Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ ଆପଣାଇବା ହେଉଛି ଉତ୍ତମ ପ୍ରଶାସନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋଦୀ ସରକାର ‘ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ’ ଦୃଷ୍ଟିକୋଣ ସହିତ ପ୍ରଶାସନିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଉତ୍ତରଦାୟୀ ପ୍ରଶାସନ ସହିତ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ଜରିଆରେ ନାଗରିକଙ୍କ ଜୀବନରେ ସରକାରୀ ହସ୍ତକ୍ଷେପ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ।

ଭୁବନେଶ୍ୱର ଠାରେ ‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଆୟୋଜିତ ଏକ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇ ଡ. ସିଂ କହିଥିଲେ ଯେ, ନାଗରିକ କୈନ୍ଦ୍ରିକ ସରକାର ମୋଦୀ ସରକାରଙ୍କ ପ୍ରଶାସନିକ ମଡେଲର କେନ୍ଦ୍ରରେ ରହିଛି। ପ୍ରଶାସନିକ କ୍ଷେତ୍ରରେ ରାଜ୍ୟମାନେ ପରସ୍ପରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଭାରତ ସରକାରଙ୍କ ସ୍ତରରେ ଅଣାଯାଇଥିବା ପରିବର୍ତ୍ତନ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରତିଫଳିତ ହେବା ଉଚିତ୍। କାରଣ ଏହାର ମୂଳ ଲକ୍ଷ୍ୟ ହେଉଛି ଏକ ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ପ୍ରଶାସନ ଯୋଗାଇ ଦେବା।

ଗତ କିଛି ବର୍ଷ ହେବ ଅଭିଯୋଗ ସମାଧାନ ବ୍ୟବସ୍ଥା କିଭଳି ଭାବେ ସୁଦୃଢ଼ ହୋଇଛି ସେ ସମ୍ପର୍କରେ ଆଲୋକପାତ କରି ଡକ୍ଟର ସିଂ କହିଥିଲେ ଯେ, 2014ରେ ନୂଆ ସରକାର କ୍ଷମତାକୁ ଆସିବା ସମୟରେ ଅଭିଯୋଗ ସମାଧାନ ବ୍ୟବସ୍ଥାରେ କେତେକ ଦୁର୍ବଳତା ରହିଥିଲା। ଏଥିରେ ସୁଧାର ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲା। ସେତେବେଳେ ବାର୍ଷିକ ପାଖାପାଖି ଦୁଇ ଲକ୍ଷ ଅଭିଯୋଗ ଆସୁଥିଲା। ବର୍ତ୍ତମାନ ଏହି ସଂଖ୍ୟା ଛଅଗୁଣ ବୃଦ୍ଧି ଘଟିଛି। ସରକାର ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବେ ବୋଲି ,କ ବିଶ୍ବାସ ଦେଶରେ ସୃଷ୍ଟି ହୋଇଛି। ଆଜି ବିଭିନ୍ନ ବିଭାଗରେ ଅଭିଯୋଗ ସମାଧାନ ହାର 95-100% ମଧ୍ୟରେ ରହିଛି, ଯାହାକି ସନ୍ତୋଷର ବିଷୟ ବୋଲି ସେ କହିଥିଲେ।

ସାଧାରଣ ଅଭିଯୋଗର ସମାଧାନ ଲାଗି ଭାରତ ସରକାର ସିପିଗ୍ରାମ୍ସ ଭଳି ଉତ୍ତମ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। 2020-21 ବର୍ଷରେ 12ଟି ରାଜ୍ୟ ପୋର୍ଟାଲକୁ ସିପିଗ୍ରାମ୍ସ ସହିତ ଯୋଡ଼ା ଯାଇଛି। ଅନ୍ୟପକ୍ଷରେ 15ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସାଧାରଣ ଅଭିଯୋଗ ସମାଧାନ ଲାଗି ସିପିଗ୍ରାମ୍ସର ବ୍ୟବହାର କରୁଛନ୍ତି। ସେ କହିଥିଲେ, ଏକ ପୋର୍ଟାଲ ଏକ ରାଷ୍ଟ୍ର ଲକ୍ଷ୍ୟ ହାସଲ ଦିଗରେ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଏବଂ ଅନୁଧ୍ୟାନ ବ୍ୟବସ୍ଥା (ସିପିଗ୍ରାମ୍ସ)କୁ ରାଜ୍ୟ ଅଭିଯୋଗ ପୋର୍ଟାଲଗୁଡ଼ିକ ସହିତ ସମନ୍ବିତ କରାଯାଇଛି।

ଡକ୍ଟର ସିଂ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ରେଳ ଟିକେଟ ବାତିଲ କ୍ଷେତ୍ରରେ ଆପେ ଆପେ ଅର୍ଥ ଫେରସ୍ତ ମିଳିଯାଉଛି, ବ୍ୟାଙ୍କ ମାଧ୍ୟମରେ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଜରିଆରେ ପେନସନ ଯୋଗାଇ ଦିଆଯାଉଛି, କୋଚଗୁଡ଼ିକୁ ସଫା କରିବା ଲାଗି ମେସିନଚାଳିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି, ଆୟକର ରିଟର୍ଣ୍ଣର ଇ-ଭେରିଫିକେସନ କରାଯାଉଛି, 50,000 ଟଙ୍କା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ତୁରନ୍ତ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ପ୍ରତି ଗୁରୁତ୍ବାରୋପ କରିଆସିଛନ୍ତି ଏବଂ ମନ୍ତ୍ରଣାଳୟଗୁଡ଼ିକ ଏହାକୁ ଯଥାସମ୍ଭବ ଶ୍ରେଷ୍ଠ ମାର୍ଗରେ ବ୍ୟବହାର କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କାର୍ମିକ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର 2 ଏବଂ ଅକ୍ଟୋବର 31, 2021 ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଭିତରେ ଏବଂ ବାହାରେ ଏକ ବିଶେଷ ସଫେଇ ଅଭିଯାନ କରାଯାଇଥିଲା। ଏହାଫଳରେ 12 ଲକ୍ଷ ବର୍ଗଫୁଟର ଅଫିସ ସ୍ଥାନ ଖାଲି କରାଯିବା ସହିତ ଏବଂ 62 କୋଟି ଟଙ୍କାର ରାଜସ୍ବ ସଞ୍ଚୟ କରାଯାଇ ପାରିଥିଲା। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ସ୍ବାଧୀନତାର 75ତମ ବର୍ଷରେ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ବରୂପ ଭାରତ ସରକାର “ଉତ୍ତମ ପ୍ରଶାସନ ସପ୍ତାହ” ପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର 20ରୁ 26 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଆୟୋଜନ କରାଯିବ। ଆଞ୍ଚଳିକ ସମ୍ମିଳନୀ ସମ୍ପର୍କରେ ମତବ୍ୟକ୍ତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶୀଦାରମାନେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ ପ୍ରତି ଧ୍ୟାନ ଦେବା ଉଚିତ୍। କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଅଭିନବ ପ୍ରଶାସନିକ ଉପାୟ କାର୍ଯ୍ୟକାରୀ କରାଗଲେ ନାଗରିକ କୈନ୍ଦ୍ରିକ ପ୍ରଶାସନ ପ୍ରତିଷ୍ଠା ହୋଇପାରିବ ଏବଂ ତୃଣମୂଳ ସ୍ତରରେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଲକ୍ଷ୍ୟ ସାକାର ରୂପ ନେଇପାରିବ।

ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସାମର୍ଥ୍ୟ ବିକାଶ, ଉତ୍ତରଦାୟୀ ହେବା, ଉଚ୍ଚସ୍ତରୀୟ ନୈତିକତା ଓ ବିଶ୍ବସନୀୟତା ବଜାୟ ରଖିବା, ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ ଆପଣାଇବା ଆଦି ଉତ୍ତମ ପ୍ରଶାସନର ମେରୁଦଣ୍ଡ। ଉତ୍ତମ ପ୍ରଶାସନ ହେଉଛି ବିକାଶମୂଳକ ପରିବର୍ତ୍ତନର ସର୍ବଶ୍ରେଷ୍ଠ ଉପକରଣ ଏବଂ ଆମ ସମସ୍ତଙ୍କର ଲୋକମାନଙ୍କ ପ୍ରତି ଏକ ଉତ୍ତରଦାୟିତ୍ବ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ଶ୍ରେଷ୍ଠ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ସେ କହିଥିଲେ ଯେ ଦେଶବ୍ୟାପୀ ଅଭିନବ ଉପାୟ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ବାଧାମୁକ୍ତ ବିନିମୟ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହି ମଞ୍ଚରେ ବିଚାର ଆଲୋଚନା ମାଧ୍ୟମରେ ଡିଜିଟାଲ ସରକାର ପାଇଁ ଯେଉଁ ପରିକଳ୍ପନା କରାଯାଇଛି ତାହା ସାକାର ରୂପ ନେଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଚିବ ସଞ୍ଜୟ ସିଂ କହିଥିଲେ ଯେ ଏହି ଆଞ୍ଚଳିକ ସମ୍ମିଳନୀ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନର ସର୍ବୋତ୍ତମ ଉପକରଣ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ଦୀର୍ଘସ୍ଥାୟୀ ପ୍ରଚଳନ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ। ଶ୍ରେଷ୍ଠ ବ୍ୟବସ୍ଥାର ଅନୁଧ୍ୟାନ କରିବା ଏବଂ ଏହାକୁ ଦୀର୍ଘସ୍ଥାୟୀ ଢଙ୍ଗରେ ବାସ୍ତବ କ୍ଷେତ୍ରରେ ପ୍ରତିଫଳନ କରିବା ଲାଗି ଏକ ମେକାନିଜିମ ବିକଶିତ କରାଯିବାର ଆବଶ୍ୟକତା ରହିଛି। ଶ୍ରେଷ୍ଠ ପ୍ରଚଳନରୁ ଶିକ୍ଷା ଲାଭ କରିବା ଏବଂ ଏହାକୁ କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରତିଫଳନ କରିବା ଲାଗି ଏହି ସମ୍ମିଳନୀ ଏକ ଶ୍ରେଷ୍ଠ ମଞ୍ଚ ଯୋଗାଇ ଦେବା ସହିତ ଏହାଠାରୁ ଊର୍ଦ୍ଧ୍ବକୁ ଯାଇ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସିଂ କହିଥିଲେ। ଏହି ସମ୍ମିଳନୀରେ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଭି. ଶ୍ରୀନିବାସ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଶାସନିକ କ୍ଷେତ୍ରରେ ଅଧିକ ପେସାଦାର ଆଭିମୁଖ୍ୟ ଏବଂ ଦକ୍ଷତା ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏପରି ଏକ ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପ୍ରଶାସନିକ କ୍ଷେତ୍ରରେ ପରସ୍ପରର ବିଚାର ବିନିମୟ ଲାଗି ଏକ ମଞ୍ଚ ଯୋଗାଇ ଦେବ ବୋଲି ସେ କହିଥିଲେ।

ଏଥିପୂର୍ବରୁ ଆଜି, ସମ୍ମିଳନୀରେ ଦୁଇଟି ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ଓଡ଼ିଶାରେ ‘ଅଭିନବ  ପ୍ରଶାସନିକ ପଦକ୍ଷେପ’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଦ୍ବିତୀୟ ଅଧିବେଶନ ଏବଂ ଉଦଯାପନୀ ଅଧିବେଶନରେ ‘ଆକାଂକ୍ଷୀ ଜିଲ୍ଲା’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପ୍ରଥମ ଅଧିବେଶନରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା ଅଧ୍ୟକ୍ଷତା କରିଥିବା ବେଳେ ଦ୍ବିତୀୟ ଅଧିବେଶନରେ ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସ୍ବତନ୍ତ୍ର ସଚିବ ଶ୍ରୀ କେ. ରାଜେଶ୍ବର ରାଓ ଅଧ୍ୟକ୍ଷତା କରିଥିଲେ।

ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିବା ଏହି ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀରେ ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳର 15ଟି ରାଜ୍ୟରୁ 500ରୁ ଅଧିକ ପ୍ରତିନିଧି ଉଭୟ ଭୌତିକ ଏବଂ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଇ-ପ୍ରଶାସନ, ଜଳ ଏବଂ ମୃତ୍ତିକା ସଂରକ୍ଷଣ, ଆକାଂକ୍ଷୀ ଜିଲ୍ଲା ଏବଂ ଅଭିନବ ପ୍ରଶାସନିକ ପଦକ୍ଷେପ ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀରେ ବିଚାର ବିନିମୟ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ‘ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ’ ସମ୍ପର୍କିତ ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୩-୪ ତାରିଖ ଦୁଇ ଦିନ ଧରି ଅର୍ଦ୍ଧ-ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଏହି ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି : “ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ”। ଏହି ସମ୍ମିଳନୀର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଉଦବୋଧନ ଦେବେ।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଏଆରପିଜି ସଚିବ ସଞ୍ଜୟ ସିଂ ମଧ୍ୟ ଉଦଘାଟନୀ ଓ ଉଦଯାପନୀ ଅଧିବେଶନରେ ଉପସ୍ଥିତ ରହିବେ। ବିଭିନ୍ନ ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନୀତି ଆୟୋଗ ଭଳି ପ୍ରତିଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅଧିବେଶନରେ ଯୋଗ ଦେଇ ପରସ୍ପର ମଧ୍ୟରେ ବିଚାରବିମର୍ଶ କରିବେ।

ସାଧାରଣ ପ୍ରଶାସନ କ୍ଷେତ୍ରରେ ନବୋନ୍ମେଷ ଆଣିବା, ଜୀବନ ଧାରଣ ମାନରେ ସୁଧାର ଆଣିବା ଲାଗି ଭବିଷ୍ୟତର ଜନ ସମାଧାନ ପ୍ରକ୍ରିୟାରେ ସୁଧାର, ଇ-ଗଭର୍ଣ୍ଣାନ୍ସ, ଡିଜିଟାଲ ଗଭର୍ଣ୍ଣାନ୍ସ ଆଦି କ୍ଷେତ୍ରରେ ଅଭିଜ୍ଞତା ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରୀୟ ସାଧାରଣ ପ୍ରଶାସନ ସଂଗଠନଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ୧୪ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି: ଡ. ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ।

ସେ କହିଛନ୍ତି, ଏହି ପଦକ୍ଷେପ ଫଳରେ ପରଲୋକଗତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ‘ଜୀବନ ଧାରଣ ସହଜ’ ହେବା ସହିତ ସେମାନଙ୍କୁ ଯଥେଷ୍ଟ ଆର୍ଥିକ ସୁରକ୍ଷା ପ୍ରଦାନ ମିଳିପାରିବ। ମନ୍ତ୍ରୀ ଆହୁରି କହିଥିଲେ ଯେ, ମାତାପିତାଙ୍କ ମୃତ୍ୟୁ ପରେ ଯଦି ସେମାନଙ୍କର ସନ୍ତାନ ଫ୍ୟାମିଲି ପେନସନର ଦୁଇଟି କିସ୍ତି ଉଠାଇବା ଲାଗି ଅଧିକୃତ ହୋଇଥାନ୍ତି, ସେହି ଅର୍ଥରାଶିର ପରିମାଣ ସମ୍ପର୍କରେ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଡ. ସିଂହ କହିଛନ୍ତି ଯେ ଏବେ ଏହି ଦୁଇଟି କିସ୍ତିର ମୋଟ ଅର୍ଥରାଶି ୧,୨୫,୦୦୦ ଟଙ୍କାରୁ ଅଧିକ ହେବ ନାହିଁ। ଏହା ପୂର୍ବ ସର୍ବାଧିକ ସୀମା ଠାରୁ ଅଢ଼େଇ ଗୁଣା ଅଧିକ ବୃଦ୍ଧି।

କେନ୍ଦ୍ର ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ର ଉପନିୟମ ୧୧ ଅନୁରୂପ, ଯଦି ସ୍ବାମୀ ଏବଂ ସ୍ତ୍ରୀ ଉଭୟ ସରକାରୀ ଚାକିରିରେ ଅଛନ୍ତି ଏବଂ ଏହି ନିୟମ ଅଧୀନରେ ଆସୁଛନ୍ତି, ତା’ହେଲେ ସେମାନଙ୍କର ପରଲୋକ ସ୍ଥିତିରେ ତାଙ୍କର ଜୀବିତ ସନ୍ତାନ ଓ ମାତାପିତାଙ୍କୁ ଦୁଇଟି କିସ୍ତି ଫ୍ୟାମିଲି ପେନସନ ପାଇବା ଲାଗି ଯୋଗ୍ୟ ହେବେ। ଏଥିପୂର୍ବରୁ ଜାରି ନିର୍ଦ୍ଦେଶରେ ନିର୍ଦ୍ଧାରଣ କରାଯାଇଥିଲା ଯେ ଏପରି ମାମଲାରେ ଦୁଇଟି ପେନସନ କିସ୍ତିର ମୋଟ ଅର୍ଥରାଶି ମାସିକ ଯଥାକ୍ରମେ ୪୫,୦୦୦ ଟଙ୍କା ଏବଂ ୨୭,୦୦୦ ଟଙ୍କା ହେବ, ଅର୍ଥାତ୍ କ୍ରମଶଃ ୫୦ ପ୍ରତିଶତ ଏବଂ ୩୦ ପ୍ରତିଶତ ଦରରୁ ଅଧିକ ହେବ ନାହିଁ। ଷଷ୍ଠ ବେତନ ଆୟୋଗଙ୍କ ସୁପାରିସ ଅନୁରୂପ ୯୦,୦୦୦ ଟଙ୍କାର ସର୍ବାଧିକ ବେତନ ସନ୍ଦର୍ଭରେ ଏହି ବର୍ଦ୍ଧିତ ଅର୍ଥରାଶି ନିର୍ଦ୍ଧାରଣ କରାଯାଇଛି।

ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ସର୍ବାଧିକ ବେତନ ବୃଦ୍ଧି ପାଇଁ ମାସିକ ୨,୫୦,୦୦୦ ଟଙ୍କା ହୋଇସାରିଛି। ତେଣୁ କେନ୍ଦ୍ରୀୟ ପ୍ରଶାସନିକ ସେବା ପେନସନ ନିୟମ ୫୪(୧୧) ଅନୁସାରେ ଏହି ଅର୍ଥରାଶି ୨,୫୦,୦୦୦ ଟଙ୍କାର ୫୦ ପ୍ରତିଶତ ଅର୍ଥାତ ୧,୨୫,୦୦୦ ଟଙ୍କା ଏବଂ ୨,୫୦,୦୦୦ ଟଙ୍କାର ୩୦ ପ୍ରତିଶତ ଅର୍ଥାତ୍ ୭୫,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ନିକଟରୁ ପ୍ରାପ୍ତ ପ୍ରସ୍ତାବ ସମ୍ପର୍କରେ ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି। ବର୍ତ୍ତମାନର ନିୟମ ଅନୁଯାୟୀ ଯଦି କୌଣସି ସନ୍ତାନଙ୍କ ମାତା-ପିତା ସରକାରୀ ଚାକିରିରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଚାକିରି କାଳରେ ମୃତ୍ୟୁ ହୋଇସାରିଛି କିମ୍ବା ସେ ଅବସର ଗ୍ରହଣ କରିସାରିଛନ୍ତି ତା’ହେଲେ ପରଲୋକଗତ ବ୍ୟକ୍ତିଙ୍କର ଫ୍ୟାମିଲି ପେନସନ ତାଙ୍କର ଜୀବିତ ସାଥୀଙ୍କୁ ଦିଆଯିବ। ଆହୁରି ଯଦି ସାଥୀଙ୍କର ମୃତ୍ୟୁ ଘଟେ ତା’ହେଲେ ତାଙ୍କର ଜୀବିତ ପିଲା ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପରେ ତାଙ୍କୁ ନିଜ ସ୍ବର୍ଗବାସୀ ମାତା-ପିତା ଉଭୟଙ୍କ ପାରିବାରିକ ପେନସନ ପ୍ରଦାନ କରାଯିବ।