Categories
ଆଜିର ଖବର ଜାତୀୟ ଖବର

ଫ୍ରାନ୍ସ ଠାରୁ ୨୬ ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୨୬ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଯୁଦ୍ଧ ବିମାନ ଓ ବୁଡ଼ାଜାହାଜ କିଣାଯିବା ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୨୬ ଟି ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଆସେପ୍ଟାନ୍ସ ଅଫ୍‌ ନେସେସିଟୀ (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି। ରାଫେଲ ସାମୁଦ୍ରିକ ଯୁଦ୍ଧବିମାନ ସହିତ ସହାୟକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ।

ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ।

ଏଥିପାଇଁ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକାରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି। ଅନ୍ୟ ଦେଶମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ସମାନ ଧରଣର ଯୁଦ୍ଧବିମାନର ତୁଳନାତ୍ମକ କ୍ରୟ ମୂଲ୍ୟ ସମେତ ସମସ୍ତ ପ୍ରାସଙ୍ଗିକ ଦିଗକୁ ଧ୍ୟାନରେ ରଖି ଫ୍ରାନ୍ସ ସରକାରଙ୍କ ସହିତ ରାଫେଲ ଯୁଦ୍ଧ ବିମାନର ଦର ଏବଂ ଅନ୍ୟ ସର୍ତ୍ତାବଳୀକୁ ନେଇ ଆଲୋଚନା କରାଯିବ। ଆହୁରି, ବିଧିବଦ୍ଧ ଆଲୋଚନା ପରେ ଭାରତରେ ଡିଜାଇନ୍‌ ହୋଇଥିବା ସରଞ୍ଜାମ ଲଗାଇବା ଏବଂ ବିଭିନ୍ନ ବ୍ୟବସ୍ଥା ପାଇଁ ଭାରତରେ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମଆରଓ) କେନ୍ଦ୍ର ପ୍ରତିଷ୍ଠା ଆଦି ପ୍ରସ୍ତାବକୁ ଚୁକ୍ତି ଦସ୍ତାବିଜରେ ସାମିଲ କରାଯିବ।

ଅନ୍ୟପକ୍ଷରେ କ୍ରୟ (ଭାରତୀୟ) ବର୍ଗରେ ତିନୋଟି ଅତିରିକ୍ତ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହଜ କିଣିବା ଲାଗି ଏଓଏନ୍‌କୁ ଡିଏସିର ମଞ୍ଜୁରି ମିଳିଛି। ମଜଗାଓଁ ଡକ୍‌ ଶିପ୍‌ ବିଲ୍ଡର୍ସ ଲିମିଟେଡ୍‌ (ଏମଡିଏଲ) ଦ୍ୱାରା ଏସବୁ ବୁଡ଼ାଜାହଜ ନିର୍ମାଣ କରାଯିବ। ଅଧିକ ସ୍ୱଦେଶୀ ଉପକରଣ ସହିତ ଅତିରିକ୍ତ ବୁଡ଼ାଜାହାଜ କିଣାଯିବା ଦ୍ୱାରା ଭାରତୀୟ ନୌସେନା ପାଇଁ ପ୍ରତିରକ୍ଷାସ୍ତରୀୟ ଏବଂ ପରିଚାଳନାଗତ ପ୍ରସ୍ତୁତିକୁ ବଜାୟ ରଖିବାରେ ସହାୟତା ମିଳିବ। ସେହିପରି ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ ଏମଡିଏଲକୁ ନିଜର କ୍ଷମତା ବୃଦ୍ଧି କରିବା ଓ ବୁଡ଼ାଜାହାଜ ନିର୍ମାଣ ଅଭିଜ୍ଞତା ହାସଲ କରିବାରେ ସହାୟକ ହେବ।

ଏହାବ୍ୟତୀତ ପୁଞ୍ଜି ଅଧିଗ୍ରହଣ ମାମଲାଗୁଡ଼ିକର ସବୁ ବର୍ଗରେ ଆବଶ୍ୟକ ସ୍ୱଦେଶୀ ଉପାଦାନ ଯୋଡ଼ିବା ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶିକା ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ ମଧ୍ୟ ଡିଏସି ଅନୁମୋଦନ କରିଛି। ଏହା ସ୍ୱଦେଶୀ ନିର୍ମାଣ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରଯୁକ୍ତି ଓ ପ୍ରତିରକ୍ଷା ପ୍ଲାଟଫର୍ମ ଉପକରଣର ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବା କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳତା’ ହାସଲ କରିବାରେ ସହାୟକ ହେବ।

Categories
ବିଶେଷ ଖବର

‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ୨୦୨୦ରେ ସଂଶୋଧନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ପକ୍ଷରୁ ମିଳିଥିବା ଅନୁମୋଦନ ଆଧାରରେ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି) ୨୦୨୦ରେ ସଂଶୋଧନ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଇଜ ଅଫ୍‌ ଡୁଇଂ ବିଜନେସକୁ ପ୍ରୋତ୍ସାହନ ଦେବା ଏବଂ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’କୁ ବଢ଼ାଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

– କ୍ରୟର ପ୍ରକୃତି ନିର୍ବିଶେଷରେ, ତିନି ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଆଧୁନିକୀକରଣ ଆବଶ୍ୟକତା ସ୍ବଦେଶୀ ଉତ୍ସରୁ ପୂରଣ କରାଯିବ। ପୁଞ୍ଜି ଅଧିଗ୍ରହଣର ବିଦେଶୀ ଉଦ୍ୟୋଗରୁ ପ୍ରତିରକ୍ଷା ଉପକରଣ/ସୋର୍ସିଂର ଆମଦାନୀ କେବଳ ଏକ ବ୍ୟତିକ୍ରମ ଭାବେ ଗ୍ରହଣ କରାଯିବ ଏବଂ ଏଥିପାଇଁ ଡିଏସି/ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁମୋଦନ ଆବଶ୍ୟକ ହେବ।

– ଅର୍ଥ ମନ୍ତ୍ରଣାଳୟର ପରାମର୍ଶ ଏବଂ ଘରୋଇ ଉଦ୍ୟୋଗ ଉପରେ ଆର୍ଥିକ ବୋଝ ହ୍ରାସ କରିବା ଲାଗି ବିଶ୍ବସନୀୟତା ରାଜିନାମା ବ୍ୟାଙ୍କ ଗ୍ୟାରେଣ୍ଟି (ଆଇପିବିଜି) ଆବଶ୍ୟକତା ଉଚ୍ଛେଦ କରାଯାଇଛି। ଏହା ପରିବର୍ତ୍ତେ, ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆବଶ୍ୟକତାର ଗ୍ରହଣୀୟତା (ଏଓଏନ) ସହିତ ସବୁ ଅଧିଗ୍ରହଣ ମାମଲା ପାଇଁ ଅମାନତ ଜମା ରାଶି (ଇଏମଡି)କୁ ବିଡ୍‌ ସିକ୍ୟୁରିଟୀ ଭାବେ ଗ୍ରହଣ କରାଯିବ। ଚୁକ୍ତିନାମା ସ୍ବାକ୍ଷରିତ ହେବା ପର୍ଯ୍ୟନ୍ତ ଏହି ଇଏମଡି ବଛା ବଛା ବିକ୍ରେତା (ଭେଣ୍ଡର)ଙ୍କ ପାଇଁ ପ୍ରଯୁଜ୍ୟ ହେବ ଏବଂ ଚୟନ ପ୍ରକ୍ରିୟା ଘୋଷଣା ପରେ ଅବଶିଷ୍ଟ ଭେଣ୍ଡରଙ୍କୁ ଫେରାଇ ଦିଆଯିବ । ଚୁକ୍ତିନାମା ପରେ, ବିଶ୍ବସନୀୟତା ରାଜିନାମାକୁ ପ୍ରଦର୍ଶନ ତଥା ୱାରେଣ୍ଟି ବ୍ୟାଙ୍କ ଗ୍ୟାରେଣ୍ଟୀ (ପିଡବ୍ଲୁବିଜି) ଜରିଆରେ କଭର କରାଯିବ। ଆହୁରି, ଭାରତର ସରକାରଙ୍କ ବର୍ତ୍ତମାନର ନୀତି ଅନୁଯାୟୀ, ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗ (ଏମଏସଇ) ପାଇଁ କୌଣସି ଇଏମଡି ଆବଶ୍ୟକ ହେବ ନାହିଁ।

– ଦେଶରେ ବ୍ୟାପକ ଭାଗିଦାରୀ ଏବଂ ବ୍ୟାପକ ଆଧାରିତ ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି, ଅଧିଗ୍ରହଣ ମାମଲାରେ ମୋଟ୍‌ ଅର୍ଡର ପରିମାଣକୁ ଯେଉଁଠି ପ୍ରଯୁଜ୍ୟ ହୋଇଥିବ, ବଛା ହୋଇଥିବା ବିକ୍ରେତାମାନଙ୍କ ମଧ୍ୟରେ ବିଭାଜିତ କରାଯିବ। ଏହାବ୍ୟତୀତ, ଅନ୍ୟ ବୈଷୟିକ ଭାବେ ଯୋଗ୍ୟ ନିଲାମ ଡକାଳୀ (ବିଡର) ଯେଉଁମାନଙ୍କୁ ଚୁକ୍ତିନାମା ମିଳିବ ନାହିଁ, ସେମାନଙ୍କୁ ସେବା ଦ୍ବାରା ଏକ ପ୍ରମାଣପତ୍ର ଜାରି କରାଯିବ। ଏଥିରେ ଦର୍ଶାଯିବ ଯେ ଉତ୍ପାଦର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ଫଳରେ ଏପରି ବିକ୍ରେତାମାନେ ଅନ୍ୟ ବଜାର ଠାବ କରି ନିଜ ଉତ୍ପାଦ ବିକ୍ରି କରିବା ପାଇଁ ସୁବିଧା ପାଇପାରିବେ।

– ନବୋନ୍ମେଷକୁ ପ୍ରୋତ୍ସାହିତ କରିବା ଲାଗି ଏକ ଇକୋସିଷ୍ଟମ ବିକଶିତ କରିବା ଏବଂ ଗବେଷଣା ଓ ବିକାଶ ସଂଗଠନ, ଶିକ୍ଷାବିତ୍‌, ଉଦ୍ୟୋଗ, ଷ୍ଟାର୍ଟଅପ ଏବଂ ବ୍ୟକ୍ତିଗତ ନବପ୍ରବର୍ତ୍ତକଙ୍କୁ ସାମିଲ କରି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୦୧୮ ଆଇଡିଇଏକ୍ସ ଫ୍ରେମୱାର୍କର ଶୁଭାରମ୍ଭ କରିଥିଲେ। ଡିଏପି ୨୦୨୦ରେ ବର୍ତ୍ତମାନ ଥିବା ବ୍ୟବସ୍ଥାରେ କର୍ମଚାରୀ ମୂଲ୍ୟାୟନ, ଆଇଡିଇଏକ୍ସ କ୍ରୟ ପାଇଁ କଣ୍ଟ୍ରାକ୍ଟ ସିଏନସି ଓ ଆୱାର୍ଡ ପ୍ରକ୍ରିୟା ଠାରୁ ଆରମ୍ଭ କରି ‘ବାଏ (ଭାରତୀୟ-ଆଇଡିଡିଏମ) ପ୍ରକ୍ରିୟା ଆଦି ପରସ୍ପର ସହ ଯୋଡ଼ି ହୋଇ ରହିଛି। ଏଥିରେ କୌଣସି ଅର୍ଡର ଦେବା ପୂର୍ବରୁ ଦୁଇ ବର୍ଷର ଲମ୍ବା ଅବଧି ପର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ହୋଇଥାଏ। ଆତ୍ମନିର୍ଭରଶୀଳତା ଏବଂ ସ୍ବଦେଶୀକରଣର ଦ୍ବୈତ ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଯାଇ ଦେଶର ଉଦୀୟମାନ ଷ୍ଟାର୍ଟଅପ୍‌ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଡିଏପି ୨୦୨୦ର ଆଇଡିଇଏକ୍ସ ପଦ୍ଧତି ଅଧୀନରେ କ୍ରୟ ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। ଏହି ସରଳୀକରଣ ଫଳରେ, ଏଓଏନକୁ ଅନୁମତି ଦେବା ଠାରୁ ଆରମ୍ଭ କରି ଚୁକ୍ତିନାମା ସ୍ବାକ୍ଷର କରିବାର ସମୟ ୨୨ ସପ୍ତାହକୁ ହ୍ରାସ ପାଇବ।

– ଡିଏପି-୨୦୨୦ର ମେକ୍‌-।। ପ୍ରକ୍ରିୟାରେ ପ୍ରୋଟୋଟାଇପ୍‌ ବିକାଶ ପର୍ଯ୍ୟାୟରେ ଉଦ୍ୟୋଗ ଦ୍ବାରା ପାଣ୍ଠି ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପ୍ରତିରକ୍ଷା ଉପକରଣର ସ୍ବଦେଶୀକରଣ ସାମିଲ ରହିଛି। ଏହି ପ୍ରକ୍ରିୟାକୁ ସରଳ କରାଯାଇଛି। ପ୍ରୋଟୋଟାଇପର ଏକକ ପର୍ଯ୍ୟାୟରେ ସାମଗ୍ରିକ ପରୀକ୍ଷଣକୁ ସାମିଲ କରିବା ଏବଂ ନିୟୋଜିତ ମାମଲାରେ ପ୍ରାରମ୍ଭିକ କ୍ରୟ ପାଇଁ ପରିମାଣର ଯାଞ୍ଚ ଏବଂ ସ୍କେଲିଂ ସହିତ ବିତରଣ କରିବା ଜରିଆରେ ଏହା କରାଯାଇଛି। ସରଳୀକରଣ ପରେ, ମେକ୍‌-।। ପ୍ରକ୍ରିୟାର ସମୟ ଅବଧି ବର୍ତ୍ତମାନର ୧୨୨-୧୮୦ ସପ୍ତାହରୁ ୧୦୧-୧୦୯ ସପ୍ତାହକୁ ହ୍ରାସ ପାଇଛି।