Categories
ଆଜିର ଖବର ଆଞ୍ଚଳିକ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଲିକା ଗସ୍ତ: ଦୁଇ ବ୍ଲକରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କଲେ କ୍ଷୋଭ ପ୍ରକାଶ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭୁବନେଶ୍ୱର ସାଂସଦ ତଥା ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀ ଚିଲିକା ନିର୍ବାଚନମଣ୍ଡଳୀରେ ଦିନିକିଆ ଗସ୍ତରେ ଆସିଥିଲେ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅନୁରୋଧ କ୍ରମେ ସେ ଏହି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଗସ୍ତରେ ଶ୍ରୀମତୀ ଷଡ଼ଙ୍ଗୀ ଉଭୟ ଚିଲିକା ଏବଂ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିଭିନ୍ନ ଜନମଙ୍ଗଳ କାରି ଯୋଜନାର ରୂପାୟନ ଉପରେ ସମୀକ୍ଷା କରିଥିଲେ। ହେଲେ ଉଭୟ ବ୍ଲକରେ ବି.ଡି.ଓ ତଥା ବିଭାଗୀୟ ଅଧିକାରୀ ଅନୁପସ୍ଥିତି ରହିଥିବାରୁ ଏକ ପ୍ରେସ ମିଟ ଜରିଆରେ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ।

ଜନଶୁଣାଣୀ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ରାସନ କାର୍ଡ, ଗୃହ ନିର୍ମାଣ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇବାରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୋର ବିଭ୍ରାଟ ହୋଇଛି ବୋଲି ଜାଣିବାକୁ ପାଇଥିଲେ ସାଂସଦ। ଏଥିପାଇଁ ସେ ସିଧାସଳଖ ସ୍ଥାନୀୟ ପ୍ରଶାସନ ଓ ସରକାର ନଶ୍ଚିତ ଭାବେ ଦାୟୀ ବୋଲି ପ୍ରେସ ମିଟରେ ପରିପ୍ରକାଶ କରିଥିଲେ।

ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବାଣପୁର ପଲଟନ ପଡ଼ିଆଠାରେ ଖୋର୍ଦ୍ଧା ଜିଲ୍ଲା ଗଢା ଶ୍ରମିକ ସଂଗଠନର ବାର୍ଷିକ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ପୁରୁଷ ଏବଂ ମହିଳା ଶ୍ରମିକମାନେ ଉପସ୍ଥିତ ଥିଲେ।

ସାଂସଦ ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଦର୍ଶନ କରିଥିଲେ। ଏବଂ ପରିଶେଷରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟନାରାୟଣ ସେନାପତିଙ୍କ ବାଲୁଗାଁ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

ଉକ୍ତ ଗସ୍ତରେ ସାଂସଦଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ଅନ୍ୟାନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

ସାଂସଦଙ୍କ ଗସ୍ତ ସମୟରେ ଜିଲ୍ଲା ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା କଡ଼ା ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା।