ଦେବାକୁ ପଡ଼ିବ। ଏଥିରେ ଏକ ନୂତନ ଢାଞ୍ଚା ସୃଷ୍ଟି କରିବା, ଅଧିକ କର୍ମଚାରୀ ଏବଂ ଟେକନୋଲୋଜି ଆଣିବା ଅନ୍ତର୍ଭୁକ୍ତ ହୋଇପାରେ।

ଏବେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ଅଧ୍ୟକ୍ଷ ମନନ କୁମାର ମିଶ୍ର କମିଟିକୁ କିଛି ବିସ୍ତୃତ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ କ’ଣ ଆଇନଗତ ଓ ପ୍ରଶାସନିକ ପରିବର୍ତ୍ତନ ର ଆବଶ୍ୟକତା ରହିଛି ତାହା ବୁଝାଇଛନ୍ତି।

ମତଦାତାଙ୍କ ସମର୍ଥନ

ସବୁଠାରୁ ବଡ଼ ଶକ୍ତି ହେଉଛି ମତଦାତା। ଏକକାଳୀନ ନିର୍ବାଚନ ଅର୍ଥ ଅଧିକ ସଚେତନତା, ଅଧିକ ମତଦାନ ଏବଂ ଶକ୍ତିଶାଳୀ ଗଣତନ୍ତ୍ର। ତେଣୁ ଏହି ପରିବର୍ତ୍ତନ କାହିଁକି ଜରୁରୀ ଏବଂ ଏହା କିପରି ସେମାନଙ୍କ ପାଇଁ ଲାଭଦାୟକ ହେବ ତାହା ଜନସାଧାରଣଙ୍କୁ କହିବାକୁ ପଡ଼ିବ।

ରାଜନୈତିକ ପାଣ୍ଠି ସଂସ୍କାର

ନିରପେକ୍ଷଭାବେ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ପାଣ୍ଠି ଏବଂ ନିର୍ବାଚନ ଅର୍ଥ ଆଇନରେ ବଡ଼ ସଂସ୍କାର ଆବଶ୍ୟକ। ରାଜନୈତିକ ପାଣ୍ଠି ଓ ବ୍ୟୟକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱଚ୍ଛ ବ୍ୟବସ୍ଥା କରିବାକୁ ପଡ଼ିବ।

ପ୍ରଶାସନିକ ପ୍ରସ୍ତୁତି

ଏକକାଳୀନ ନିର୍ବାଚନ କରାଇବା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଜରୁରୀ। ଏଥିରେ ସୁରକ୍ଷା ବ୍ୟବସ୍ଥା, ମତଦାନ କେନ୍ଦ୍ର ପରିଚାଳନା, ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରିବା ଏବଂ ଲଜିଷ୍ଟିକ୍ ଆବଶ୍ୟକତା ଆଦି ଦିଗ ଉପରେ ନଜର ରଖାଯାଇଛି।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ ହେଲେ କ’ଣ ହେବ?

ବାର୍ କାଉନସିଲ ମଧ୍ୟ ଏକାସାଙ୍ଗରେ ନିର୍ବାଚନ କରିବାର ଅନେକ ଫାଇଦା ବିଷୟରେ ଗଣନା କରିଛି। ପୃଥକ୍‍ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ପ୍ରତିଥର ନୂଆ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ପରିଷଦ କହିଛି। ଏଥିରେ କର୍ମଚାରୀ ନିଯୁକ୍ତି, ମତଦାନ କେନ୍ଦ୍ର ପ୍ରତିଷ୍ଠା, ଭୋଟର ତାଲିକା ପ୍ରସ୍ତୁତି ଓ ମତଦାନ ସାମଗ୍ରୀ କ୍ରୟ ଆଦି ରହିଛି। ଏକାସାଙ୍ଗରେ ନିର୍ବାଚନ କଲେ ଏହି ସବୁ ଖର୍ଚ୍ଚ ହ୍ରାସ ପାଇଥାଏ।

