Categories
ଆଜିର ଖବର ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ତିନୋଟି ମନ୍ଦିରରୁ ବଡଧରଣର ଚୋରି

ସମୀକ୍ଷା ବ୍ୟୁରୋ
ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ କେହି ଦୁର୍ବୃତ୍ତ ତିନି ମନ୍ଦିରରୁ ଚୋରି କରିଥିବା ଜଣାପଡିଛି। ଘାସେଡିହ ଗ୍ରାମର ରାମଚଣ୍ଡୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବେଳେ ଗମ୍ଭାରୀମୁଣ୍ଡା ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ସୂଚନା ମିଳିଛି। ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଅଭିଯୋଗ ଅନୁଯାୟୀ, ରାମଚଣ୍ଡୀ ମନ୍ଦିରରୁ ସୁନାର ମଙ୍ଗଳସୂତ୍ର, ସୁନାର ଚିତଉ, ସୁନାର ଧାନମାଳି ସମେତ ରୂପାର କିରଟ ଏବଂ ୧୦୦ ଗ୍ରାମର ବେଲପତ୍ର ମାଳ ଚୋରି ହୋଇଛି। ଅପର ପକ୍ଷରେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭଙ୍ଗାଯାଇ ହୁଣ୍ଡିରେ ରହିଥିବା ସମସ୍ତ ଅର୍ଥରେ କଳାକନା ବୁଲାଇଛନ୍ତି ଲୁଟେରା। ଏହି ଦୁଇ ମନ୍ଦିର ସହିତ ଗମ୍ଭାରୀମୁଣ୍ଡା ବଜାର ମଝିରେ ଅବସ୍ଥିତ ତାରିଣୀ ମନ୍ଦିରରୁ ମଧ୍ୟ ବହୁ ଅଳଙ୍କାର ଲୁଟ ହୋଇଛି। ସ୍ଥାନୀୟ ଗ୍ରାମବାସୀ  ବାଣପୁର ଥାନାରେ ଅଭିଯୋଗ କରିବା ପରେ ବାଣପୁର ଥାନାର ନିର୍ଦ୍ଦେଶ କ୍ରମେ ଗମ୍ଭାରୀମୁଣ୍ଡା ଫାଣ୍ଡି ଥାନାଧିକାରୀ ମୁରଲୀଧର ବଳିଆରସିଂହ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟର : ସୀତାରମ ଅଗ୍ରଓ୍ବାଲ