Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାନ ବିକ୍ରି କରି ଠକେଇର ଶିକାର ହେଲେ ଚାଷୀ: ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉନଥିବା କୁହାଯାଉଛି।

ଅଭିଯୋଗ ଅନୁଯାୟୀ, ଖରିଫ ଋତୁରେ ବଡ଼ମାଳ ଅଞ୍ଚଳ ଚାଷୀ ସୀତାରାମ ଥାପା, ଦୀନବନ୍ଧୁ ସାହୁ, ବାବୁଲାଲ ରଣା, କଳ୍ପତରୁ ଷଣ୍ଢ, ମଣି ସେଠୀ, ଶୁକଦେବ ପ୍ରଧାନ, ବତିଷ୍ଟ ସାହୁ, ଓ ସୁବାଷ ସାହୁ ମଣ୍ଡିରେ ଧାନ ବିକ୍ରି କରି ବଳକା ଧାନକୁ ବରଗଡ଼ ଜିଲ୍ଲା ଗୋଡଭଗାର ଜଣେ ବ୍ୟକ୍ତିକୁ ୬ ମାସ ହେବ ଧାନ ବିକ୍ରି କରିଥିଲେ। ଧାନ ନେଲା ପରେ ବେପାରୀ ଜଣକ ଧରାଛୁଆଁ ଦେଉ ନ ଥିଲା। ବାରମ୍ବାର ଚାଷୀମାନେ ତାଙ୍କ ପାଖକୁ ଯାଇ ନିରାଶ ହୋଇ ଫେରିଥିଲେ। ବାଧ୍ୟ ହୋଇ ଚାଷୀ ପୋଲିସର ଆଶ୍ରୟ ନେଇଥିଲେ।

ଏହା ପରେ ବେପାରୀ ଜଣକ ଚାଷୀଙ୍କ ନାଁରେ ପାଖାପାଖି ୪ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ହେଲେ ଚେକ୍ ଗୁଡ଼ିକ ବାଉଁଶ ହୋଇ ଯାଇଥିଲା। ତା ପରେ ବେପାରୀକୁ ଜଣାଇବାରୁ ସେ ୧୫ ଦିନ ମଧ୍ୟରେ ଟଙ୍କା ଫେରେଇବାକୁ କହି କୋର୍ଟରେ ଚୁକ୍ତିନାମା ମଧ୍ୟ କରିଥିଲେ।

ଚୁକ୍ତିନାମା ଅବଧି ପୂରଣ ହେବା ପରେ ବେପାରୀର ଖବର ମିଳୁନାହିଁ। ଫୋନ କଲ୍ ବନ୍ଦ ଥିବାବେଳେ ଠିକଣା ଦେଇ ଥିବା ଘରେ ମଧ୍ୟ ରହୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ଚାଷୀ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।