Categories
ଆଜିର ଖବର ରାଜ୍ୟ ଖବର

ନବମରୁ ଦ୍ୱାଦଶ ନିଃଶୁଳ୍କ ପାଠପଢ଼ା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ବା ଆରଟିଇ ରେ ଅନୁଚ୍ଛେଦ ୧୨ (୧) ର ଧାରା “ଗ” ଅନୁଯାଇ ପ୍ରାଇଭେଟ ସ୍କୁଲରେ ୨୫% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପରେ ନବମରୁ ଦ୍ୱାଦଶ ପଯ୍ୟନ୍ତ ନିଃଶୁଳ୍କ ପାଠପଢ଼ା ପାଇଁ ଓଡିଶା ହାଇକୋର୍ଟ ମାର୍ଚ୍ଚ ୨୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏକ ନୂଆ ଦାବୀପତ୍ର ଗଣଶିକ୍ଷା ସଚିବଙ୍କୁ ପ୍ରଦାନ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଲୋକସେବା ଭବନରେ ଗଣଶିକ୍ଷା ସଚିବ  ଆଶ୍ବସ୍ତି ଏସ ଙ୍କୁ ଭେଟି ଦାବୀ କରିବା ସହ ଅଫିସିଆଲ ଭାବେ ଦାବୀ ପତ୍ର ଓ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଗଣଶିକ୍ଷା ସଚିବ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ କହିଛନ୍ତି।

ଏଠାରେ ପ୍ରକାଶ ଯୋଗ୍ୟ କି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆଡ଼ମିସନ ବର୍ତ୍ତମାନ ନର୍ସରୀ ଓ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା କରାଯାଉଛି। ହେଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିଲା ପରେ ନବମ ଶ୍ରେଣୀରୁ ଅଭିଭାବକ ମାନେ କିପରି ତାଙ୍କର ପିଲାଙ୍କୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପାଠ ପଢ଼ାଇବେ। ବାଧ୍ୟ ହୋଇ ସେମାନେ ପାଠ ଛାଡ଼ିବେ।

ତେଣୁ ଓଡିଶା ଅଭିଭାବକ ମହାସଂଘ ଏହି ବ୍ୟବସ୍ଥାକୁ ଅନ୍ତତଃ ପକ୍ଷେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବହୁ ଦିନରୁ ଦାବୀ କରି ଆସୁଛି। ସେପଟେ ଦିଲ୍ଲୀ ଓ ପଡୋଶୀ ରାଜ୍ୟ ଛତିଶଗଡ ସହିତ ଅନେକ ରାଜ୍ୟ ମଧ୍ୟ ନିଜସ୍ୱ ଅର୍ଥରେ ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିସାରିଲେଣି।

ସରକାରଙ୍କୁ ବାରମ୍ବାର ନିବେଦନ ପରେ କାର୍ଯ୍ୟକାରୀ ନହେବାରୁ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ମାନ୍ୟବର ହାଇକୋର୍ଟ ଶୁଣାଣି କରି ଗଣଶିକ୍ଷା ସଚିବଙ୍କୁ ଏକ ନୂଆ ଆବେଦନ କରିବେ। ଗଣଶିକ୍ଷା ସଚିବ ଆସନ୍ତା ଜୁନ ମାସ ୧ ତାରିଖ ସୁଦ୍ଧା ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ ବୈଠକ ଡାକି ବିଚାର କରି ଉପଯୁକ୍ତ ପଦକ୍ଷେପ ନେବେ। ଓଡିଶା ଅଭିଭାବକ ମହାସଂଘ ମାନ୍ୟବର କୋର୍ଟଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବା ସହ ଯଦି ଠିକ ନିଷ୍ପତି ହୋଇ ନଥିବ ତାହାଲେ ନୂତନ ଭାବେ ଏକ କେସ କରିବାକୁ ମଧ୍ୟ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ।
ଏ ସଂକ୍ରାନ୍ତରେ ମହାସଂଘ ଆସନ୍ତା କାଲି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବୀ କରିବାକୁ ସମୟ ନେଇଛନ୍ତି ଓ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମଧ୍ୟ ଦାବୀ କରିବାକୁ ନିଷ୍ପତି ନେଇଥିବା ମହାସଂଘର ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।