Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପରାଧିକ ମାମଲାରେ ମହିଳା ଗିରଫ, ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି

କୁଜଙ୍ଗ: ଜନୈକ ଯୁବକକୁ ମରଣାନ୍ତକ ଆକ୍ରମଣର ଅଭିଯୋଗରେ ଗତକାଲି ପୋଲିସ ଜନୈକା ମହିଳାଙ୍କୁ ଗିରଫ କରିଥିଲା। ମହିଳା ଜଣଙ୍କ ହେଲେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ସଂଯୁକ୍ତା ଜେନା। ଉକ୍ତ ମହିଳାକୁ ଆଜି କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ସମାଗୋଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି।

ପ୍ରକାଶ ଯେ, ଗତ ମେ ମାସ ୧୧ ତାରିଖରେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ଅଶୋକ କୁମାର ଖଟୁଆକୁ ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପତ୍ନୀ ସଂଯୁକ୍ତା ଜେନା (୫୦) ଓ ତାର ପୁଅ ରାକେଶ ଜେନା (୨୫) ଯୋଜନାବଦ୍ଧ ଭାବେ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ଆଶୋକର ପାଟି ଓ ବାମ ବାହୁରେ ଗଭୀରଭାବେ କ୍ଷତ ହୋଇଥିଲା। ସ୍ଥାନିୟ ଲୋକ ଉଦ୍ଧାର କରି ଅଶୋକକୁ ପ୍ରଥମେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ମାତ୍ର ସେଠାରେ ତାର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ଅଶୋକ ମେଡ଼ିକାଲରୁ ଫେରି କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ୍ ୨୨୮/୨୩ ରେ ମାମଲା ରୁଜ୍ଜୁ କରି ସଂଯୁକ୍ତା ଜେନାର ପୁଅ ରାକେଶକୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ସେହିଦିନୁ ସଂଯୁକ୍ତା ପୋଲିସ୍ ଭୟରେ ଫେରାର ହୋଇଯାଇଥିଲା। ଗତକାଲି ସଂଯୁକ୍ତା ଘରକୁ ଆସିଥିବା କୁଜଙ୍ଗ ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ତାର ଘରେ ଚଢ଼ାଉ କରିଥିଲା। ମାତ୍ର ସେଠାରେ ସଂଯୁକ୍ତା ମହିଳା ପୋଲିସକୁ ଏକ କଟୁରୀ ଦେଖାଇ ପୋଲିସ ସହିତ ଧସ୍ତାଧସ୍ତି କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ହେଲେ କୁଜଙ୍ଗ ପୋଲିସ ଟିମ୍ ଏସ୍‌ଆଇ ସୌଦାମିନୀ ପଣ୍ଡା, ବିଶ୍ୱଜିତ୍ ଗଡ଼ନାୟକ, ବିବେକାନନ୍ଦ ସାହୁ ତାକୁ କାବୁ କରିନେଇଥିଲେ। ମଙ୍ଗଳବାର ଉକ୍ତ ମହିଳାକୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ଦାଶ କହିଛନ୍ତି।

ସୂଚନାଯୋଗ୍ୟ କି ରାକେଶ ଜେନା କୁଜଙ୍ଗ ଥାନା ଅଂଚଳରେ ବିଭିନ୍ନ ଗ୍ରାମରେ ଥିବା ବିଭିନ୍ନ ଗାଡ଼ିରୁ ନିୟମିତ ଭାବେ ବ୍ୟାଟେରୀ ଚୋରି କରିଥାଏ। ଏହି ଘଟଣାରେ ପୋଲିସ୍ ତାକୁ ପୂର୍ବରୁ ବହୁବାର ଗିରଫ କରିଥିବା କହିଛି।