ଖୋର୍ଦ୍ଧା ବିଧାନସଭା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

Published: Sep 16, 2022, 11:04 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି।
ବୈଠକ ପ୍ରାରମ୍ଭରେ ବିଧାୟକ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ବୈଠକ ସଂକ୍ରାନ୍ତୀୟ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ବିଧାନସଭା ନିର୍ବାଚନ ମଣ୍ତଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଭିଦ୍ଦ ବିଜ୍ଞାନ, ପ୍ରାଣୀ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ବିଧାୟକ ଶ୍ରୀ ମିତ୍ର ଖୁସିବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏମ୍ଏଲଏ ଲ୍ୟାଡ ଅନୁଦାନରେ ମୁଖ୍ୟ ଚିକିତ୍ସାଳୟରେ ଜାରି ଆଇସିୟୁ ପ୍ରକୋଷ୍ଠ, ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି।

ଉକ୍ତ ବୈଠକରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୃଷି, ଉଦ୍ୟାନକୃଷି, ବୟନ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ, ବିଭିନ୍ନ ପ୍ରକଳ୍ପର ସଂପ୍ରସାରଣ ନିମନ୍ତେ ଜମି ଯୋଗାଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ବ୍ଲକର ୧୪ଟି ଓ ଟାଙ୍ଗିର ୧୩ଟି ହାଇସ୍କୁଲକୁ ୫-ଟି ମାଧ୍ୟମରେ ରୂପାନ୍ତରଣ କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଖୋରଧାର ଅନ୍ୟ ୧୦ଟି ଓ ଟାଙ୍ଗିର ୯ଟି ବିଦ୍ୟାଳୟକୁ ରୂପାନ୍ତର କରିବାକୁ ପ୍ରସ୍ତାବ ରହିଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଯୋଜନା ବିଭାଗ ଉପ ନିର୍ଦ୍ଦେଶକ ଶଙ୍କର ବେହେରା, ଖୋର୍ଦ୍ଧା ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ଇପସିତ ସାହୁ, ଟାଙ୍ଗି ବିଡିଓ ଐଶ୍ବର୍ଯ୍ୟା ସାମନ୍ତରାୟ , ସ୍ଥାନୀୟ ଲୋକ ପ୍ରତିନିଧି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts