Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଧବଳେଶ୍ବର ପିଠରେ ବଡ ଓଷା, ଜାଣନ୍ତୁ କଣ ରହିଛି ଏହି ପୂଜାର ରହସ୍ୟ ଓ ବିଧି

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସ ସାରା ହେଉଛି ପବିତ୍ର ଦିନ। ହେଲେ ଏହି ମାସରେ ରାଧାପାଦ ଦର୍ଶନ, ଅଁଳା ନବମୀ ଏବଂ ବଡ ଓଷା ପରି ତିଥି ରହିଛି ଯାହା ଆହୁରି ପବିତ୍ର ବୋଲି କୁହାଯାଏ। ତେବେ ଏହି ମାସରେ ଶେଷ ତିଥୀ ହେଉଛି ବଡ ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା।

ଆସନ୍ତାକାଲି ପାଳନ ହେବ ଏହି ବଡଓଷା। କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ। ଏହି ଓଷା ମୁଖ୍ୟତଃ ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି।

ବଡଓଷାର ପୂଜାବିଧି ଓ ଉପଚାର

ବଡଓଷା ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ। ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ। ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ। ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ। ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ। ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି। ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା।

କିମ୍ବଦନ୍ତୀ

ପଦ୍ମ ପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ। ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ। ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ। ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ। ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ ।

ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା। ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ। ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସ କରୁଥିଲେ। ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ। ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ।

ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା। ତାଙ୍କର ଦୁଃଖ ବଢ଼ି ଚାଲିଲା। ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ। ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ। ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ। ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ। ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ। କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଧବଳେଶ୍ବର ପିଠରେ ଆରମ୍ଭ ହେଲା ପଞ୍ଚୁକ ଯାତ୍ରା, ବଡଓଷା ପାଇଁ ପ୍ରସ୍ତୁତି

କଟକ: ଓଡିଶାର ପ୍ରସିଦ୍ଧ ଶୈବ୍ୟପିଠ ଧବଳେଶ୍ବର ପିଠରେ ଆରମ୍ଭ ହୋଇଛି ପଞ୍ଚୁକ ଯାତ୍ରା। ଏହିପିଠରେ ପଞ୍ଚୁକ କରିବା ପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥାଏ। ସେହିପରି ଆସନ୍ତା ଶନିବାର ଦିନ ବଡଓଷା ଥିବାରୁ ଏହି ପିଠରେ ପ୍ରବଳ ଭିଡ ପରିଲକ୍ଷିତ ହେବ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଆସନ୍ତା ୨୫ ତାରିଖ ବଡଓଷା ଓ ବଡସିଂହାର ବେଶ ଅନୁଷ୍ଠିତ ହେବ। ସେହିପରି ୨୬ ତାରିଖ ଦିନ ଗଜଭୋଗ ବିତରଣ ଓ ୨୭ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି କାର୍ତ୍ତିକ ମାସ ସୋମବାର, ବାବା ଧବଳେଶ୍ବରଙ୍କୁ କରନ୍ତୁ ଦର୍ଶନ

କଟକ: ଆଜି ହେଉଛି କାର୍ତ୍ତିକ ସୋମବାର। ଏହି କାର୍ତ୍ତିକ ସୋମବାରରେ ମହାଦେବଙ୍କୁ ଦର୍ଶନ କଲେ ବେଶ ପୂଣ୍ୟକାମ ବୋଲି ବିବେଚନା କରାଯାଏ। ଏହିଦିନ ମହାଦେବଙ୍କୁ ଦର୍ଶନ କଲେ ବର୍ଷ ସାରା ଶୁଭଦାୟକ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସୋମବାରରେ ସମସ୍ତ ଶୈବ୍ୟପୀଠରେ ପ୍ରବଳ ଭିଡ ହୋଇଥାଏ।

