Categories
ଜାତୀୟ ଖବର ବିଶେଷ ଖବର

କୃଷକ ସଂଗଠନଗୁଡିକର ଭାରତ ବନ୍ଦ ଡାକରାକୁ ନେଇ ବିଜେଡି ଜଣାଇଲା ତାହାର ନିଷ୍ପତି

ଭୁବନେଶ୍ବର, ଆସନ୍ତାକାଲି ଦେଶର ବିଭିନ୍ନ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଡାକରାରେ କଂଗ୍ରେସ ସମେତ 11 ଟି ରାଜନୈତିକ ଦଳ ସେମାନଙ୍କର ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହି ଆନ୍ଦୋଳନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ସମସ୍ତଙ୍କର ରହିଥିଲା ନଜର। ଏବେ ବିଜେଡି ତାହାର ସ୍ପଷ୍ଟି କରଣ ଦେଇସାରିଛି। ଏହି ସ୍ପଷ୍ଟିକରଣରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ। ହେଲେ କୃଷକଙ୍କ ସମସ୍ୟା ପଛରେ ବିଜେଡିର ସମର୍ଥନ ଅଛି ବୋଲି କୁହାଯାଇଛି।

ଆସନ୍ତା ନଅ ତାରିଖରେ ଚାଷୀ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ଆଲୋଚନା ହେବାର ଅଛି। ସେହି ଆଲୋଚନାରୁ କଣ ନିଷ୍କର୍ଷ ବାହାରୁଛି ବିଜେଡି ତାହାକୁ ଅପେକ୍ଷା କରିଛି। ଏହା ଜଣାପଡିବା ପରେ ବିଜେଡି ତାହାର ପରବର୍ତ୍ତି ପଦକ୍ଷେପ ନେବ ବୋଲି ଜଣାପଡିଛି। ତେବେ ଦଳ ସିଧା କହି ନ ଥିଲେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଛି।

ଯେତେବେଳେ ସଂସଦରେ ଏହି କୃଷି ବିଲ ଆଗତ ହୋଇଥିଲା ସେତେବେଳେ ବିଜେଡି ତରଫରୁ ଏହାକୁ ବିରୋଧ କରାଯାଇଥିଲା। ରାଜ୍ୟ ସଭାରେ ସାଂସଦ ଅମର ପଟ୍ଟନାୟକ ଏହି ବିଲ ବିରୋଧରେ ମତ ଦେଇଥିଲେ। ଯାହାକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା କରାଯାଇଥିଲା। କାରଣ ପୂର୍ବରୁ ବିଜେଡି କେନ୍ଦ୍ର ସରକାରଙ୍କ ସମସ୍ତ ବିଲକୁ ବିନା ସର୍ତ୍ତରେ ସମର୍ଥନ କରିଥିଲା। ହେଲେ ହଠାତ କୃଷି ବିଲକୁ ବିରୋଧ କରିବା ନେଇ ବିଭିନ୍ନ ମହଲରେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଥିଲେ।

କୃଷି ବିଲକୁ ବିଜେଡି ବିରୋଧ କରିଥିବାରୁ ସମସ୍ତେ ଆଶା କରୁଥିଲେ ଯେ, ଦଳ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବ। ଭାରତ ବନ୍ଦ ଡାକରାରେ ମଧ୍ୟ ସାମିଲ ହେବ। ହେଲେ ତାହା ହେଲା ନାହିଁ। ଫଳରେ ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ  ନିତି ଅନୁସାରେ ବିଜେଡି ଏହି ବନ୍ଦ ଡାକରାଠାରୁ ନିଜକୁ ଦୂରେଇ ରଖିଛି।