Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଊମାମହେଶ୍ୱର ଟ୍ରଷ୍ଟ ବୋର୍ଡରେ ଚିଲିକା ବିଧାୟକଙ୍କ ସଭ୍ଯପଦକୁ ବିରୋଧ, ଲାଗିଲା ୧୪୪ ଧାରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଦ୍ଵାରା ବାଲୁଗାଁସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଆଗକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଆଇଆଇସି ରମାକାନ୍ତ ମାହାଲିକଙ୍କ ଅନୁରୋଧକ୍ରମେ ଉକ୍ତ ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି।

ଖବରରୁ ଜଣାପଡିଛି ଯେ, ଓଡିଶା ଦେବୋତ୍ତର ବିଭାଗ ତରଫରୁ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି କମିଟି ଗଠନ ହୋଇଥିବାର ଖବର ମିଳିଛି। ଉକ୍ତ ୯ ଜଣିଆ କମିଟିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭ୍ଯ କରାଯାଇଥିଲା। କିନ୍ତୁ ସାଧାରଣ ଜନତା ବିଧାୟକଙ୍କୁ ସଭ୍ଯ ଭାବେ ଗ୍ରହଣ କରିପାରୁନଥିବାରୁ ମନ୍ଦିରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା।

ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ହେବାର ଆଶଙ୍କା କରି ପୋଲିସ ୧୪୪ ଧାରା ଲାଗୁ କରିଛି। ଯାହାଫଳରେ ମନ୍ଦିର ପ୍ରାଙ୍ଗଣରେ ୫ ଜଣ ରୁ ଅଧିକ ଲୋକଙ୍କ ସମାଗମ ହେବା ଉପରେ ରୋକ ଲାଗିବା ଫଳରେ ସାଧାରଣରେ ଭୃକୁଂଚନ ସୃଷ୍ଟି ହୋଇଛି।

ଏନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା ନେବା ପାଇଁ ଆମ ପ୍ରତିନିଧି ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। କିନ୍ତୁ ଏବିଷୟରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ଯୋଗାଯୋଗ କରିବାରୁ ୧୫ ଖଣ୍ଡ ଗ୍ରାମକୁ ନେଇ ଉକ୍ତ ମନ୍ଦିରର ପରିଚାଳନା କମିଟି ଗଠନ ହୋଇଆସୁଥିବାର ସେ କହିଛନ୍ତି। ତେବେ ଚଳିତ ବର୍ଷ କମିଟି ଗଠନ ନିମନ୍ତେ ଦେବୋତ୍ତର ବିଭାଗର ଜାରି କରିଥିବା ସଭ୍ୟ ମାନଙ୍କ ସୂଚୀକୁ ସ୍ଥାନୀୟ ଜନସାଧାରଣ ଆପତ୍ତି ଦର୍ଶାଇ ଅନ୍ୟାନ ସଦସ୍ୟଙ୍କ ନାମକୁ ଅନୁମୋଦନ ନିମନ୍ତେ ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ଦେବୋତ୍ତର ବିଭାଗକୁ ଦରଖାସ୍ତ ଦେଇଥିଲେ।

କିନ୍ତୁ ଦେବୋତ୍ତର ବିଭାଗ ଅଭିଯୋଗର ତଦନ୍ତ ନକରି ତାଙ୍କ ପ୍ରସ୍ତାବିତ ପୂର୍ବ ସୂଚୀକୁ ଅନୁମୋଦନ ପାଇଁ ସରକାରଙ୍କୁ ପଠାଇଥିଲେ। ଯାହାଦ୍ୱାରା ସରକାର ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଉକ୍ତ ଚିଠାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମ ଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରିଥିଲେ।

ବିଧାୟକ ଯେହେତୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନୁହନ୍ତି ଏବଂ ସେ ଜନପ୍ରତିନିଧି, ତେଣୁ ସେ କିପରି ଟ୍ରଷ୍ଟ ବୋର୍ଡର ସଭାପତି ହୋଇପାରିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରୁ ନିଲମ୍ବନ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ଚିଲିକା ବିଧାୟକ ପ୍ରଶାନ୍ତ: ବିରୋଧୀଙ୍କୁ ଦେଲେ ଚେତାବନୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ଦୁଇମାସ ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅନେକ କଳ୍ପନା ଜଳ୍ପନା ପରେ ବିଜେଡି ଦଳିୟ ପତାକା ସହ ବିଜେଡି ଜୟ ଧ୍ୱନିରେ ବାଇକ୍ ରାଲି ଏବଂ ଆୟୋଜିତ ସଭାରେ ଶହ ଶହ କର୍ମୀଙ୍କ ସହ ଏକାଠି ହୋଇଥିବାର ଦେଖିବାକୁ ମିଳିଛି।

