Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଶେଷ ହେଲା ଦୁଇଦିନିଆ ଦେବଗଡ଼ ଗସ୍ତ 

ଭୁବନେଶ୍ୱର: ଦେବଗଡ଼ ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିବସରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ସକାଳୁ ବାରକୋଟ ବ୍ଲକ ଅନ୍ତର୍ଗତ ବଲମ୍ ଗ୍ରାମରେ ସ୍ଥାପିତ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ୫-ଟି ଗ୍ରାମ ପଂଚାୟତର ୧୮୫ ଜଣ ଦୁଗ୍ଧ ଚାଷୀଙ୍କୁ ନେଇ ୭ଟି ବହୁବିଧ ଉପଯୋଗୀ ସମବାୟ ସମିତି ଖୋଲାଯାଇଛି ଓ ପ୍ରାୟ ୬୧୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି।

ଏହି ଦୁଗ୍ଧ ସଂଗ୍ରହ ହାରାହାରି ପ୍ରତି ଚାଷୀ ପିଛା ୩୫ ଲିଟର ହୋଇ ପାରୁଛି ଯାହା ସେମାନଙ୍କ ସ୍ୱାବଲମ୍ବନଶୀଳତା ବଢ଼ାଇଛି ପରେପରେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ୪ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ବାରକୋଟ ବ୍ଲକର ଦଣ୍ଡସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ରେଙ୍ଗାଳବାହାଲ ମଝି ସାହିରେ ନୂତନ ଭାବେ ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ସଭା ଗୃହକୁ ପରିଦର୍ଶନ କରିଥିଲେ। ଅତ୍ୟନ୍ତ ମନୋରମ ପ୍ରାକୃତିକ ପରିବେଶରେ ନିର୍ମିତ ଏହି ସୁଦୃଶ୍ୟ ମୁଖ୍ୟମନ୍ତ୍ରୀ ସଭା ଗୃହକୁ ଦେଖି ଶ୍ରୀ ତ୍ରିପାଠୀ ଅଭିଭୂତ ହେବା ସହ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଭାର ନେଇଥିବା ଗ୍ରାମ କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ।

ଗ୍ରାମ କମିଟିର ସଦସ୍ୟ ମାନେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହାୟତାରେ ନିର୍ମିତ ଏହି ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସଭାଗୃହ ସମୀପରେ ଥିବା ଖେଳ ପଡ଼ିଆକୁ ବିକଶିତ କରିବା ସହ ସମ୍ପ୍ରତି ବର୍ଷାଋତୁ ସମୟରେ ଏହାର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରି ସବୁଜ ବାଡ଼ ବା ଗ୍ରୀନ୍ ଫେନସିଂ ପାଇଁ ଅଧ୍ୟକ୍ଷଙ୍କୁ ଗ୍ରାମ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ମାନ୍ୟବର ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ବିସ୍ତୃତ ପ୍ରକଳ୍ପ ବିବରଣୀ ସହ ପ୍ରକଳ୍ପ ରୂପରେଖ ପ୍ରସ୍ତୁତି ନିମନ୍ତେ ପରାମର୍ଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ ଡଂରା ଗ୍ରାମ ପଂଚାୟତର ବଳିତା ଗ୍ରାମରେ ମିଶନ ଶକ୍ତି ଗୋଷ୍ଠୀ ଦ୍ଵାରା ସଂଚାଳିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ। ମିଶନ ଶକ୍ତି ଗୋଷ୍ଠୀ ସଭାନେତ୍ରୀ ଅନିତା ମୁଣ୍ଡା ଏବଂ ଅନ୍ୟ ୧୩ ଜଣ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯେଉଁମାନେ ଅନୁଦାନ ସ୍ୱରୂପ ୧୦ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି। ସେମାନେ ୨ ଲକ୍ଷ ୪୦ ହଜାର ଟଙ୍କାର ମସରୁମ ସ୍ପନ୍ ବା ଛତୁ ମଞ୍ଜି ବିକ୍ରି କରି ମାସିକ ୪୦ ହଜାର ଟଙ୍କା ଲାଭ ପାଉଛନ୍ତି। ମାନ୍ୟବର ଅଧ୍ୟକ୍ଷ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ବୈଷୟିକ ଦକ୍ଷତାକୁ ଦେଖି ବେଶ ପ୍ରଭାବିତ ହୋଇଥିଲେ ଏବଂ ସେମାନେ ଏସଏଚଜିରୁ ଏସଏମଇ ବା ମିଶନ ଶକ୍ତି ଗୋଷ୍ଠୀରୁ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗକୁ ଉନ୍ନୀତ ହେବା ଏକ ସକାରାତ୍ମକ ସଙ୍କେତ ବହନ କରୁଛି ବୋଲି ମତ ଦେଇଥିଲେ।

ଶ୍ରୀ ତ୍ରିପାଠୀ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ବିଶେଷଜ୍ଞ ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ନାୟକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ଅଞ୍ଚଳକୁ ବୋଟିଂ ସୁବିଧା ସହ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଅନୁରୋଧ କରିଥିଲେ।

ଜଳସମ୍ପଦ ବିଭାଗରୁ ଉପୟୁକ୍ତ ଅନୁମତି ମିଳିବା ପରେ ରକ୍ଷଣାବେକ୍ଷଣ ଓ ସ୍ଥାୟୀତ୍ୱ ପାଇଁ ଏକ ପେସାଦାର ସଂସ୍ଥାକୁ ଦାୟିତ୍ୱ ଦେବା ସହ ଏକ ଡିପିଆର୍ ପ୍ରସ୍ତୁତ କରି ଅନୁଧ୍ୟାନ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।। ପରେପରେ ସେ ତିଳେଇବଣି ବ୍ଲକର ଦେଓଝରଣ ଜଳପ୍ରପାତ ପରିଦର୍ଶନ କରିଥିଲେ। ବିଶେଷଜ୍ଞ ସଦସ୍ୟ ଶ୍ରୀ ଭୁପେନ୍ଦ୍ର ପ୍ରସାଦ ନାୟକ ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ରହି ଏହି ଅଞ୍ଚଳକୁ କୁଟୀର ସୁବିଧା ଇତ୍ୟାଦି ସହ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଅନୁରୋଧ କରିଥିଲେ। ୟୁଜର ଫି ଆଦାୟ ସହିତ ଉପଯୁକ୍ତ ସଫେଇ ଓ ରକ୍ଷଣାବେକ୍ଷଣ ପାଇଁ ଏକ ଡିପିଆର୍ ପ୍ରସ୍ତୁତ କରି ଗ୍ରାମ କମିଟିକୁ ଦାୟିତ୍ୱ ଦେବା ଏବଂ ଜଳପ୍ରପାତଗୁଡିକର ଡ୍ରୋନ୍ ସର୍ଭେ କରାଯିବା ସହ ଦର୍ଶକମାନଙ୍କ ପାଇଁ କୂଳରେ ପରିଭ୍ରମଣ ସମ୍ଭାବନାର ମୂଲ୍ୟାଙ୍କନ କରିବ।ପାଇଁ ଅନୁଧ୍ୟାନ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେ ମଧ୍ୟ ବାରକୋଟ ବ୍ଲକ ଅନ୍ତର୍ଗତ ଡଂରା ଗ୍ରାମ ପଂଚାୟତର ବଳିତା ଗ୍ରାମରେ ଆକ୍ବରିଅମ୍ ପାଇଁ ରଙ୍ଗବେରଙ୍ଗ ମାଛ ଚାଷ କରୁଥିବା ଉଦ୍ୟୋଗୀ ପଞ୍ଚାନନ ସାହୁଙ୍କୁ ଭେଟିଥିଲେ। ଶ୍ରୀ ସାହୁ ପି ଏମ୍ ଏମ୍ ଏସ ୱାଇ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମିଳୁଥିବା ସହାୟତାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି କହିଥିଲେ। ଅସିତ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ କାଉଁସିବାହାଲ ଗ୍ରାମ ପଂଚାୟତର ଭଟସିଂ ଗ୍ରାମରେ ସୁରକ୍ଷିତ ପଲି ହାଉସ ରେ ଫୁଲଚାଷ ପରିଦର୍ଶନ କରିଥିଲେ। ୧୨ ଏକର ଜମିରେ ଜର୍ଜେରା ଫୁଲ ଚାଷ କରିଥିବା ସଫଳ କୃଷି ଉଦ୍ୟୋଗୀ ରାଜକିଶୋର ପ୍ରଧାନଙ୍କୁ ଭେଟି ତାଙ୍କ ସହ କଥା ହୋଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପଲି ହାଉସ ଓଡ଼ିଶାର ବୃହତ୍ତମ ଏବଂ ଏଠାରୁ ଫୁଲ ରାଞ୍ଚି ତଥା କୋଲକାତା କୁ ନିୟମିତ ପଠାଯାଉଛି। ୨.୫୦ କୋଟି ଟଙ୍କା ପ୍ରାରମ୍ଭିକ ପୁଞ୍ଜିନିବେଶ କରିଥିବା ଶ୍ରୀ ପ୍ରଧାନ ବର୍ତ୍ତମାନ ଫୁଲଚାଷରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପାଇ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଏଥି ସହିତ ଶ୍ରୀ ତ୍ରିପାଠୀ ବାରକୋଟ ବ୍ଲକ ଅନ୍ତର୍ଗତ କାଳିଆପାଳ ଗ୍ରାମ ପଂଚାୟତର ଜାଲିସୁଆଁ ଗ୍ରାମ ପରିଦର୍ଶନ କରି ମା ଲକ୍ଷ୍ମୀ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟଙ୍କ ସହ କଥା ହୋଇଥିଲେ। ଆଦିମ ତଥା ନିର୍ଦ୍ଧିଷ୍ଟ ରୂପେ ଅସୁରକ୍ଷିତ ଜନଜାତି ବର୍ଗର ଏହି ମହିଳା ମାନେ ୧୬.୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସୌର ଚାଳିତ ଫଳ ଓ ପନିପରିବା ସଂରକ୍ଷିତ ରଖିବା ଶୀତଳୀକରଣ ଗୃହ ସ୍ଥାପନ କରିଛନ୍ତି। ଏଥି ମଧ୍ୟରୁ ୬ ଲକ୍ଷ ଟଙ୍କା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରୁ ଓ ୧୦.୫୦ ଲକ୍ଷ ଟଙ୍କା ସମନ୍ବିତ ଉଦ୍ୟାନ କୃଷି ଉନ୍ନୟନ ଅଭିଯାନ ରୁ ମିଳିଛି।

ପରିଦର୍ଶନ ସମୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସି ଇ ଓ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ଦେବଗଡ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟର ପାଞ୍ଚଟି ଜିଲ୍ଲା – ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ଏବଂ ପୁରୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ପାଇଥିବା ବେଳେ, ୧୦,୬୫୭ ଜଣ ହିତାଧିକାରୀ ବିଭିନ୍ନ ଘରୋଇ ଡାକ୍ତରଖାନାରେ କୋଡ଼ିଏ କୋଟି ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଲେଣି ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେବଗଡ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ଏବଂ ଏହା ଓଡିଶା ପାଇଁ ପ୍ରକୃତିର ଏକ ବରଦାନ। ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ବିଜୁ ବାବୁ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁବାବୁଙ୍କ ମହାନ ଉଦ୍ଦେଶ୍ୟକୁ ଆଖିରେ ରଖି ରାଜ୍ୟ ସରକାର ଦେବଗଡରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାରେ ଆଜି ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ଜିଲ୍ଲାରେ ଶିକ୍ଷାବିକାଶ କାର୍ଯ୍ୟ କ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲର ରୂପାନ୍ତର କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତିନୋଟି ମେଗା ପାଇପ୍‌ ପାଣି ଯୋଜନା କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ସମସ୍ତ ତିନୋଟି ବ୍ଲକକୁ ପାଇପ୍‌ ପାଣିର ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଦେବଗଡ ପୌରାଞ୍ଚଳ ପାଇଁ ମଧ୍ୟ ଏକ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିଥିଲେ। ଏହା ସହିତ ଦେବଗଡରେ ଏକ ତିନିଶହ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ରଖିଥିଲେ। ଏଥିପାଇଁ ୧୧୫ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ୱାରା ଦେବଗଡବାସୀ ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ।

ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସେମାନଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ବିଶେଷ କରି ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଦେଶରେ ଓଡ଼ିଶାର ସମ୍ମାନ
ବଢ।ଇଛି ବୋଲି ମତ ଦେଇଥିଲେ। ବିଧାୟକ ସୁବାସ ପାଣିଗ୍ରାହୀ ଏହି ସ୍ମାର୍ଟ ହେଲ୍ଥ କାର୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।