Categories
ଆଞ୍ଚଳିକ

ବାଣପୁର ନିକଟରେ ସଡକ ଦୁର୍ଘଟଣା, ୨୦ ଜଣ ଆହତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆ ବରବରା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି।

ଖବର ମୁତାବକ ଦାମିଆ ବରବରା ପଞ୍ଚାୟତ ମସକାବାରି ଗ୍ରାମର ପାଖାପାଖି ୨୦ ଜଣ ମହିଳା ଓ ପୁରୁଷ ରାସନ ଚାଉଳ ଆଣିବା ନିମନ୍ତେ ଏକ ଟାଟା ଏସିଇ ଗାଡ଼ିରେ ପଞ୍ଚାୟତ କାର‌୍ୟ୍ୟାଳୟକୁ ଯାଉଥିଲେ। ତେବେ ଦାମିଆ ଶଙ୍ଖ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଲେଉଟି ପଡିଥିଲା। ଫଳରେ ସମସ୍ତ ବ୍ୟକ୍ତି ଆହତ ହୋଇଥିଲେ।

ଏହାପରେ ଆହତ ବ୍ୟକ୍ତିମାନେ ବାଣପୁର ମେଡିକାଲକୁ ଚିକିତ୍ସାତ ହେବା ପାଇଁ ଆସିଥିବା ବେଳେ ୧୫ ଜଣ ସାମାନ୍ୟ ଆହତ ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜେଡି ପ୍ରଭାରୀ ହେଲେ ରବିନ୍ଦ୍ର ଜେନା, କେଉଁଠୁ କରିବେ ଆରମ୍ଭ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ବ ନେବେ ବାଲେଶ୍ବରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା। ୨୦୧୪ ରେ ସାଂସଦ ଥିଲେ, ହେଲେ ୨୦୧୯ ରେ ସେ ହାରିଗଲେ। ସେ ପୂର୍ବରୁ ବିଜେଡିର ଜଣେ ସକ୍ରିୟ ନେତା ଥିଲେ। ହେଲେ ଗତ କିଛି ବର୍ଷ ଧରି ଦଳୀୟ କାର୍ଯ୍ୟରେ ତାଙ୍କର ସେପରି ବଳିଷ୍ଠ ଭୂମିକା ଦେଖିବାକୁ ମିଳି ନ ଥିଲା। ହେଲେ ହଠାତ ନବୀନ ତାଙ୍କ ଉପରେ ଭରସା କରି ଖୋର୍ଦ୍ଧା ପରି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି।

ତେବେ ଏହି ଜିଲ୍ଲାରୁ ତାଙ୍କର ରଣନୀତି କେଉଁଠୁ ଆରମ୍ଭ କରିବେ ତାହା ସନ୍ଦେହଯୁକ୍ତ। କାରଣ ଏହି ଜିଲ୍ଲାରେ ରହିଛି ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ସେଗୁଡିକ ହେଲା ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ଏବଂ ଚିଲିକା। କେବଳ ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ ଅନ୍ୟଠାରେ ରହିଛି ବହୁ ଦଳୀୟ ଅଡୁଆ। ଏପରି ଅଡୁଆକୁ ରବି ଜେନା କିପରି ମୁକାବିଲା କରିବେ ତାହା ପ୍ରଶ୍ନବାଚୀ ।

ସବୁଠାରୁ ବଡ ଅଡୁଆ ଚିଲିକା ନିର୍ବାଚନ ମଣ୍ଡଳୀରେ ରହିଛି। ଯାହାକୁ ସମାଧାନ କରିବା ରବି ଜେନାଙ୍କ ପକ୍ଷରେ କାଠିକର ପାଠ ହେବ। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ବହିସ୍କାର ହୋଇଛନ୍ତି। ଅନ୍ୟପକ୍ଷରେ ଆଇନ କଟକଣା ପାଇଁ ସେ ନିର୍ବାଚନ ମଣ୍ଡଳୀ ମଧ୍ୟ ଯାଇ ପାରୁ ନାହାଁନ୍ତି। ଫଳରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ସେଠାରେ ମୁଣ୍ଡ ଟେକିଛନ୍ତି। ରଘୁ ବିଜେଡି ବନାମ ବିଧାୟକ ଜଗଦ୍ଦେବଙ୍କ ବିଜେଡି ପୁରା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମି କାହାକୁ ଭରସା କରିବେ ସେନେଇ ଦ୍ବନ୍ଦରେ ଅଛନ୍ତି। ସେଠାକାର ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କ ହାତରେ ଆଉ ସଂଗଠନ ନାହିଁ। ତାଙ୍କୁ ଦଳୀୟ କର୍ମିମାନେ ବିରୋଧ କରିବାରେ ଲାଗିଛନ୍ତି। ନିର୍ବାଚନ ମଣ୍ଡଳୀ ଭିତରେ ତାଙ୍କ ଗସ୍ତକୁ କରୁଛନ୍ତି ବିରୋଧ। ସେଠାରେ ପୂର୍ବରୁ ବିଧାୟକ ଥିବା ଶଶିଭୂଷଣ ବେହେରାଙ୍କୁ ବଦଳାଇ ଦଳ ୨୦୧୯ ରେ ଢାଲିଙ୍କୁ ଟିକେଟ ଦେଇଥିଲା। ଏବେ ସେଠାରେ କିଏ ଟିକେଟ ପାଇବ ତାକୁ ନେଇ ଦ୍ବନ୍ଦରେ କର୍ମୀ।

ଖୋଦ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ସଂଗଠନ ଏବଂ କର୍ମି ଦ୍ବନ୍ଦରେ ରହିଛନ୍ତି। କାରଣ ବର୍ତ୍ତମାନ ବିଧାୟକ ଥିବା ଜ୍ୟୋତିନ୍ଦ୍ରନାଥ ମିତ୍ର ବୟସ ଦୃଷ୍ଟିରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଶୁଣାଯାଉଛି। ଫଳରେ ସେହି ନିର୍ବାଚନ ମଣ୍ଡଳୀରେ ଆଖି ପକାଇଛନ୍ତି ସେଠାକାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।  ବିଜେଡି କର୍ମିମାନେ କାହା ଉପରେ ଭରସା କରିବେ ସେ ନେଇ ଦ୍ବନ୍ଦରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାର କେବଳ ଜଟଣୀ ଏବଂ ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଏକ ପ୍ରକାରର ସ୍ଥିର ରହିଛି କହିଲେ ଭୁଲ ହେବ ନାହିଁ। ହେଲେ ଜୟଦେବ, ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକାରୁ ନୂଆ ପ୍ରଭାରୀ କେଉଁଠୁ ଏବଂ କିପରି ତାଙ୍କର ରଣନୀତି ଆରମ୍ଭ କରିବେ ତାହା ପ୍ରଶ୍ନବାଚୀ। କାରଣ ଏହି ନିର୍ବାଚନ ମଣ୍ଡଳୀଗୁଡିକରେ ନେତା ଅଛନ୍ତି ହେଲେ ନାହିଁ ନେତୃତ୍ବ।

Categories
ଆଞ୍ଚଳିକ

ଚିଲିକା: ବିଜେପି ପକ୍ଷରୁ ‘ପ୍ରଧାନମନ୍ତ୍ରୀ ମନ କି ବାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବଡପୋଖରୀଆ ପାଟଣା ଠାରେ ବିଜେପି ପକ୍ଷରୁ ‘ପ୍ରଧାନମନ୍ତ୍ରୀ ମନ କି ବାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ବିଜେପି ରାଷ୍ଟୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣା ବେହେରାଙ୍କ ସମେତ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ଆଗାମି ସାଧାରଣ ନିର୍ବାଚନରେ ଦଳ କିପରି ବହୁମତରେ ବିଜୟୀ ଲାଭ କରିପାରିବ ସେନେଇ ଶ୍ରୀ ପାତ୍ର କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଅନୁରୂପ ଭାବେ ଜନମାନସରେ ପ୍ରିୟ ଭାଜନ ପାଇଁ ପ୍ରତିଟି ସୁଖଦୁଃଖରେ ଜନତାଙ୍କ ନିକଟତର ହେବାକୁ ଶ୍ରୀ ହରିଚନ୍ଦନ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଧାୟକ ପ୍ରାର୍ଥି ହେବାକୁ ବିଜେଡିର ଆଶାୟୀ ମାଳମାଳ, ହେଲେ ରହୁନି ତାଳମେଳ

ଭୁବନେଶ୍ବର: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ଚର୍ଚ୍ଚା ହେଉଛି, ଆଗାମୀ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ କିଏ ହେବ। କାରଣ ସମସ୍ତେ ଭାବି ନେଇଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ। ଯେହେତୁ ସେ ବର୍ତ୍ତମାନ ସୁଦ୍ଧା ଦଳରେ ସାମିଲ ହୋଇ ନାହାଁନ୍ତି, ସେଥିପାଇଁ ଏହି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି।

ଏପରି ପରିସ୍ଥିତିକୁ ଦେଖି କେତେକ ନୂଆ ପୁରୁଣା ନେତା ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ସେମାନେ ନିଜ ନିଜ ଚିହ୍ନା ପରିଚୟ ମାଧ୍ୟମରେ ଲବି ମଧ୍ୟ କରୁଥିବାର ଜଣାପଡିଛି। ସବୁଠାରୁ ବଡ ଆଶା ଯିଏ ବାନ୍ଧିଛନ୍ତି ସେ ହେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ଟିକେଟ ପାଇବେ ବୋଲି ଗୋଡ ଟେକି ବସିଛନ୍ତି। ସେପଟେ ଏହି ଅଞ୍ଚଳର ମାନସ ମଙ୍ଗରାଜ ଯେ କି ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି ସେ ମଧ୍ୟ କୁଆଡେ ଚିଲିକାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଏହି ତାଲିକା ଛୋଟ ନୁହେଁ କିମ୍ବା ଦୁଇ ବା ତିନି ଜଣ ଭିତରେ ମଧ୍ୟ ସୀମିତ ନାହିଁ। ଏହା ତାଲିକା ଲମ୍ବିବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ନିର୍ବାଚନ ସମୟ ଯେତିକି ଯେତିକି ପାଖେଇ ଆସୁଛି ଏହି ଆଶାୟୀ ତାଲିକା ସେତିକି ବଢିବାରେ ଲାଗିଛି। ତେବେ ଚର୍ଚ୍ଚା ଅନୁସାରେ ଚିଲିକାରେ ବର୍ତ୍ତମାନ ଯେଉଁମାନଙ୍କର ନାମ ବେଶୀ ଆଲୋଚନା ହେଉଛି ସେମାନେ ହେଲେ..

1- ପ୍ରଶାନ୍ତ ଜଗଦ୍ଦେବ, ପୁଣି ଥରେ ଟିକେଟ ପାଇ ପାରନ୍ତି

2-ରଘୁନାଥ ସାହୁ, ପୂର୍ବତନ ବିଧାୟକ

3-ଗୋପୀ ମହାରଣା, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି

4-ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ

5- ପ୍ରଭାସ ସୁନ୍ଦରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି  ( ସ୍ତ୍ରୀ ଜିଲ୍ଲା ପରିଷଦ ସଦସ୍ୟା)

6- ସ୍ବାଗତିକା ଜଗଦ୍ଦେବ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ

ତେବେ ଏହି ତାଲିକାର କିନ୍ତୁ ଶେଷ ନାହିଁ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁମାନେ ଜିତିଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବଡ ଆଶାୟୀ ହୋଇ ରହିଛନ୍ତି। ଏପରିକି ଯେଉଁମାନେ ହାରିଛନ୍ତି ସେମାନଙ୍କର ଆଶା ମଧ୍ୟ ମଉଳି ନାହିଁ। ତେବେ କମ ଚର୍ଚ୍ଚାରେ ଆସୁଥିବା ନାମ ମଧ୍ୟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ

1- ମିଟୁ ନାୟକ, ବାଣପୁର ଏନଏସି ଅଧ୍ୟକ୍ଷ

2-ମନୋଜ ପ୍ରଧାନ, ବିଧାୟକ ପ୍ରତିନିଧି ଏବଂ ପୂର୍ବତନ ସରପଞ୍ଚ

3-ଉତ୍ପଳ ପାଇକରାୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ

4- ସନ୍ତୋଷ କୁମାର ଦେବ, ପାରିକୂଦ ରାଜା

ଏତିକି ନୁହେଁ ଆହୁରି ଅନେକ ସରପଞ୍ଚ, ଜିଲ୍ଲାପରିଷଦ ସଦସ୍ୟ ଏହି ଆଶାୟୀ ତାଲିକାରେ ଅଛନ୍ତି, ଯାହା ସମସ୍ତଙ୍କ ନାମ ଲେଖିବା ସମ୍ଭବ ନୁହେଁ।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେବ ଯେ ଏହି ନିର୍ବାଚିତ ପ୍ରତିନିଧୀମାନଙ୍କ ମଧ୍ୟରୁ ଯଦି କେହି ବିଧାୟକ ଟିକେଟ ପାଏ ତେବେ ଅନ୍ୟମାନେ ଅସନ୍ତୁଷ୍ଠ ହୋଇ ବିରୋଧ କରିବା ନିଶ୍ଚିତ। କାରଣ ଚିଲିକାରେ ବର୍ତ୍ତମାନ ଶୀର୍ଷ ନେତା କେହି ନ ଥିବାରୁ ଏମାନଙ୍କ ମଧ୍ୟରେ ତାଳମେଳ ରହୁ ନାହିଁ। ସମସ୍ତେ ଜଣେ ଜଣେ ବଡ ନେତା ବୋଲି ନିଜକୁ ଭାବୁଛନ୍ତି। ଉପରେ ଉପରେ ସମସ୍ତେ ଭଲ, ହେଲେ ଭିତର ଭିତରେ କିଏ କାହାକୁ ଦେଖିପାରୁ ନାହାଁନ୍ତି।

ତେବେ ଚିଲିକାକୁ ନେଇ ବିଜେଡି ଦଳ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସଙ୍କେତ ବା ଆଭାସ ମିଳିପାରି ନାହିଁ। ପ୍ରକୃତରେ କିଏ ଚିଲିକାର ବିଜେଡି ମଙ୍ଗ ଧରିବା ତାହା ଏକ କୁହେଳିକା ଭିତରେ ରହିଛି। ହେଲେ ସବୁବେଳେ ମାଷ୍ଟର ଷ୍ଟ୍ରୋକ ଖେଳୁଥିବା ବିଜେଡି, ଠିକ ନିର୍ବାଚନ ସମୟରେ ଚର୍ଚ୍ଚାରେ ନ ଥିବା ବ୍ୟକ୍ତିଙ୍କୁ ଟିକେଟ ଦେବାର ସମ୍ଭାବନାକୁ ମଧ୍ୟ କେବେ ଏଡାଇ ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମା ଭଗବତୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନ ଅନୁମୋଦନ ପରେ ବାଣପୁରରେ ଖୁସିର ଲହରି

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ତିନି ଗୋଟି ଶକ୍ତିପୀଠ ର ଉନ୍ନତିକରଣ ନିମନ୍ତେ 5T ଉପକ୍ରମରେ ମାଷ୍ଟର ପ୍ଲାନ ଗୁଡିକୁ ଅନୁମୋଦନ କରିଛନ୍ତି। ତନ୍ମଧ୍ୟରୁ ବାଣପୁର ମା’ ଭଗବତୀ ପୀଠ ଅନ୍ୟତମ। ତେବେ ଉକ୍ତ ଖବର ପ୍ରଚାର ହେବାପରେ ବାଣପୁରବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ଲୋକ ମା’ ଭଗବତୀଙ୍କ ମନ୍ଦିର ରେ ଏକାଠି ହେବା ସହ ମୁଖ୍ୟମନ୍ତ୍ରୀ, 5T ସଚିବ ଏବଂ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ କି ଶ୍ରୀ ମଙ୍ଗରାଜ ସାଂସଦ ହେବା ପରେ ପ୍ରଥମେ ମା ଭଗବତୀଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିବା ବେଳେ ଭଗବତୀ ମନ୍ଦିର କୁ 5T ଯୋଜନାରେ ସାମିଲ କରିବା ପାଇଁ ବାଣପୁରବାସୀ ଅନୁରୋଧ କରିଥିଲେ। ତାଙ୍କରି ପ୍ରଚେଷ୍ଠାରେ ବର୍ତ୍ତମାନ ଏହା ସଫଳ ରୂପାୟନ ହୋଇପାରିଛି ବୋଲି ଅଧ୍ୟକ୍ଷ ମିଟୁ ନାୟକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। କାରଣ ହେଲା ଆଜି ମୁଖ୍ୟମନ୍ତ୍ରୀ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ମନ୍ଦିରର ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

‘ସମୀକ୍ଷା’ କୁ ତାଙ୍କର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ଆଜି ମୋ ନିର୍ବାଚନ ମଣ୍ଡଳୀ ଚିଲିକା ପାଇଁ ଏକ ଐତିହାସିକର ଦିନ। କାରଣ ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ମନ୍ଦିରର ଉନ୍ନତି ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୋର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ।”

ସେ ଆହୁରି କହିଛନ୍ତି ଯେ, “ଏହି ମନ୍ଦିରର ବିକାଶ କାର୍ଯ୍ୟକ୍ରମ 5ଟି ଉପକ୍ରମରେ କରାଯିବ। ସେଥିପାଇଁ 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ। ବାଣପୁରବାସୀଙ୍କ ବହୁଦିନର ଅପେକ୍ଷାର ଅନ୍ତ ଘଟିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଭବିଷ୍ୟତରେ ଚିଲିକାର ଆହୁରି ବହୁତ କିଛି ଉନ୍ନତି ହେବ ଏଥିରେ ସନ୍ଦେହ ନାହିଁ।”

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି, ଆଶା ଆଶଙ୍କାରେ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଆସନ୍ତା ସୋମବାର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସରିବାକୁ ଥିବାବେଳେ ଶନିବାର ପରୀକ୍ଷା ପ୍ରଶ୍ନ ପତ୍ରରେ ଦେଖାଯାଇଛି ବିଭ୍ରାଟ। ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ବିଷୟ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବଣ୍ଟା ହେଲା ପରେ ଉକ୍ତ ତ୍ରୁଟି ଦେଖିବାକୁ ମିଳିଥିଲା।

ପ୍ରକାଶଥାଉ କି ବୋର୍ଡ଼ ଦ୍ୱାରା ପ୍ରତି ବିଷୟରେ ଏ’ ବି’ ସି’ ଡି’ ଚାରିଗୋଟି ସେଟ ମାଧ୍ୟମରେ ପିଲାମାନଙ୍କୁ ପ୍ରଶ୍ନ ପତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ବାଣପୁର ଓ ବାଲୁଗାଁ ଅଂଚଳର ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ସରକାରୀ ବାଳିକା ବିଦ୍ୟାଳୟ ଭଳି ପ୍ରାୟ ସମସ୍ତ ପରୀକ୍ଷା ସେଣ୍ଟରରେ ‘ଏ ସି’ ଡି’ ସେଟର ପ୍ରଶ୍ନପତ୍ର ଠିକ ଥିଲାବେଳେ ବି ସେଟର ପ୍ରଶ୍ନପତ୍ରରେ ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି ବାଣପୁର ବି ଇ ଓ ସନାତନ ଜାଲି କହିଛନ୍ତି।

‘ବି’ ସେଟ ପ୍ରଶ୍ନପତ୍ରରେ ‘ଏ’ ସେଟର କିଛି ପ୍ରଶ୍ନ ପଶିଯାଇଥିବା ଏବଂ ସମୁଦାୟ ୧୦୦ ମାର୍କ ପ୍ରଶ୍ନରୁ କିଛି ପ୍ରଶ୍ନ ଗାଏବ ହୋଇଯାଇଥିବା ପରିଲକ୍ଷିତ ହୋଇଥିଲା। ଏହିଭଳି ପ୍ରତି ସେଣ୍ଟରରେ ୧୦ ରୁ ୧୫ ଜଣ ଛାତ୍ରଛାତ୍ରୀ ଏହି ତ୍ରୁଟି ଜନିତ ପ୍ରଶ୍ନପତ୍ର ପାଇଥିଲେ। ଯାହାଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଥିଲେ।

ଏହିଭଳି ତ୍ରୁଟି ଦେଖିବାପରେ ପିଲାମାନଙ୍କୁ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ଯେଉଁ ଛାତ୍ରଛାତ୍ରୀ ମାନେ ଏହି ପ୍ରଶ୍ନପତ୍ର ପାଇଛନ୍ତି ସେମାନଙ୍କ ରୋଲ ନମ୍ବର ସହ ଖାତାର ଫୋଟୋ କପି ଇ ମେଲ ଜରିଆରେ ବୋର୍ଡ଼ ନିକଟକୁ ପଠାଇ ଦିଆଯାଇଛି। ତେଣୁ ଉକ୍ତ ଘଟଣା ସାରା ରାଜ୍ୟରେ ହୋଇଥିବା ଏବଂ ଏହା ବୋର୍ଡ଼ର ତ୍ରୁଟି ହୋଇଥିବାରୁ ବୋର୍ଡ଼ ଯାହା ନିଷ୍ପତି ନେବ ବୋଲି ମତ ରଖିଛନ୍ତି ଶ୍ରୀଯୁକ୍ତ ଜାଲି।

ତଥାପି ପିଲାମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ବାର୍ତ୍ତା ପଠାଇଥିବା ଖବର ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ପ୍ରଶାସନ ନିଷ୍କ୍ରିୟ, ଚୋରାମଦ ବିକ୍ରିକୁ ବିରୋଧ କରି ଘର ଭାଙ୍ଗିଲେ ଶତାଧିକ ମହିଳା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ତଥା ଚୋର ମଦ କାରବାର ଶୀର୍ଷରେ ପହଞ୍ଚିଥିବାବେଳେ ଏହାର କରୁଣ ପ୍ରଭାବ ଗାଁ ଗାଁ ରେ ଦେଖିବାକୁ ମିଳୁଛି। ବେଆଇନ ମଦ ବିକ୍ରି ରୋକିବାରେ ଅବକାରୀ ଓ ପୋଲିସ ଏକ ରକମର ଫେଲ ମାରିଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୋରାମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ତୁମୁଳ କାଣ୍ଡ ଘଟାଇଥିବା ଜଣାପଡିଛି।

ପ୍ରାପ୍ତ ଖବର ମୁତାବକ ସରନଇ ଗ୍ରାମ ଛକର ଏକ ଘରେ ଦୈନନ୍ଦିନ ଅବାଧ ଚୋରା ମଦ ବିକ୍ରି କରାଯାଉଥିଲା। ଯାହାଫଳରେ ସେଠାରେ ମଦ୍ୟପ ଗୋଷ୍ଠୀ ମାତାଲ ହୋଇ ଅନେକ ସମୟରେ ନାନାଦିପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହୋଇଆସୁଛି। ସମ୍ପୃକ୍ତି ଅଞ୍ଚଳରେ ଦିନକୁଦିନ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିବା ଫଳରେ ଗ୍ରାମରେ ଝିଅ ବୋହୁ ମାନେ ଦାଣ୍ଡକୁ ବାହାରିବା ଦୂରର କଥା ଦିନ ଦ୍ବିପ୍ରହରରେ ସେମାନଙ୍କ ଯାଆସ କରିବା ଅସହ୍ୟ ହୋଇପଡୁଛି। ଏପରିକି ଘରେ ଘରେ କଳି ଝଗଡା ଲାଗିରହୁଥିଲା। ଏନେଇ ଯିଏ ବି ବିରୋଧ କରୁଛି ସେ ଆକ୍ରୋଶର ଶିକାର ହେଉଥିବା ଗ୍ରାମବାସୀ କହିଛନ୍ତି।

ତେବେ ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା କିଛି ଫରକ ନପଡିବାରୁ ଗତକାଲି ସରନଇ ଓ ନିମିକ୍ଷେତା ଗ୍ରାମର ଶତାଧିକ ମହିଳା ସମ୍ପୃକ୍ତ ସ୍ଥାନରେ ଏକତ୍ରିତ ହୋଇ ଏହାର ଦୃଢ ପ୍ରତିବାଦ କରିବା ସହ ଗଚ୍ଛିତ ମଦକୁ ନଷ୍ଟ କରିଥିଲେ ଏବଂ ଉକ୍ତ ଘରକୁ ଭାଙ୍ଗି ଦେଇଥିଲେ। ବାରମ୍ବାର ଅବକାରୀ ଓ ପୋଲିସକୁ ଏନେଇ ଖବର ଦେଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେବେ ଏ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବାଲୁଗାଁ ଥାନାଧିକାରୀ ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ସେହିଭଳି ଏ ନେଇ ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କୁ ପଚାରିବାରୁ ଉକ୍ତ ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏବଂ ଏ ନେଇ ତାଙ୍କୁ ମହିଳା ମାନେ ଜଣାଇଥିବା କହିଛନ୍ତି। ତେବେ ପୋଲିସ ଓ ଅବକାରୀ ଉକ୍ତ ଗ୍ରାମକୁ ମଦମୁକ୍ତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ସରପଞ୍ଚ ଶ୍ରୀ ଖୁଣ୍ଟିଆ।

Categories
ଆଞ୍ଚଳିକ

ଚିଲିକା: ବିରଳ ଫିସିଂ କ୍ୟାଟ୍ ର ମୃତଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଚିଲିକା: ବିରଳ ଫିସିଂ କ୍ୟାଟ୍ ର ମୃତଦେହ ଉଦ୍ଧାର ହୋଇଛି। ଚିଲିକା ବ୍ଲକ ଚଣ୍ଡେଶ୍ୱର ପଂଚାୟତ ଦାରୁଗାଁ ଗ୍ରାମ ନିକଟ ଧାନ ଗହୀରରୁ ମୃତ ଦେହ ଉଦ୍ଧାର ହୋଇଛି। ଏହି ଫିସିଂ କ୍ୟାଟର ମୃତ ଦେହ ଏକ ପୁରୁଷ ପ୍ରଜାତି ଫିସିଂ କ୍ୟାଟ୍ ବୋଲି ଜଣା ପଡିଛି।

ସ୍ଥାନୀୟ ଯୁବକମାନେ ଗାଁ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଫିସିଂ କ୍ୟାଟ୍ କୁ ଦେଖିଥିଲେ। ଫିସିଂ କ୍ୟାଟ୍ କୁ କୌଣସି ଦୁର୍ବୃତ୍ତ ବାଡେଇ ବାଡେଇ ମାରି ଦେଇଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ଫିସିଂ କ୍ୟାଟ୍ ର ମୃତଦେହ ସେଠାରେ ପଡି ରହିଛି। ଯାହାକୁ ନେଇ ପ୍ରାଣୀ ପ୍ରେମୀ ମାନେ ଚିନ୍ତା ପ୍ରକଟ କରିଛନ୍ତି।

ଫିସିଂ କ୍ୟାଟ୍ ର ସଂଖ୍ୟା ଦିନକୁ ଦିନ କମ୍ ହେବାରେ ଲାଗିଛି। ଫିସିଂ କ୍ୟାଟ୍ କେବଳ ଏବେ ଚିଲିକାର ଉପକୂଳରେ ଦେଖା ଯାଉଛନ୍ତି। ଫିସିଂ କ୍ୟାଟ୍ ମାଛ ଖାଇ ବଂଚୁଥିବାରୁ ସେମାନଙ୍କ ସଂଖ୍ୟା ଓଡିଶାର ବିଭିନ୍ନ ସ୍ଥାନରୁ ବିଲୁପ୍ତ ହୋଇଗଲେଣି। ତେଣୁ ଏହାର ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ କାର୍ଯ୍ୟ କରୁଥିବା ବେଳେ ସେହି ସଂଗଠନର କାର୍ଯ୍ୟ କେବଳ କାଗଜ ପତ୍ରରେ ଥିବା ଦେଖିବାକୁ ମିଳିଛି। ତେଣୁ ଏହି ବିରଳ ପ୍ରଜାତିର ଫିସିଂ କ୍ୟାଟର ସୁରକ୍ଷା ଜରୁରୀ ହୋଇ ପଡିଛି।

Categories
ବିଶେଷ ଖବର

ଚିଲିକାର ଗାୟକ-ପକ୍ଷୀ: କବି ତପନ ପଟ୍ଟନାୟକ

ଡକ୍ଟର ସତ୍ୟ ଷଡ଼ଙ୍ଗୀ

କାବ୍ୟନାୟିକା ଚିଲିକା ଉପକଣ୍ଠ ବାଲୁଗାଁଠାରେ ତାଙ୍କର ଜନ୍ମ। ପିତା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତଥା ନାଟ୍ୟକାର ପଦ୍ମଚରଣ ପଟ୍ଟନାୟକ। ପିତାଙ୍କ ସହପାଠୀ ବନ୍ଧୁ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ। ତେଣୁ ଶୈଶବରୁ ସାହିତ୍ୟର ଶ୍ରୀଅକ୍ଷର ଶିଖିଥିଲେ ସେ ଆପଣା ଘରୁ। ତାଙ୍କର ହେତୁ ହେଲାବେଳକୁ ବାଲୁଗାଁରେ ଗୋଟିଏ ସାହିତ୍ୟିକ ଆନ୍ଦୋଳନ ସକ୍ରିୟ ଥିଲା।

ସେତେବେଳର ପ୍ରତିଭାବାନ୍ ଯୁବସାହିତ୍ୟିକ, ଯଥା – ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦେବେନ୍ଦ୍ର କୁମାର ମାନସିଂହ, ହୁସେନ୍ ରବିଗାନ୍ଧୀ, ନବୀନ ସୁବୁଦ୍ଧି, ପଞ୍ଚାନନ ଦାଶ ପ୍ରଭୃତି ଥିଲେ ଏହି ଗୋଷ୍ଠୀର ସତୀର୍ଥ। ଏମାନଙ୍କ ସମବାୟରେ ଓଡ଼ିିଶାର ସାହିତ୍ୟିକ ବାତାବରଣରେ ଉଷ୍ମତା ଖେଳାଇ ପ୍ରକାଶ ପାଉଥିଲା ଆଧୁନିକତାର ପ୍ରତିବାଦୀ କାବ୍ୟ ଇସ୍ତାହାର ‘ବେଳା’ ଓ ‘ଆଭା’ ପତ୍ରିକା। ଆହୁରି ମଧ୍ୟ ଅଗ୍ରଜ କବି ନୀଳାଦ୍ରି ଭୂଷଣ ହରିଚନ୍ଦନ ସାଧନା-ମଗ୍ନ ଥିଲେ ଠିକ୍ ଏତିକିବେଳେ। ଏପରି ଏକ ଅପ୍ରତିହତ କାବ୍ୟିକ ବାତାବରଣ ସହ ଆଉ ଗୋଟିଏ ଆନ୍ତରିକ ଉଚ୍ଛ୍ୱାସର ପ୍ରେରଣା ଥିଲା ତାଙ୍କ କଲମରୁ କବିତା ଝରିବାର ଅନ୍ୟତମ ଯୁକ୍ତିସିଦ୍ଧ କାରଣ।

କବିଟିଏ ଜନ୍ମନେଲା ତପନ ପଟ୍ଟନାୟକ ନାଁରେ, ଯିଏ ନିଜସ୍ୱ ରୀତିରେ ସୃଷ୍ଟିକଲା ଗୋଟିଏ ସୁରଭିତ କାବ୍ୟ ଉପବନ। କାବ୍ୟତାରା, ସୀମା ଓ ସ୍ମାରକୀ, ସ୍ରୋତସ୍ୱତୀ, ମୁଠାଏ ତାରା, ବିନିମୟ, ଢେଉଢେଉ ଅନ୍ଧାର, ଶୂନ୍ୟ ଧାନକ୍ଷେତ, ଫେରିବାର ମୂର୍ଚ୍ଛନାରେ, ଋତୁର ବାସ୍ନାରେ, ଆରଜନ୍ମ, ମଗ୍ନମୌନ, ଅନିନ୍ଦିତା ଓ ଅନ୍ୟାନ୍ୟ କବିତା, ଅରଣ୍ୟ ଗହନ ପଥ, ଦୁଃଖ ଗୋଟିଏ ଗାଁ’ର ନାଁ, ପ୍ରଦକ୍ଷିଣ ପ୍ରତିପ୍ରସ୍ଥ, ଅପହଞ୍ଚ ପ୍ରଭୃତି ସେହି ସୁରମ୍ୟ ଉଦ୍ୟାନର ଗୋଟିଏ ଗୋଟିଏ ପୁଷ୍ପିତ ପାଦପ।

କବି ତପନ ପଟ୍ଟନାୟକଙ୍କ କାବ୍ୟ ପୁରୁଷ ଜୀବନର ପ୍ରତିପ୍ରସ୍ତ ପ୍ରଦକ୍ଷିଣ କରିବାରେ ଅଭିଳାଷ ରଖେ। ପ୍ରଣୟ ଆବେଗରୁ ଯଦିଓ ତାଙ୍କ କାବ୍ୟଯାତ୍ରାର ପ୍ରାରମ୍ଭ ତେବେ ତେବେ ପୂର୍ବବର୍ତ୍ତୀ କାବ୍ୟଧାରାର ପ୍ରଭାବଶାଳୀ ମୃତ୍ୟୁଚେତନା ତାଙ୍କୁ ବେଳେବେଳେ ଆଚ୍ଛନ୍ନ କରିଦିଏ। ତା ସହ ନିଃସଙ୍ଗତା, ଅସହାୟତା, ବିଷଣ୍ଣତାବୋଧ ଏସବୁ ଉପୁଚି ପଡ଼େ ତାଙ୍କ କବିତାର ପଙ୍କ୍ତିମାନଙ୍କରୁୁ। ପୁଣି କେବେ ତାଙ୍କ କବିତା ଅଭ୍ୟନ୍ତରରୁ ବିଦ୍ରୋହର ସମାୟିକ ସ୍ୱର ଶୁଭେ–

ଏବେ ମାଟି ଆଁ କରିଚି/କହୁଚି, ମୋର ଭୋକ ମେଣ୍ଟିବା ପାଇଁ/

ଶୋଷ ମେଣ୍ଟିବା ପାଇଁ / କେଇ ବୁନ୍ଦା ରକ୍ତ ବି ମତେ ଦେ। (ସମୟ ସରୁଚି)

ଓଡ଼ିଆ କବିତାର ବିକାଶ କଳ୍ପେ ତପସ୍ୟାମଗ୍ନ ତପନଙ୍କ କବିତାରେ ଶତାବ୍ଦୀ ଶେଷର ପରିବର୍ତ୍ତିତ ସ୍ଥିତି ଓ ପରିବେଶର ପ୍ରଭାବ ଫଳରେ ଯେଉଁ ନୂତନ ଆୟତନଟି ଯୁକ୍ତ ହୋଇଛି ତାହା ତାଙ୍କ ନିଜସ୍ୱ ଓ ପୂର୍ବବର୍ତ୍ତୀ ଚେତନଠାରୁ ପୃଥକ୍ । ମୃତ୍ୟୁଚେତନା ଭଳି ବିଷାଦ ବନ୍ଧନରୁ ଓହରି କବି ଗୋଟିଏ ନୂଆ ସମ୍ଭବନା ଓ ଆଶାବାଦରେ ଉପନୀତ ହୋଇଛନ୍ତି । ପ୍ରେମ ଓ ଜନ୍ମାନ୍ତରବାଦର ସମନ୍ୱୟରେ ଗୋଟିଏ ଚମକ୍ରାର କାବ୍ୟ ଆବେଗ ସୃଷ୍ଟି ହୋଇଛି ତାଙ୍କ କବିତାର ଅଙ୍ଗନରେ । କେତୋଟି ସ୍ୱାଦୁକର ଉଦାହରଣ ଏଠାରେ ଉଦ୍ଧୃତ କରାଯାଇପାରେ –

କେମିତି କେଜାଣି ସମୟ ସରିଲା/ କେଉଁଠି ପଡ଼ିଲି ଶୋଇ/

ଉଠିଲାବେଳକୁ ତୁମେ କେଉଁଆଡ଼େ/ କେମିତି ଯାଇଚ ହଜି

ବାରମ୍ବାର ମୁଁ ଜନ୍ମ ନେଉଚି/ ତୁମକୁ ହିଁ ଖୋଜି ଖୋଜି।

ପ୍ରଦକ୍ଷିଣ ପ୍ରତିପ୍ରସ୍ତ (୨୦୧୦), ଅପହଞ୍ଚ (୨୦୧୭) ପ୍ରଭୃତି ସଙ୍କଳନରେ କବି ବ୍ୟକ୍ତିତ୍ୱର ସଂପ୍ରସାରଣ ଦୃଶ୍ୟ ଆଉ ପ୍ରକାରେ ଦେଖିବାକୁ ମିଳେ । ମନେପଡ଼େ କବିଙ୍କ ସ୍ୱୀକାରୋକ୍ତି : “ଦୈନନ୍ଦିନ ସ୍ଥିତିରେ ସାମାଜିକତା ଆମର ଯେମିତି, ଯାହା ହେଉଛି ହୋଇଯାଉ ଯାହା ନହୋଇଛି ପଡ଼ିରହୁ, ସାଧାରଣ ତଳସ୍ତରର ମଣିଷଙ୍କ କଥା ଭାବୁଛି କିଏ?” ସେହି ଅପହଞ୍ଚରେ ପହଞ୍ଚିବାପାଇଁ କବି ଚେଷ୍ଟା କରିଛନ୍ତି, ଯେମିତିକି-

ଗଉରା ଲେମ୍ବୁ ବିକାଳି କିଏ ଯେ/ ଅପାଙ୍କ୍ତେୟ, ଅପୋଗଣ୍ଡ/

କୋଉ ନିପଟ ମଫସଲର/ ମୂର୍ଖ ମଣିଷଟିଏ/

ଏତେ ବଡ଼ ବାବୁଭାଇଆ ସମାଜରେ/ ତାର ଗୁରୁତ୍ୱ ବା କଣ?/

ତା ହିସାବ କାହିଁକି ରଖିବ ବା କିଏ?/

ଅଥଚ ପ୍ରତି ପାଞ୍ଚବର୍ଷରେ ଥରେ/ କେହି କେହି ତାର ହିସାବ ରଖନ୍ତି।

ତପନ ପଟ୍ଟନାୟକଙ୍କ କବିତାରେ ଚିଲିକା ଗୋଟିଏ ବିଶେଷ ଅଂଶ । କବି ନିଜେ ବୋଧହୁଏ ସେହି ସତ୍ତା ଯିଏ “ଚିଲିକାର ଧୋବଲା ଚଢ଼େଇ ପରି/ ନୀଳହ୍ରଦ ଏପାରିରେ/ କିଏ ଜଣେ ଚାହିଁବସିଥାଏ।” ଚିଲିକା ତାଙ୍କ କବିତାରେ ଜୀବନର ଉଦ୍ଭାସ। ତାକୁ କଣ ଏତେ ସହଜରେ ବୁଝିହୁଏ? “ଚିଲିକାର ରୂପ/ ନାନା ରଙ୍ଗ ଓ ବେରଙ୍ଗ/ ଜୀବନର ବହୁକଥା/ ଅବୁଝା ଅସ୍ପଷ୍ଟ ରହେ/ ହଂସରାଳି ଗୀତ ଗାଇଗାଇ/ ଫେରିଯାଏ/ ମାମୁ ଭଣଜାର/ ଉତ୍ତୁଙ୍ଗ ଶିଖର ଦେଇ / ମାନସରୋବରରେ/ ଅପୂର୍ବ ରୂପବତୀ କନ୍ୟା ହେବା ପାଇଁ।” ‘ବଧୂଲି ଫୁଲ’ କବିତାର ବର୍ଣ୍ଣନା ଶୈଳୀକୁ ଟିକେ ଆଖି ପକାଇନେବା –

କାଲି ତ ଦେଖିଥିଲି ମୁକ୍ତ ଖରାବେଳେ/ ପବନ ମୁଠାଏ ବି ବାସ୍ନାଫୁଲ ପରି

ବର୍ଷି ଯାଉଥିଲା ଚିଲିକା ଉପରେ ତ/ ଇଲାକା ବାସୁଥିଲା ଦିଗବିଦିଗ ଧରି।

‘ଛୋଟ ମୋର ଗାଁଟି’ରେ ଜୀବନଚିତା ଜଳିବା ଆଶା ଭଳି ତପନ ମଧ୍ୟ ଚିଲିକା କୂଳରେ ‘ଛୋଟ ଶିଖାଟିଏ’ ହେବା ପାଇଁ ଯେ ଚାହାନ୍ତି ସେତିକି ନୁହେଁ, ବରଂ ତାଙ୍କର ଇଚ୍ଛା –