ସୂଚନା ଥାଉକି ଗତ ସେପ୍ଟେମ୍ବର ୮ତାରିଖରେ ଚିଲିକା ବିଜେଡି ବିଧାୟକ ପ୍ରଶା୍ନ୍ତ ଜଗଦ୍ଦେବ ଏନ୍ଏସି ସମ୍ମୁଖରେ ବିଜେପୀ କର୍ମୀଙ୍କୁ ଜାତିଆଣ ଆକ୍ଷେପ କରି ମାଡ ମାରିବା ସହ ସାମ୍ବାଦିକଙ୍କ ମୋବାଇଲ୍ ଛଡେଇବା ଅଭିଯୋଗରେ ବାଲୁଗାଁ ଥାନାରେ ୧୫୬/୨୧ରେ ବିଧାୟକଙ୍କ ବିରୁଦ୍ଧରେ ଅନେକ ସଙ୍ଗୀନ ଦଫା ସହ ଜାତିଆଣ ଭେଦଭାବ ଭଳି ଦଫା ଲଗାଇ ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ଏପରି କାର୍ଯ୍ୟ କଳାପ ଯୋଗୁଁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଥିଲେ। ଗିରଫ ଭୟରେ ସେହି ଦିନ ଠାରୁ ଫେରାର ଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏପରିକି ବିଧାୟକଙ୍କ ନିଜସ୍ଵ ବାସଭବନରେ ମଧ୍ୟ ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା କିନ୍ତୁ ବିଧାୟକଙ୍କ ଟେର୍ ପାଇନଥିଲା ପୋଲିସ୍। ମାତ୍ର ହାଇକୋର୍ଟରେ ଅକ୍ଟୋବର ୫ ତାରିଖରେ ବିଧାୟକ ଜାମିନ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ଉଚ୍ଚ ନ୍ୟାୟାଳୟ ବିଧାୟକଙ୍କ ଜାମିନ୍ ଖାରଜ କରିଦେଇଥିଲେ ଏବଂ ନିର୍ଦ୍ଧିଷ୍ଟ ତାରିଖରେ ତଳ କୋର୍ଟରେ ହାଜିର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅକ୍ଟୋବର ୮ତାରିଖରେ ବିଧାୟକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୧ ରେ ହଜାର ହୋଇଥିଲେ। ସେହିଦିନ ହିଁ ତାଙ୍କ ଶୁଣାଣି ଶେଷ କରି ବିଚାରପତି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ। ବିଧାୟକ ଜେଲ୍ ଯିବାର ଦୁଇ ଘଣ୍ଟା ପରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ତୁରନ୍ତ ତାଙ୍କୁ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍ ରେ ରହିବା ଅବସ୍ଥାରେ ବିଧାୟକଙ୍କୁ ଅକ୍ଟୋବର ୨୧ରେ ମିଳିଥିଲା ଜାମିନ୍। ଏହାରି ଭିତରେ ଦୀର୍ଘ ୧୫ ଦିନ ବିତିଗଲା ପରେ ଆଜି ଦଳୀୟ ପତକା ସହ ବିଜୁ ଜନତା ଦଳ ଜିନ୍ଦାବାଦ୍, ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ଏବଂ ପ୍ରଶାନ୍ତ ଜଗଦ୍ଦେବ ଜିନ୍ଦାବାଦ ସ୍ଲୋଗାନରେ ବାଲୁଗାଁରୁ ବାହାରି ବାଣପୁର ଭଗବତୀ ମନ୍ଦିର ରେ ପହଞ୍ଚିଥିଲା ବିଶାଳ ରାଲି।

 

ଅନୁଷ୍ଠିତ ସଭାରେ ବିଗତ ଦିନରେ ଚିଲିକାର ବିକାଶ ତଥା ଚିଲିକାରେ ବିକାଶ କାର୍ଯ୍ୟରେ ଯିଏ ବିରୋଧ କରିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କହିଥିଲେ। ଏଥି ସହିତ ଗତ ଦୁଇ ବର୍ଷ ଭିତରେ ଯାହା ବିକାଶ ହୋଇଛି ତାହା ଠାରୁ ଅଧିକ ବିକାଶ ଆସନ୍ତା ତିନି ବର୍ଷରେ କରାଯିବ ବୋଲି ଦୃଢ଼ ମତପୋଷଣ କରିଥିଲେ ବିଧାୟକ ଜଗଦ୍ଦେବ। ଏହି ଅବସରରେ ବିନା ନାମ ନେଇ ବିରୋଧୀଙ୍କୁ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଟାର୍ଗେଟ କରିଛନ୍ତି। ଆମ ବିରୋଧୀ ଦଳ ନେତା ଜୀବନରେ କେବେ ହେଲେ ୱାର୍ଡ ମେମ୍ବର ଟିଏ ହୋଇପାରିଲେନି ବୋଲି ପ୍ରଶାନ୍ତ କଟାକ୍ଷ କରିଛନ୍ତି। ସେହିଭଳି ନିଜ ଦଳର କିଛି ନେତା ଢୋଲ ଭିତରେ ମୂଷା ଭଳି ବିରୋଧୀଙ୍କ ସହ ହାତ ମିଶାଇଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି। ସେହିଭଳି ଲୋକଙ୍କୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ କହି ସଭାରେ ପ୍ରଶାନ୍ତ ଚେତାବନୀ ଦେଇଛନ୍ତି।

ଦଳୀୟ ନିଲମ୍ବନ ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପଚାରିବାରେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି କି ମୋ ଉପରେ ନିଲମ୍ବନ ଜାରି ରହୁ କିମ୍ବା ନିଲମ୍ବନ ପ୍ରତ୍ୟାହାର ହେଇଯାଉ ମୋ ଉପରେ କିଛି ଫରକ୍ ପଡିବ ନାହିଁ। ଜନତାଙ୍କ ସେବା ମୋର କର୍ତ୍ତବ୍ୟ। ଆଗରୁ ଦଳରେ ଥିଲି ସଦା ସର୍ବଦା ଦଳରେ ଅଛି।

ଅପରପକ୍ଷେ ବିଧାୟକଙ୍କ ଆଜିର ଏଭଳି କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି। ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେଡ଼ିକୁ ପ୍ରଶ୍ନ କରାଯାଇଛି। ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ନା ଏହା ଏକ ଛଳନା ଥିଲା ବୋଲି ବିଜେପି ପଚାରିଛି। ଯଦି ଦଳରୁ ଚିଲିକା ବିଧାୟକ ନିଲମ୍ବିତ ହୋଇଛନ୍ତି, ତେବେ ବିଜେଡ଼ି ପକ୍ଷରୁ ଏହି ଶୋଭାଯାତ୍ରା କେମିତି କରାଯାଇଛି ବୋଲି ବିଜେପି ପ୍ରଶ୍ନ କରିଛି।