ସେହିପରି ଓଡିଶାର ପ୍ରସିଦ୍ଧ ଶୈବ୍ୟପୀଠ ବାବା ଧବଳେଶ୍ବରରେ ଆଜି ସକାଳୁ ଭିଡ ପରିଲକ୍ଷିତ ହୋଇଛି। ବାବାଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଭୋରରୁ ମନ୍ଦିରରେ ଭିଡ କରିଛନ୍ତି। ଭକ୍ତମାନେ ବାବାଙ୍କ ଉପରେ ଖିର ଢାଳି ବେଲପତ୍ର ପ୍ରଦାନ କରି ଆର୍ଶିବାଦ ନେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ସେତୁର ନିର୍ମାଣ, ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା  ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ। ଏହାର ପୂର୍ଣ୍ଣାଙ୍ଗ ସ୍ଥିତି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ପରଖିଛନ୍ତି। ଏଣିକି ସ୍ଥଳପଥ ଦେଇ ଧବଳେଶ୍ଵର ପୀଠରେ ପହଞ୍ଚି ପାରିବେ ଭକ୍ତ। ସୁଗମ ହେବ ଭକ୍ତଙ୍କ ଯାତ୍ରା।

ଏହାଫଳରେ ଧବଳେଶ୍ଵର ପୀଠକୁ ଆଶାତୀତ ଭାବେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ସେତୁ ନିର୍ମାଣସ୍ଥଳ ପରିଦର୍ଶନ ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ଧବଳେଶ୍ଵର ପୀଠର ଭୌଗୋଳିକ ଅବସ୍ଥିତି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବୈଭବକୁ ମଣ୍ଡନ କରେ। ଏହିସ୍ଥାନକୁ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ ହୋଇଯିବା ପରେ ଏହା ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ କରିବ ବୋଲି ଆଶା କରାଯାଉଥିବା ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି।

ବିଜୁ ସେତୁ ଯୋଜନା ଅନ୍ତର୍ଗତ ମଞ୍ଚେଶ୍ଵର ଗ୍ରାମ ଠାରୁ ଧବଳେଶ୍ଵର ପୀଠ ପର୍ଯ୍ୟନ୍ତ ଏହି ବିସ୍ତୃତ ସେତୁ ପ୍ରାୟ ୨୨କୋଟି୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହାର ଦୈର୍ଘ୍ୟ ୨୭୬ମିଟର ରହିଥିବା ବେଳେ ଏହାର ପ୍ରସ୍ଥ ୬.୨ମିଟର ରହିଛି। ଏହାର ଉଭୟ ପାର୍ଶ୍ଵରେ ୩୬୦ମିଟର ସଂଯୋଗକାରୀ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି।

ପ୍ରକାଶଥାଉ କି ଧବଳେଶ୍ଵର ପୀଠକୁ ଏଥିପୂର୍ବରୁ କୌଣସି ସ୍ଥାୟୀ ସେତୁ ସଂଯୋଗ କରୁନଥିଲା। ଯାହାଫଳରେ ଶ୍ରଦ୍ଧାଳୁ, ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ଝୁଲାପୋଲ ଉପରେ ନିର୍ଭର କରିବାକୁ ପଡୁଥିଲା। ଏଥିସହ ଦର୍ଶନାର୍ଥୀମାନେ ଶ୍ରାବଣମାସ, ବଡଓଷା ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। କେବଳ ଦର୍ଶନାର୍ଥୀ ନୁହଁନ୍ତି ପୂଜକମାନେ ମଧ୍ୟ ବାବା ଧବଳେଶ୍ଵରଙ୍କ ରୀତିନୀତି ସମ୍ପନ୍ନ ନିମନ୍ତେ ଆବଶ୍ୟକ ସାମଗ୍ରୀ ପରିବହନ ଓ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମୁଖ୍ୟ  ଶ୍ରୀ ପ୍ରଦୀପ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ (ସେତୁ ଓ କୋଠାବାଡି) ଶ୍ରୀ ରମେଶ ଚନ୍ଦ୍ର ବେହେରା , ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ସୋମନାଥ ପରିଡା, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ସାହୁ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,କଟକ  ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଏହି ସେତୁର ଲୋକାର୍ପଣ କାର୍ଯ୍ୟକ୍ରମ କରାଯିବ।