ବିଭିନ୍ନ ନିର୍ବାଚନରେ ପ୍ରଚାର ଓ ଭ୍ରମଣ ପାଇଁ ରାଜନୈତିକ ଦଳମାନଙ୍କୁ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ବାରମ୍ବାର ନିର୍ବାଚନ ହେଉଥିବାରୁ ସରକାରୀ କାରବାର, ସୁରକ୍ଷା ବାହିନୀ ଓ ସମ୍ବଳ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଉଛି। ଏକକାଳୀନ ନିର୍ବାଚନ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ ଏବଂ ସରକାରଙ୍କ ଧ୍ୟାନ ନିର୍ବାଚନ ପାଇଁ ପ୍ରସ୍ତୁତି ଅପେକ୍ଷା ଜନମଙ୍ଗଳ ଉପରେ କେନ୍ଦ୍ରିତ ହୋଇପାରେ।

ଏକକାଳୀନ ନିର୍ବାଚନ ସମସ୍ତ ଭୋଟରଙ୍କୁ ଏକାସାଙ୍ଗରେ ସମସ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବାର ସୁଯୋଗ ଦେଇଥାଏ। ଏହାଦ୍ୱାରା ଭୋଟରଙ୍କ ଥକାପଣ କମ୍ ହୋଇପାରିବ। ମତଦାତାଙ୍କୁ ବାରମ୍ବାର ମତଦାନ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ, ଯାହାଦ୍ୱାରା ନାଗରିକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ।

ଏବେ ବାରମ୍ବାର ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳଗୁଡ଼ିକ ପ୍ରାୟତଃ କାଳ୍ପନିକ, ଲୋକପ୍ରିୟ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ଯଦି ଏକାସାଙ୍ଗରେ ନିର୍ବାଚନ ହୁଏ, ତେବେ ଦଳଗୁଡ଼ିକୁ ଅଳ୍ପ ସମୟ ମଧ୍ୟରେ ନିର୍ବାଚନ ଲଢ଼ିବାକୁ ପଡ଼ିବ ନାହିଁ, ଯାହା ଦୀର୍ଘମିଆଦୀ ଯୋଜନା ଓ ନୀତି ଉପରେ ଅଧିକ ଧ୍ୟାନ ଦେବାକୁ ସକ୍ଷମ ହେବ। ଏହାବ୍ୟତୀତ ୫ ବର୍ଷରେ ଥରେ ହିଁ ସୁରକ୍ଷା ବାହିନୀ ମୁତୟନ କରିବାକୁ ପଡ଼ିବ।

ବିରୋଧୀ ଉଠାଇଥିବା ପ୍ରଶ୍ନର ସମାଧାନ କ’ଣ?

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥାକୁ ବିରୋଧୀ ଲଗାତାର ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ବାର କାଉନସିଲ ମଧ୍ୟ କମିଟିକୁ ପଠାଯାଇଥିବା ପ୍ରସ୍ତାବରେ ଏହି କଥା ଉଲ୍ଲେଖ କରିଥିବାରୁ ବିରୋଧୀ ବିରୋଧ କରୁଛନ୍ତି। ଏକକାଳୀନ ନିର୍ବାଚନ କେବଳ କେନ୍ଦ୍ରୀୟ ପ୍ରସଙ୍ଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟି ହଟାଇବ ଏବଂ ଆଞ୍ଚଳିକ ଦଳଗୁଡ଼ିକର ଅସ୍ତିତ୍ୱ ବନ୍ଦ ହୋଇଯିବ ବୋଲି ବିରୋଧୀ ଆଶଙ୍କା କରୁଛନ୍ତି।

ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନାକୁ ବାଧ୍ୟତାମୂଳକ କରିବା ପାଇଁ ବିସିଆଇ ପରାମର୍ଶ ଦେଇଛି ଯେ ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳମାନେ ଯେପରି ଆଞ୍ଚଳିକ ପ୍ରସଙ୍ଗରେ ବାଧ୍ୟତାମୂଳକଭାବେ ଆଲୋଚନା କରିପାରିବେ ସେଥିପାଇଁ ନିୟମ ପ୍ରଣୟନ କରିବାକୁ ପଡ଼ିବ।

ଏଥିସହିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ରାଜ୍ୟ ଉପରେ ପର୍ଯ୍ୟାପ୍ତ କଭରେଜ୍ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଏହାବ୍ୟତୀତ ଉଭୟ ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ମତଦାନ କରିବା ପାଇଁ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ।

ପର୍ଯ୍ୟାୟକ୍ରମେ ଏକ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥା ଲାଗୁ କରିବାକୁ ବିସିଆଇ ପରାମର୍ଶ ଦେଇଛି। ପ୍ରଥମେ କେତେକ ରାଜ୍ୟରେ ପାଇଲଟ ପ୍ରୋଜେକ୍ଟ ଚଳାଇବା ଦରକାର। ଏହି ପଦକ୍ଷେପ ସମସ୍ତ ସମ୍ଭାବ୍ୟ ଆହ୍ୱାନକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ କରିବା ପାଇଁ ସମୟ ପ୍ରଦାନ କରିବ। ଏହାପରେ ଏହା ଧୀରେ ଧୀରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇପାରିବ।

କ’ଣ କହୁଛି ଆଇନ କମିଶନ

୨୦୧୮ମସିହାରେ ଆଇନ ଆୟୋଗ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ। ଏହି ଡ୍ରାଫ୍ଟରେ ଅନେକ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଯଦି ଦେଶକୁ ନିର୍ବାଚନ ମୋଡରୁ (ସବୁବେଳେ ନିର୍ବାଚନର ବାତାବରଣ) ମୁକ୍ତ କରିବାକୁ ଚାହୁଁଛି, ତା’ହେଲେ ଏକାସାଙ୍ଗରେ ନିର୍ବାଚନ କରିବାକୁ ପଡ଼ିବ ବୋଲି ଯୁକ୍ତି ହେଉଛି। ଏଭଳି କୌଣସି ବର୍ଷ ନାହିଁ ଯେବେ ନିର୍ବାଚନ ହେଉନାହିଁ।

ଦ୍ୱିତୀୟତଃ ସବୁଠାରୁ ବଡ଼ ଯୁକ୍ତି ହେଉଛି କୋଟି କୋଟି ଟଙ୍କା ସଞ୍ଚୟ ହେବ। ସେଣ୍ଟର ଫର ମିଡିଆ ଷ୍ଟଡିଜର ରିପୋର୍ଟ ଅନୁଯାୟୀ, ୨୦୧୯ରେ ଲୋକସଭା ନିର୍ବାଚନ କରାଇବା ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସରକାରୀ ରାଜକୋଷରୁ ଆରମ୍ଭ କରି ଦଳଗୁଡ଼ିକର ପାଣ୍ଠି ପର୍ଯ୍ୟନ୍ତ ବିପୁଳ ଅର୍ଥ ପାଣି ପରି ପ୍ରବାହିତ ହେଉଛି।

ଆଇନ ଆୟୋଗ ରିପୋର୍ଟରେ ତୃତୀୟ ଯୁକ୍ତି ଥିଲା ଯେ ଏକକାଳୀନ ନିର୍ବାଚନ ହେଲେ ସରକାରୀ ନୀତିର ଉନ୍ନତ ରୂପାୟନ ହୋଇପାରିବ। ସରକାର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଭଲଭାବେ ଧ୍ୟାନ ଦେଇପାରିବେ। ସୂଚନାଯୋଗ୍ୟ, ନୂଆ ପ୍ରସ୍ତାବରେ କେବଳ ଲୋକସଭା ଓ ବିଧାନସଭା ନିର୍ବାଚନ ରହିଛି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଅନ୍ତର୍ଭୁକ୍ତ କରାଯାଇନାହିଁ।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପ୍ରସ୍ତାବ ବିଶ୍ୱରେ ନୂଆ ନୁହେଁ। ପୃଥିବୀରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି। ଏହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ବେଲଜିୟମ, ବ୍ରିଟେନ୍, ସ୍ୱିଡେନ୍, ଇଣ୍ଡୋନେସିଆ, ଜର୍ମାନୀ, ଫିଲିପାଇନ୍ସ ଇତ୍ୟାଦି। ଅନ୍ୟ ଦେଶରେ ଏକାସାଙ୍ଗରେ ନିର୍ବାଚନ ହୋଇପାରୁଥିବାବେଳେ ଭାରତରେ ମଧ୍ୟ ଏହା ସମ୍ଭବ।

Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦେଶ ଗୋଟିଏ ନିର୍ବାଚନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ, ସହମତି ହେଲେ କାର୍ଯ୍ୟକାରୀ କରିବାର ଯୋଜନା

