Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦଘାଟନ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଆଜି ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଏଥିରେ ୭୦୦ ରୁ ଉର୍ଦ୍ଧ୍ଵ ଚାଷୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦାନ କରିଥିଲେ। ଏହି ମେଳାରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଚାଷୀ ଭାଇମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା।

ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ତାଙ୍କ ସଂଭାଷଣରେ ମୁଖ୍ୟତଃ ଚାଷୀଭାଇ ଓ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ମେଳାରେ ଉପସ୍ଥିତ ଚାଷୀଗଣ ବୈଜ୍ଞାନିକ ଏବଂ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ସହିତ ଭେଟି ସେମାନଙ୍କଠାରୁ ବିଶେଷ ଜ୍ଞାନକୌଶଳ ସମ୍ପର୍କରେ ଆଦାନପ୍ରଦାନ କରିଥିଲେ।  ଜୀବନ୍ତପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଷ୍ଟଲରେ ବିଶେଷ ଆୟୋଜନଦ୍ୱାରା ଚାଷୀଗଣ ବ୍ୟବହାରିକ ଜ୍ଞାନ ଆହରଣ କରିବାର ସୁବିଧା ପ୍ରାପ୍ତ ହେଲେ।

ବିଶେଷ କରି ବାୟୋଫ୍ଲକ ଏବଂ ଇ ସି ବ୍ରଏଲର ଫାର୍ମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଭିନ୍ନ ସଂସ୍ଥା ଯେପରିକି ସିଫା, ମିଶନ ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ଅନ୍ୟାନ୍ୟ କମ୍ପାନୀ ଗୁଡିକ ମେଳାରେ ଷ୍ଟଲ ଆୟୋଜନ କରିଥିଲେ। ଏହି ଷ୍ଟଲ ଗୁଡିକରେ ଅତ୍ୟାଧୁନିକ ଜ୍ଞାନ ଏବଂ ବ୍ୟବହାରିକ କୌଶଳ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଅଗ୍ରଣୀ ଚାଷୀ ମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ସେମାନଙ୍କର ପରିଶ୍ରମ ଓ ଆଗ୍ରହକୁ ସମାନ ଦେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ମେଳାରେ ଆମୂଳଚୂଳ ଭାବେ ସଂଶ୍ଲିଷ୍ଟ ରହି ବିଭିନ୍ନ ଷ୍ଟଲଗୁଡିକ ବୁଲି ଦେଖିବା ସହିତ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ମେଳାରେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦେବୀଦତ୍ତ ମାଝୀ ଉକ୍ତ ସଭାରେ ସ୍ୱାଗତ ଭାଷଣ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ମେଳା ଯେ ନିକଟ ଭବିଷ୍ୟତରେ ଖୋର୍ଦ୍ଧା ଜିଲ୍ଲାରେ ମସ୍ତ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀ ମାନଙ୍କର ଆୟ ଦ୍ବିଗୁଣିତ କରିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ। ସର୍ବଶେଷରେ ଉପ ମତ୍ସ୍ୟ ନିର୍ଦ୍ଦେଶକ, ପୁରୀ ମଣ୍ଡଳ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜଗଦୀଶ ଚନ୍ଦ୍ର ପଣ୍ଡା ମଂଚାସୀନ ଅତିଥି ଏବଂ ଉପସ୍ଥିତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଖୋର୍ଦ୍ଧା: ଆଜି ସକାଳ ୮.୦୦ ଟା ରେ ଖୋର୍ଦ୍ଧା ବି.ଜେ.ଵି. ହାଇସ୍କୁଲ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ସବୁଜ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ରାଲିରେ ଏନ୍.ସି.ସି/ସ୍କାଉଟ ଛାତ୍ର ଛାତ୍ରୀ,‌ବିଭାଗୀୟ ଅଧିକାରୀ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି , ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମକ ଡ୍ରିଲ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା କରାଯିବାର କୌଶଳ ପ୍ରଦର୍ଶନ କରାଯାଇଥିଲା।

ଏହି ଉପଲକ୍ଷେ ଏକ ବୈଠକ ସକାଳ ୧୦.୩୦ ମିନିଟରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ଏବଂ ଅନ୍ୟାନ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି,ଭୁବନେଶ୍ୱର ଉପ-ଜିଲ୍ଲାପାଳ ଚିନ୍ମୟ କୁମାର ଆଚାର୍ଯ୍ୟ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ,ଅନୁରାଧା ମହାନ୍ତି, କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁରାଧା ମହାନ୍ତି,ଭୁବନେଶ୍ୱର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ ସ୍ଵାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକ ପରିଚାଳନା କରିଥିଲେ।

ବକ୍ତବ୍ୟରେ ଖୋର୍ଦ୍ଧା ବିଧାୟକ ଅତିତର ମହାବାତ୍ୟା ର ସ୍ମୃତି ଚାରଣ କରିଥିବାବେଳେ ପ୍ରଶାସନ ଏବଂ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ବିପର୍ଯ୍ୟୟ ର ମୁକାବିଲା କରାଯାଇପାରିବ ବୋଲି କହିଥିଲେ। ଜିଲ୍ଲାପାଳ ସରକାରଙ୍କର ଜିରୋ କାଜୁଆଲିଟି କେବଳ ମିଳିତ ଉଦ୍ୟମରେ ସମ୍ଭବପର ବୋଲି କହିବାସହ ସମସ୍ତଙ୍କ ସହଯୋଗ, ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ପଦକ୍ଷେପ ପ୍ରତି ସଜାଗ ରହିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ଉକ୍ତ ବୈଠକରେ ସିଡ଼ିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ, ଡ଼ିଇଓ ବିଶ୍ବନାଥ ତରାଇ , ସ୍ଵେଚ୍ଛାସେବୀ ଅନୁଷ୍ଠାନ,ସାମ୍ବାଦିକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଶେଷରେ ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ହୋଇ ଥିବା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ବୈଠକ ସାଙ୍ଗ‌ କରାଯାଇଥିଲା।

Categories
ଆଞ୍ଚଳିକ

ଖୋର୍ଦ୍ଧାରେ ଆଦର୍ଶ ଶ୍ମଶାନର ଉଦଘାଟନ କଲେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଓ୍ୱାଡ ନ.10 ରେ ଉନ୍ନତି ଯୋଜନାରେ 99,98,000.00 ଖର୍ଚ୍ଚ କରାଯାଇ ଆଦର୍ଶ ଶ୍ମଶାନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଯୋଜନାରେ ଜନସାଧାରଣ ସେମାନଙ୍କର ମୃତ ଆତ୍ମୀୟଙ୍କ ଶବକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ସମୟରେ 2 ଗୋଟି ଶବ ସଂସ୍କାର କରି ପାରିବେ। ଏଠାରେ ଗାଧୁଆ ଘର ଓ ପ୍ରତିକ୍ଷା ଘରର ବ୍ୟବସ୍ଥା ଅଛି।

ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ କନକଲକ୍ଷ୍ମି ମହାନ୍ତି, ଉପାଧ୍ୟକ୍ଷ ସୖୋର୍ଯ୍ୟ ରଞ୍ଜନ ମହାନ୍ତି, କାଉନସିଲର ୱର୍ଡ ନ.10 ମୋନାଲିସା ସିଂହ,‌ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିଜ୍ଵାନା କାୱ।ବ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଓ ପୋୖର ପରିଷଦର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ମିଶନ ଶକ୍ତି ମେଗା ଋଣ ମେଳା ଅନୁଷ୍ଠିତ

ଖୋରଧା: ମିଶନ ଶକ୍ତି ମେଗା ଋଣ ମେଳା ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ସାରା ରାଜ୍ୟରେ ସ୍ବୟ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ସଦସ୍ୟା ମାନଙ୍କୁ ନେଇ ମିଶନ ଶକ୍ତି କାର୍ଯ୍ୟ କରୁଛି। ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କ ସଂପୃକ୍ତି ଦ୍ବାରା ଉନ୍ନତି ସାଧିତ ହୋଇ ପାରିବ ବୋଲି ସେ କହିଥିଲେ।

ସେହିଭଳି ମାନ୍ୟବର ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ମିଶନ ଶକ୍ତି ଦ୍ବାରା ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପରିପ୍ରକାଶ କରିବାରେ ସଫଳ ହୋଇପାରିଛନ୍ତି। ସେମାନଙ୍କ ଦ୍ବାରା ହିଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରିବ ବୋଲି ସେ କହିଥିଲେ। ସେହିଭଳି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଲକ୍ଷ ଓ ନିଷ୍ଠା ରଖି କାର୍ଯ୍ୟ କଲେ ସଫଳତା ହାସଲ ଅସମ୍ଭବ ନୁହେଁ ବୋଲି ସେ କହିଥିଲେ। ସୀମିତ ସମ୍ବଳରୁ ସାଧୁତାର ସହ ଜୟଯାତ୍ରା ଆରମ୍ଭ କଲେ ଆଗାମୀ ପିଢି ପାଇଁ ମାର୍ଗଦର୍ଶକ ହୋଇ ପାରିବା ନେଇ ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଏଲଡିଏମ୍ ଦିଲ୍ଲିପ କୁମାର ଭୂୟାଁ, ଭାରତୀୟ ଷ୍ଟେଟବ୍ୟାଙ୍କ ଡିଜିଏମ୍ ମନମୋହନ ସ୍ବାଇଁ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ।

ଏହି ଅବସରରେ ଜିଲ୍ଲାର ମୋଟ ୨୭୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୬ କୋଟି ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ପୂର୍ବରୁ ୧୦୦ କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ ରଖାଯାଇଥିଲା। ଏଥିମଧ୍ୟରୁ ୮୯୯ଟି ଗୋଷ୍ଠୀକୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଋଣ ପ୍ରଦାନ କରାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଜିଲ୍ଲାରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସହଯୋଗ କରିବା କ୍ଷେତ୍ରରେ ସର୍ବୋତ୍ତମ ବ୍ୟାଙ୍କ ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଉତ୍ତମ ବ୍ଲକ ଭାବେ ବାଲିଅନ୍ତା, ବୋଲଗଡ, ଖୋରଧା ଓ ବିଏମସି-୧କୁ ପୁରସ୍କୃତ କରାଯାଇଛି। ସେହିଭଳି ୧୦ ଜଣ ବ୍ୟାଙ୍କ ମିତ୍ର, ୧୩ଟି ବ୍ୟାଙ୍କ ଶାଖାକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀ, ଜଣେ ବ୍ୟାଙ୍କ ମିତ୍ର ଓ ଜଣେ ବ୍ୟାଙ୍କ ମ୍ୟାନେଜର ସେମାନଙ୍କ ଅନୁଭୂତି ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ବାରା ମିଶନ ଶକ୍ତି ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ମିଶନ ଶକ୍ତି ଡିପିସି ପୃଥ୍ବୀରାଜ ପଟ୍ଟନାୟକ, ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ବିବେକ ରଞ୍ଜନ ନାୟକ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ପରାମର୍ଶଦାତା ବ୍ରଜ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସୌଭାଗିନୀ ହରିଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀମତୀ ଶିଖା ପୋଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଉଗ୍ରତାରାଙ୍କ ପୀଠର ହେବ ଉନ୍ନତିକରଣ: ୧ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଖୋର୍ଦ୍ଧା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଭାବେ ଟାଙ୍ଗୀ ବ୍ଲକ ମା’ ଉଗ୍ରତାରାଙ୍କ ପୀଠ ପରିଗଣିତ। ଏହି ପୀଠ ସଦାସର୍ବଦା ଚଳାଚଞ୍ଚଳ ରହିଥାଏ। ହଜାର ହଜାର ଭକ୍ତ ମା’ ଉଗ୍ରତାରାଙ୍କ ପୀଠକୁ ପୂଜା ପାଇଁ ଆସୁଥିବାବେଳେ ଭକ୍ତମାନଙ୍କ ସୁବିଧା ଓ ମା’ ଉଗ୍ରତାରଙ୍କ ପୀଠର ବିକାଶ ପାଇଁ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି।

ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ଟଙ୍କା। କୋଟିଏ ଟଙ୍କାର ଅର୍ଥରେ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଭକ୍ତମାନଙ୍କ ବିଶ୍ରାମ ସ୍ଥଳୀ ସହ ହେବ ଭୋଗ ମଣ୍ଡପ ନିର୍ମାଣ। ସେଥିପାଇଁ ରାଜ୍ୟ ସରକାର ଟାଙ୍ଗୀ ପୂର୍ତ୍ତ ବିଭାଗକୁ ଦେଇଛନ୍ତି ନିର୍ମାଣ ଦାୟିତ୍ୱ। ଟାଙ୍ଗୀ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ପରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ଆଜି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମା’ ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଵିଧାୟକଙ୍କ ସହ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧତା, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ପ୍ରମୁୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବିଧାନସଭା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି।
ବୈଠକ ପ୍ରାରମ୍ଭରେ ବିଧାୟକ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ବୈଠକ ସଂକ୍ରାନ୍ତୀୟ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ବିଧାନସଭା ନିର୍ବାଚନ ମଣ୍ତଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଭିଦ୍ଦ ବିଜ୍ଞାନ, ପ୍ରାଣୀ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ବିଧାୟକ ଶ୍ରୀ ମିତ୍ର ଖୁସିବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏମ୍ଏଲଏ ଲ୍ୟାଡ ଅନୁଦାନରେ ମୁଖ୍ୟ ଚିକିତ୍ସାଳୟରେ ଜାରି ଆଇସିୟୁ ପ୍ରକୋଷ୍ଠ, ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି।

ଉକ୍ତ ବୈଠକରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୃଷି, ଉଦ୍ୟାନକୃଷି, ବୟନ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ, ବିଭିନ୍ନ ପ୍ରକଳ୍ପର ସଂପ୍ରସାରଣ ନିମନ୍ତେ ଜମି ଯୋଗାଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ବ୍ଲକର ୧୪ଟି ଓ ଟାଙ୍ଗିର ୧୩ଟି ହାଇସ୍କୁଲକୁ ୫-ଟି ମାଧ୍ୟମରେ ରୂପାନ୍ତରଣ କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଖୋରଧାର ଅନ୍ୟ ୧୦ଟି ଓ ଟାଙ୍ଗିର ୯ଟି ବିଦ୍ୟାଳୟକୁ ରୂପାନ୍ତର କରିବାକୁ ପ୍ରସ୍ତାବ ରହିଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଯୋଜନା ବିଭାଗ ଉପ ନିର୍ଦ୍ଦେଶକ ଶଙ୍କର ବେହେରା, ଖୋର୍ଦ୍ଧା ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ଇପସିତ ସାହୁ, ଟାଙ୍ଗି ବିଡିଓ ଐଶ୍ବର୍ଯ୍ୟା ସାମନ୍ତରାୟ , ସ୍ଥାନୀୟ ଲୋକ ପ୍ରତିନିଧି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।