Categories
ବିଶେଷ ଖବର ରାଜ୍ୟ ଖବର

ସଭାରେ ଅନୁରୋଧ କଲେ ତାରାବାହିନୀ ପତି, ନବୀନ ଦେଖାଇ ଦେଲେ ଅନୁମତି

ଜୟପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତରେ ଯାଇ ଜୟପୁରର ବିକ୍ରମଦେବ କଲେଜର ପ୍ଲାଟିନିୟମ ଜୁବୁଲି ସମାରୋହରେ ଯୋଗ ଦେଇଥିଲେ। ଏଥିରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହିତ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଯୋଗ ଦେଇଥିଲେ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ଜୟ ଜୟକାର କରିଥିଲେ। କାରଣ ଥିଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିସାରିଥିଲେ। ଫଳରେ ଏହି ଉତ୍ସବ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା।

ନବୀନଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶଂସା ନ କରି ରହିପାରିଲେ ନାହିଁ। ସେ ନବୀନ ପଟ୍ଟନାୟକ, 5ଟି ସଚିବ ଭି କେ ପାଣ୍ଡିଆନ, କୋରାପୁଟର ସମସ୍ତ ବିଧାୟକ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସେ ପ୍ରଶଂସାରେ ପୋତି ପକାଇଲେ। ଏପରିକି ସଭା ସ୍ଥଳରେ ସେ ନବୀନ ପଟ୍ଟନାୟକ ସ୍ବାଗତଂ..ସ୍ବାଗତଂ ସହିତ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି କହିଲେ। ଏହାକୁ ନବୀନ ବେଶ ଖୁସିର ସହିତ ଉପଭୋଗ କରିଥିଲେ।

ତେବେ ତାରାବାହିନୀ ପତି ସେହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା ସହିତ ଛୋଟ ଅନୁରୋଧଟିଏ ମଧ୍ୟ କରିଥିଲେ। ତାହା ଥିଲା ଯେ, ବିକ୍ରମ ଦେବ କଲେଜରେ ଏକ ଅଡିଟୋରିୟମ ନାହିଁ। ତାହା କିପରି ହେବ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ସେ ସେହି ସଭାରେ ନବୀନଙ୍କୁ ଅନୁରୋଧ କଲେ। ଏଥିସହିତ ସହିତ କୋରାପୁଟର ପର୍ଯ୍ୟଟନ, ଶିକ୍ଷା ସ୍ବାସ୍ଥ୍ୟ ଉପରେ ଅନେକ ସମସ୍ୟା ସଂପର୍କରେ ମଧ୍ୟ ସେ ଅବଗତ କରାଇଥିଲେ।

ହେଲେ ସେହି ସଭାରେ ନବୀନ ପଟ୍ଟନାୟକଙ୍କ ପକ୍ଷରୁ 5ଟି ସଚିବ ଭି କେ ପାଣ୍ଡିଆନ ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହି କଲେଜରେ ଏକ ବଡ ଅଡିଟୋରିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇ ସାରିଛନ୍ତି। ସେତିକି ନୁହେଁ ସେହି ଅନୁମତି ପତ୍ର ମଧ୍ୟ ସେ ସାଥୀରେ ନେଇ ଆସିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ସେହି ଅନୁମତି ପତ୍ରକୁ ସଭାରେ ଦେଖାଇଥିଲେ।

ଏହି ଅଡିଟୋରିୟମ ପାଇଁ ତିନି କୋଟି ବ୍ୟୟ ଅଟକଳ ରଖାଯାଇଛି ବୋଲି ପାଣ୍ଡିଆନ କହିଥିଲେ। ଏହି ଅନୁମତି ପତ୍ର ଜିଲ୍ଲାପାଳ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି। ଏହାପରେ ମୁଖ୍ୟମନ୍ତ୍ରୀ ସେହି ଅନୁମତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏପରି ପରିସ୍ଥିତି ଦେଖି ଖାଲି ତାରାବାହିନୀ ପତି ନୁହଁନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ଛାତ୍ରଛାତ୍ରୀ ସମସ୍ତେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପରିବେଶକୁ ପ୍ରକମ୍ପିତ କରିଥିଲେ।