Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରେ ପଶି କାର ଚୋରି କରିବା ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ ଅଞ୍ଚଳରେ ଘରେ ପଶି କାର ଚୋରି କରିବା ଅଭିଯୋଗରେ ଜଣେ ଯୁବକକୁ ଚାନ୍ଦପୁର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଦୀପକ ତ୍ରିପାଠୀ।

ସୂଚନା ମୁତାବକ ଗତକାଲି ମଧ୍ୟ ରାତ୍ରିରେ ଚମ୍ପାଗଡ଼ ଅଞ୍ଚଳର ସୁକାନ୍ତ ଦାସ ଘରେ ଶୋଇଥିବା ବେଳେ ଦୀପକ ତାଙ୍କ ଘରେ ପଶି ଏକ ମାରୁତି ଅଲ୍ଟୋ କାର ଚୋରି କରି ନେଇଯାଇଥିଲେ। ଏହା ଜାଣିପାରି ସଙ୍ଗେ ସଙ୍ଗେ ସୁକାନ୍ତ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ସୂଚନା ଦେଇଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ଆଇଆଇସି ଶ୍ରୀ ଦାସ ସଙ୍ଗେ ସଙ୍ଗେ ନାଇଟ ପେଟ୍ରୋଲିଙ୍ଗ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୀପକଙ୍କୁ ପିଛା କରିବା ସହ ତାଙ୍କୁ କାବୁ କରିନେଇଥିଲେ।  ତେବେ ଚୋରା ଗାଡିଟି ତାଙ୍କ ନିକଟରୁ ଉଦ୍ଧାର କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୫୯/୨୧ ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ଦାସ।