Categories
ଆଞ୍ଚଳିକ

ବଦଳିଲେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଚିଲିକା ପାଇଁ ନିଯୁକ୍ତ ହେଲେ ଚକ୍ରଧର ପାଢ଼ୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ ନିଜ ଜିଲ୍ଲା ଖୋର୍ଦ୍ଧା ହୋଇଥିବାରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉକ୍ତ ବଦଳି ହୋଇଥିବା ଆଲୋଚନା ହେଉଛି।

ଶ୍ରୀ ବଡ଼ଜେନା ବାଣପୁରରେ ଏକ ବର୍ଷ ଦଶ ମାସ କାର୍ଯ୍ୟକାଳ ମଧ୍ୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଜନସାଧାରଣଙ୍କୁ ତହସିଲ ସେବା କିପରି ହାତ ପାହାନ୍ତାରେ ମିଳିପାରିବ ସେ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛନ୍ତି ଶ୍ରୀ ବଡ଼ଜେନା।

ଅନୁରୂପ ଭାବେ ୫-ଟି ଉପକ୍ରମରେ ବିଭିନ୍ନ ରାଜସ୍ବ ସେବା କିପରି ସରଳ ଭାବେ ଜନସାଧାରଣ ମାନେ ପାଇପାରିବେ ସେ ଦିଗରେ ଶ୍ରୀ ବଡ଼ଜେନା କାର୍ଯ୍ୟ କରିଛନ୍ତି।  ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକ ଦିଗରେ ମଧ୍ୟ ଶ୍ରୀ ବଡ଼ଜେନା ଏକାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜିର ଅଛି।

ମୂଳତଃ ଶିକ୍ଷକରୁ ପ୍ରଶାସକ ହୋଇଥିବା ତହସିଲଦାର ଶ୍ରୀ ବଡ଼ଜେନା ନିଜର ବ୍ୟବହାର ଏବଂ ସରଳତା ପାଇଁ ସମସ୍ତଙ୍କ ନିକଟରେ ଆଦୃତ ହୋଇପାରିଛନ୍ତି। ତେବେ ବାଣପୁରକୁ ନୂତନ ତହସିଲଦାର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇନାହିଁ।

ଅନୁରୂପ ଭାବେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ନୂତନ ତହସିଲଦାର ଭାବେ ଗଜପତି ଜିଲ୍ଲା ଡେପୁଟି କଲେକ୍ଟର ଚକ୍ରଧର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି।

ସୂଚନା ଥାଉକି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏକକାଳୀନ ଭାବେ ମୋଟ ୨୯୫ ଜଣ ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ତନ୍ମଧ୍ୟରୁ ୧୦୬ ଜଣ ବିଡ଼ିଓ ଏବଂ ୧୮୯ ଜଣ ତହସିଲଦାର ଅଛନ୍ତି।

ଗତକାଲି ରାତିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉକ୍ତ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।