Categories
ଆଞ୍ଚଳିକ

ଧର୍ମାନୁଷ୍ଠାନ ବିକାଶ ଯୋଜନାରୁ ବାଦ୍‌ ପଡିଲା ମା’ ଭଗବତୀ ମନ୍ଦିର, ଏହାକୁ ନେଇ ସାଧାରଣରେ ଅସନ୍ତୋଷ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ ୨୩ କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ରାଜ୍ୟର ଦଶଟି ମନ୍ଦିର, ୫ଟି ଗୀର୍ଜା, ୬ଟି ମସଜିଦ୍‌ ଓ ୨ଟି ଗୁରୁଦ୍ବାର ସାମିଲ୍‌ ରହିଛି। ପ୍ରତ୍ୟେକ ଧାର୍ମିକ ସ୍ଥଳକୁ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ପରେ ବାଣପୁରରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଚଳିତ ନବୀନଙ୍କ ପଞ୍ଚମ ପାଳି ସରକାରରେ ରାଜ୍ୟ ସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ବାଣପୁରର ପ୍ରସିଦ୍ଧ ଭଗବତୀ ମନ୍ଦିର ବାଦ୍‌ ପଡିଛି। ନିକଟରେ ବାଣପୁରର ଭଗବତୀ ମନ୍ଦିରଠାରେ ବିଧାନସଭା ଏଥିକ୍ସ କମିଟିର ସଭ୍ୟ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ କିଛି ଘୋଷଣା କରାଯିବା ନେଇ ଆକଳନ କରାଯାଇଥିଲା। କିନ୍ତୁ ଗତକାଲି ଧର୍ମାନୁଷ୍ଠାନ ପାଇଁ ଘୋଷଣା ପରେ ବାଣପୁର ବାଦ୍‌ ପଡିଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର ଐତିହ୍ୟ ତଥା ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ସମ୍ପନ୍ନ। ଏଠାରେ ଲୋକପ୍ରିୟ ମା’ ଭଗବତୀଙ୍କ ମନ୍ଦିର ବେଶ୍‌ ପ୍ରସିଦ୍ଧ। ଏହି ମନ୍ଦିରର ଉନ୍ନତି ପାଇଁ କିଛି ଘୋଷଣା କରାନଯିବା ବେଶ୍‌ ଆଶ୍ଚର୍ଯ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।