Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟା ଯୋଜନା ବିଫଳ, ୬ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଯୋଗୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରୁଥିବା ବେଳେ ବ୍ରହ୍ମପୁର ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଉଦୟନାଥ ସେଠୀ ସମେତ ୫ ଜଣ ସୁପାରୀ କିଲର ଯଥା ରୁପକ ସେଠୀ, ଅନୁଜ ସେଠୀ, ସୁରଜ୍ ସେଠୀ ସୁରଜ ପରିଡ଼ା ଓ ନିରାକାର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ କୁମାର ସୁଚନା ଦେଇଛନ୍ତି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ଉଦୟନାଥ ସେଠୀ ଖଜୁରିପଲୀ ଗ୍ରାମର ନିଜ ଶଳା ଭାଉଜଙ୍କ ସହ ସମ୍ପର୍କ ରଖିବାକୁ ନେଇ ମହିଳାଙ୍କ ଭାଇ ଯୋଗୀ ସେଠୀ ଆପତ୍ତି କରିଥିଲା। ଯ’ଦ୍ଵାରା ଉଦୟ ଓ ଯୋଗୀ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇ ବଢ଼ି ବଢ଼ି ଚାଲିଲା। ଏହି ଭଳି ପରିସ୍ଥିତିରେ ଉଦୟ ଯୋଗୀକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରି ଉକ୍ତ ୫ ଜଣ ସୁପାରୀ କିଲରକୁ ୪ ଲକ୍ଷ ର ଡିଲ୍ କରିଥିଲା। ଚୁକ୍ତି ଅନୁଯାୟୀ ସେମାନେ ପ୍ରଥମେ ଯୋଗୀକୁ ହତ୍ୟା କରିବେ ଓ ପରେ ଟଙ୍କା ନେବେ।

ଗତକାଲି ଯୋଗୀ କୌଣସି କାମରେ ବ୍ରହ୍ମପୁର ଆସିଥିଲେ। ଉକ୍ତ ଯୁବକମାନେ ତାଙ୍କୁ ଅନୁସରଣ କରିଥିଲେ। ସେତିକି ବେଳେ ଟାଉନ ଥାନା ପୋଲିସ ଆସ୍କା ରୋଡ଼ରେ ଯାନବାହାନ ଯାଞ୍ଚ କରିବା ବେଳେ ସମସ୍ତେ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲେ ଓ ଏହି ଯୁବକ ମାନଙ୍କ ଠାରୁ ଖଣ୍ଡା ଓ ବୋମା ଜବତ କରାଯାଇଥିଲା। ପୋଲିସ ଏହି ମାନଙ୍କୁ ନେଇ ଥାନାରେ ଜେରା କରିବା ବେଳେ ସେମାନେ ଯୋଗୀକୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସ୍ବୀକାର କରିଥିଲେ।

ଏହି ସବୁ ଘଟଣା ପରେ ପୋଲିସ ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।