ତୋର ସ୍ପର୍ଶ ପାଇବାକୁ/ ଆତ୍ମିକତା ବୁଝିବାକୁ/

ଆର ଜନ୍ମେ ଚିଲିକା ଲୋ/ ଡଙ୍ଗାଟିଏ ହେବି।

ଆମ ଗହଣରୁ ବିଦାୟ ନେବା ପୂର୍ବରୁ କବି ତପନ ପଟ୍ଟନାୟକ

ବିସ୍ତୃତ ଏ ପୃଥିବୀକୁ କବିତାର ପ୍ରିୟ ଧାଡ଼ିଟିଏ

ଦେଇଗଲା, ପ୍ରାଣଭରା ସ୍ନେହସିକ୍ତ ମୃଦୁ ଆଲିଙ୍ଗନ

କହିଗଲା ମଣିଷକୁ, ପୃଥିବୀରେ ଆଉ କିଛି ନାହିଁ

ଖାଲି ସତ ଭଲ ପାଇବାର ଏଇ ସ୍ନିଗ୍ଧ ଆବେଦନ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ

ମୋ୯୪୩୮୩୬୦୫୧୬

Categories
ଆଞ୍ଚଳିକ

ସୁନାଖଳାରେ ଡାକ ସଚେତନତା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ
ଚିଲିକା: ଭାରତୀୟ ଡାକ ବିଭାଗ, ଭୁବନେଶ୍ୱର ଡାକ ମଣ୍ଡଳ ଏବଂ ସୁନାଖଳା ଶାଖା ଡାକଘର ଆନୁକୁଲ୍ୟରେ ଆଜି ସ୍ଥାନୀୟ ସୁନାଖଳା ଠାରେ ଡ଼ାକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ବସନ୍ତ କୁମାର ପଣ୍ଡା, ସମ୍ମାନିତ ବକ୍ତା ଭାବେ ବାଲୁଗାଁ ଡାକ ଉପମଣ୍ଡଳ ଡାକ ନିରୀକ୍ଷକ ପ୍ରକାଶ କୁମାର ଜେନା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ର ପ୍ରବନ୍ଧକ ଶ୍ରୀମନ୍ତିକା ପ୍ରିୟଦର୍ଶିନୀ, ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ, ସୁନାଖଳା ସରକାରୀ ଉପ୍ରା ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷକ ଦାମୋଦର ନାୟକ , ଶିକ୍ଷାବିତ୍ ପ୍ରଦୋଷ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ନାଚୁଣୀ ଶାଖା ଡାକଘର ଡାକପାଳ ହୁସନାରା ଵେଗମ୍ ସଭା ସ°ଚାଳନ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନରେ ବାଲୁଗାଁ ଡାକ ବିଭାଗ ଓଭରସିଅର ପ୍ରଶାନ୍ତ କୁମାର ପାଇକରାୟ ଓ ଦୀପ୍ତି ରଞ୍ଜନ ପାଇକରାୟଙ୍କ ସହ ସୁନାଖଳା ଶାଖା ଡାକଘର ଡାକପାଳ ସୌମିତ୍ରୀ ରାଉତରାୟ, ହରିକୁଣ୍ଡ ଵରଡିହ ବିପିଏମ ଖଗେଶ୍ବର ବାରିକ, ଵଉଳାଵନ୍ଧ ଵିପିଏମ ଲକ୍ଷ୍ମୀ କାନ୍ତ ଘଡେ଼ଇ, ସଲପଡିହ ଵିପିଏମ ଦୁର୍ଗା ପ୍ରସାଦ ଜେନା, ନିମେଇ ଚରଣ ଦାସ ଙ୍କ ସମେତ ସ୍ଥାନୀୟ ବିଭିନ୍ନ ଶାଖା ଡାକ ଘର କର୍ମଚାରୀ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏଥିରେ ସୁନାଖଳା,କହ୍ନେଇପୁର, ଜୀଵନଦେଇପୁର ଆଦି ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଓ ବରିଷ୍ଠ ମହିଳାମାନେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଡାକ ବିଭାଗ ପ୍ରଣୀତ ଅନେକ ଜନକଲ୍ୟାଣକାରୀ ଯୋଜନା ତଥା ଡ଼ାକ ଵୀମା, ସ°ଚୟ ଯୋଜନା, ପରିବାର ସୁରକ୍ଷା ଯୋଜନା ସମେତ ସୁକନ୍ୟା ଯୋଜନା ଆଦି ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡ଼ିକର ଏଠାରେ ବ୍ୟାଖ୍ୟା କରାଯାଇ ଉପସ୍ଥିତ ମହିଳା ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ଅବଗତ କରାଯାଇ ଏହାର ଲାଭ ଉଠାଇବାକୁ ବିଭାଗୀୟ ପଦାଧିକାରୀ ମାନେ ବିଶେଷ ଅନୁରୋଧ ରଖିଥିଲେ।

ସୂଚନାଯୋଗ୍ୟ, ଡାକ ବିଭାଗ ପ୍ରଣୀତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ରୂପରେଖ ଏଠାରେ ଆଲୋଚନା ହୋଇ ମତବିନିମୟ ହେବା ସହ ସ୍ଥାନୀୟ ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ଡାକଘର ମାନଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।ଏହାର ସଫଳ ରୁପାୟନ ଓ ଲୋକାଭିମୁଖୀ କରାଇବା ଲକ୍ଷ୍ୟ ରେ ପ୍ରତ୍ୟେକ ଗ୍ରାମରେ ଏବେ ଡାକ ସଚେତନତା କାର୍ଯ୍ୟକ୍ରମ ବିଭାଗୀୟ ସ୍ତରରେ ଜାରି ରହିଛି।

Categories
ଆଞ୍ଚଳିକ

ଚିଲିକା: ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ଚମ୍ପିୟାନ

ଚିଲିକା: ଚିଲିକା ବ୍ଲକର ଅଗ୍ରଣୀ କ୍ରିକେଟ୍ ସଂଗଠନ ଜୟ ମା’ ମଙ୍ଗଳା କ୍ରିକେଟ୍ କ୍ଲବ ପକ୍ଷରୁ ପଂଚୁ ପାଟିଆ ମା’ ମଙ୍ଗଳା ପଡିଆରେ ଚାଲିଥିବା ୨୦/୨୦ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଅଛି। ୭ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣା  ମେଣ୍ଟରେ ରାଜ୍ୟର ବହୁ ପ୍ରତିଷ୍ଠିତ ଦଳ ଏହି ଟୁର୍ନାମେଣ୍ଟରେ ଯୋଗ ଦେଇ ସେମାନଙ୍କର ଖେଳ ପ୍ରଦର୍ଶନ କରିଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟରେ ପୁରୀ ଜିଲ୍ଲାର ଡଲଫିନ୍-୧୧, ସାତପଡାର ୟଙ୍ଗ ଷ୍ଟାର, ନାଚୁଣୀ ଫ୍ରେଣ୍ଡେସ୍ କ୍ଲବ, ନୟାଗଡ ଜିଲ୍ଲାର ରଣପୁର ମା ମଣିନାଗ କ୍ରିକେଟ୍ ଆସୋସିଏସନ, ମର୍ଣିଙ୍ଗ ଷ୍ଟାର ଟାଙ୍ଗୀ, ନିଉ ଷ୍ପୋର୍ଟିଙ୍ଗ କ୍ଲବ ଜରିପଡା ଓ ମା କାଳିଜାଇ କ୍ରିକେଟ୍ କ୍ଲବ ପାଣି ଦୁଆର ଆଦି ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।

ଆଜି ଉଦଯାପନୀ ଦିବସ ଖେଳରେ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ମା କାଳିଜାଇ କ୍ରିକେଟ୍ କ୍ଲବ ପାଣି ଦୁଆର ୨୬୧ ରନ୍ ସଂଗ୍ରହ କରିଥିଲା। ତାର ପ୍ରତି ଜବାବରେ ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ୨୬୫ ରନ୍ ସଂଗ୍ରହ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଚମ୍ପିଆନ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଆଜି ଉଦଯାପନୀ ଉତ୍ସବରେ ଅତିଥୀ ଭାବେ ପାରିକୁଦ ଗଡର ରାଜା ସନ୍ତୋଷ କୁମାର ସିଂ ଦେଓ, ସମାଜ ସେବୀ ସ୍ୱାଗତିକା ଜଗଦ୍ଦେବ, ଚିଲିକା ବ୍ଲକ ବିଜେଡି ସଭାପତି ଅସିତ୍ କୁମାର ନାଥ, ଯୁବ ବିଜେଡି ସଭାପତି ଆଲୋକ କୁମାର ନାୟକ, ଚିଲିକା ବ୍ଲକ ସାଂସଦ ପ୍ରତିନିଧୀ ପଠାଣି ସ୍ୱାଇଁ, ସମାଜ ସେବୀ ଦିଲିପ ପ୍ରଧାନ, ସୁଧାକର ମହାପାତ୍ର, ଚଣ୍ଡେଶ୍ୱର ଅର୍ଜୁନ ବିଶ୍ୱାଳ, ପଦ୍ମ ଚରଣ ନାୟକ, ଭଗବାନ ବିଶ୍ୱାଳ, ତପନ ବିଶ୍ୱାଳ, ବିଚିତ୍ର ସାମନ୍ତରାୟ ଓ ପାଣ୍ଡବ ମହାନ୍ତି ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ।

