Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଡ଼କୂଳ ଓଡ଼ି ଆର୍ଟ ପକ୍ଷରୁ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବଡ଼କୁଳ ସ୍ଥିତ ଓଡ଼ି ଆର୍ଟ ସମ୍ମିଳନୀ କକ୍ଷରେ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତି,ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ, ସୁଦୂର ଦକ୍ଷିଣ କୋରିଆର ପାର୍କୟନ ଓକ, ବିୟୋଙ୍ଗମୋ ଚୁଙ୍ଗ, ଆମେରିକା ବାସିନ୍ଦା ଅନ୍ନପୂର୍ଣ୍ଣା ପାଣ୍ଡେ ନିର୍ଦ୍ଦେଶିତ ଜୁନି ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଅନେକ ଉଚ୍ଚ କୋଟିର କଳା ସଂସ୍କୃତି ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ଦିଗରେ ବଡ଼କୁଳ ଓଡ଼ିଆର୍ଟ ଠାରେ ୨୦୧୭ ମସିହାରୁ ୧୬ ଟି କକ୍ଷ ସହିତ ୮ ଟି ଲନ ରେ ଅନେକ ପେଣ୍ଟିଙ୍ଗ,ପୁସ୍ତକ, ଲିପି,ପୋଥି,ଟେରା କୋଟା, ସେରାମିକ,କାଠ ଖୋଦେଇ,ସିଙ୍ଗ କାରୁକାର୍ଯ୍ୟ, ଧାନ ନିର୍ମିତ ମୂର୍ତ୍ତି, ତନ୍ତ, ହସ୍ତଶିଳ୍ପୀ, ରୁପା, ତାରକସି, ଢୋକରା, ଜଉ କଣ୍ଢେଇ ଆଦି ସ୍ଥାନିତ ରହିଛି। ଏହାକୁ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପାଳନ କରିବାନେଇ ଆଲୋଚନା କରିଥିଲେ। ଯାହାକି ଏହି ମହୋତ୍ସବକୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉଦଘାଟନ କରିବା ନେଇ ଓଡ଼ିଆର୍ଟ ପକ୍ଷରୁ ପ୍ରକାଶ ପାଇଛି।

ଏଥିସହିତ ଏହି ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ ସାଙ୍ଗକୁ ସଂଗ୍ରହାଳୟ କୁ ସାର୍ବଜନୀନ କରାଯାଇଥିବା ଓଡ଼ିଆର୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ କହିଛନ୍ତି।ଉକ୍ତ ବୈଠକରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ, ସଂସ୍ଥାପକ ପ୍ରସନ୍ନ କୁମାର ଦାଶ, ଅନୁଷ୍ଠାନ ଉପ ସଭାପତି ନିରଞ୍ଜନ ଦାଶ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, ପ୍ରକଳ୍ପ ସଭ୍ୟ ନିଖିଳେଶ ପଣ୍ଡା, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବେଆଇନ ଘେରି ଉଚ୍ଛେଦ ଅଭିଯାନ: ଚିଲିକାରୁ ଆଜି ଘେରିମୁକ୍ତ ହେଲା ୧୦୫ ହେକ୍ଟର ଅଞ୍ଚଳ

ସୀତାରାମ ଅଗ୍ରୱାଲ

ଚିଲିକା: ମରାଳ ମ‍ାଳିନୀ ନିଳାମ୍ଵୁ ଚିଲିକାରେ ଶହ ଶହ ମତ୍ସ୍ୟଜୀବୀ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ ହେବା ସହ ଚିଲିକା ତାର ସୌନ୍ଦର୍ଯ୍ୟ ହରାଉଛି। ତେଣୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ ଚିଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ବାଲୁଗାଁ ପୋଲିସ ଓ ଚିଲିକା ତହସିଲ ପ୍ରଶାସନର ମିଳିତ ଉଦ୍ୟମରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ଜେଟି ଠାରୁ କଳିଯୁଗେଶ୍ୱର ପାହାଡ଼ ପର୍ଯ୍ୟନ୍ତ ୧୦୫ ହେକ୍ଟର ଅଞ୍ଚଳ ଆଜି ଘେରିମୁକ୍ତ ହୋଇଛି।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏ ର ମିଳିତ ସହଯୋଗରେ ଘେରି ଉଚ୍ଛେଦ ଅଭିଯାନ ଚାଲିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିଵା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ଘେରି ଉଚ୍ଛେଦ ସମୟରେ ୭ କୁଇଣ୍ଟାଲ ଜିରୋ ନେଟ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଚିଲିକା ତହସିଲଦାରଙ୍କ ଅଭିଯୋଗ କ୍ରମେ କେସ ନମ୍ବର ୨୭୬/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ। ଉକ୍ତ ଉଚ୍ଛେଦ ଅଭିଯାନରେ ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ଚିଲିକା ଡ଼ିଏଫଓ (ମତ୍ସ୍ୟ) ଶଶାଙ୍କ ଶେଖର ସାହୁ ଓ ଟିମ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳ ପାନ୍ଥନିବାସରୁ ଏକ ବେସରକାରୀ ଯାତ୍ରୀବାହୀ ଡଙ୍ଗା ୮ ଜଣ ଯାତ୍ରୀଙ୍କୁ ନେଇ ମା’ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ଜଟିଆ ନାସି ଠାରେ ଘେରି ଜାଲ ଲାଗିଯିବାରୁ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା। ଯାହାଫଳରେ ଚିଲିକ‍ା ମଧ୍ୟରେ ଡଙ୍ଗାଟି ଫସି ରହିଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯାତ୍ରୀ ଏ ନେଇ ବଡ଼କୂଳ ଓଟିଡିସି ପରିଚାଳକ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ଓଟିଡିସି ଏବଂ ପ୍ରାଇଭେଟ ମୋଟର ବୋଟ ଆସୋସିଏସନ ପକ୍ଷରୁ ଉକ୍ତ ଡଙ୍ଗା ସମେତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିବା ଶ୍ରୀ କର ସୂଚନା ଦେଇଛନ୍ତି।

ଖବର ପାଇ ବାଲୁଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଯାତ୍ରୀଙ୍କ ସହ ଆଲୋଚନା ପରେ ସମସ୍ତ ଯାତ୍ରୀ ପୁରୀ ବରହମପୁର ଅଞ୍ଚଳର ବୋଲି ଅଗ୍ନିଶମ ଅଧିକାରୀ ମୋହନ ଦଳେଇ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକ ଋତୁ ସମେତ ବର୍ଷତମାମ ଚିଲିକାରେ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଏହା ଯାତ୍ରୀଙ୍କୁ ନିରାଶ କରୁଥିବା ଦେଖାଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ସଡକ ଦୁର୍ଘଟଣା, କ୍ରେନ ବୋଝଇ ଟ୍ରଲରକୁ ପିଟିଲା ଟ୍ରକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି 16 ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ମୁତାବକ ଆଜି ସକାଳୁ ବ୍ରହ୍ମପୁର ରୁ ଅନୁଗୁଳ ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ କ୍ରେନ ବୋଝେଇ ଟ୍ରଲର ଏବଂ କୋଇଲା ବୋଝେଇ ଟ୍ରକ ମଧ୍ୟରେ ହରିକୁଣ୍ଡବରଡ଼ି ଛକରେ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା କ୍ରେନ ବୋଝଇ ଟ୍ରଲର କୁ ପଛପଟୁ କୋଇଲା ବୋଝେଇ ଟ୍ରକ ଶକ୍ତ ଧକ୍କା ଦେଇଥିଲା।

ଫଳରେ ଟ୍ରଲରରୁ କ୍ରେନ ବାହାରି କୋଇଲା ବୋଝେଇ ଟ୍ରକର ଆଗ ପାର୍ଶ୍ୱରେ ପସି ଯାଇଥିଲା। ସୌଭାଗ୍ୟବଶତଃ ଉକ୍ତ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା କୂଳରେ ଇକୋ ଟୁରିଜିମ ନେଇ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଓ ମାନସିଂହପୁର ପଞ୍ଚୟତ ଘୋଡାଦୌଡ଼ ଜେଟି ଚିଲିକା କୂଳରେ ଇକୋ ଟୁରିଜିମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଟୁରିଜିମ ପାଇଁ ମାନସିଂହପୁର ଓ ସୋରଣ ଅଞ୍ଚଳବାସୀ ବହୁ ଦିନରୁ ଲକ୍ଷ୍ୟ ରଖିଥିବା ସହ ପର୍ଯ୍ୟଟକ ଋତୁରେ ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେବାପାଇଁ ଆଜି ମାନସିଂହପୁର ଅଧିନସ୍ଥ ଗୋପବନ୍ଧୁ ପାଠାଗାର ପରିସରରେ ସୋରଣ ସରପଞ୍ଚ ଶେଷଦେବ ବେହେରା, ମାନସିଂହପୁର ସରପଞ୍ଚ କାମିନୀ ବେହେରାଙ୍କ ନେତୃତ୍ୱରେ ବୈଠକ ହୋଇଥିଲା।

ଘୋଡାଦୌଡ଼ ଜେଟି ଚିଲିକା କୂଳକୁ ସବୁଜ ସୁନ୍ଦର କରିବା ଦିଗରେ ଅଞ୍ଚଳବାସୀ ପୂର୍ଣ ସହାୟତାର ହାତ ବଢାଇଥିବା ବେଳେ ସରକାରଙ୍କ ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ ରହିବ ବୋଲି ଆଶା ପ୍ରକଟ କରିଛନ୍ତି।ଯାହାକି ଆଜି ସରକାରୀ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମବାସୀଙ୍କୁ ଆଗାମୀ ଦିନରେ ଟ୍ରେନିଙ୍ଗ ଦିଆଯିବା ସହ ଅନେକ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି।

ଉପସ୍ଥିତ ଥିବା ସରକାରୀ କର୍ମଚାରୀ ମାନେ ହେଲେ ଏସିଏଫ ସିଡ଼ିଏ ରଶ୍ମି ଚୌଧୁରୀ,ଟାଙ୍ଗି ୱାଇଲିଡି ଲାଇଫି ଚୂଡ଼ାମଣି ମୃମୁ,ଫିସିଙ୍ଗ କ୍ୟାଟ ଆଲିଆନସ୍ ତୟାସ ଆଧ୍ୟା,ଫିସିଙ୍ଗ କ୍ୟାଟ ଆଲିଆନସ୍ ପ୍ରାଥ ଦେ ପ୍ରମୁଖ ଯୋଗଦେଇ ଇକୋ ଟୁରିଜିମ ପ୍ରକ୍ରିୟା କରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଯାହାକି ଟୁରିଜିମ ହେଲେ ଅଞ୍ଚଳର ବିକାଶ ସହ ଅନେକ ବ୍ୟକ୍ତି ରୋଜଗାର କ୍ଷମ ହୋଇପାରିବେ ଓ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ହେବାସହ ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେଇପାରିବା ବୋଲି ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରଘୁନାଥ ସାହୁଙ୍କ ବାଣପୁର ବ୍ଲକ ‘ବିଜେଡି ମହିଳା ସମାବେଶ’: ଏଥର ଏହିମାନଙ୍କୁ କଲେ ଟାର୍ଗେଟ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଛନ୍ତି।

ବିଗତ ୧୦ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ତିନି ଗୋଟି କର୍ମୀ ସମ୍ମିଳନୀ କରି ବିରୋଧୀ ଗୋଷ୍ଠୀଙ୍କୁ ରଘୁନାଥ କଡା ଜବାବ ଦେଉଛନ୍ତି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଏବଂ ଆଜି ପୁଣି ବାଣପୁର ବ୍ଲକ ବିଜେଡି ବିଶାଳ ମହିଳା ସମାବେଶର ଆୟୋଜନ ରାମପୁର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରଘୁନାଥ ସାହୁ କରିଛନ୍ତି।

ଆଜିର ମହିଳା ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିବାର ଦେଖିବାକୁ ମିଳିଛି। ଲଗାତାର ପୃଥକ ପୃଥକ ବ୍ଲକ ୱାରୀ ପୁରୁଷ ଓ ମହିଳା କର୍ମୀ ସମ୍ମିଳନୀ କରି ବିରୋଧିଙ୍କୁ ଭାବିବା ପାଇଁ ରଘୁନାଥ ସାହୁ ବାଧ୍ୟ କରିଦେଇଛନ୍ତି।

ତେବେ ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବା ବେଳେ ବିଜେଡ଼ି କର୍ମୀମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଘୁନାଥ ସାହୁ ପୁରା ଦମ ଲଗାଇଦେଇଛନ୍ତି।  ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, ସଙ୍ଗଠିକା ଲିଲି ବାଳା ସୁବୁଦ୍ଧି, ପ୍ରମୋଦ ବରାଳ, ବୈଜୟନ୍ତି ଖୁଣ୍ଟିଆ, ସସ୍ମିତା ପରିଡା, ଦେବେନ୍ଦ୍ର ସମାନ୍ତସିଂହର, ରମେଶ ଚନ୍ଦ୍ର ମହାପାତ୍ର ଆଦି ପୁରୁଖା କର୍ମୀମାନେ ଉପସ୍ଥିତ ଥିଲେ। ତେବେ ବାଣପୁର ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ଏବଂ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ରଘୁନାଥ ସାହୁ ଦାବି କରିଥିବା ମଧ୍ୟ ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଏକ ଶୋଭାଯାତ୍ରା କରଯାଇଥିଲା। ଯେଉଁଥିରେ ପୂର୍ବତନ ବିଧାୟକ ବିଜେପି ସହିତ ମିଶି ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଏହି ଶୋଭାଯାତ୍ରାରେ ଦାବୀ ହୋଇଥିଲା। ଏବଂ ବାଲୁଗାଁରେ ତାଙ୍କର କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ୭ ଟି ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଶୀତ ଆରମ୍ଭ ନ ହେଉଣୁ ଚିଲିକାରେ ସକ୍ରିୟ ହେଲେଣି ପକ୍ଷି ଶୀକାରୀ। ପକ୍ଷୀ ଶୀକାରକୁ ରୋକିବା ପାଇଁ ସତ ଚେଷ୍ଟା କଲେ ମଧ୍ୟ ବନ୍ୟପ୍ରାଣୀ ବିଭାଗ ବିଫଳ ହୋଇଛି।  ବନ୍ୟପ୍ରାଣୀ ବିଭାଗର କଡା ପ୍ରହରାକୁ ଖାତିର ନକରି ଶୀକାରୀମାନେ ବାରମ୍ବାର ପକ୍ଷୀ ଶୀକାର କରୁଛନ୍ତି। କଇଁ ନାଡରେ ଫୁରାଡନ ଦେଇ ସେମାନେ ବିଦେଶାଗତ ପକ୍ଷୀ ଶୀକାର କରୁଛନ୍ତି।

ପୁରୀ ଜିଲ୍ଲା ଆଳିପଡା ନାଳ କାଳିଜାଇ ମନ୍ଦିର ନିକଟରେ ଜଣେ ଶୀକାରୀ ପକ୍ଷୀ ଶୀକାର କରି ମୃତ ପକ୍ଷୀ ନେଇ ଯାଉଥିଵା ବେଳେ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ମାନେ ପିଛା କରି ଶିକାରୀକୁ ଗିରଫ କରିଥିଲେ। ଗିରଫ ଶୀକାରୀ ନିକଟରୁ ୭ ଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ଗଡିଶାଗଡା ଥାନା ଅନ୍ତର୍ଗତ ଦୋଛିଆଁ ଗ୍ରାମର ବିଜୟ କୁମାର ସାହୁ (୫୨)। ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡ଼ାରାଣୀ ମୁର୍ମୁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ବନାମ ବିଜେଡି: ପ୍ରତିବାଦ ଶୋଭାଯାତ୍ରାର ଜବାବ ଦେଲେ ପୂର୍ବତନ ବିଧାୟକ ରଘୁନାଥ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡ଼ି ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉ ନାହିଁ। ବିଜେଡ଼ିର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦଳର କିଛି କର୍ମୀ ଏବଂ ବିଜେଡ଼ିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା। ତେବେ ରଘୁନାଥଙ୍କ ଏହି ଦୁର୍ନୀତି ଅଭିଯୋଗ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲାପରିଷଦ ଉପ ସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ବାଲୁଗାଁରେ ଏକ ଶୋଭାଯାତ୍ରା କରାଯାଇଥିଲା। ଯେଉଁଥିରେ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଥିଲା। ଶ୍ରୀଯୁକ୍ତ ସାହୁ ବିଜେପି ସହିତ ସାଲିସ କରି ବିଜେଡ଼ି ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଶୋଭାଯାତ୍ରାରେ ଉପସ୍ଥିତ କର୍ମୀମାନେ ଅଭିଯୋଗ କରିଥିଲେ।

ସେହିଭଳି ଗୋପୀନାଥ ମହାରଣା ମଧ୍ୟ ରଘୁନାଥ ସାହୁଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଥିଲେ। ଗୋପୀନାଥ କହିଥିଲେ ଯେ, ରଘୁନାଥ ସାହୁ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି ଏବଂ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି। ଅନୁରୂପ ଭାବେ ତାଙ୍କ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଥିଲେ। ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେବେ, ତେବେ ଲଣ୍ଡା ହୋଇ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଗୋପୀନାଥ ଘୋଷଣା କରିଥିଲେ।

ତେବେ ଏହି ପ୍ରତିବାଦ ସଭାର କିଛି ଘଣ୍ଟା ନପୁରୁଣୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ପୁଣିଥରେ ଏକ କର୍ମୀ ସମ୍ମିଳନୀ କରି ଚିଲିକା ବିଧାୟକ ଏବଂ ଅନ୍ୟ କିଛି ନେତାଙ୍କୁ ଆକ୍ରମଣ କରିଥିଲେ। ଗତକାଲି ତାଙ୍କ ବିରୋଧରେ ହୋଇଥିବା ଶୋଭାଯାତ୍ରା କେବଳ ଠିକାଦାରମାନେ କରିଥିଲେ ବୋଲି ରଘୁନାଥ କହିଥିଲେ। ନିଜକୁ ଦୁର୍ନୀତି ଅଭିଯୋଗରୁ ରକ୍ଷା କରିବା ପାଇଁ ଏହି ସବୁ ଠିକାଦାରମାନେ ବିଜେଡ଼ି କର୍ମୀ ନାମରେ ଏକତ୍ରିତ ହୋଇ ପ୍ରତିବାଦ କରୁଥିଲେ ବୋଲି ସେ କହିଥିଲେ। ଚିଲିକାରୁ ଦୁର୍ନୀତି ହଟାଇବା ତାଙ୍କ ଉଦ୍ଦେଶ୍ୟ ଏବଂ ସେ ଏହା ବିରୋଧରେ ସ୍ଵର ଉତ୍ତୋଳନ କରିବେ ବୋଲି ପୂର୍ବତନ ବିଧାୟକ କହିଥିଲେ।

ସେହିଭଳି ଚିଲିକାରେ ବିଜେଡ଼ି ପୁଣିଥରେ ବିଜୟ ଲାଭ କରିବ ଏବଂ ଆଗାମୀ ନିର୍ବାଚନରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ସେ ଆଶା ରଖିଛନ୍ତି। ତେବେ ଚିଲିକା ବିଜେଡ଼ିର ଏଭଳି କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ତାଙ୍କ ସହିତ ୮୦ ପ୍ରତିଶତ କର୍ମୀଙ୍କ ସମର୍ଥନ ରହିଥିବା ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁ ଦାବି କରୁଥିବା ବେଳେ ସେପଟେ ଅନ୍ୟ ଏକ ଗ୍ରୁପ ରଘୁନାଥଙ୍କୁ ବିଜେଡ଼ି ବିରୋଧୀ ବୋଲି କହୁଛନ୍ତି।

ତେଣୁ ଏହା ଭିତରେ ଚିଲିକା ବିଜେଡ଼ିରେ ଏଭଳି ପରିସ୍ଥିତିକୁ ଦେଖି ଅନ୍ୟ କିଛି ପୁରୁଖା କର୍ମୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏଭଳି ବିଜେଡ଼ିରେ ଅନ୍ତଃ କନ୍ଦଳ ଲାଗିରହିବ, ତେବେ ଆଗାମୀ ନିର୍ବାଚନରେ ବିରୋଧୀଦଳର ପ୍ରାର୍ଥୀଙ୍କୁ ଫାଇଦା ହେବ ବୋଲି କିଛି କର୍ମୀ ସନ୍ଦେହ ପ୍ରକାଶ କରୁଛନ୍ତି। ତେଣୁ ଏହା ଉପରେ ଦଳର ଶୀର୍ଷ ନେତୃତ୍ଵ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରାଯାଉ ବୋଲି ଅନେକ କର୍ମୀ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ପକ୍ଷୀ ଶିକାର ବନ୍ଦ ପାଇଁ ‘ପ୍ରେରଣା’ ପକ୍ଷରୁ ମାସ୍କେଟ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରତିବର୍ଷ ଶୀତ ଋତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବଶ୍ରେଷ୍ଟ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନେ ଆସିବା ଆରମ୍ଭ ହୋଇଗଲାଣି। ସେଥିପାଇଁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନ କରିବା ପାଇଁ ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆଜି ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା ଓ ସିନେ ଜଗତର କଳାକାର ମାନେ ପହଞ୍ଚି ପକ୍ଷୀ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମଙ୍ଗଳାଯୋଡି ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ସଭା ପୁରସ୍କାର ବିତରଣ ଉତ୍ସବ କରାଯାଇଥିଲା।

ଚିଲିକାରେ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ଜଣେ ଯୁବତୀକୁ ଆମ୍ବାସଡର ଭାବରେ ନିଯୁକ୍ତି ଦେଇଛନ୍ତି ଗ୍ରୀନ ଆର୍ମିର ଅଧ୍ୟକ୍ଷ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ପକ୍ଷୀ ଶିକାର ବନ୍ଦ ପାଇଁ ‘ପ୍ରେରଣା’ ପକ୍ଷରୁ ଆସନ୍ତା ୨୭ରେ ହେବ ମାସ୍କେଟ ଉନ୍ମୋଚନ ଉତ୍ସବ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ପ୍ରତିବର୍ଷ ଶୀତ ରୁତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନଙ୍କର ଆସିବା ଆରମ୍ଭ ହୋଇଗଲାଣି। ତେଣୁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନକରିବା ପାଇଁ ସାମାଜିକ ଅନୁଷ୍ଠାନ “ପ୍ରେରଣା” ପକ୍ଷରୁ ଜନସଚେତନତା ସୃଷ୍ଟି ଆସନ୍ତା ୨୭ ତାରିଖ ସକାଳ ୮ ଘଟିକାରେ ମାସ୍କେଟ ଉତ୍ସବ ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହେବ।

ସେହିପରି ୯ ଘଟିକା ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ଚିତ୍ର ଅଙ୍କନ ପ୍ରଦର୍ଶନୀ, ୧୦ ଘଟିକା ସମୟରେ ସଭା ପୁରସ୍କାର ବିତରଣ ଉତ୍ସବ, ୧୦.୩୦ ରେ ବୃକ୍ଷ ରୋପଣ ଓ ୧୧ ଘଟିକା ସମୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରେରଣା ଗ୍ରୀନ ଆର୍ମୀର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି। ତେଣୁ ପ୍ରକୃତିପ୍ରେମି ବିଭିନ୍ନ ପ୍ରତିଯୋଗୀ ଯୋଗଦେବାପାଇଁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଯାନ୍ତ୍ରିକ ତ୍ରୁଟି ଲାଗି ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଓଟିଡ଼ିସି ଲଞ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡ଼କୁଳ ସ୍ଥିତ ପାନ୍ଥନିବାସକୁ ଛୁଟୁଛି ଯାତ୍ରୀଙ୍କ ସୁଅ। ତେବେ ଆଜି ମଧ୍ୟାହ୍ନରେ ଏକ ଯାତ୍ରୀବାହି ସରକାରୀ ଲଞ୍ଚ ୪୦ ଜଣ ପର୍ଯ୍ୟଟକଙ୍କୁ ନେଇ କାଳିଜାଇ ଦର୍ଶନ ଲାଗି ଯାଉଥିଲା। କିନ୍ତୁ ଲଞ୍ଚଟି କିଛି ବାଟ ଗଲାପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଯାହାଫଳରେ ପର୍ଯ୍ୟଟକମାନେ କିଛି ସମୟ ପାଇଁ ପାଣି ଭିତରେ ଅଟକିଯାଇଥିଲା।

ଉକ୍ତ ସୂଚନା ପାଇବା ମାତ୍ରେ ଓଟିଡ଼ିସି ବଡ଼କୁଳ ପ୍ରବନ୍ଧକ ସବ୍ୟସାଚୀ କର ତୁରନ୍ତ କର୍ମଚାରୀଙ୍କୁ ପଠାଇ ଲଞ୍ଚଟିକୁ କୂଳକୁ ଆଣି ଅନ୍ୟ ଏକ ଲଞ୍ଚ ସାହାଯ୍ୟରେ ଯାତ୍ରୀଙ୍କୁ ପଠାଇଥିଲେ। ତେବେ ଓଟିଡ଼ିସି ପ୍ରବନ୍ଧକଙ୍କ ତ୍ୱରିତ ପଦକ୍ଷେପ ଲାଗି ବଡ଼ ଅଘଟଣରୁ ଯାତ୍ରୀ ମାନେ ବର୍ତ୍ତିଯାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଜଳରାଶିରେ ବିହାରୀ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ଜଳରାଶିରେ ଜଣେ ବିହାରୀ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ଡବ୍ଲୁ କୁମାର ସାହାଣୀ (୩୨), ଘର ବିହାର କଟିହାର ଜିଲ୍ଲା ବରଗାଁ ଅଂଚଳରେ ବୋଲି ଜଣା ପଡିଛି। ମୃତ ବିହାରୀ ଯୁବକଙ୍କୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଜରିପଡା ଚିଲିକା ସାହିର ମାଛ ମହାଜନ ସୁକାନ୍ତ କୁମାର ପ୍ରଧାନ ଚିଲିକାରେ ମାଛ ମାରିବା ପାଇଁ ବିହାରରୁ ଆଣିଥିଲେ।

ଡବ୍ଲୁ କୁମାର ସାହାଣୀ ନିଜ ବାପାଙ୍କ ସହ ଚିଲିକାରେ ମାଛ ମାରି ମାଛଗୁଡ଼ିକୁ ମହାଜନ ସୁକାନ୍ତ ପ୍ରଧାନଙ୍କୁ ଦେଇଥାନ୍ତି। ତେବେ ଗତ କାଲି ରାତିରେ ଡ଼ଙ୍ଗାରେ ଶୋଇଥିବା ବେଳେ ଆଜି ସକାଳେ ତାଙ୍କୁ ମୃତ ଅବସ୍ଥାରେ ଦେଖି ପରିବାରବର୍ଗ ଟାଙ୍ଗୀ ଡାକ୍ତରଖାନା ନେଇଥିଲେ।

ଡାକ୍ତର ସେଠାରେ ଡବ୍ଲୁଙ୍କୁ ମୃତ ଘୋଷଣା କରିବା ପରେ ଟାଙ୍ଗୀ ପୋଲିସ ପହଞ୍ଚି ଶବ ଜବତ କରି କେସ ନମ୍ବର ୩୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।  ତେବେ ମୃତ୍ୟୁର କାରଣ ସନ୍ଦେହଜନକ ରହିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକାରୁ ୨ ମୃତ ପକ୍ଷୀ ଜବତ, ଶିକାରୀ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବର୍ତ୍ତମାନ ଶୀତ ଋତୁ ଉପଲକ୍ଷେ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଚିଲିକାକୁ ଆଗମନ ହେଉଥିବାର ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ମଧ୍ୟ ଜାରି ରଖିଛି। ତେବେ ଆଜି ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି।

ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ବାଲିପାଟପୁର ରିଙ୍ଗ ବନ୍ଧ ନିକଟରୁ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶୀକାରୀଙ୍କ ନିକଟରୁ ଦୁଇ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି। ଗିରଫ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ଭୁଶୁଣ୍ଡପୁର ଗେଡେଇସ୍ୱାଇଁପାଟଣା ଅଞ୍ଚଳର ଦିବାକର ସାହୁ (୪୦)।

ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୦ଟି/୨୨-୨୩ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓ ଚିଲିକାରେ ତିନି ଦଫା ଦାବି ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଓଡ଼ିଶାର ସମସ୍ତ ବ୍ଲକରେ ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁରୂପ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ତିନି ଦଫା ଦାବି ନେଇ ବାଣପୁର ସହରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ରାଲି ମା’ ଭଗବତୀ ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସଂଘର ସଭାପତି ବିଭୁତି ଭୂଷଣ ସ୍ୱାଇଁ, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ସଭ୍ୟ କୈଳାଶ ଚନ୍ଦ୍ର ହୋତା, ବିମଳ ନାୟକ, ନରେଶ ପଣ୍ଡା, ସମୀର ସେଠୀ ଏବଂ ପ୍ରାୟ ତିନିଶହରୁ ଅଧିକ ପ୍ରାଥମିକ ଶିକ୍ଷକ ୬ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷର ବର୍ଦ୍ଧିତ ଦରମା ପ୍ରଦାନ କରିବା, କେନ୍ଦ୍ରୀୟ ଅନୁଦାନରେ ସମସ୍ତ ଶିକ୍ଷକଙ୍କୁ ସାମିଲ କରିବା ଓ ନୂତନ ପେନସନ ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା ଭଳି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତରେ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଉକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୨୭ତାରିଖରେ ଶିକ୍ଷକ ମାନଙ୍କର ଏକ ବିରାଟ ଆନ୍ଦୋଳନ ସାରା ଓଡିଶା ଦେଖିବ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିବା ସହ ଶିକ୍ଷକ ମାନେ ସରକାରଙ୍କର ପ୍ରକୃତ ବିଦ୍ରୋହୀ ଭାବେ ଛିଡା ହେବେ ବୋଲି ଚେତାବନୀ ଦେଇଥିଲେ।

ଅନୁରୂପ ଭାବେ ଚିଲିକା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ସିଙ୍ଗିପୁର ଶନି ମନ୍ଦିର ନିକଟରୁ ଏକ ବିରାଟ ରାଲି କରି ଗଙ୍ଗାଧରପୁର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ସ୍ଥାନରେ ରାଲି ସମୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଦେଶାଗତ ପକ୍ଷୀ ସୁରକ୍ଷା ନେଇ ଜଳପରୀ ମାଧ୍ୟମରେ ବାର୍ତ୍ତା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରବିବାର ପୂର୍ବାହ୍ନରେ ଭେଟେରାନ୍ସ କ୍ଲବ ଓଡ଼ିଶା ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଏକ ନିରବଚ୍ଛିନ୍ନ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟନ ଓ ଚିଲିକାରେ ଜଳକ୍ରୀଡ଼ା ପାଇଁ ପ୍ରୋତ୍ସାହନ ସହ ବିଶ୍ୱ ବନ୍ଧୁତ୍ୱ ପ୍ରସାରିତ କରିଛି। ପର୍ଯ୍ୟଟନ ଋତୁରେ ଶୀତର ଆଗମନ ସାଙ୍ଗକୁ ଦଳ ଭର୍ତ୍ତି ଚିଲିକା ଜଳରାଶିରେ ଖାଦ୍ୟ ଅନ୍ୱେଷଣରେ ସୁଦୂର କାସ୍ପିଆନ ସାଗର ଉପକୂଳରୁ ଆରମ୍ଭ କରି ଇରାକ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଆଜରବାଇଜାନ, ଆମେର୍ନିଆ, ସାଇବେରିଆ, କାଜାକିସ୍ତାନ, ଉଜ ବେକିସ୍ତାନ, ରୁଷିଆ, ୟୁକ୍ରେନ, ବୈକାଲ ହ୍ରଦ ଆଦି ଅଞ୍ଚଳରୁ ଅନେକ ପକ୍ଷୀ ଆସିଥାନ୍ତି।

ତିନି ଚାରି ମାସ ରହଣି ପରେ ଶୀତ କମି ଆସିଲେ ପକ୍ଷୀମାନେ ପୁଣିଥରେ ନିଜ ନିଜ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ମାତ୍ର ପକ୍ଷୀମାନଙ୍କ ନିଜସ୍ୱ ବାସସ୍ଥାନ ଯାହାକି ଏହି ଦେଶମାନେ ପରସ୍ପର ମଧ୍ୟରେ କେତେବେଳେ ସୀମା ସରହଦ ତ କେତେବେଳେ ନିଜ ସଂସ୍କୃତିର ପ୍ରତିଷ୍ଠା ପାଇଁ ଯୁଦ୍ଧରେ ମାତୁଥିବା ବେଳେ ମୁକ ପକ୍ଷୀମାନଙ୍କର ଦୀର୍ଘ ତିନି ଚାରି ମାସ ଧରି ଶାନ୍ତିପୂର୍ଣ୍ଣ ରହଣି ଶିକ୍ଷିତ ମାନବ ସମାଜକୁ ଅନେକ ବାର୍ତ୍ତା ସୂଚାଇ ଥାଏ।

ବିଭିନ୍ନ କିଶମର ପକ୍ଷୀ ପରସ୍ପର ଏକାଠି ରହିପାରୁଥିବା ବେଳେ ଏକା ସଦୃଶ ମଣିଷ କେବେ ଜାତି ନାଁରେ ତ କେବେ ଧର୍ମ ତ କେବେ ପୁଣି ଭୌଗଳିକ ସୀମା ନେଇ ବାଦବିବାଦ ଲାଗିରହିଛି। ଯାହାଫଳରେ ମାନବ ସମାଜ ପାଇଁ ଏହା ଅତି ଆତ୍ମଚିନ୍ତନର ବିଷୟ ପାଲଟିଛି।  ଏସବୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଓଡ଼ିଶା ସେନାବାହିନୀରୁ ଅବସରପ୍ରାପ୍ତ ସୈନିକମାନଙ୍କ ସଙ୍ଗଠନ ଭେଟେରାନ୍ସ କ୍ଲବ ଓଡିଶା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧ ବାର୍ତ୍ତା ଉଦ୍ଦେଶ୍ୟରେ ପ୍ରୟାସ କରିଛି।

ଏହିପରିପ୍ରେକ୍ଷୀରେ ଆଜି ଭୋର ୫ଟା ୪୦ ମିନିଟ ସମୟରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇ ଏନ ଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପଙ୍କ ମାଧ୍ୟମରେ ସବୁଜ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଦୀର୍ଘ ସାତ ଘଣ୍ଟା ଧରି ଚିଲିକା ବକ୍ଷରେ ନିରବଚ୍ଛିନ୍ନ ସନ୍ତରଣ ପରେ ମୁମ୍ବାଇ ନିବାସୀ ସୁଜିୟା ରାୟ ବାଲୁଗାଁ ଜେଟି ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ମଞ୍ଚ ଠାରେ ପହଞ୍ଚିଥିଲେ।

ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଆଇ ଏନ ଏସ କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପ, ଭେଟେରାନ୍ସ କ୍ଲବ ସଭାପତି ବିଦ୍ୟାଧର ନାୟକ ପ୍ରମୁଖ ଜିୟାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ।

ଭେଟେରାନ୍ସ କ୍ଲବ ସଭାପତି ଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜିୟାଙ୍କୁ ଉତ୍ସାହିତ କରିଥିଲେ। ଜିୟା ରାୟଙ୍କ ପକ୍ଷୀମାନଙ୍କ ପ୍ରତି ନିବିଡ଼ତାକୁ ବିଭିନ୍ନ ଦିଗରୁ ଭୁୟସୀ ପ୍ରଶଂସାର ସୁଅ ଛୁଟିଥିଲା।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଦଳୀୟ ନେତା, କର୍ମୀ ସମେତ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପୋଲିସ ସବଡିଭିଜନରେ ଡିଜେ ହେଲା ବ୍ୟାନ, ଏସଡିପିଓ ମାନସ ବାରିକ ଦେଲେ ନିର୍ଦ୍ଦେଶ

ସୀତାରାମ ଅଗ୍ରୱାଲା

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ବ୍ୟାନ ହୋଇଛି ଡିଜେ। ସୂଚନା ଥାଉ କି ବାରମ୍ବାର ପୋଲିସର ଅନୁରୋଧ ସତ୍ବେ ବାଲୁଗାଁ ପୋଲିସ ସବଡିଭିଜନ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିଳମ୍ବିତ ରାତ୍ରି ଯାଏଁ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି।

ନିକଟରେ ମଧ୍ୟ ଏସଡିପିଙ୍କ ନିର୍ଦେଶକ୍ରମେ ଚଳିତ ବର୍ଷ ଗଣେଶ ପୂଜା ଭସାଣି ସମୟରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସ ଏକାଧିକ ଡିଜେ ଗାଡ଼ି ଜବତ କରିଥିଲା। ତଥାପି ଉପଜିଲ୍ଲାପାଳଙ୍କ ବିନା ଅନୁମତି ପତ୍ରରେ ବେଆଇନ ଭାବେ ଉଚ୍ଚ ଶବ୍ଦରେ ଡିଜେ ବଜାଉଛନ୍ତି ଜନସାଧାରଣ ମାନେ। ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ଅଞ୍ଚଳରୁ ସମାନ ଅଭିଯୋଗ ଆସିବାପରେ ଆଜି ଏସଡିପିଓ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନିରାକାରପୁର ଥାନାଧିକାରୀଙ୍କୁ ଏପରି ନିର୍ଦେଶ ଦେଇଛନ୍ତି l ଯଦି ଉକ୍ତ ନିର୍ଦେଶନାମା ରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମହାଙ୍ଗା ପଡ଼ିଲା କମେଣ୍ଟ ମରା, ପୋକସୋ ଆକ୍ଟରେ ବନ୍ଧା ହେଲେ ରୋଡ ରୋମିଓ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ବଢୁଥିବା ବେଳେ ଏହା ଉପରେ କଠୋର ପନ୍ଥା ଆପଣେଇଛି ପୋଲିସ। ରୋଡରୋମିଓ ମାନେ ଆଇନକୁ ଖାତିର ନକରି ବାରମ୍ବାର ରାସ୍ତାଘାଟ ରେ ନିରୀହ ଛାତ୍ରୀ ତଥା ଯୁବତୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ତେବେ ବାଣପୁରରେ ଜଣେ ନାବାଳିକାଙ୍କୁ କମେଣ୍ଟ ମାରିବା ତଥା ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ପୋକସୋ ଆକ୍ଟରେ ପୋଲିସ ଦ୍ୱାରା ବନ୍ଧା ହୋଇଛନ୍ତି।

ସୂଚନା ମୁତାବକ ଗତକାଲି କୁମାରାଙ୍ଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦେବରାଜ ନାୟକ(୩୦) ନାମକ ଯୁବକ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ। ଏ ନେଇ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ତୁରନ୍ତ ଏକ ଟିମ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଉକ୍ତ ଯୁବକଙ୍କ ବିରୁଦ୍ଧରେ ୧୨ ପୋକସୋ ଆକ୍ଟରେ କେସ ନମ୍ବର ୪୭୧/୨୨ ରେ ମାମଲା ରୁଜୁହେବା ସହ ଆଇପିସିର ଏକାଧିକ ସଙ୍ଗୀନ ଦଫା ମଧ୍ୟ ଲାଗିଥିବାର ଜଣାପଡିଛି । ଆଇଆଇସି ଶ୍ରୀ ପରିଡାଙ୍କ କହିବା ମୁତାବକ ନାବାଳିକା ତଥା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆସିଲେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ପୋଲିସର ଉକ୍ତ ପଦକ୍ଷେପ ଦ୍ୱାରା ରୋଡରୋମିଓ ମାନେ ସାବାଡ଼ ହେବେ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ସ୍ଵଚ୍ଛତା ଆଡ଼କୁ ପାଦେ: କଲେଜ ପରିସର ସଫା କଲେ ବାଲୁଗାଁ ଏନଏସି ଅଧ୍ୟାକ୍ଷାଙ୍କ ପ୍ରତିନିଧି ସନ୍ତୋଷ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅନୁଷ୍ଠିତ ହୋଇଥିବା ଚିଲିକା ବୋଇତ ବନ୍ଦାଣ ମହୋତ୍ସବରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଫଳରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ।

ତେବେ ମହୋତ୍ସବର ପରିସମାପ୍ତି ପରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା କୁଢ଼ କୁଢ଼ ଅଳିଆ ତଥା ଅଦରକାରୀ ବସ୍ତୁ। ଏତେ ବଡ଼ କାର୍ଯ୍ୟକ୍ରମର ସମାପ୍ତି ପରେ ପଡିଆରେ ଅଦରକାରୀ ବସ୍ତୁ ପଡିବା ସ୍ୱାଭାବିକ। ତେବେ ଏହା ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ନଜରରେ ପଡିବା ମାତ୍ରେ ସେ ଏହାର ପ୍ରତିକାର ଦିଗରେ କାମ ଆରମ୍ଭ କରିଦେଇଥିଲେ। ନିଜେ ସନ୍ତୋଷ ତାଙ୍କ କିଛି ସାଥିଙ୍କୁ ନେଇ ସାରା କଲେଜ ପଡିଆକୁ ସଫା କରିଥିବାର ଜଣାପଡିଛି। ଯାହାକି ସ୍ଵଚ୍ଛତାର ବାର୍ତ୍ତା ବହନ କରିଛି।

ସନ୍ତୋଷଙ୍କ କହିବା କଥା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ନିଜ ଅଞ୍ଚଳକୁ ସଫା ରଖିବା ଦାଇତ୍ୱ ତାଙ୍କର। ତେଣୁ କାହା ସାହାଯ୍ୟକୁ ଆଶା ନକରି ନିଜେ ଆୟୋଜନ ସ୍ଥଳକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଓ ଏଥିରେ ସଫଳ ବି ହେଲେ। ସନ୍ତୋଷଙ୍କ ଉକ୍ତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ: ମଞ୍ଚକୁ ରଙ୍ଗୀନ କରିବେ ଓଲିଉଡ ଅଭିନେତ୍ରୀ ଏବଂ ଅଭିନେତା

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ବହୁ ପ୍ରସିଦ୍ଧ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ସ୍ଥଗିତ ଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ଧୁମଧାମରେ ପାଳନ ହେବ।  ବାଲୁଗାଁ ଏନଏସି ର ନବ ନିର୍ବାଚିତ ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଉଦ୍ୟମକ୍ରମେ ଏହାକୁ ଆସନ୍ତାକାଲି ବୃହତ ଆକାରରେ ପାଳନ କରାଯିବ।

ତେବେ ଆସନ୍ତାକାଲି ଅପରାହ୍ନ ୪ ଘଟିକାରୁ ଉକ୍ତ ମହୋତ୍ସବର ଶୁଭାରମ୍ଭ ହେଉଥିବା ବେଳେ ଏହି ମହୋତ୍ସବରେ ସାଂସଦ, ରାଜ୍ୟର ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତଦବ୍ୟତୀତ ଚଳିତ ବର୍ଷ ବାଲୁଗାଁ ବୋଇତ ବନ୍ଦାଣ ମହୋତ୍ସବରେ ଓଡ଼ିଶାର ବହୁ ଖ୍ୟାତନାମା ସିନେ ତାରକା, ହାସ୍ୟ ଅଭିନେତା ଏବଂ କଣ୍ଠଶିଳ୍ପୀ ଯୋଗଦେବେ ବୋଲି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ମହୋତ୍ସବରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଯୋଗ ଦେଉଥିବା ବେଳେ ହାସ୍ୟ ଅଭିନେତାମାନଙ୍କ ମଧ୍ୟରେ ଶଙ୍କର, ରାଜୁ ଦାସ, ସୁନୀଲ, ଚିତ, ଆଲେକ୍ସ, ଚାନ୍ଦିନୀ ପ୍ରମୁଖ ଯୋଗ ଦେଉଛନ୍ତି। ସେହିଭଳି କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ସ୍ମିତା ପଣ୍ଡା, ଅଙ୍କିତା ପାତ୍ର, ଆଙ୍କର ବବୁଲ ଏବଂ ଗୁନୁ ବାବା ପ୍ରମୁଖ ଯୋଗ ଦେଇ ମହୋତ୍ସବକୁ ଅଧିକ ରଙ୍ଗୀନ କରିବେ।

Categories
ଆଞ୍ଚଳିକ

ଚିଲିକାରେ ଆରମ୍ଭ ହେଲା ଆମ୍ ଆଦମୀ ପାର୍ଟିର ଅଭିଯାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆମ୍ ଆଦମୀ ପାର୍ଟି ତରଫରୁ ଚିଲିକା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଦିଗନ୍ତିକା ହୋଟେଲ ଠାରେ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ସଭାପତିତ୍ବ ଖୋର୍ଦ୍ଧା ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନିଲ ଷଡ଼ଙ୍ଗୀ କରିଥିଲେ ଓ ଚିଲିକା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ରିପୋର୍ଟ ରଖିଥିଲେ।

ଚିଲିକାରେ ସବୁ ପଞ୍ଚାୟତରେ ସଂଗଠନ ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି ବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଥିଲେ। ଚିଲିକାରେ କିପରି ଭାବେ ସରକାରୀ ଶିକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଫେଲ ହୋଇଛି ତା ଉପରେ ଚିଲିକା ସଭାପତି ସୁବାସ ଜଗଦ୍ଦେଵ ଆଲୋଚନା କରିଥିଲେ। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ବୈଠକ ଆୟୋଜନ ହେବାକୁ ଯାଉଛି ବୋଲି ଶ୍ରୀଯୁକ୍ତ ଜଗଦ୍ଦେଵ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇ ତାଙ୍କ ଅଭିଭାଷଣରେ ବିଜେଡି, ବିଜେପିର ମଦ ଆମିଷ ଭୋଜିର ରାଜନୀତିକୁ ଚ୍ୟାଲେଞ୍ଜ ଦେଉଛି ଅରବିନ୍ଦ କେଜରିୱାଲଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳୀର ରାଜନୀତି। ଗୁଜୁରାଟର ଉଦାହରଣ ଦେଇ ଶ୍ରୀଯୁକ୍ତ ମହାପାତ୍ର କହିଥିଲେ ଯେ, ଗୁଜୁରାଟରେ ମଧ୍ୟ ଲୋକ କହୁଥିଲେ ପରିବର୍ତ୍ତନ, ଗୁଜୁରାଟରେ କଷ୍ଟ କିନ୍ତୁ ବିଗତ ଆଠ ମାସ ଭିତରେ ହୋଇଥିବା କଠିନ ପରିଶ୍ରମ ପରେ ଗୁଜୁରାଟରେ ବ୍ୟବସ୍ଥା ପରିବର୍ତ୍ତନର ନିକଟତର ହୋଇ ପାରିଛି ଆମ୍ ଆଦମୀ ପାର୍ଟି। ଠିକ ସେପରି ଓଡ଼ିଶାରେ ମଧ୍ୟ ଆମ୍ ଆଦମୀ ପାର୍ଟି ବ୍ୟବସ୍ଥା ପରିବର୍ତ୍ତନ କରିପାରିବ କହିଥିଲେ।

ସମ୍ମାନୀତ ଆତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ସଭାପତି ଶୁଭାଶିଷ ସ୍ୱାଇଁ ସାମିଲ ହୋଇଥିଲେ। ଧନ୍ୟବାଦ ଭାଷଣ ଦେବା ସହିତ ଆପ୍ କିପରି ସାଧାରଣ ଜନତାଙ୍କ ରାଜନୀତି କରିଥାଏ ତାହା ଉପରେ ଶ୍ରୀଯୁକ୍ତ ସ୍ୱାଇଁ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ସାମିଲ ହୋଇଥିଲେ ଏବଂ କିଛି ବୁଦ୍ଧିଜୀବି ଓ ଯୁବକ ନୂତନ ଭାବେ ଯୋଡି ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପ୍ରସ୍ତାବିତ ନୂତନ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ବିରୋଧରେ ବିଶାଳ ଚାଷୀ ସମାବେଶ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ପ୍ରସ୍ତାବିତ ନୂତନ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ସର୍ଭେକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଏହିପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାସ ସୁନ୍ଦରାୟଙ୍କ ଆବାହକତ୍ଵରେ ଆଜି ପୂର୍ବାହ୍ନରେ ବଡ଼କୁଳ ସ୍ଥିତ ଶ୍ରୀଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୫ଟି ପଂଚାୟତର ସରପଞ୍ଚଙ୍କ ସମେତ ବହୁ ଚାଷୀ ଏକତ୍ରିତ ହୋଇଥିଲେ। ବଡକୂଳ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ବେହେରାଙ୍କ ସଭାପତିତ୍ଵରେ ଆଜି ଏହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଖବର ମୁତାବକ ବାଲୁଗାଁ ସହର ନିକଟ ଦେଇ ଦକ୍ଷିଣ ପୂର୍ବ ରେଳପଥ ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେବଳ ମାଲବାହୀ ଟ୍ରେନ ଗମନାଗମନ ପାଇଁ କଲିକତା ଠାରୁ ବିଜୟୱଡା ପର୍ଯ୍ୟନ୍ତ ନୂଆକରି ଏକ ଟ୍ରେନ ଲାଇନ ନିର୍ମାଣ ପାଇଁ ଯୋଜନା ହୋଇଛି। ଯାହା ଫଳରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସରକାର ଏକାଧିକ ସର୍ଭେ ଉକ୍ତ ଅଞ୍ଚଳରେ କରୁଥିବାର ଗ୍ରାମବାସୀମାନେ ମତପ୍ରକାଶ କରିଛନ୍ତି। କିନ୍ତୁ ସର୍ବେକ୍ଷଣ କେତେଦୂର ଅଗ୍ରଗତି ହୋଇଛି, କେଉଁ କେଉଁ ରାଜସ୍ୱ ମୌଜ଼ାର ଚାଷୀ ଅବା ବ୍ୟକ୍ତିବିଶେଷ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ କେଉଁ କେଉଁ ଗ୍ରାମ ତାହାର ସତ୍ତା ହରାଇବାକୁ ଯାଉଛି ଏସମ୍ପର୍କରେ କାହା ପାଖରେ କୋୖଣସି ସଠିକ ତଥ୍ୟ ନଥିବା ଜଣାପଡ଼ିଛି।

ଏକ ଅନୁସନ୍ଧାନରୁ ଏହାର ସତ୍ୟତା ଥିବା ଜଣାଯାଇଛି। ୧୦/୦୮/୨୦୨୨ ତାରିଖରେ ପତ୍ର ସଂଖ୍ୟା ୧୨୪୭୨ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ତରଫରୁ ବେଗୁନିଆ, ଟାଙ୍ଗି, ଚିଲିକା ଓ ବାଣପୁର ତହସିଲଦାର ଏବଂ ବିଡ଼ିଓଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଚିଠି ପ୍ରେରଣ କରିଛନ୍ତି। ଯାହାଫଳରେ ଚିଲିକା ବ୍ଲକର ବଡ଼କୁଳ, ଡୁଙ୍ଗମାଳ, ଅଠର ବାଟିଆ, ନିମିକ୍ଷେତା ଏବଂ ବାଣପୁର ବ୍ଲକର ନନ୍ଦପୁର ଗ୍ରାମପଂଚାୟତ ଗୁଡିକ ଏହି ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏନେଇ ସମବେତ ପଂଚାୟତବାସୀ ଏକ କମିଟି ଗଠନ କରିଛନ୍ତି।

ଉକ୍ତ କମିଟି ମାଧ୍ୟମରେ ଜିଲ୍ଲାପାଳ ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କ ସହ ଆଲୋଚନା କରି କେଉଁ କେଉଁ ମୌଜାର ଜମି ଓ ଗ୍ରାମ କ୍ଷତିଗ୍ରସ୍ତ ହେଉଛି ଏବଂ ଏହାର କଣ ସତ୍ୟତା ଅଛି ତାହାକୁ ଲୋକମାନଙ୍କୁ ଅବଗତ କରିବା ନେଇ ସ୍ପଷ୍ଟୀକରଣ ମାଗିବେ। କମିଟି ଅବଗତ କଲାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବୈଠକ କରାଯାଇ ନିର୍ଦ୍ଧାରଣ କରାଯିବ ବୋଲି ସଭାରେ ସହମତି ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଚାଷୀମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବ ସହ ଏସଂକ୍ରାନ୍ତରେ ଉପଯୁକ୍ତ ବିଚାର କରିବାକୁ ଚାଷୀମାନେ ଜିଲ୍ଲାପାଳଙ୍କ ଜରିଆରେ ଚିଲିକା ବିଧାୟକ, ଓଡିଶାର ରାଜସ୍ୱ ମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗିରହିଥିବା ବେଳେ ନିଜର ଜମି ଚାଲିଯିବା ଓ ଭିଟାମାଟି ଚାଲିଯିବା ଭୟରେ ଉପରୋକ୍ତ ପଂଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ଏଥିସହିତ ଏହାକୁ ନେଇ ଆଗାମି ଦିନରେ ଚାଷୀକୁଳ ପକ୍ଷରୁ ଜୋରଦାର ଆନ୍ଦୋଳନର ପୂର୍ବାଭାସ ମିଳୁଛି। ତେଣୁ ପ୍ରଶାସନ ଏହାକୁ ଗୁରୁତ୍ବର ସହ ନେଇ ଲୋକମାନଙ୍କ ସାଥିରେ ଏ ସମ୍ପର୍କରେ ଆଲୋଚନା କରୁ ବୋଲି ସାଧାରଣରେ ଦାବି ହେଉଛି।