Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଗୋପାଳନ ସମ୍ମିଳନୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ବଲାଙ୍ଗିର ଗସ୍ତରେ ଯାଇ ଆଜି ସେଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଗୋପାଳନ ସମ୍ମିଳନୀର ଶୁଭ ଉଦ୍‌ଘାଟନ କରିଛନ୍ତି।

ବଲାଙ୍ଗିର ଏବେ ଗୋପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ଗତ ଅକେଫାବର ମାସରେ ସଇଁତଳାଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କରାଯାଇଥିବା ବୃହତ୍‌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ତା’ର ଏକ ଉଦାହରଣ।

ଏହି ଅବସରରେ ଉପସ୍ଥିତ ଦୁଗ୍ଧ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଦୁଗ୍ଧ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ନିର୍ବାଚିତ ଜନପ୍ରତିନିଧିଗଣ ମିଳିତ ଭାବରେ ଦଳଗତ ମନୋଭାବ ନେଇ ଏ ଦିଗରେ କାର୍ଯ୍ୟକଲେ ସଫଳତା ନିଶ୍ଚୟ ମିଳିପାରିବ ବୋଲି କହିଥିଲେ। ବିଜୁ ଏକ୍ସପ୍ରେସ୍‌ କରିଡୋରର ଲାଭ ଉଠାଇବା ସହ କୃଷି ଉଦ୍ୟୋଗ, ଗୋପାଳନ, ଉଦ୍ୟାନ କୃଷି, ପିସିକଲଚର ଭଳି ଉଦ୍ୟୋଗରେ ବିକାଶ କରାଯାଇପାରିବ ବୋଲି ସେ ଆଶାପୋଷଣ କରିଥିଲେ।

ସଂପ୍ରତି ବଲାଙ୍ଗିର ଜିଲ୍ଲାରେ ଉତ୍ପାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବିଶେଷ ଚାହିଦା ରହିଛି। ଦୁଗ୍ଧ ଉତ୍ପାଦନ ସଂସ୍ଥାଗୁଡ଼ିକର କ୍ଷମତାକୁ ଉଚିତ ମାର୍ଗରେ ପରିଚାଳିତ କରିପାରିଲେ ତାହା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ପ୍ରକୃତରେ ସାମାଜିକ ଓ ଅର୍ଥନୈତିକ ଭାବେ ସଶକ୍ତ କରିପାରିବ ବୋଲି କହିଥିଲେ।

ସେ ଯୁବବର୍ଗଙ୍କୁ ଆହ୍ୱାନ ଜଣାଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର, ବିଶେଷ କରି, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆକର୍ଷିତ ହେବା ଏବଂ ବାହାରୁ ଆସୁଥିବା କମ୍ପାନୀଗୁଡ଼ିକ ସହ ସହବନ୍ଧିତ ହୋଇ ଲାଭାନ୍ୱିତ ହେବାକୁ ସେ ପରାମର୍ଶ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା, ବିକେଏମ୍‌ ଦୁଗ୍ଧ ସଂଘର ଅଧ୍ୟକ୍ଷା ଶ୍ରୀମତୀ ସୀମା ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶିଷ ଚନ୍ଦ୍ର ସିହ୍ନା, ଡବ୍ଲୁ୍ୟଓଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।