ଏହି ଖେଳରେ ଅମ୍ପେୟାର ଭାବେ ପିଣ୍ଟୁ ତରାଇ ଓ ଦେବାଶିଷ ଖଟାଇ ଖେଳ ପରିଚାଳନା କରିଥିଲେ। ଆୟୋଜକ ଦଳର ସଭାପତି ସୌମ୍ୟକାନ୍ତ ଖଟାଇ, ସଂପାଦକ ମଣ୍ଟୁ ତରାଇ, ବରିଷ୍ଠ ସଭ୍ୟ ଚନ୍ଦ୍ରକାନ୍ତ ବିଶ୍ୱାଳ, ବାଦଲ ମହାପାତ୍ର, ଅଂଶୁମାନ ତାରାଇ, ଶ୍ରୀତମ୍ ଦଳାଇ, ଜିତେନ୍ଦ୍ର ତରାଇ ଓ ଜିତେନ୍ଦ୍ର ଦଳାଇ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଖବର ପ୍ରକାଶ ପରେ ଚେତିଲା ଅବକାରୀ ବିଭାଗ, ବିଭିନ୍ନ ସ୍ଥାନରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ଉପରେ ଏକ ଖବର ‘ସମୀକ୍ଷା’ ରେ ପ୍ରକାଶ ପାଇଥିଲା। ଏହାପରେ ଅବକାରୀ ବିଭାଗକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଅବକାରୀ ବିଭାଗ ବାଣପୁର ଓ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି।

ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ବିଦେଶୀ ମଦ ଏବଂ ପୋଚ ଜବତ କରିଛି ଅବକାରୀ ବିଭାଗ। ଚଢ଼ାଉରେ ବାଣପୁର ଥାନା ଅନ୍ତର୍ଗତ ବାଲିକଣିଆ ଛକରୁ ୧୪.୪୦ ଲିଟର ଜିଂଜର, କଟୁଆଳରୁ ୪୦ ଲିଟର ଦେଶୀ ମଦ ଓ ୪୦୦ କେଜି ପୋଚ, ବିଷ୍ଣୁଡିହ ଗ୍ରାମରୁ ୫.୭୬ ଲିଟର ବିଦେଶୀ ମଦ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଗ୍ରାମରୁ ୭.୪ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଛି।

ଅନୁରୂପ ଭାବେ ଚାରି ଜଣ ଅଭିଯୁକ୍ତ ଯଥା ସୁରେନ୍ଦ୍ର ଶବର (୩୭), ଅଞ୍ଜଳି ବେହେରା (୩୫), ନିରଞ୍ଜନ ଶବର (୨୭) ଏବଂ ଭିକାରି ବେହେରା (୫୨)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଏଏସଆଇ ବିଶ୍ୱମ୍ବର ବିଶ୍ୱାଳ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ। ତେବେ ଉକ୍ତ ଚଢ଼ାଉ ବାଣପୁର ବାଲୁଗାଁ ଅଞ୍ଚଳରେ ନିରନ୍ତର ଭାବେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବରିହା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାକୁ ଆଜି ପୁରିଲା ବର୍ଷେ, ଏକ ହିସାବନିକାସ

ଭୁବନେଶ୍ବର: ଆଜି ବାଣପୁର ପଲଟନ ପଡିଆରେ ଚାଲିଛି ପଞ୍ଚୁଦୋଳ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଏହି ସ୍ଥାନରେ ଘଟିଥିଲା ଏକ ରାଜନୈତିକ ହିଂସାକାଣ୍ଡ। ଯାହା ସାରା ରାଜ୍ୟରେ ସୃଷ୍ଟି କରିଥିଲା ହଟଚମଟ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏହି ସ୍ଥାନରେ ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ ବିଜେପି କର୍ମି।

ସେଦିନ ଥିଲା ୨୦୨୨ ମାର୍ଚ୍ଚ ୧୨ ତାରିଖ। ବର୍ତ୍ତମାନ ବର୍ଷକର ଏହି ଲମ୍ବା ସମୟ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି କଣ ରହିଛି, ଖୋଦ ବିଧାୟକଙ୍କ ସ୍ଥିତି କିପରି, ତାହାର ହିସାବ ନିକାସ କରିବାର ସମୟ ଆସିଛି।

ବିଧାୟକଙ୍କ ଉପରେ ଆରୋପ ଥିଲା ଯେ, ସେ ଲୋକଙ୍କୁ ଗାଡି ମଡାଇ ଦେଇଥିଲେ। ବର୍ତ୍ତମାନ କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ଏହା କେତେ ସତ ତାହାର ରାୟ ଏ ପର୍ଯ୍ୟନ୍ତ ଆସି ନାହିଁ। ତେବେ ପୋଲିସ ରିପୋର୍ଟ ଆଧାରରେ ବିଧାୟକଙ୍କୁ ଗିରଫ କରାଗଲା। ସେ ଜେଲ ଗଲେ।

ସେତିକିରେ କଥା ସରିଲା ନାହିଁ, ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରି ଦିଆଗଲା। ଶେଷରେ ବିଧାୟକଙ୍କୁ ବର୍ଷକ ପାଇଁ ନିର୍ବାଚନ ମଣ୍ଡଳୀ ଯିବାକୁ କୋର୍ଟ ବାରଣ କରିଦେଲେ। ଗୋଟିଏ ପଟେ ମାଡଖାଇ ରକ୍ତାକ୍ତ ହେବା, ଜେଲ ଯିବା, ଦଳରୁ ବହିସ୍କାର ହେବା ଏବଂ ନିର୍ବାଚନ ମଣ୍ଡଳି ଭିତରେ ପଶି ନ ପାରିବା ପ୍ରଭୃତି ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ବହୁ ମୂଲ୍ୟ ଦେବାକୁ ପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ଅବସ୍ଥାରେ ଚିଲିକା ନିର୍ବାଚନ ମଣ୍ଡଳ ସଂପୂର୍ଣ୍ଣ ଭାବେ ନେତୃତ୍ବ ଛେଉଣ୍ଡ ହୋଇଯାଇଛି। କର୍ମିମାନେ କିଏ କାହାକୁ କିପରି ଗୁହାରି କରିବେ ତାହାର କେହି କିଛି ଥଳକୁଳ ପାଉ ନାହିଁନ୍ତି। ଏପରିକି ବିଜେଡିର ନିର୍ବାଚିତ ପଞ୍ଚାୟତ ଓ ପୌର ପ୍ରତିନିଧିମାନେ ମଧ୍ୟ କଣ କରିବେ କାହାକୁ କହିବେ, ରାସ୍ତା ନ ପାଇ ବାଉଳେଇ ହେଉଛନ୍ତି।

ହେଲେ ଏପରି ପରିସ୍ଥିତିରେ ବିଧାୟକ ନ ଆସିଲେ ନାହିଁ, ଯଦି ସାଂସଦ ପିନାକୀ ମିଶ୍ର ଆସି ଥାଆନ୍ତେ ତେବେ ହୁଏତ ଚିଲିକା କର୍ମି ନେତୃତ୍ବ ଛେଉଣ୍ଡ ହୋଇ ନ ଥାଆନ୍ତେ। ବିଧାୟକ ବଦଳରେ ତାଙ୍କ ନିର୍ଦ୍ଦେଶରେ ହୁଏତ କର୍ମିମାନେ କାମ କରିଥାଆନ୍ତେ। କିନ୍ତୁ ଦୁଃଖର କଥା ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳିକୁ ହେୟ ଜ୍ଞାନ କଲେ। ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ସ୍ବଦେହରେ ଦେଖିବା ସ୍ବପ୍ନରେ ପରିଣତ ହୋଇଗଲା। ଚିଲିକାରେ ପିନାକୀଙ୍କ ପାଇଁ ପ୍ରଚାର କରି ଭୁଲ କରିଛୁ ବୋଲି କର୍ମିମାନେ ଭାବି ସାରିଲେଣି।

ଏ ସବୁ ପରିସ୍ଥିତି ଭିତରେ ଦୀର୍ଘ ଦିନ ଧରି ଚୁପ ରହିଥିବା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ହଠାତ୍ ମୁଣ୍ଡ ଟେକିବା ଆରମ୍ଭ କଲେ। ତେବେ ହାସ୍ୟସ୍ପଦ କଥା ଯେ, ସେ ଏପରି ଅସୁବିଧା ସମୟରେ କର୍ମିମାନଙ୍କୁ ସାଥ୍ ଦେବେ କଣ ଓଲଟି ତାଙ୍କୁ ଗାଳି କରିବା ଆରମ୍ଭ କଲେ। ଯେଉଁମାନେ ରଘୁଙ୍କଆଡକୁ ଟିକିଏ ଢଳିବାକୁ ଚାହୁଁଥିଲେ ସେମାନେ ସବୁ ଫିଡିକି ଗଲେ। ଫଳରେ ଚିଲିକାର ରାଜନୈତିକ ପାଣିକୁ ରଘୁ ପରିସ୍କାର କରିବେ କଣ ତାହାକୁ ଆହୁରି ଗୋଳିଆ କରି ଦେଲେ।

ସର୍ବୋପରି କହିବାକୁ ଗଲେ ଗତବର୍ଷ ଆଜିର ଦିନରେ ବାଣପୁର ପଲଟନ ପଡିଆରେ ଯାହା ଘଟିଲା ତାହା ଥିଲା ଚିଲିକା ରାଜନୈତିକ ଇତିହାସରେ ଏକ ସ୍ମରଣୀୟ ଘଟଣା। ଯାହା କେବେ ପୂର୍ବରୁ ହୋଇ ନ ଥିଲା କିମ୍ବା ଭବିଷ୍ୟତରେ ଏପରି ହେବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଚିଲିକାର ବିଜେଡି କର୍ମି ଓ ନେତାଙ୍କୁ ଏପରି ବିପଦ ସମୟରେ ନା ବିଧାୟକ, ନା ସାଂସଦ, ନା ପୂର୍ବତନ ବିଧାୟକ, ନା ବିଜୁ ଜନତା ଦଳ, କେହି ଛିଡା ନ ହେବା ହିଁ ସବୁଠୁ ବଡ ଦୁଃଖଦାୟକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ଗୋଳିଆ ରାଜନୀତିରେ କଣ ପାରିକୁଦ ରାଜା ପାରିବେ ??