ସେହିଭଳି କରୋନା କଟକଣା ଭିତରେ ଶତାଧିକ ଲୋକଙ୍କୁ ନେଇ ରାଲି ପାଇଁ କିଏ ଅନୁମତି ଦେଲା ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି। ଦୀପାବଳି ପର୍ବରେ ରାଜ୍ୟସରକାର ଆତସବାଜୀ ଫୁଟାଇବା ପାଇଁ ବାରଣ କରିଥିଲେ ମଧ୍ୟ ଶୋଭାଯାତ୍ରାରେ ବାଣ ଫୁଟାଇବାକୁ ନେଇ ବିଜେପି ଆପତ୍ତି କରିଛି। ତେବେ ଏହି ଶୋଭାଯାତ୍ରା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଖୁଲମ ଖୁଲା ଚ୍ୟାଲେଞ୍ଜ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର: ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ଆଜି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ସର୍ତ୍ତ ରଖି ପ୍ରଶାନ୍ତଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ହୋଇଛି। ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ପ୍ରଶାନ୍ତଙ୍କ ନିକଟରେ ଉଚ୍ଚ ନ୍ୟାୟାଳୟ ସର୍ତ୍ତ ରଖିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ବିଧାୟକଙ୍କୁ ଗିରଫ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହି ଘଟଣାରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯାଇଥିଲା।

ତେବେ ଏହି ଘଟଣାରେ ଗତ ୫ ତାରିଖରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ୮ ତାରିଖରେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଚିଲିକା ବିଧାୟକ ଜାମିନ ଆବେଦନ କରିଥିଲେ। ହେଲେ ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା। କିନ୍ତୁ ଜେଲ ପରିସରରେ ବିଧାୟକଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୁଣିଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ବିଜେପି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି। ଚିଲିକା ବିଧାୟକ ମିଛ ବାହାନା କରି ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ବଜେପି ଅଭିଯୋଗ କରିଛି। ଜେଲ ଯିବା ଭୟରେ ପ୍ରଶାନ୍ତ ଜଗଦ୍ଦେବ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦଳରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ପ୍ରଶାନ୍ତଙ୍କୁ ପରୋକ୍ଷରେ ସରକାର ସାହାଯ୍ୟ କରାଯାଉଥିବା ବିଜେପି ଅଭିଯୋଗ କରିଛି। ତେବେ ଏହାକୁ ନେଇ ବିଜେପି ପକ୍ଷରୁ ଘୋର ବିରୋଧ କରାଯିବା ସହ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ପୂର୍ବରୁ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କଲାନାହିଁ। ଏବେ ତାଙ୍କର କୌଣସି ରୋଗ ନ ଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରଖି ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମିଛରେ ଚିକିତ୍ସା କରାଉଛି। ଏହାସହିତ ତାଙ୍କୁ ବେଆଇନ ଭାବେ ଅନେକ ଲୋକ ଭେଟୁଛନ୍ତି। ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଆଇନ ଭାବେ ଚିକିତ୍ସା କରାଗଲେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି।

ତେବେ ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ନିଶ୍ଵାସ ନେବାରେ ଅସୁବିଧା ସହ ହୃଦରୋଗ, ମଦୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟା ରହିଛି। ତାଙ୍କର ଦିନେ ଦୁଇଦିନ ପରେ ଆଂଜିଓଗ୍ରାଫି ହେବ। ଯଦି ହୃଦୟରେ ସମସ୍ୟା ଥିବ, ତେବେ ଅସ୍ତ୍ରୋପଚାର କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ମେଡ଼ିସିନ ବିଭାଗ ଓ ହୃଦରୋଗ ବିଭାଗର ଡାକ୍ତର ତାଙ୍କର ଚିକିତ୍ସାରେ ନିଯୋଜିତ ଅଛନ୍ତି। ବିନା ସ୍ୱାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ।

ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ ତାହାର ପୋଲିସ ରେକର୍ଡ ରଖୁଛି। ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ବେଆଇନ କାର୍ଯ୍ୟ କରୁନାହାନ୍ତି। ଯଦି ଏଭଳି କେହି କରୁଥିବେ, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ହାଇକୋର୍ଟଙ୍କ ଦ୍ଵାରସ୍ଥ  ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ପୁଣିଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଚିଲିକା ବିଧାୟକ ପୁଣିଥରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି। ଗତ ୫ ତାରିଖରେ ମଧ୍ୟ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଗତ ୮ ତାରିଖରେ ଖୋର୍ଦ୍ଧା ଏଡିଜେ କୋର୍ଟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। କିନ୍ତୁ ଜେଲ ପରିସରରେ ବିଧାୟକଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପୁଣିଥରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ।

ଉଲ୍ଲେଖ ଯୋଗ୍ୟ ଯେ, ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ବିଧାୟକଙ୍କୁ ଗିରଫ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହି ଘଟଣାରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଖୋର୍ଦ୍ଧା ଏଡିଜେ-୧ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ଫଳରେ ସେ ଜେଲ ଯିବା ନିଶ୍ଚିତ ହୋଇଛି। ଗତ ୫ ତାରିଖରେ ଉଚ୍ଚନ୍ୟାୟଳୟ ମଧ୍ୟ ପ୍ରଶାନ୍ତଙ୍କ ଜାବେଦନ ଖାରଜ କରିବା ସହ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଆଜି ଜାମିନ ଆବେଦନର ଶୁଣାଣି ପାଖାପାଖି ୧୧.୩୦ ମିନିଟରେ ସମାପ୍ତ ହୋଇଥିଲା। ହେଲେ ରାୟ ସଂରକ୍ଷିତ ରଖାଯାଇଥିଲା। ବିଧାୟକ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହେପାଜତକୁ ପଠାଇଦେଇଥିବା ଖବର ହସ୍ତଗତ ହୋଇଛି।

ବାଲୁଗାଁ ମଣ୍ଡଳର ଜଣେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ଆଜି ସେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ଆକ୍ରମଣ ଘଟଣା: ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌର ଜଜ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜର ହୋଇଛନ୍ତି। ଗତ ମାସ ୮ ତାରିଖରେ ବାଲୁଗାଁ ନଗର ବିଜେପି ସଭାପତିଙ୍କ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ତଳ କୋର୍ଟରେ ପ୍ରଶାନ୍ତ ହାଜର ହେବା ସହ ଜାମିନ ଆବେଦନ କରିଥିବା ସୂଚନା ରହିଛି। ଗତ ୫ ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବାଦନକୁ ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗିରଫ ଦାବି: ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ କଲା ବିଜେପି ଜନଜାତି ମୋର୍ଚ୍ଚା

ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ମାଡ଼ମାରିବା ଏବଂ ଜାତିଆଣ ଆକ୍ଷେପ ଘଟଣାକୁ ନେଇ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବି କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏହା ସହ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କୁ ବିଧାୟକ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡେଇନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା।

ଏହାପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଧାୟକଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରିଥିଲେ। କିନ୍ତୁ ବିଧାୟକଙ୍କୁ ଗିରଫ କରାଯାଇନଥିବାରୁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ଜନତା ଦଳ ଜନଜାତି ମୋର୍ଚ୍ଚାର ଶହ ଶହ ବିଜେପି କର୍ମୀଙ୍କ ସହିତ ବରିଷ୍ଠ ନେତୃମଣ୍ଡଳି ମାନେ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ଜନଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ଜନଜାତି ମୋର୍ଚ୍ଚାର ସଭାପତି ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନୁଷିକ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ଏହା ସହ ତୁରନ୍ତ ବିଧାୟକ ଜଗଦ୍ଦେଵଙ୍କୁ ଗିରଫ କରିବା ନେଇ ବିଜେପି ପକ୍ଷରୁ ୧୬ ଜଣିଆ ପ୍ରତିନିଧି ମଣ୍ଡଳୀ ଏସ୍.ପି ରାଜ କିଶୋର ଦୋରାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଯଥାଶୀଘ୍ର ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରାନଗଲେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପି ସମସ୍ତ ଏସ୍.ପି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନୁରୂପ ଭାବେ ଆମେ ବିଜେପି ଜନଜାତି ମୋର୍ଚ୍ଚାର ଗିରଫଦାରୀ ଦାବିପତ୍ର ଗ୍ରହଣ କରିଛୁ।  ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନେବୁ ବୋଲି ଏସପି ଶ୍ରୀ ଦୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଘଟଣା: ଆସନ୍ତାକାଲି ବାଲୁଗାଁ ଥାନା ଘେରାଉ କରିବ ଉତ୍କଳ ସାମ୍ବାଦିକ ସଂଘ

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଚିଲିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ବିରୋଧ କରି ଆସନ୍ତାକାଲି ଉତ୍କଳ ସାମ୍ବାଦିକ ସଂଘ ପ୍ରତିବାଦ କରିବ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏତଲା ରୁଜୁ କରିବା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନା ଘେରାଉ କରିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଘଟଣାକ୍ରମେ ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବାର ଭିଜୁଆଲ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ ଉତ୍ତୋଳନ କରୁଥିଲେ। ସେହି ସମୟରେ ଚିଲିକା ବିଧାୟକ ସମ୍ପୃକ୍ତ ସାମ୍ବାଦିକଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ତାଙ୍କୁ ଜାତିଆଣ ଉଦ୍ଦେଶ୍ୟରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏ ନେଇ ଉକ୍ତ ଦିନ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିଜେପି କର୍ମୀଙ୍କ ମାମଲାକୁ ତୁରନ୍ତ ରୁଜୁକରିଥିବା ବେଳେ ସାମ୍ବାଦିକ ଦେଇଥିବା ଏତଲାକୁ ରୁଜୁ କରିନାହିଁ। ଆଜିକୁ ଦୀର୍ଘ ଚାରି ଦିନ ବିତିଗଲାଣି କିନ୍ତୁ ସାମ୍ବାଦିକଙ୍କ ଏତଲାକୁ ବାଲୁଗାଁ ପୋଲିସ ରୁଜୁ କରୁନାହିଁ।

ଅପରପକ୍ଷେ ଆଜି ପର୍ଯ୍ୟନ୍ତ ସାମ୍ବାଦିକ ନିଜ ମୋବାଇଲ ମଧ୍ୟ ଫେରିପାଇନାହାନ୍ତି। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଠୁ ଜଣେ ଜନ ପ୍ରତିନିଧି ମୋବାଇଲ ଛଡାଇନେବା ଏବଂ ଜାତିଆଣ ଭାବ ରଖି ଗାଳିଗୁଲଜକୁ ତୀବ୍ର ବିରୋଧ କରିଛି ଉତ୍କଳ ସାମ୍ବାଦିକ ସଂଘ।

ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସହମତି କ୍ରମେ ଯଥାଶୀଘ୍ର ସାମ୍ବାଦିକଙ୍କ ଏତଲା ରୁଜୁ ଦାବି ଏବଂ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତାକାଲି ସେପ୍ଟେମ୍ବର ୧୨ ତାରିଖ ଦିବା ୧୦ ଘଟିକାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବାଲୁଗାଁ ଥାନାରେ ଉତ୍କଳ ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ ମାନେ ଶାନ୍ତିପୂର୍ଣ ଧାରଣା ଦେବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଗୁଣ୍ଡା, ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଧନ୍ୟବାଦ: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଗୁଣ୍ଡାଭାବେ ସରକାରୀ ଅଫିସର ଏବଂ ସାଧାରଣ ଜନତା ଓ ରାଜନେତାଙ୍କୁ ଆକ୍ରମଣ କରିଥାନ୍ତି। ବହୁତ ଥର ଏପରି ଅମାନବୀୟ କାର୍ଯ୍ୟ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେଥିପାଇଁ ଧନ୍ୟବାଦ।

Categories
ଆଜିର ଖବର ଆଞ୍ଚଳିକ

ଟାଙ୍ଗୀ: ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ, ଯୋଗ ଦେଲେ ଚିଲିକା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମଙ୍ଗୁଳି ଜେନା ସ୍ମୁତି କମିଟି ପକ୍ଷରୁ ଟାଙ୍ଗୀ ବ୍ଲକର ପୂର୍ବତନ ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ  ହୋଇଯାଇଛି। ଆଜି ନିଜ ଜନ୍ମ ସ୍ଥାନ ବଡପୋଖରିଆ ଗ୍ରାମରେ ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି।

ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସଂଜୟ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଖୋରଧା ବିଧାୟକ ଜିତୁ ମିତ୍ର, ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ସାମ୍ଵାଦିକ ପଦ୍ମନାଭ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ମମତା ଜେନା ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ମଙ୍ଗୁଳି ଜେନାଙ୍କର ସ୍ମୁତି ଚାରଣ କରିଥିଲେ। ମଙ୍ଗୁଳି ଟାଙ୍ଗୀ ବ୍ଲକର ଜଣେ ଜଣା ଶୁଣା ଟାଣୁଆ ନେତା ଥିଲେ। ସେ ବହୁ ଜନ ହିତକର କାର୍ଯ୍ୟ କରି ଜନ ସାଧାରଣମାନଙ୍କର ଆସ୍ଥା ଭାଜନ ହୋଇଥିଲେ।

ଗତ ୨ ବର୍ଷ ତଳେ ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧାରେ ଗୁଳି ମାରି ହତ୍ୟା କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀମାନେ ଧରା ପଡିନଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଉତ୍ସବରେ କୋଭିଡ୍ କଟକଣାକୁ ମାନି ଶତାଧିକ ଜନ ସାଧାରଣ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଚିଲିକା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମା’ ଭଗବତୀଙ୍କ ନିକଟରେ ସାମୂହିକ ଦ୍ବୀପ ଦାନ କଲା ବାଣପୁର ବିଜୁ ଜନତା ଦଳ

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଅଛନ୍ତି। ଏହି ଖବର ତାଙ୍କର ହଜାର ହଜାର ଅନୁଗାମୀମାନଙ୍କୁ ବ୍ୟଥିତ କରିଛି। ସେପ୍ଟେମ୍ବର ୨୮ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଓଡିଶା ବିଧାନସଭାର ୧୨ ଜଣ ବିଧାୟକ ଏବଂ ମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେହିଦିନ ଠାରୁ ବିଧାୟକ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ପ୍ରତିଦିନ ନିଜର ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ବହୁ କର୍ମୀମାନେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ବ୍ଲକ ବିଜେଡି ଯୁବ ସଭାପତି ତଥା ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ବିଜୁ ଜନତା ଦଳ ତରଫରୁ ଚିଲିକା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନାକରି ମା’ ଭଗବତୀଙ୍କ ନିକଟରେ ସାମୂହିକ ଦ୍ବୀପ ଦାନ ଓ ପ୍ରାର୍ଥନା କରାଯାଇଥିଲା।

ବିଧାୟକ ଶୀଘ୍ର କରୋନାରୁ ସୁସ୍ଥ ହୋଇ ଚିଲିକା ନିର୍ବାଚନମଣ୍ଡଳୀରେ ବିଗତ ଏକ ବର୍ଷ ମଧ୍ୟରେ କରିଥିବା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବାଣପୁର ବ୍ଲକ ବିଜେଡି ଯୁବ ସଭାପତି ଶେଷଦେବ ପ୍ରଧାନ ମା’ ଭଗବତୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏଥି ସହ ଚିଲିକା ତଥା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନସାଧାରଣ ବିଧାୟକଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି କର୍ମୀମାନଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା।

ସାମୂହିକ ଦ୍ବୀପ ଦାନ କାର୍ଯ୍ୟକ୍ରମରେ ଚିଲିକା ବିଧାୟକଙ୍କ ପ୍ରତିନିଧି ଗୋପୀନାଥ ମହାରଣା, ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ମନୋଜ ପ୍ରଧାନ, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ, ବାଣପୁର ବ୍ଲକର ବରିଷ୍ଠ ବିଜେଡି ନେତା ଦିବାକର ଶାସମଲ୍, ଯୁବ ନେତା ନିରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ରଂଜିତ ନାୟକ, ସମ୍ବିତ ବରାଳ, ଅଶୋକ ନରେନ୍ଦ୍ର ସିଂ ଏବଂ ବହୁ ନେତା ଓ କର୍ମୀ ମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଶୋକାକୁଳ ପରିବେଶରେ ଅନୁଷ୍ଠିତ ହେଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ଯୁବ ସଂଗଠକ ଯଥା ଅସୀମିତ ପ୍ରତିଭାର ଅଧିକାରୀ ସ୍ବର୍ଗତ ସତ୍ୟ ନାରାୟଣ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଦ୍ଵାଦଶହ ଦିବସ ଅବସରରେ ବାଲୁଗାଁ ସ୍ଥିତ କଳିଙ୍ଗ ଯୁବକ ସଙ୍ଘ ପରିସରରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବାସହ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଅଛି।

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଚିଲିକା ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡ଼ଜେନା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, କଳିଙ୍ଗ ଯୁବକ ସଙ୍ଘର ସଭାପତି ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ନିମନ୍ତେ ସ୍ବର୍ଗତ ସେନାପତିଙ୍କ ତୈଳ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ପ୍ରାପ୍ତ ସୂଚନା ମୁତାବକ ଚଳିତ ମାସ ୧୫ ତାରିଖରେ ସ୍ବର୍ଗତ ସତ୍ୟନାରାୟଣ ସେନାପତି ୪୧ ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସ୍ବର୍ଗତ ସେନାପତିଙ୍କ ବିୟୋଗରେ ଘର ପରିଜନଙ୍କ ମନୋବଳ ଭାଙ୍ଗିଯିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁତ କମ ବୟସରେ ରାଜନୀତିରେ ପାଦ ଥାପି ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଭାବେ ନିଜର ଦକ୍ଷତା ବଳରେ ଦଳକୁ ମଜଭୁତ କରୁଆସୁଥିବା ଏହି ନେତାଙ୍କ ବିୟୋଗରେ ସମ୍ପୃକ୍ତ ଅଂଚଳରୁ ବିଜେପିର ଅଗ୍ରଗତିରେ ବ୍ରେକ ଲାଗିଥିବା ଅନୁମାନ କରାଯାଉଛି। ଯାହାକି ଏହି କିମ୍ବଦନ୍ତୀ ପୁରୁଷଙ୍କ ସ୍ଥାନ ପୂରଣ କରିବା ଅସମ୍ଭବ ବୋଲି ପୂର୍ବତନ ବିଧାୟକ ଡ଼ା ହରିଚନ୍ଦନ ମତବ୍ୟକ୍ତ କରିଥିଲେ।

ସମଗ୍ର ଅଞ୍ଚଳର ସାଙ୍ଗଠନିକ ସୁଦୃଢତାକୁ ସମ୍ମାନ ଜଣାଇ ସ୍ବର୍ଗତ ଶ୍ରୀ ସେନାପତି ନିଜକୁ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ତଥା ପ୍ରଖର ରାଜନୈତିକ ବ୍ୟକ୍ତିତ୍ୱ ଭାବେ ଉପସ୍ଥାପନ କରିବା ସହ ସମାଜସେବୀ ଭାବେ ଜନ ସମାଜରେ ନିଜକୁ ଖୁବ କମଦିନ ମଧ୍ୟରେ ପ୍ରତିଷ୍ଠିତ କରିପାରିଥିଲେ ବୋଲି ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବ ବକ୍ତବ୍ୟ ରଖିଥିଲେ।

ନିଜର ଜ୍ଞାନ କୌଶଳ ତଥା ଯୁବସମାଜ ଭିତରେ ସ୍ଥାନୀୟ ଅଞ୍ଚଳରେ ନାନାଦି ଉନ୍ନତିମୂଳକ କାର୍ଯ୍ୟ କରିବା ସହ ସୁଖ ଦୁଃଖର ସାଥି ହୋଇ ସମଗ୍ର ଅଞ୍ଚଳକୁ ନିଜର ପ୍ରିୟଭାଜନ କରିପାରିଥିଲେ ଏହି ଦିବଂଗତ ନେତା ବୋଲି ଶ୍ରୀ ବଡ଼ଜେନା ଅତି କୋହଭରା କଣ୍ଠରେ ପ୍ରତିପାଦନ କରିଥିଲେ।

ଜଣେ କାର୍ଯ୍ୟଦକ୍ଷ, ମିଷ୍ଟଭାଷୀ, ମେଳାପୀ ସମାଜସେବୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ଭାଙ୍ଗିପଡିଥିବା ବେଳେ ସେହି ଆତ୍ମାର ସଦଗତି ତଥା ପ୍ରିୟଭାଜନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନ ପ୍ରକାଶ କରିଥିଲେ।

ସ୍ବର୍ଗତ ସେନାପତିଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମେତ ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବ ବିଜେପି ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କୋଭିଡ ନିୟମ ପାଳନ କରି ଆନ୍ତରିକ ଶ୍ରଦ୍ଧା ଜ୍ଞାପନ କରିଥିଲେ। ଏହି ଅବସରରେ ଦିବଂଗତ ଶ୍ରୀ ସେନାପତିଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ନିଜର ଜୀବନଶୈଳୀ ଉପରେ ଆଧାରିତ ‘ଲୁହ’ ପତ୍ରିକା ଉନ୍ମୋଚନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପଦାକୁ ଆସିଲା ବାଣପୁରର ବିଜେଡ଼ି ସମର୍ଥକଙ୍କ ଗୋଷ୍ଠୀ କନ୍ଦଳ : ବିଧାୟକଙ୍କ ସାମ୍ନାରେ ହାତାହାତି

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି।ଦୁଇ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ବାଣପୁରଠାରେ ବିଜେଡିର ପଞ୍ଚାୟତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ସମୟରେ ଆୟୋଜିତ ଏକ ଶୋଭାଯାତ୍ରାରେ ଏହି ଗୋଷ୍ଠୀ କନ୍ଦଳ ହୋଇଥିବାର ଦେଖିବାକୁ ମିଳିଛି। ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟର ଟଣାଓଟରା ଲାଗିଥିଲା। ସ୍ଥାନୀୟ ଭୀମପୁର ଗ୍ରାମରେ ଚାଲିଥିବା ଶୋଭଯାତ୍ରା ସମୟରେ ଏକ ଗୋଷ୍ଠୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ମିଟୁ ନାୟକଙ୍କ ସହ ବଚସା କରିଥିଲେ। ପରବର୍ତ୍ତୀ ସମୟରେ ସାମାନ୍ୟ ବଚସା ଭୟଙ୍କର ରୂପ ନେବା ସହିତ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଧାୟକ ଓ ବିଧାୟକଙ୍କ ସୁରକ୍ଷା କର୍ମୀ ପରିବେଶକୁ ସହଜ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏହା ଫଳପ୍ରଦ ହୋଇନଥିଲା। ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ମିଟୁ ନାୟକ ଏହି ଘଟଣାରେ ଆହତ ହୋଇ ବାଣପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ।

ବିଜେଡିର ପଞ୍ଚାୟତ କର୍ମୀ ସମ୍ମିଳନୀରେ ପଞ୍ଚାୟତ କର୍ମୀଙ୍କୁ ଅଣଦେଖା କରାଯିବା ନେଇ ଏହି ଗଣ୍ଡଗୋଳଟି ଘଟିଥିବାର ସୂଚନା ମିଳିଛି। ପଞ୍ଚାୟତ କାର୍ଯ୍ୟକ୍ରମରେ ଏନ୍‌ଏସି ବିଜେଡି କର୍ମୀଙ୍କ ପ୍ରାଦୁର୍ଭାବକୁ ସହ୍ୟ କରି ନପାରି ପଞ୍ଚାୟତ କର୍ମୀମାନେ ମିଟୁ ନାୟକଙ୍କ ଉପରେ ଆକ୍ରମଣ କରିଥିବାର ସୂଚନା ରହିଛି।

ମିଟୁ ନାୟକ ଏନେଇ ସମ୍ପୃକ୍ତ ଯୁବକ ଗୋଷ୍ଠୀଙ୍କ ବିରୋଧରେ  ବାଣପୁର ଥାନାରେ ଏତଲା ଦେବା ସହିତ ଉକ୍ତ ଘଟଣାରେ ତାଙ୍କର ଦୁଇ ଭରିର ଏକ ସୁନା ଚେନ୍‌କୁ ଛିଣ୍ଡାଇ ନିଆଯାଇଥିବାର ଅଭିଯୋଗ ମଧ୍ୟ କରିଛନ୍ତି। କେସ୍‌ ନଂ ୩୦/୨୦ରେ ଏହି ମାମଲାକୁ ରୁଜୁ କରାଯାଇ ଉକ୍ତ ଗୋଷ୍ଠୀଙ୍କ ବିରୋଧରେ ଆଇପିସି ଧାରା ୩୪୧, ୩୨୩, ୩୨୪, ୨୯୪, ୩୭୯, ୫୦୬, ୩୪ ଲଗାଇ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ।

Categories
ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ନିଆରା ନବବର୍ଷ ପାଳନ, ନେହୁରୁ ସେବାସଂଘର ପିଲାଙ୍କ ସହ କାଟିଲେ ଦିନ

ସମୀକ୍ଷା ବ୍ୟୁରୋ

ବାଣପୁର, ୨/୧: ଅଭିନବ ଉପାୟରେ ନବବର୍ଷକୁ ପାଳିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଶ୍ରୀ ଜଗଦ୍ଦେବ ନେହୁରୁ ସେବାସଂଘରେ ନବବର୍ଷକୁ ପାଳନ କରିଛନ୍ତି। ନେହୁରୁ ସେବା ସଂଘର ଶିଶୁମାନଙ୍କ ସହ କେକ୍ କାଟି  ନାଚ ଗୀତରେ ଝୁମିଥିଲେ। ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କୁ ନବବର୍ଷର ଖୁସି ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ ଚିଲିକା ବିଧାୟକ। ଏହି ଅବସରରେ ଏହି ସେବାସଂଘ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ପିଲାମାନେ ନୃତ୍ୟ ଗୀତରେ ବେଶ୍‌ ମସଗୁଲ୍‌ ରହିଥିଲେ। ସ୍ଥାନୀୟ ବିଧାୟକ ପିଲାମାନଙ୍କ ନୃତ୍ୟରେ ଖୁସି ହୋଇ ପ୍ରତ୍ୟେକ ନୃତ୍ୟକୁ ୫୦୦ଟଙ୍କା ଲେଖାଏଁ ଅର୍ଥରାଶି ସହ ଫୁଲତୋଡା ପ୍ରଦାନ କରିଥିଲେ। ଏହି ଅବସରରେ ପିଲାମାନଙ୍କ ସହ ଫଟୋ ଉଠାଇବା ସହିତ ସମସ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ଶ୍ରୀ ଜଗଦ୍ଦେବ।

