Categories
ଆଞ୍ଚଳିକ

ଚାନ୍ଦପୁର ଓ ରଣପୁର ଥାନା ପକ୍ଷରୁ ଖୋଲିଲା ଜଳଛତ୍ର

ରଣପୁର: ପ୍ରଚଣ୍ଡ ତାତି କଲାଣି କଲବଲ। ଜଳୁଛି ସାରା ଓଡିଶା, ପ୍ରତିଦିନ ଭାଙ୍ଗୁଛି ତାତି ରେକର୍ଡ। ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଳା। ଏହି ଭଳି ପରିସ୍ଥିତିରେ ପାଣି ପାଗ ବିଭାଗ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରୁଛି। କିନ୍ତୁ ଲୋକମାନେ ପେଟ ପୋଷିବା ପାଇଁ ତଥା ଜରୁରୀ କାମରେ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏ ପଟେ ରାସ୍ତା ଉନ୍ନତିକରଣ ନାଁ ରେ ରାସ୍ତା କଡ଼ରୁ ଗଛଗୁଡିକୁ କାଟି ଦିଆ ଯାଇଛି। ଯାହା ଫଳରେ ତାପମାତ୍ରା ବଢିବା ଯୋଗୁଁ ବାଟୋଇମାନେ ଛାଇରେ ଟିକେ ଆଶ୍ରା ନେଇ ପାରୁ ନାହାନ୍ତି। ଶୋଷରେ ମଧ୍ୟ ଡହଳ ବିକଳ ହେଉଛନ୍ତି।

ଏହିଭଳି ପରିସ୍ଥିତିରେ ବାଟୋଇମାନଙ୍କ କଷ୍ଟକୁ ଲାଘବ କରିବା ପାଇଁ ରଣପୁର ଥାନା ପକ୍ଷରୁ ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ଥାନା ସମ୍ମୁଖରେ ଏକ ଜଳଛତ୍ର ଆଜି ଠାରୁ ଖୋଲା ଯାଇଛି। ଥାନା ଅଧିକାରୀ ଶ୍ରୀ ମହାନ୍ତି ନିଜେ ଉପସ୍ଥିତ ରହି ଲୋକମାନଙ୍କୁ ଥଣ୍ଡା ପାଣି ଓ ଦହି ସର୍ବତ ବାଣ୍ଟି ଥିଲେ। ଥାନାର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜଳ ବଣ୍ଟନରେ ସାହାଯ୍ୟ କରିଥିଲେ। ସେହିଭଳି ଭାବେ ଚାନ୍ଦପୁର ଥାନା ପକ୍ଷରୁ ମଧ୍ୟ ଚାନ୍ଦପୁରରେ ଏକ ଜଳଛତ୍ର ଖୋଲା ଯାଇଛି।

ଉଲ୍ଲେଖ ଥାଉ କି ଆଜି ରଣପୁର ଅଂଚଳରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା କୁହାଯାଇଛି।