ଭୁବନେଶ୍ବର: ଦୋଳ ଉତ୍ସବ ବେଳେ ପାରିକୁଦ ରାଜା ସନ୍ତୋଷ କୁମାର ଦେବ ଘୋଷଣା କଲେ ଯେ ସେ ଚିଲିକାରୁ ବିଜେଡି ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି। ଏମିତି ତ ସେହି ନିର୍ବାଚନ ମଣ୍ଡଳୀ ପାଇଁ ବହୁ ନେତା ବିଧାୟକ ପ୍ରାର୍ଥୀ ହେବେ ବୋଲି ସ୍ବପ୍ନ ଦେଖିବାରେ ଲାଗିଛନ୍ତି। ହେଲେ ହଠାତ ପରିକୁଦ ରାଜା କାହିଁକି ଆଗ୍ରହୀ ହେଲେ। ଏହା ଭିତରେ କିଛି ଗୁପ୍ତ ରହସ୍ୟ ରହିଛି କି ? ବର୍ତ୍ତମାନ ଚିଲିକା ରାଜନୀତି ଯାହା ସେଥିରେ ରାଜା ସାହେବ କଣ ସେ ପାରିବେ ?

ଏହିପରି ବିଭିନ୍ନ ପ୍ରଶ୍ନ ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୁରିବାରେ ଲାଗିଛି। ଅନେକ ସେହି ପାରିକୁଦ ରାଜା କିଏ, ସେ କେଉଁଠି ରୁହନ୍ତି ବୋଲି ଅନ୍ୟମାନଙ୍କୁ ପଚାରିବାରେ ଲାଗିଛନ୍ତି। କାରଣ ପାରିକୁଦ ରାଜାଙ୍କର ବାଲୁଗାଁ ବାଣପୁର ବା ଚିଲିକା ନିର୍ବାଚନ ମଣ୍ଡଳୀରେ କୌଣସି ପରିଚିତି ନାହିଁ। ସେ ସମସ୍ତଙ୍କ ପାଇଁ ଚିହ୍ନା ମୁହଁ ନୁହଁନ୍ତି। ତାଙ୍କର ବଂଶଧରଙ୍କ ରାଜ ଶାସନରେ ଚିଲିକା ନିର୍ବାଚନ ମଣ୍ଡଳୀ ଆସୁ ନ ଥିଲା। ତାଙ୍କ ପୂର୍ବପୁରୁଷ ରାଜାମାନଙ୍କ ଶାସନ କିପରି ତାହା କେହି ଜାଣନ୍ତି ନାହିଁ।

ଏପରି କ୍ଷେତ୍ରରେ ରାଜା ସାହେବ ଚିଲିକାର ଗୋଳିଆ ରାଜନୀତିରେ କାହିଁକି ପଶିବେ ତାହା ବୁଝି ହେଉ ନାହିଁ। ବର୍ତ୍ତମାନ ଚିଲିକାର ରାଜନୀତି ତଥା ବିଜେଡିର ପରିସ୍ଥିତି ଭଲ ନାହିଁ। ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଦ୍ରୋହୀ ବିଜେଡି ଭାବେ ଉଭା ହୋଇଛନ୍ତି। ସେ କେତେକ କର୍ମିଙ୍କୁ ଧରି ନାଚିବାରେ ଲାଗିଛନ୍ତି। ଏପଟେ ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କ ଧର୍ମପତ୍ନୀଙ୍କ ମାଧ୍ୟମରେ ନିଜର ପତିୟାରାକୁ ଜାହିର କରିବାରେ ଲାଗିଛନ୍ତି।

ଏପରି ଛକା ପଞ୍ଚା ଭିତରେ ରାଜା ସାହେବ କେଉଁ ଆଡୁ ଚିଲିକା ଡଙ୍ଗାର ମଙ୍ଗ ଧରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚିଲିକାରେ ତାଙ୍କର ନା ପତିୟାରା ନା ଲୋକ ପ୍ରିୟତା ରହିଛି। ନା ସେ କେବେ ରାଜନୈତିକ ମଞ୍ଚକୁ ଓହ୍ଲାଇଛନ୍ତି ନା ସେ କେବେ ସମାଜସେବା କରିବାକୁ ଆଗେଇ ଆସିଛନ୍ତି। ଏପରିକି ରାଜା ସାହେବଙ୍କୁ ଚିଲିକାର ଗାଁ ଗହଳି ଲୋକ କଥା ଛାଡନ୍ତୁ, ସହରର ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ ଜାଣନ୍ତି ନାହିଁ।

ହେଲେ ରାଜା ସାହେବ କାହିଁକି ଏପରି ଘୋଷଣା କଲେ ବୋଲି ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି। ତେବେ ତଥ୍ୟ ଅନୁସାରେ ଏହା ପଛରେ ବିଜେଡିର କେତେକ କୁଚକ୍ରି ଗୋଷ୍ଠୀ ଅଛନ୍ତି ବୋଲି ଅନୁମାନ କରାଯାଇଛି। ଏହି ଗୋଷ୍ଠୀ ନା ରଘୁ ସାହୁଙ୍କୁ ସମର୍ଥନ କରନ୍ତି ନା ପ୍ରଶାନ୍ତ ଜଗଦେବଙ୍କୁ। ଏହି ଦୁଇ ଜଣଙ୍କୁ ଛାଡି ଆଉ ଜଣେ ତୃତୀୟ ଲୋକ ଅନୁସନ୍ଧାନରେ ଏହି ଗୋଷ୍ଠୀ ଅଛନ୍ତି।

ସେଥିପାଇଁ ସେମାନେ ମିଳିମିଶି ରାଜା ସାହେବଙ୍କ ମୁଣ୍ଡରେ ନଡିଆ ଭାଙ୍ଗି ଦେଇଛନ୍ତି। ହେଲେ ଚିଲିକା ରାଜନୀତିରେ ରାଜା ସାହେବ ସଫଳ ହେବା ସମ୍ଭାବନା ଆଦୌ ନାହିଁ ବୋଲି କହିଲେ ଭୁଲ ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ଛିଡା ହେବେ ପାରିକୁଦ ରାଜା, ନିଜଆଡୁ କଲେ ଘୋଷଣା

ସୀତାରାମ ଅଗ୍ରୱାଲ

ଚିଲିକା: ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ପାରିକୁଦ ରାଜା ସନ୍ତୋଷ କୁମାର ଦେବ। ଦୋଳ ଉତ୍ସବ ଉପଲକ୍ଷେ ରାଜପ୍ରାସାଦରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନିଜ ଆଡୁ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ବିଜେଡି ଦଳ ଚାହିଁବ, ଯଦି ନବୀନବାବୁ ଚାହିଁବେ ତେବେ ମୁଁ ଲଢେଇ କରିବି। ନବୀନବାବୁଙ୍କ ଯେଉଁ ଶହେ ବର୍ଷର ସ୍ବପ୍ନ ରହିଛି ତାହାକୁ କେବଳ ଆମେ ଯୁବକମାନେ କରିବୁ ବୋଲି ରାଜା କହିଛନ୍ତି।

ତାଙ୍କ ରାଜ ପ୍ରାସାଦରେ ଥିବା ସମର୍ଥକମାନେ ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି। ରାଜା ସାହେବ ଚିଲିକାର ମତ୍ସ୍ୟଜୀବୀଙ୍କୁ ବହୁତ ସାହାଯ୍ୟ କରୁଛନ୍ତି। ସେମାନଙ୍କ ସମର୍ଥନ ରହିବ ବୋଲି ସେମାନେ ଦାବୀ କରିଛନ୍ତି।

ବର୍ତ୍ତମାନ ରାଜା ସାହେବ ପାରିକୁଦରେ ଥିବା ବିରାଟ ରାଜପ୍ରସାଦ ଛାଡି ବର୍ତ୍ତମାନ ବାଲୁଗାଁରେ ରହୁଛନ୍ତି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ଯାହା ସ୍ଥିତି ରହିଛି ସେଥିରେ ରାଜା ସାହେବ କିପରି ମୁକାବିଲା କରିବେ ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ଚିଲିକାରେ ପାଳିତ ହେଲା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ସୀତାରାମ ଅଗ୍ରୱାଲ

ଚିଲିକା: ମାର୍ଚ୍ଚ ପାଞ୍ଚ ତାରିଖ ହେଉଛି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ତିଥି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ କ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା।

ଉକ୍ତ ଜନ୍ମତିଥି ସଭାରେ ବିଧାୟକ ପ୍ରତିନିଧି ମନୋଜ ପ୍ରଧାନଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀର ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଂଗଠିକା ସ୍ଵାଗତିକା ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ଉପ ସଭାପତି ଗୋପୀନାଥ ମହାରଣା ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ପ୍ରଭାସ ସୁନ୍ଦରାୟ ଆଦି ଯୋଗ ଦେଇଥିଲେ। ମଞ୍ଚରେ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ସମସ୍ତ ଅତିଥିଗଣ ବିଜୁ ବାବୁଙ୍କ ମହାନ ଗୁଣ ଓ ସେ କିପରି ଓଡିଶା ବାସୀଙ୍କୁ ଭଲ ପାଉଥିଲେ ତାହା ଉପସ୍ଥିତ ବିଜୁ ପ୍ରେମୀମାନଙ୍କୁ ବ୍ୟାଖ୍ୟା କରିଥିଲେ। ଅଭିମନ୍ୟୁ ସ୍ୱାଇଁ ଆଜି ବିଜୁବାବୁଙ୍କ ଡାକୋଡା ବିମାନକୁ ସ୍ଥାପନା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ।

ଅନୁରୂପ ଭାବେ ଗୋପୀନାଥ ମହାରଣା ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ ହେଉଛି ଦୁଇଟି ଶବ୍ଦ ଏବଂ ଜଣେ ବ୍ୟକ୍ତି ବିଶେଷର ନାମ ନ ଥିଲା। ଏହା ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ବିଜୁ ପଟ୍ଟନାୟକ ଥିଲେ ଓଡିଶା ବାହାରେ, ଓଡ଼ିଶାର, ଆଉ ଓଡ଼ିଆଙ୍କ ଆଉ ଏକ ପରିଚୟ ବୋଲି ସଭାକୁ ଅଭିହିତ କରିଥିଲେ। ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ରେ ମଧ୍ୟ ସ୍ଥାନୀୟ ବିଜୁ ପାର୍କ ପରିସରରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି ବିଜୁ ଜୟନ୍ତୀ। ତେବେ ଶ୍ରୀ ନାୟକ ପୃଥକ ଭାବେ ଏନଏସି ରେ ବିଜୁ ଜୟନ୍ତୀ ପାଳିବା ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଞ୍ଚଳିକ

ଚିଲିକା: ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କଲା ବିଜେପି

ସିତରାମ ଅଗ୍ରୱାଲ

ଚିଲିକା: ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ହେଲେ ଏହାକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଇଛି। ଓଡ଼ିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ଏହାକୁ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି କହିଛି।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତ୍ତେ ଦୁର୍ବଳ କରୁଛନ୍ତି ରାଜ୍ୟ ସରକାର। ତେଣୁ ଆଜି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ବିଜେପି ପାଳନ କରିଛି। ଦଳର ନିଷ୍ପତିକ୍ରମେ ସମସ୍ତ ୩୧୪ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ଉଭୟ ବାଣପୁର ଓ ଚିଲିକା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନଙ୍କ ନେତୃତ୍ୱରେ ଉଭୟ ସ୍ଥାନରେ ବହୁ କର୍ମୀ ହାତରେ କଳା ପଟା ବାନ୍ଧି ଏକ ପଦଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବିଜେପି କର୍ମୀମାନେ ପ୍ରବଳ ବର୍ଷୀଥିଲେ।

ଅତୀତରେ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ଉନ୍ନତିକରଣ ଓ ବିକାଶ ପାଇଁ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସାଧାରଣ ଗ୍ରାମବାସୀଙ୍କ ମତ ନିଅଯାଉଥିଲା। କିନ୍ତୁ ଏବେ ଶାସକ ଦଳର ବିଧାୟକ ଓ ନେତାମାନେ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ ଶ୍ରୀ ହରିଚନ୍ଦନ।

ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା ଅମରେନ୍ଦ୍ର ରଣସିଂହ, ଜ୍ୟୋସ୍ନା ବେହେରା, ଅରୁଣ ପଟ୍ଟନାୟକ, ଯୁବ ବିଜେପି ସଂଗଠକ ଜିତେନ୍ଦ୍ର ଭୋଳ, ସମର ରଞ୍ଜନ ସୁବୁଦ୍ଧି ଏବଂ ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ କର୍ମକର୍ତା ମାନେ ସାମିଲ ଥିଲେ। ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ଉଭୟ ବ୍ଲକ ସମ୍ମୁଖରେ ବ୍ୟାପକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ପରିବାର ପ୍ରତିପୋଷଣ ପାଇଁ ଚିଲିକାରୁ ଓମାନ ଯାଇଥିଲେ ତିନି ଶ୍ରମିକ: ଦୁର୍ଘଟଣାରେ ଚାଲିଗଲା ଜୀବନ

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ଶ୍ରମିକ ପରିବାର ପ୍ରତିପୋଷଣ ନିମିତ୍ତ ବାହାର ଦେଶକୁ ଯାଉଥିବା ବେଳେ ସେଠାରେ ବହୁ ସମସ୍ୟାକୁ ନେଇ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିଭଳି ବାଣପୁର ଥାନା ଅଧିନସ୍ଥ ମୁକ୍ତାଦେଇପୁର ଗ୍ରାମର ଵାଲା ମୁଦୁଲି (୫୦ ବର୍ଷ), ବାଲୁଗାଁ ଥାନା ଅଧିନସ୍ଥ ପ୍ରାଣଦେଇପୁର ଗ୍ରାମର ତପନ ବେହେରା (୪୬ବର୍ଷ), ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ରଘୁନାଥପୁର ଗ୍ରାମର ପଠାଣି ବେହେରା ଓମାନ ଦେଶର ଗୁଲଫର ଇଞ୍ଜିନିଅୟରି ଏଲଏଲସି କମ୍ପାନୀରେ କାର୍ଯ୍ୟରତ ଥିଲେ। ଫେବୃୟାରୀ ୧୭ ତାରିଖ ଦିନ ସମୁଦାୟ ୫୩ ଜଣ ଶ୍ରମିକ ବସ ମାଧ୍ୟମରେ ଆକାବା କଣ୍ଟାବରୁ ବୁଷ୍ଟାନ କବିର ରୋଡ଼ ଯାଉଥିଲେ। ଉକ୍ତ ବସଟି ଅନ୍ୟ ଏକ ଗାଡିକୁ ଅତିକ୍ରମ କରୁଥିବା ସମୟରେ ରୋଡରୁ ବହୁ ତଳକୁ ବସଟି ଖସି ପଡିଥିଲା।

ଓମାନ ପୋଲିସର ରିପୋର୍ଟ ମୁତାବକ ସେଠାରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ତିନିଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଥିଲା। ସେମାନଙ୍କ ମୃତ ଦେହ ଓଡିଶାକୁ ଆଣିବା ପାଇଁ ପରିବାର ଲୋକ ଚିନ୍ତାରେ ପଡିବା ସହ ରୋଜଗା କ୍ଷମ ଲୋକଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି।

ବାଣପୁର ଅଂଚଳର ଚମ୍ପାଦେଇପୁର ଗ୍ରାମର ସମାଜ ସେବୀ ତଥା ଭାରତୀୟ ଜୀବନବୀମା ନିଗମ ପୁରୀ ଶାଖାରେ କାର୍ଯ୍ୟରତ ବାବୁଲି କୁମାର ସାହୁ କମ୍ପାନୀର ମାନବ ସମ୍ବଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଇଭି ସାମଲ କୁମାର, ଭାରତୀୟ ଦୁତାବସର ଅଧିକାରୀ ରେଣୁ ଗୌତମଙ୍କ ସହ ଦୀର୍ଘ ପାଞ୍ଚ ଦିନ ଧରି ଯୋଗାଯୋଗ କରିବା ପରେ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇ ଶେଷରେ ୨୧ ତାରିଖରେ ମସ୍କଟରୁ ଦିଲ୍ଲୀ ଓ ୨୨ ତାରିଖରେ ଦିଲ୍ଲୀରୁ କୋଲକତା ଫ୍ଲାଇଟ ମାଧ୍ୟମରେ ମୃତ ଦେହ ପହଁଚିଥିଲା। ଏବଂ ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ତିନିଜଣଙ୍କ ମୃତ ଦେହ ନିଜ ଗ୍ରାମରେ ପହଂଚିବାର ବ୍ୟବସ୍ଥା ହୋଇଛି।

ଦୀର୍ଘ ଦଶ ବର୍ଷ ଧରି ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ କମ୍ପାନୀ ତରଫରୁ ସମସ୍ତ ପ୍ରକାର ବୀମା ଓ ବକେୟା ପ୍ରାପ୍ୟ ଯଥା ସମ୍ଭବ ପ୍ରଦାନ କରିବେ ବୋଲି ଓମାନ ଦେଶର ଶ୍ରମ ବିଭାଗ ପ୍ରତିଶୃତି ଦେଇଛି। ସେମାନଙ୍କର ମୃତ୍ୟୁ ଖବର ଶୁଣି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଚିଲିକା ଓ ଟାଙ୍ଗୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟ ଶାସନ ସଚ଼ିବଙ୍କ ଉଦ୍ଦେଶ୍ୟରେ ଚ଼ିଲିକା ଓ ଟାଙ୍ଗୀ ବ୍ଲକ ବି.ଡ଼ି.ଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ରହିଛି।

ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଯଥାଶୀଘ୍ର ବାହାର କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କୁ ବିନମ୍ର ନିବେଦନ କରାଯିବା ସହ ଏହି ନିଯୁକ୍ତି ଦିଆଗଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ ହୋଇପାରିବା ସହ ଓଡ଼ିଶାରେ ୬୦୦୦ ରୁ ଉର୍ଦ୍ଧ୍ଵ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ।

ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଓଏସ୍ଇଏଫଡ଼ି ରାଜ୍ୟ ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ, ଅଭିଜିତ୍ ଦାଶ, ଅଶାନ୍ତି ମହାରଣା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାର ନୂତନ ତହସିଲଦାର ଭାବେ ଯୋଗ ଦେଲେ ଓଏଏସ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ ଓଏଏସ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ଏହା ପୁର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଡ଼ିଓ ଭାବେ ଦୁଇ ବର୍ଷ ଧରି କାର୍ଯ୍ୟରତ ଥିଲେ। ଅପରାହ୍ନରେ ଚିଲିକା ବିଡ଼ିଓଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ତହସିଲର ସମସ୍ତ କର୍ମଚାରୀ ମାନେ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୂଚନା ଥାଉକି କିଛି ଦିନ ତଳେ ଚିଲିକା ପୂର୍ବତନ ତହସିଲଦାର ପ୍ରଦୀପ ସାହୁଙ୍କ ଆଠଗଡ଼ ବିଡ଼ିଓ ଭାବେ ବଦଳି ହେଲା ପରେ ଉକ୍ତ ପଦବୀ ଖାଲି ପଡିଥିଲା। ତେବେ ଗତ ଏକ ବର୍ଷ ଦୁଇ ମାସ ମଧ୍ୟରେ ଦୁଇ ଦୁଇ ଥର ଚିଲିକା ତହସିଲଦାର ବଦଳିବା ଘଟଣାକୁ ଜନସାଧାରଣ ମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ବାରମ୍ବାର ଅଧିକାରୀଙ୍କ ବଦଳି ହେବା ଫଳରେ ତହସିଲ ରେ ଉନ୍ନୟନ କାର୍ଯ୍ୟ ଧିମା ପଡିଯାଉଛି।

ଚିଲିକା ତହସିଲ ଅଞ୍ଚଳରେ ବାଲି ମାଫିଆ ସକ୍ରିୟ ଥିବା ବେଳେ, ଚିଲିକା ହ୍ରଦରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦକୁ ନେଇ ଉଚ୍ଚ ନ୍ୟାୟାଳୟ ଶକ୍ତ ହୋଇଛନ୍ତି। ଅନୁରୂପ ଭାବେ ଉକ୍ତ ଅଞ୍ଚଳରେ ରାଜନୈତିକ ସ୍ଥିତି ମଧ୍ୟ ସମ୍ବେଦନଶିଳ ରହିଛି। ଏପରି ପରିସ୍ଥିତିରେ ନୂତନ ତହସିଲଦାରଙ୍କ ପାଇଁ ଅଞ୍ଚଳରେ ଏକାଧିକ ଚ୍ୟାଲେଞ୍ଜ ରହିବ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି।