Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ସାମ୍ବାଦିକ: ଫେରାର ଥିବା ଅପରପକ୍ଷଙ୍କୁ ଖୋଜୁଛି ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ୯ ନମ୍ବର ୱାର୍ଡ ଟୀକାକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଜଣେ ୱେବ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିଲେ। ହେଲେ ସେଠାରେ କେତେଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ସାମ୍ବାଦିକଜଣଙ୍କ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅନୁରୂପ ଭାବେ ଉକ୍ତ ସାମ୍ବାଦିକଙ୍କ ନାମରେ ମଧ୍ୟ ବାଣପୁର ଥାନାରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ଟୀକାକେନ୍ଦ୍ରରେ ୫୦ ଟଙ୍କା ବଟି ମାଗିବା ଏବଂ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅପରପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ଉଭୟ ପକ୍ଷର ଦୁଇ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବାବେଳେ ଆଜି ଜନୈକ ୱେବ ସାମ୍ବାଦିକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ସେହିପରି ଭାବେ ସାମ୍ବାଦିକ ଦେଇଥିବା ଏତଲାର ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇଯାଇଥିବାବେଳେ ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ବାଣପୁର ଥାନାଧିକାରୀ ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ତେବେ ଟୀକାକେନ୍ଦ୍ରରେ ଚାଲିଥିବା ଅନିୟମିତତାକୁ ସାମ୍ବାଦିକ ବିରୋଧ କରିଥିବାରୁ ଆକ୍ରୋଶମୂଳକ ଭାବେ ମିଥ୍ୟା ମାମଲାରେ ତାଙ୍କୁ ଫସାଇ ଦିଆଯାଇଥିବାର ସେ ଅଭିଯୋଗ କରୁଥିବା ବେଳେ ପ୍ରଶାସନର ଟାଳ ଟୁଳ ନୀତି ସମଗ୍ର ଅଞ୍ଚଳରେ ବିଭ୍ରାନ୍ତି ସୃଷ୍ଟି କରିଛି। ତେଣୁ ଅଭିଯୁକ୍ତ ପ୍ରତି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।