ନୂଆଦିଲ୍ଲୀ: ଏକ ଦେଶ ଗୋଟିଏ ନିର୍ବାଚନ ଉପରେ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଇନ କମିଶନଙ୍କ ଏହି ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ୨୦୨୯ରୁ ଏହା ଲାଗୁ ହେବ । ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ଏହି ତାଲିକାରେ ସ୍ଥାନ ପାଇନଥିବାରୁ ଚଳିତ ମାସ ପ୍ରାରମ୍ଭରେ ଏହି ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେଣୁ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ଜୁନ୍ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହାପରେ ସମସ୍ତ ରାଜ୍ୟରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ ।

ଏକ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବାର ତିନିଟି ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ: ଜୁନ୍ ୨୦୨୪ରେ ୮ ଟି ରାଜ୍ୟରେ ମତଦାନ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମର କାର୍ଯ୍ୟକାଳ ଜୁନ୍ ୨୦୨୪ରେ ଶେଷ ହେଉଛି । ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀ ରାଜ୍ୟର କାର୍ଯ୍ୟକାଳ ୫ରୁ ୮ ମାସ ହ୍ରାସ କରିବାକୁ ପଡ଼ିବ। ତା’ପରେ ଜୁନ୍ ୨୦୨୯ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ବିଧାନସଭା ପୂରା ୫ ବର୍ଷ ଚାଲିବ।

ଦ୍ୱିତୀୟ ପର୍ଯ୍ୟାୟ: ୬ ରାଜ୍ୟରେ ମତଦାନ: ନଭେମ୍ବର ୨୦୨୫ ବିହାର ବିଧାନସଭାର ଚଳିତ କାର୍ଯ୍ୟକାଳ ଶେଷ ହେବ ପରେ ଆଗାମୀ କାର୍ୟ୍।କାଳ ସାଢ଼େ ୩ ବର୍ଷ ବାକି ରହିବ। ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀର ଚଳିତ କାର୍ଯ୍ୟକାଳ ୩ ବର୍ଷ ୭ ମାସ ହ୍ରାସ ପାଇବ। ପରବର୍ତ୍ତୀ କାର୍ଯ୍ୟକାଳ ମଧ୍ୟ ସାଢ଼େ ତିନି ବର୍ଷ ହେବ।

ତୃତୀୟ ପର୍ଯ୍ୟାୟ: ଡିସେମ୍ବର ୨୦୨୬ରେ ୧୧ ଟି ରାଜ୍ୟରେ ମତଦାନ। ସେଗୁଡିକ ହେଲା  ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଓ ଉତ୍ତରାଖଣ୍ଡ। ଚଳିତ କାର୍ଯ୍ୟକାଳ ୩ରୁ ୫ ମାସ ହ୍ରାସ ପାଇବ। ଏହାପରେ ଅଢ଼େଇ ବର୍ଷ ସମୟ ଲାଗିବ। ଗୁଜରାଟ, କର୍ଣ୍ଣାଟକ, ହିମାଚଳ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରାର ଚଳିତ କାର୍ଯ୍ୟକାଳ ୧୩ରୁ ୧୭ ମାସ ହ୍ରାସ ପାଇବ। ଆଗାମୀ ଅଢ଼େଇ ବର୍ଷ ବାକି ରହିବ।

ଏହି ତିନିଟି ପର୍ଯ୍ୟାୟ ପରେ ଦେଶର ସମସ୍ତ ବିଧାନସଭାର କାର୍ଯ୍ୟକାଳ ଜୁନ୍ ୨୦୨୯ରେ ଶେଷ ହେବ। ମିଳିଥିବା ସୂଚନା ଅନୁଯାୟୀ, କୋବିନ୍ଦ କମିଟି ଆଇନ ଆୟୋଗଙ୍କଠାରୁ ଆଉ ଏକ ପ୍ରସ୍ତାବ ମାଗିବ, ଯେଉଁଥିରେ ସ୍ଥାନୀୟ ସଂସ୍ଥାର ନିର୍ବାଚନ ମଧ୍ୟ ସାମିଲ ହେବ। ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଯୋଧପୁର ଅଫିସର୍ସ ହଷ୍ଟେଲରେ ଏକ ଦେଶ ଏକ ନିର୍ବାଚନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

କମିଟି ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବାକି ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ପୂର୍ବତନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ରହିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଏହି କମିଟିର ସ୍ୱତନ୍ତ୍ର ସଦସ୍ୟ କରାଯାଇଛି।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କ’ଣ ?

ବର୍ତ୍ଶମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍ ଅର୍ଥ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ। ଅର୍ଥାତ୍ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ୍ ଦେବେ।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା। ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ସମ୍ବନ୍ଧରେ ହେଲା ବୈଠକ, ଜାଣନ୍ତୁ କ’ଣ କହିଲେ ଲ’ କମିଶନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆଜି ଦେଶରେ ‘ଏକ ଦେଶ ଏକ ନିର୍ବାଚନ’ ସଂପର୍କରେ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବ୍ୟତୀତ ଆଇନ ଆୟୋଗର ଅଧ୍ୟକ୍ଷ ରିତୁ ରାଜ ଅୱସ୍ତି ଉପସ୍ଥିତ ଥିଲେ। ଏହି ସମୟରେ ଆଇନ ଆୟୋଗ ଦ୍ୱାରା ସମ୍ପୂର୍ଣ୍ଣ ରୋଡମ୍ୟାପ ଉପସ୍ଥାପନ କରାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ଆଇନ ଆୟୋଗ ସୂଚନା ଦେଇଛନ୍ତି ଯେ ଯଦି ଦେଶରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କାର୍ଯ୍ୟକାରୀ ହେବ, ତା’ହେଲେ ଆଇନ ତଥା ସମ୍ବିଧାନରେ କେଉଁ ସଂଶୋଧନ କରିବାକୁ ପଡ଼ିବ।

ସୂଚନାନୁସାରେ, ଆୟୋଗ କମିଟିକୁ କହିଛନ୍ତି ଯେ, ବର୍ତ୍ତମାନ ୨୦୨୪ ନିର୍ବାଚନରେ ​​ଗୋଟିଏ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ, କିନ୍ତୁ ଏହା ୨୦୨୯ରେ କାର୍ଯ୍ୟକାରୀ ହୋଇପାରିବ। ଏହା ପୂର୍ବରୁ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ।

ଏଥର କମିଟି ଏହାର ଦ୍ୱିତୀୟ ବୈଠକରେ ଯୋଗଦେବାକୁ ଆଇନ ଆୟୋଗର ଅଧ୍ୟକ୍ଷଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲା। ଦେଶରେ ଏକକାଳୀନ ନିର୍ବାଚନ କିପରି କରାଯାଇପାରିବ ସେନେଇ କମିଟି ଜାଣିବାକୁ ଚାହୁଁଛି। ତେଣୁ ଏହାର ପରାମର୍ଶ ଏବଂ ମତାମତ ଜାଣିବା ପାଇଁ ଆଇନ ଆୟୋଗଙ୍କୁ ଡକାଯାଇଥିଲା।

Categories
ବିଶେଷ ଖବର

ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ନେଇ ଆଲୋଚନା ଆରମ୍ଭ କଲା କମିଟି, କ’ଣ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ସମୟ ପୂର୍ବରୁ କିମ୍ବା ପରେ ଦେଶରେ ଲୋକସଭା ନିର୍ବାଚନ କରାଇବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିଳମ୍ବିତ ରାତିରେ ଏକ ସାକ୍ଷାତ୍‍କାରରେ ଏହା କହିଛନ୍ତି। ସାଧାରଣ ନିର୍ବାଚନ ସମୟ ପୂର୍ବରୁ କିମ୍ବା ପରେ କରିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟକାଳର ଶେଷ ଦିନ ପର୍ଯ୍ୟନ୍ତ ଦେଶ ଓ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ବିଜେପି ଦୀର୍ଘ ଦିନ ଧରି ନିର୍ବାଚନକୁ ସମର୍ଥନ କରି ଆସୁଛି। ଏହାଦ୍ୱାରା ସମୟ ଓ ଅର୍ଥ ସଞ୍ଚୟ ହେବ। ଏହାକୁ ଗରିବଙ୍କ ପାଇଁ, ଦେଶର ବିକାଶ ପାଇଁ ବ୍ୟବହାର କରାଯାଇପାରିବ।

ଅନ୍ୟପକ୍ଷରେ ବିଜ୍ଞପ୍ତି ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାମନାଥ କୋବିନ୍ଦ କମିଟି ଅନ୍ ୱାନ୍ କଣ୍ଟ୍ରି-ୱାନ୍ ଇଲେକ୍ସନ ଉପରେ କାମ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରବିବାର ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଅବଗତ କରାଇଛନ୍ତି। କେନ୍ଦ୍ର ଆଇନ ସଚିବ ନିତେନ ଚନ୍ଦ୍ରା, ବିଧାନସଭା ସଚିବ ରୀତା ବଶିଷ୍ଠ ଓ ଅନ୍ୟମାନେ ଏ ନେଇ କୋବିନ୍ଦଙ୍କୁ ଭେଟିଛନ୍ତି।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ନେଇ ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟା…

ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ଧାରଣା କେନ୍ଦ୍ର ଓ ରାଜ୍ୟ ଉପରେ ଆକ୍ରମଣ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।

ବାସ୍ତବରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ପରେ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ୍ସରେ ଲେଖିଛନ୍ତି ଯେ ମୋଦୀ ସରକାର ଚାହୁଁଛନ୍ତି ଯେ ଗଣତାନ୍ତ୍ରିକ ଭାରତ ଧୀରେ ଧୀରେ ଏକଛତ୍ରବାଦରେ ପରିଣତ ହେଉ। ‘ଏକ ଦେଶ ଗୋଟିଏ ନିର୍ବାଚନ’ ଉପରେ ଏକ କମିଟି ଗଠନ କରିବାର ଏହି କୌଶଳ ହେଉଛି ଭାରତର ସଂଘୀୟ ଢାଞ୍ଚାକୁ ନଷ୍ଟ କରିବାର ଏକ କୌଶଳ। ୨୦୨୪ରେ ବିଜେପିର କୁଶାସନରୁ ମୁକ୍ତି ପାଇବା ପାଇଁ ଲୋକଙ୍କ ପାଖରେ ‘ୱାନ୍ ନେସନ୍ ଓ୍ଵାନ୍ ସଲ୍ୟୁସନ୍’ ରହିଛି।

ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ଦେଶ ପାଇଁ କ’ଣ ଜରୁରୀ?

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କିମ୍ବା ଗୋଟିଏ ଦେଶ ଗୋଟିଏ ଶିକ୍ଷା (ଧନୀ ହେଉ କି ଗରିବ, ସମସ୍ତଙ୍କର ସମାନ ଭଲ ଶିକ୍ଷା ଅଛି), ୱାନ୍ ନେସନ୍ ୱାନ୍ କ୍ୟୁୟୋର (ଧନୀ ହେଉ କି ଗରିବ, ସମସ୍ତଙ୍କୁ ସମାନ ଚିକିତ୍ସା ମିଳୁ), ଏକ ଦେଶ ଗୋଟିଏ ନିର୍ବାଚନରୁ ସାଧାରଣ ଲୋକ କ’ଣ ପାଇବେ?

ନିର୍ଦ୍ଧାରିତ ସମୟ ବିନା ପ୍ରତିବର୍ଷ ହେଉଥିବା ନିର୍ବାଚନକୁ ବନ୍ଦ କରାଯାଉ ବୋଲି ସରକାର କହିଛନ୍ତି

୨୦୧୫ ଡିସେମ୍ବରରେ ସଂସଦୀୟ ସ୍ଥାୟୀ କମିଟି ନିଜର ୭୯ତମ ରିପୋର୍ଟରେ ଦୁଇ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସୁପାରିସ କରିଥିଲା। ଶନିବାର ଜାରି ବିଜ୍ଞପ୍ତିରେ ସରକାର ଆଇନ କମିଶନଙ୍କ ୧୭୦ତମ ରିପୋର୍ଟକୁ ଉଦାହରଣ ଦେଇ କହିଛନ୍ତି ଯେ ପ୍ରତିବର୍ଷ ଏବଂ ନିର୍ଦ୍ଧାରିତ ସମୟ ବିନା ହେଉଥିବା ନିର୍ବାଚନ ବନ୍ଦ କରାଯାଉ।

ପୁଣି ଥରେ ୧୯୫୧-୫୨ରୁ ୧୯୬୭ ପର୍ଯ୍ୟନ୍ତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥାକୁ ଫେରାଇ ଆଣିବାକୁ ସରକାର କହିଛନ୍ତି। ବ୍ୟତିକ୍ରମ ହେଲେ ଅଲଗା ଅଲଗା ନିର୍ବାଚନ ହେବା ଦରକାର। ନିୟମ ହେଲା ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷରେ ଥରେ ହେବା ଦରକାର।

ସଂସଦର ସ୍ୱତନ୍ତ୍ର ୫ ଦିନିଆ ଅଧିବେଶନରେ ଓ ୫ଟି ସମ୍ଭାବନା

– ସଂସଦରେ ମହିଳାମାନଙ୍କୁ ଏକ ତୃତୀୟାଂଶ ଅତିରିକ୍ତ ଆସନ ଦେବା

– ନୂଆ ସଂସଦ ଭବନକୁ ସ୍ଥାନାନ୍ତର

– ୟୁନିଫର୍ମ ସିଭିଲ କୋଡ୍ ବିଲ୍ ଆଗତ ହୋଇପାରେ

– ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା ପାଇଁ ବିଲ୍ ଆସିପାରେ

– ସଂରକ୍ଷଣ ବ୍ୟବସ୍ଥା ସମ୍ଭବ। (ଓବିସିର କେନ୍ଦ୍ରୀୟ ତାଲିକାର ଉପବର୍ଗୀକରଣ ସଂରକ୍ଷଣର ଅସମାନ ବଣ୍ଟନକୁ ଅଧ୍ୟୟନ କରିବା ପାଇଁ ୨୦୧୭ରେ ଗଠିତ ରୋହିଣୀ କମିଶନ ଅଗଷ୍ଟ ୧ରେ ରାଷ୍ଟ୍ରପତିଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛନ୍ତି।)

Categories
ବିଶେଷ ଖବର

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସମର୍ଥନ କଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ନେଇ କହିଛନ୍ତି ଯେ ଏହା ଜନସାଧାରଣଙ୍କ ଟଙ୍କା ସଞ୍ଚୟ କରିବ। ଏନଡିଏ ବୈଠକ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରୁଥିବା ଏବଂ ଯିଏ ଜଣେ ନେତାଙ୍କ ଉପରେ ନିଷ୍ପତ୍ତି ନେଇପାରୁ ନ ଥିବା ଲୋକ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି।

ଅନ୍ୟପକ୍ଷରେ, ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ସିଏମ୍ ସିନ୍ଦେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ​​ନିର୍ବାଚନ ଆୟୋଗଙ୍କୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ନିରପେକ୍ଷ ଏବଂ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ଜନତାଙ୍କ ପଇସା ସରକାରୀ ଖର୍ଚ୍ଚରୁ କରାଯାଉଛି। ଏଥିରେ ସମଗ୍ର ସରକାରୀ ଯନ୍ତ୍ରପାତି ଏବଂ ଶିକ୍ଷକ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ ହେଉଛନ୍ତି। ଯଦି ସମସ୍ତ ନିର୍ବାଚନ ଏକାଠି ହୁଏ, ତେବେ ଏହି ପ୍ରକାର ଖର୍ଚ୍ଚକୁ ରୋକାଯାଇପାରିବ। ସାଧାରଣ ଲୋକମାନେ ଏଥିରୁ ଉପକୃତ ହେବେ, ତେଣୁ ମୁଁ ଏହାକୁ ସମର୍ଥନ କରେ।

ପ୍ରକାଶ ଯେ, ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବ୍ୟବସ୍ଥାର ସମ୍ଭାବ୍ୟତା ଜାଣିବା ପାଇଁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି।

ସମସ୍ତ ଭାରତ ସହଯୋଗୀ ଦଳର ନେତା ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଛନ୍ତି – ସିଏମ ସିନ୍ଦେ

ଅନ୍ୟପକ୍ଷରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ସମ୍ପର୍କରେ ସିଏମ ସିନ୍ଦେ କହିଛନ୍ତି ଯେ, “ଇଣ୍ଡିଆ ମେଣ୍ଟର ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଘୃଣାଭାବରେ ପରିପୂର୍ଣ୍ଣ। ଏହା ସେମାନଙ୍କର ବିଫଳତା ଯେ ସେମାନେ ଏନଡିଏକୁ ପ୍ରତିହତ କରିବା ପାଇଁ ଜଣେ ନେତା କିମ୍ବା ଲୋଗୋ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇ ନାହାଁନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ଆଗକୁ ନେଉଛନ୍ତି, କିନ୍ତୁ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।