ଏକ ନିଆରା ନବବର୍ଷ ପାଳନ କରିବା ଅବସରରେ ବିଧାୟକ ଏହି ସେବାସଂଘକୁ ଏକ ପୁଣ୍ୟଭୂମି ବୋଲି କହିଛନ୍ତି। ଏହା ବାଣପୁରର ଗର୍ବ। ଏମାନେ ଏକା ନୁହଁନ୍ତି, ସରକାର ଏହି ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କ ସହ ସବୁବେଳେ ରହିଛନ୍ତି ବୋଲି କହିଥିଲେ ଶ୍ରୀ ଜଗଦ୍ଦେବ। ପିଲାମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ଜଗନ୍ନାଥଙ୍କ ପାଖରେ ଏହି ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା ମଧ୍ୟ କରିଛନ୍ତି। ଏହି ଅବସରରେ ନିଜେ ହାତରେ ରାତ୍ର ଭୋଜନ ପରିଷିବା ସହିତ ପିଲାମାନଙ୍କ ସହ ଏକାଠି ଭୋଜନ ମଧ୍ୟ କରିଥିଲେ ବିଧାୟକ। ଏହି ଉତ୍ସବରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ସୁରେନ୍ଦ୍ରନାଥ ପାତ୍ର, ବାଣପୁର ବ୍ଲକ ବିଡିଓ ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ବହୁ ମୂଲ୍ୟବାନ ସମୟ ଦେଇଥିବାରୁ ନେହୁରୁ ସେବାସଂଘର କର୍ତ୍ତୃପକ୍ଷ ଓ ପିଲାମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ନବବର୍ଷର ଅଭିନନ୍ଦନ ଜଣାଇଥିଲେ।

ରିପୋର୍ଟର: ସୁନୀଲ କୁମାର ଭୋଳ

Categories
ଆଞ୍ଚଳିକ

କୁମାରାଙ୍ଗ ପଞ୍ଚାୟତରେ ଚିଲିକା ବିଧାୟକଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ସମୀକ୍ଷା ବ୍ୟୁରୋ
ବାଣପୁର,୧୮/୧୨: କୁମାରାଙ୍ଗ ପଞ୍ଚାୟତରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରାଯିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଚିଲିକା ବିଧାୟକ ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ମାଳି ଗୋବିନ୍ଦପୁରରେ ଏକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଦୁଲ୍ଲଣୀ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ମାନ୍ୟବର ବିଧାୟକ। ଏହାପରେ ହନୁମନ୍ତ ଟାଙ୍ଗୀ ଠାରେ ଶାଳିଆ ନଦୀ ଉପରେ ଏକ ଶଙ୍ଖ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଜଗଦ୍ଦେବ। ଶେଷରେ ଏକଡାଳିଆରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ନିର୍ମିତ ଏକ ଗୋଷ୍ଠୀ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ ବିଧାୟକ।

ଏହି ଅବସରରେ କୁମାରାଙ୍ଗ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ପ୍ରଧାନ, ପଞ୍ଚାୟତ ସମିତି ସଭ୍ୟ ସତ୍ୟ ନାରାୟଣ ସ୍ବାଇଁ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଜୟ ରାଉଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାରଣା, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କ ଚିଲିକା ପ୍ରତିନିଧି ମିଟୁ ନାୟକ, ଯୁବ ନେତା ଜଗତ ବଲ୍ଳଵ ମହାରଥା, ରଞ୍ଜିତ ନାୟକ, ରଞ୍ଜିତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ବାଣପୁର ବ୍ଲକ୍‌ରେ ବିଧାୟକଙ୍କ ନୂତନ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଗୋପୀନାଥ

ସମୀକ୍ଷା ବ୍ୟୁରୋ

ବାଣପୁର, ୩/୧୨: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ମିଳିଲା ନୂତନ ଦାୟିତ୍ବ। ବାଣପୁର ବ୍ଲକ୍‌ର ବିଧାୟକଙ୍କ ପ୍ରତିନିଧି ଭାବେ ସେ କାର୍ଯ୍ୟ କରିବେ। ଏହି କ୍ରମରେ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକର ସୁପରିଚାଳନା ନିମେନ୍ତ ତାଙ୍କୁ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଦ୍ବାରା ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଗୋପୀନାଥଙ୍କ କର୍ତ୍ତବ୍ୟନିଷ୍ଠା ତଥା କର୍ମତତ୍ପରତା ପାଇଁ  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ଉପରେ ଏପରି ଏକ ଗୁରୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଚିଲିକା ବିଧାୟକ ଚିଠି ନଂ ୩୮୦/୨୦୧୯ ଜରିଆରେ ବାଣପୁର ବ୍ଲକର ବିଡିଓଙ୍କୁ ଏନେଇ ଅବଗତ କରାଇଛନ୍ତି ।

ଛାତ୍ର ଜୀବନରୁ ଗୋପୀନାଥ ରାଜନୀତି, ସାମଜସେବା ତଥା ପ୍ରତିଟି କ୍ଷେତ୍ରରେ ଜଣେ ଉତ୍ସାହୀ ରୂପେ ନିଜକୁ ପ୍ରତିପାଦିତ କରି ଆସିଛନ୍ତି। ୨୦୦୬ରୁ ଗୋଦାବୀରଣ ମହାବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ହୋଇଥିବାବେଳେ ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ବାଣପୁରର ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ।  କମ୍‌ ବୟସରୁ ନିଜର ଉତ୍ସାହ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଗୋପୀନାଥ ସଫଳତାର ପାହାଚ ଅତିକ୍ରମ କରିଚାଲିଛନ୍ତି। ଆଗାମୀ ଦିନରେ ବାଣପୁରର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ଗୋପୀନାଥ  କହିଛନ୍ତି।

ରିପୋର୍ଟର୍‌ : ସୀତାରାମ ଅଗ୍ରଓ୍ବାଲ