Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ରଂଗାରଗ କାର୍ଯ୍ୟକ୍ରମ

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ  ମେଳାର ଗତକାଲି ଥିଲା ଚତୁର୍ଥସନ୍ଧ୍ୟା। ବିଭାଗର  ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢି, ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ ପୂର୍ବକ ଆଜିର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେବୟନିକାର ପରିଚାଳକ ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ସିଡାକର ସଦସ୍ୟ ସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ ଉପସ୍ଥିତ ଥିଲେ।

ଡିସେମବେର 15 ତାରିଖରୁ ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି ମେଳାର, ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ଓ ସଂସ୍କୃତି ପାଇଁ ସମର୍ପିତ ଥିଲା । ଦର୍ଶକ ତଥା ପରିଦର୍ଶକମାନଙ୍କୁ  ଏହା ଓଡ଼ିଶାର କଳା, ସଂସ୍କୃତି ତଥା ଜୀବନଶୈଳୀ ସହ ପରିଚିତ କରାଇଥିଲା। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଳାକାର ଯଥା ଶାଶ୍ଵତ ତ୍ରିପାଠୀ, ପଙ୍କଜ ଜାଲ, ଚୁମ୍କି ପାଢୀ, ପଦ୍ମଶ୍ରୀ ଖଟେଇ, ଅଙ୍କିତ ରେ ଆଦି କଳାକାର ମାନଙ୍କ ଦ୍ଵାରା  ପରିବେଷିତ  କରାଯାଇଥିଲା।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରବଳ ଜଣ ସମାଗମ ହୋଇଥିଲା। ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତାନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ପାରମ୍ପରିକ ତଥା ସୁସ୍ବାଦୁ ଖାଇବାର ଭରପୁର ମଜା ଉଠାଇଛନ୍ତି । ପିଲାମାନଙ୍କ ଆମୋଦ ପ୍ରମୋଦ ନିମନ୍ତେ ମେଲ ପରିସରରେ ଉଦ୍ଦିଷ୍ଟ ସ୍ଥାନରେ ପିତାମାତା ତତୟଃ ଅଭିଭାବକଙ୍କ ତତ୍ୱାବଧାନରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦରେ ମଜିଯାଇଥିଲେ। ଏହି ମେଲ ପ୍ରତ୍ୟହ ଦିବା 2.30 ମିନିଟ ରୁ ରାତ୍ର 9.30 ମିନିଟ ପର୍ଯ୍ୟନ୍ତ ଖୋଲା ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ “ଓଡ଼ିଶା କଳାର ରାଜ୍ୟ, କଳାଭୂମି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶବିଦେଶରେ ଗୌରବ ବଢ଼ାଇଛି। ଆମର କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏ ମାଟିର କାରିଗରମାନଙ୍କ ଦକ୍ଷତାର ତୁଳନା ନାହିଁ।

ମୁଁ ବହୁତ ଖୁସି ଯେ ଆମର ୪୭ ଜଣ ଶିଳ୍ପୀଙ୍କୁ କ୍ରାଫଫ ଆୱାର୍ଡରେ ସମ୍ମାନିତ କରାଗଲା। ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ୩ ଜଣ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ଦେବେନ୍ଦ୍ର ମିଶ୍ର ଓ ଶ୍ରୀ ବେଣୁଧର ମହାପାତ୍ରଙ୍କୁ ଲାଇଫ୍‌ ଟାଇମ୍‌ ଏଚିଭ୍‌ମେଣ୍ଟ ଆୱାର୍ଡରେ ସମ୍ମାନିତ କରାଗଲା।’’ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ।

“ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ସାରା ଦେଶର ବିଭିନ୍ନ ରାଜ୍ୟର କାରିଗରମାନେ ଯୋଗଦେଇଛନ୍ତି।’’ ବୋଲି ଉଲ୍ଲେଖ କରି  ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଗନ୍ନାଥଙ୍କ ପବିତ୍ର ଭୂମ ଓଡ଼ିଶାକୁ ସ୍ୱାଗତ କରିଥିଲେ।

ଉଦ୍‌ଘାଟନୀ ସଭାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର (ମଧ୍ୟ ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୁଣାକାର ଓ କାରିଗରମାନଙ୍କୁ ସମୃଦ୍ଧ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭାଗ ପକ୍ଷରୁ ବରିଷ୍ଠ କାରିଗରମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଆଜି ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା ଏବଂ ରୁଦ୍ରାକ୍ଷ ବୃକ୍ଷରେ ଅତିଥିମାନେ ଜଳ ପ୍ରଦାନ କରିଥିଲେ।

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କହିଲେ ଯେ ଆମର ହସ୍ତଶିଳ୍ପ, ସ୍ଥାପତ୍ୟ, ହସ୍ତତନ୍ତ ସବୁଥିରେ ଓଡ଼ିଶାର କାରିଗରମାନଙ୍କର ହସ୍ତର ନମୁନା ରହିଛି । ତୋଷାଳି ମେଳା ହେଉଛି ଭାବଗତ ସଂହତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଭାଷଣରେ ତୋଷାଳି ହସ୍ତଶିଳ୍ପ ମେଳାରେ ରାଜ୍ୟରେ କାର୍ଯ୍ୟରତ, ଶିଳ୍ପୀ, କାରିଗର, ବୁଣାକାର ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସୃଷ୍ଟି କରିବା ସହିତ ଭାରତୀୟ ପାରମ୍ପାରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ହୋଇପାରିବ ବୋଲି କହିଥିଲେ ।

ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଜେନା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ମେଳା ବୁଣାକାର, କାରିଗରମାନଙ୍କୁ ଜ୍ଞାନ ଆହରଣ କରିବାରେ ସହାୟକ ହେବ । ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ରାଉତ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ମେଳାରେ ଅଂଶଗ୍ରହଣକାରୀମାନେ ଭାବର ବିନିମୟ ସହିତ ବୁଣାକାର ଓ କାରିଗରମାନଙ୍କ ଆୟ ବୃଦ୍ଧି ପାଇବ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨୦୧୯, ୨୦୨୦, ୨୦୨୧ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପୁରସ୍କାର ଓ ହସ୍ତତନ୍ତ ରାଜ୍ୟ ପୁରସ୍କାରପ୍ରାପ୍ତ କାରିଗରମାନଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର, ସ୍ୱତନ୍ତ୍ର ସଚିବ ଶ୍ରୀ ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଅତିଥି ଭାବେ ଯୋଗଦାନ କରିଥିଲେ । ଶେଷରେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପ ଇଲିୟାନା ସିତାରିଷ୍ଟ ଓ ସାଥୀମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି । ଚଳିତ ବର୍ଷ ଫୁଡ୍‌ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି। ମେଳାର ଅନ୍ୟତମ ଆକର୍ଷଣ ସାଜିଛି ମିଲେଟ୍‌ ଫୁଡ୍‌ ଷ୍ଟଲ । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଫେବୃଆରୀ ୧ରୁ ଭୁବନେଶ୍ବରରେ ହେବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ।

ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି।

ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା। ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକି୍ର ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ।

ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ତଥା ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ।

ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି। ମେଳାରେ ବିକାଶ ଆୟୁକ୍ତ,(ହସ୍ତଶିଳ୍ପ), ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ୨୫୦ ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ (ହସ୍ତତନ୍ତ) ଦ୍ୱାରା ଭାରତର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନିତ ହେବ। ସେହିପରି ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହେବ।

ଏହା ବ୍ୟତୀତ ଶିକ୍ଷାନୁଷ୍ଠାନଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ। ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ।

ଚଳିତ ବର୍ଷ ଗୋଟିଏ ଖାଦ୍ୟ ପ୍ରାଙ୍ଗଣରେ ୨୫ ଗୋଟି ଷ୍ଟଲ ରହିବ। ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ। ଏହା ବ୍ୟତୀତ ମିଲେଟ୍‌ ମିଶନ, ଓମ୍‌ଫେଡ୍‌ ଏବଂ ଓଟିଡିସିର ୫ଟି ଷ୍ଟଲ ରହିବ।

ଏହି ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷିତ ହେବ। ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି।

ଚଳିତ ବର୍ଷ ମେଳାକୁ ସୁଗମ୍ୟ ସହିତ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୂଳ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ହୁଇଲ୍‌ ଚେୟାର୍‌ ଓ ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍‌ ଉପଲବ୍ଧ କରାଯାଇଛି।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ। ବିଭାଗ ପକ୍ଷରୁ ମହିଳା କାରିଗର ଓ ବୁଣାକାରମାନଙ୍କ ନମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ ମେଳାରେ ୨୦ ଲକ୍ଷ ଜନସମାବେଶ ସହିତ ୨୦ କୋଟି ଟଙ୍କାର ସାମଗ୍ରୀ ବିକି୍ରର ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ(ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ଜାତୀୟ ସ୍ତରର ମେଳାର ନମୁନା ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି।