Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ୫୦ ପ୍ରତିଶତ ବୋନସ୍‌

ଭୁବନେଶ୍ଵର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍‌ ମିଳିବ। ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ। ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ। ସେହିପରି କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ incentive ର ବ୍ୟବସ୍ଥା କରାଯାଇଛି। ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଦିଆଯିବ.

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦୁ ପତ୍ର ପ୍ରତି ବିଡା ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। କୋଡିଏ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୧ ଟଙ୍କା ୪୦ ପଇସାରୁ 1 ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଚାଳିଶ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ ସାମୟିକ କର୍ମଚାରୀ ମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି। ସେମାନଙ୍କର T.A. ଓ Cycle Allowance ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। କେନ୍ଦୁପତ୍ର ତୋଳାଳି ମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ। ପୂର୍ବରୁ ଏହି ବୟସ ସୀମା ୬୦ ବର୍ଷ ଥିଲା।

ଘୋଷଣା ଅନୁଯାୟୀ ଆଗାମୀ ଅପ୍ରେଲ ମାସରୁ ଆରମ୍ଭ ହେଉଥିବା ନୂଆ ଫସଲ ଋତୁରେ କେନ୍ଦୁପତ୍ର ତୋଳାଳି ପରିବାରକୁ ଦୁଇଟି ଝିଅ ବାହାଘର ପାଇଁ ସହାୟତା ମିଳିବ। ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ।
5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଆଜି ତାଙ୍କର ସମ୍ବଲପୁର ଜିଲ୍ଲା ଗସ୍ତ ଅବସରରେ ରେଢ଼ାଖୋଲ ସଭାରେ ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ .ଏବଂ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କୀତ video message ବଜାଇ ଶୁଣାଇଥିଲେ

ସୂଚନାଯୋଗ୍ୟ ଯେ କେନ୍ଦୁପତ୍ର ହିତାଧିକାରୀମାନଙ୍କ ମଧ୍ୟରୁ ଶତକଡା ୮୦ ଭାଗ ମହିଳା ଅଟନ୍ତି ଏବଂ ୯୫ ପ୍ରତିଶତରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଅଟନ୍ତି।

କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହିସବୁ ପଦକ୍ଷେପ ଦ୍ବାରା ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏଥିପାଇଁ ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜନଜାତି ମହାସମାବେଶ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟଜିତ ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ l

ଏହି ମହା ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି।

୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଆମେ ଏସଡିସିମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ସାମଗ୍ରିକ ସଂସ୍କୃତିକୁ ଜନଜାତି କଳା ଓ ସଂସ୍କୃତି ସମୃଦ୍ଧ କରିଛି। ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ ବୋଲି ସେ କହିଥିଲେ।

ସେ କହିଥିଲେ ଯେ ୧୧ ହଜାରରୁ ଅଧିକ ପବିତ୍ର ପୁଜସ୍ଥଳିର ସଂରକ୍ଷଣ କରାଯାଇଛି। ଏହା ଏକ ବଡ ଉପଲବ୍ଧି। ଏହା ବ୍ୟତୀତ ବ୍ଲକ ଓ ଜିଲ୍ଲା ସ୍ତରରେ ୬୦୦ ରୁ ଅଧିକ କ୍ରୀଡା ଓ ସଂସ୍କୃତି ଉତ୍ସବର ମଧ୍ୟ ଆୟୋଜନ କରା ଯାଇଛି ବୋଲି ସେ କହିଥିଲେ।
୨୧ଟି ଦ୍ଵି ଭାଷୀକ ଅଭିଧାନ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଓଡ଼ିଶାରେ ଉପସ୍ଥିତ ଥିବା ୧୩ଟି ପିଭିଟିଜି ସମ୍ପ୍ରଦାୟର ଦମ୍ପତିଙ୍କ ସହ ଫଟୋ ଉଠାଇଥିଲେ।

ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ କେନ୍ଦୁଝର ଦେବହୁଡ଼ିର “ହୋ ସମାଜ ସାଗନ ଅକଳାକୁ” ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ୭ଟି ‘ଜାହିରା’କୁ ସାମୁହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ।

ଏହାବ୍ୟତୀତ ମାଲକାନଗିରିର କୋୟା ଆଦିବାସୀ ଦଳ, କନ୍ଧମାଳର କୁଟିଆ କନ୍ଧ ଆଦିବାସୀ ଦଳର ସଦସ୍ୟମାନଙ୍କୁ ବାଦ୍ୟଯନ୍ତ୍ର ଓ ନବରଙ୍ଗପୁରର ଗଣ୍ଡ ଆଦିବାସୀ ଗୋଷ୍ଠୀକୁ ନୃତ୍ୟ ପୋଷାକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ସଚିବ ଏବଂ ୧୧୨ଟି ଟିଏସପି ବ୍ଲକ ସମ୍ପ୍ରଦାୟର ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ଆଧାରରେ ଭାଗିଦାରୀ ଶାସନ ଉପରେ ନିଆଯାଇଥିବା ପଦକ୍ଷେପର ସଂକ୍ଷିପ୍ତ ବିବରଣୀ ମୁଖ୍ୟମନ୍ତ୍ରୀ ‘ମୋ ପରିକଳ୍ପନା’ ରିପୋର୍ଟ ଉନ୍ମୋଚନ କରିଥିଲେ।

ଏହାବ୍ୟତୀତ ରାଜ୍ୟସ୍ତରୀୟ ପ୍ରଶାସନିକ ୟୁନିଟର ଗବେଷଣା ଦଳ ଦ୍ୱାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତକ “Sacred Groves of Tribal Odisha”, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ସମରେନ୍ଦ୍ର ଭୁତିଆଙ୍କ “ସ୍ୱାଧୀନ ସଂଗ୍ରାମରେ ଓଡ଼ିଶାର ଜନଜାତି” ପୁସ୍ତକ, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ୧୭ଟି ଏମଏଲଇ ପ୍ରାଇମର୍ସ ଏବଂ ରାୟଗଡ଼ା ଏସଡିସି ଦ୍ୱାରା ଓଡ଼ିଆରେ ଅନୁବାଦିତ ୨୫ ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଜନଜାତି ଐତିହ୍ୟ ଓ ପରମ୍ପରା ର ସୁରକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଜାତି କଳା ଓ ସଂସ୍କୃତି ପ୍ରତି ଆନ୍ତରିକ ଭଲ ପାଇବା ଓ ନିଷ୍ଠା ଅଛି ବୋଲି ସେ କହିଥିଲେ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ କହିଲେ ଯେ ଭାରତର ଅନେକ ସରକାର ଜନଜାତି ମାନଙ୍କ ପାଇଁ ଅନେକ ସ୍ଵପ୍ନ ଦେଖିଛନ୍ତି। କିନ୍ତୁ ଓଡ଼ିଶାରେ ହିଁ ଜନଜାତି ମାନଙ୍କ ସ୍ଵପ୍ନ ପୂରଣ ହୋଇଛି। ଜନଜାତି ଯୁବକ ମାନେ ଆଜି ବଡ ହେବାର ସ୍ବପ୍ନ ଦେଖିି ପାରୁଛନ୍ତି ଓ ପୂରଣ ମଧ୍ୟ କରୁଛନ୍ତି ।

ସ୍ଵାଗତ ଭାଷଣ ଦେଇ ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋଷନ ସାହୁ କହିଲେ ଯେ ପୂଜା ସ୍ଥଳୀର ସଂରକ୍ଷଣ ସହିତ ପୂଜା ସ୍ଥଳୀକୁ ପଟ୍ଟା ପ୍ରଦାନ କରିବା ର ଉଦାହରଣ ଓଡ଼ିଶା ବ୍ୟତୀତ ଆଉ କେଉଁ ଠାରେ ନାହିଁ। ଜନଜାତିଙ୍କ ଅଧିକାରର ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସବୁଠାରୁ ଆଗରେ ବୋଲି ସେ କହିଥିଲେ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସୂଚନା ଯୋଗ୍ୟ ଯେ ୪୫ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ଥିବା ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରକୁ ୨୦୧୭ରେ ଏସଡିସି ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୩ ମେ ମାସରେ ନୟାଗଡ଼, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଭଳି ଅତିରିକ୍ତ ୧୪ଟି ଜିଲ୍ଲା କୁ ସାମିଲ କରାଯାଇଥିଲା। ବର୍ତ୍ତମାନ ୧୭୫ଟି ବ୍ଲକକୁ ମିଶାଇ ମୋଟ ୨୩ଟି ଜିଲ୍ଲାରେ ୧ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି ।

ଏସଡିସି ଅଧୀନରେ ହୋଇଥିବା ସାଂସ୍କୃତିକ ବିକାଶ କାର୍ଯ୍ୟ ପାଇଁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ବ୍ଲକକୁ ବର୍ଷକୁ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯାଉଛି।

ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଅଞ୍ଚଳର ଜଣେ ବିଶିଷ୍ଟ ଆଦିବାସୀ ସମ୍ପ୍ରଦାୟର ନେତାଙ୍କ ଅଧ୍ୟକ୍ଷତାରେ ବ୍ୟକ୍ତିଗତ ଏସଡିସି ଗଠନ କରାଯାଇଥିବା ବେଳେ ପରିଷଦଗୁଡ଼ିକ ଆଦିବାସୀ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରି “ଜନଜାତି-ସଂସ୍କୃତି-ପ୍ରଗତି” ଶୀର୍ଷକ ରଖିଛନ୍ତି।

ବିରଳ ସଫଳତା:

ବିଗତ କିଛି ବର୍ଷ ମଧ୍ୟରେ ଏସଡିସିମାନେ ଆଦିବାସୀ ସଂସ୍କୃତି ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା, ସଂରକ୍ଷଣ, ପ୍ରୋତ୍ସାହନ ଓ ଡକ୍ୟୁମେଣ୍ଟେସନ୍ ଆଣି ଅନେକ ବିରଳ ସଫଳତା ହାସଲ କରିଛନ୍ତି। ଏଥିରେ ୧୧ ହଜାରରୁ ଅଧିକ ‘ପବୀତ୍ର ପୀଠ’ର ସୁରକ୍ଷା, ୨,୮୩୦ଟି ଆଦିବାସୀ ସାଂସ୍କୃତିକ କ୍ଲବ୍ ନିର୍ମାଣ, ୧,୧୩୩ଟି ଆଦିବାସୀ ହାଟର ଉନ୍ନତି, ୧,୯୩୪ଟି ସଙ୍ଗୀତ ଦଳକୁ ବାଦ୍ୟଯନ୍ତ୍ର ବଣ୍ଟନ, ୧,୩୨୬ଟି ନୃତ୍ୟ ଦଳକୁ ନୃତ୍ୟ ପୋଷାକ ପ୍ରଦାନ, ୯୪୨ଟି ଏସଡିସି ଚାମ୍ପିୟନଙ୍କୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ, କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ପ୍ରାୟ ୨,୮୦୯ଟି ଆଦିବାସୀ ଯୁବ କ୍ଲବ ଏବଂ ୬୦୦ରୁ ଅଧିକ ବ୍ଲକ୍ ଓ ଜିଲ୍ଲା ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ କରାଯାଇଛି ।

ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟରେ ୨୧ଟି ଆଦିବାସୀ ଦ୍ୱିଭାଷିକ ଅଭିଧାନ ପ୍ରଣୟନ ଆକାରରେ ଆଦିବାସୀ ଭାଷାର ପ୍ରଚାର ପ୍ରସାର ଏବଂ ୨୧ଟି ଆଦିବାସୀ ତ୍ରିଭାଷୀ ଦକ୍ଷତା ଅନ୍ତର୍ଭୁକ୍ତ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ୧୪,୯୨୬ ଜଣ ଆଦିବାସୀ ପ୍ରତିନିଧିଙ୍କ ପାଇଁ ଏକ୍ସପୋଜର ଭିଜିଟ ଏବଂ ୩୬,୩୦୯ ଜଣ ଆଦିବାସୀ କାରିଗରଙ୍କୁ ଏସଡିସି କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଛି ।

ଏହି ପ୍ରମୁଖ ଉପଲବ୍ଧି ବ୍ୟତୀତ ଏହି ସବୁ ପଦକ୍ଷେପକୁ ସମ୍ପ୍ରଦାୟର ନିକଟତର ହେବା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବେ ଗୋଷ୍ଠୀ ଜଙ୍ଗଲ ଅଧିକାର ବ୍ୟବସ୍ଥା ଅନୁଯାୟୀ ‘ପବିତ୍ର ପୀଠ’ ପାଇଁ ରେକର୍ଡ ଅଫ୍ ରାଇଟ୍ସ (ROR) ପ୍ରଦାନ କୁ ସୁନିଶ୍ଚିତ କରୁଛି ।

ଆର୍ଥିକ କ୍ଷେତ୍ରରେ ୯ଟି ପୁରୁଣା ଏସଡିସିଙ୍କୁ ଏହାର ପ୍ରତିଷ୍ଠା ତାରିଖଠାରୁ ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ୩୯୭ କୋଟି ଟଙ୍କା ଆବଣ୍ଟନ କରିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ସମସ୍ତ ୨୩ଟି ଏସଡିସି ଜିଲ୍ଲା ପାଇଁ ମୋଟ ୪୦୧.୨୫ କୋଟି ଆବଣ୍ଟନ କରାଯାଇଛି । ରାଜ୍ୟ ସରକାର ଏହାର ପ୍ରତିଷ୍ଠା ଦିନରୁ ଏପର୍ଯ୍ୟନ୍ତ ଏସଡିସିମାନଙ୍କୁ ମୋଟ ୭୯୮.୨୫ କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ବଢିଲା ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତ୍ତା, ଏଣିକି ମିଳିବ ୧୦୦୦ ରୁ ୧୪୦୦ ଟଙ୍କା

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ।

ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବୃଆରୀ ମାସର ପେନସନ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକ ମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଛନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟକୃତ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, transgender, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି।

ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।

ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କୁ ଚେନ୍ନାଇ ଡାକ୍ତରଖାନାରେ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାତିରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚେନ୍ନାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ତାଙ୍କର ସ୍ବାସ୍ଥ୍ୟ ସଂପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ।

ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଅବସ୍ଥା ଭଲ ନାହିଁ। ଡାକ୍ତରମାନେ କହୁଛନ୍ତି ଯେ, ସେ ଗୁରୁତର ଅଛନ୍ତି। ତେବେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି ସୁଜ୍ଞାନ ଦେଓଙ୍କୁ ଦେଖିବା ପାଇଁ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଉଷା ଦେବୀ, ସଂଗଠନ ସଂପାଦକ ପ୍ରଣବ ଦାସ ପ୍ରମୁଖ ଯାଇଛନ୍ତି।

Categories
ଆଜିର ଖବର ବ୍ୟକ୍ତିତ୍ୱ ବ୍ୟବସାୟ ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ସନ୍ତୃପ୍ତ ମିଶ୍ର

ଭୁବନେଶ୍ବର: ଆଜି ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ ମିଶ୍ର। ସେ ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପର ସିଇଓ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ସଂଗଠନ ସଂପାଦକ ପ୍ରଣବ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେଡିରେ ସାମିଲ କରାଇଥିଲେ।

ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ ଦେବ, ବିଜେଡି ଉପସଭାପତି ଦେବୀ ମିଶ୍ର, ପ୍ରତାପ ଜେନା, ଦେବାଶୀଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସନ୍ତୃପ୍ତ ମିଶ୍ରଙ୍କ ଦଳରେ ଯୋଗଦାନ ନିଶ୍ଚିତ ସହାଯ୍ୟ କରିବ। ତାଙ୍କର କରର୍ପୋରେଟ ଜଗତରେ ଯେଉଁ ଅଭିଜ୍ଞତା ରହିଛି ତାହା ରାଜ୍ୟର ଉନ୍ନତିରେ ନିଶ୍ଚିତ ସାହାର୍ଯ୍ୟ କରିବ।

ସେ ସିଇଓ ପଦବୀରୁ ଇସ୍ତଫା ଦେବା ପରେ ରାଜନୀତିରେ ମିଶିବେ ବୋଲି କଳ୍ପନାଜଳ୍ପନା ଲାଗିରହିଥିଲା। ବର୍ତ୍ତମାନ ବିଜେଡିରେ ମିଶିବା ପରେ ସେ ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ବରରେ ଉଦଘାଟିତ ହେଲା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ଧାରୁଆଠାରେ ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ କ୍ୟାମ୍ପସର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୧ ସେପ୍ଟମ୍ବର ୫ ତାରିଖ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ସ୍ଥାପନ କରିଥିଲେ। ଉଦ୍‌ଘାଟିତ ହୋଇଥିବା ୨୫ ଏକର ପରିମିତ ନୂତନ କ୍ୟାମ୍ପସରେ ସିବିଏସସି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ଆକାଡେମିକ୍‌ ବ୍ଲକ, ପ୍ରତ୍ୟେକ ୫୪୪ କ୍ଷମତା ବିଶିଷ୍ଟ ୨ଟି ଛାତ୍ରାବାସ ଓ ଛାତ୍ରୀନିବାସ, ସେଣ୍ଟ୍ରାଲ କିଚେନ ଓ ଡାଇନିଙ୍ଗ ବ୍ୟବସ୍ଥା, ଷ୍ଟାଫ କ୍ୱାର୍ଟର୍ସ, ଡର୍ମିଟୋରୀ ଏବଂ ପାର୍କିଂ ଓ ବଗିଚା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଏହାର ନିର୍ମାଣ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି।

ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟର ଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରହିବା ସହିତ ଅତ୍ୟାଧୁନିକ କ୍ଲାସ ରୁମ, ଆଇସିଟି ଲ୍ୟାବ,ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଦକ୍ଷତା ବିକାଶର ବ୍ୟବସ୍ଥା କରାଯାଇଛି।

ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସସି ଢାଞ୍ଚାରେ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ମୁଖ୍ୟମନ୍ତ୍ରୀଙ୍କର ଏକ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୩୧୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି।

ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ଏହି ଆଇକନିକ୍‌ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଂଜିନିଅରିଂ, ଆଇନ ପାଠ୍ୟକ୍ରମ ଏବଂ ସେନା ବାହିନୀରେ ଯୋଗଦେବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗିତାର କୋଚିଂ ବ୍ୟବସ୍ଥା କରାଯାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ମେଣ୍ଟ ହେବ କି ? ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ କାଳରେ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାରକୁ ସମାଲୋଚନା କରିବା ପରିବର୍ତ୍ତେ ଏହାର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ଓଡ଼ିଶାରେ ବିଜଦ ଓ ଭାଜପା ମଧ୍ୟରେ ପୁଣିଥରେ ମେଣ୍ଟ ହୋଇଗଲା କି ବୋଲି ପ୍ରଶ୍ନ ପଚରା ଯାଇଛି। ଏଭଳି ଖବର ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପର ନବଭାରତ ଟାଇମ୍ସରେ ପ୍ରମୁଖ ଖବର ପାଲଟିବା ସହିତ ଟ୍ରେଣ୍ଡ୍‍ ହେବାରେ ଲାଗିଛି।

ଏହି ଖବରକାଗଜରେ ଯାହା ପ୍ରକାଶ ପାଇଛି ତାହା ହେଉଛି ଏପରି। ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦ୍‍ଘାଟନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ଦିନ ଓଡ଼ିଶା ଆସିଥିଲେ। ମୋଦିଙ୍କର ଏହି ଗସ୍ତକାଳରେ ଆଶା କରାଯାଉଥିଲା ଯେ ସେ ଦଳୀୟ କର୍ମୀଙ୍କର ମନୋବଳକୁ ବଢ଼ାଇବା ପାଇଁ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାର ଓ ତା’ର ମୁଖିଆଙ୍କୁ କଡ଼ା ସମାଲୋଚନା କରିବେ।

କିନ୍ତୁ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସାର୍ବଜନୀନ ଅଭିଭାଷଣରେ ବିଜଦକୁ ଟାର୍ଗେଟ କରିବାରୁ ମଧ୍ୟ ଦୂରେଇ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏଭଳି ଆଭିମୁଖ୍ୟ ନିର୍ବାଚନ ପୂର୍ବରୁ ବିଜଦ-ଭାଜପା ମଧ୍ୟରେ ପୁଣିଥରେ ନିର୍ବାଚନୀ ମେଣ୍ଟ ହୋଇଗଲା କି ବୋଲି ଆଲୋଚନା ହେଉଥିବା ଏହି ଖବରକାଗଜର ପ୍ରମୁଖ ଖବର ହୋଇଛି।

ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଉଦ୍‍ଘାଟନୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଜୀ, ମୁଖ୍ୟମନ୍ତ୍ରୀ ଏବଂ ମୋର ବନ୍ଧୁ ନବୀନ ପଟ୍ଟନାୟକ ଜୀ ବୋଲି ତାଙ୍କ ସମ୍ବୋଧନରେ ପ୍ରକାଶ କରିଥିଲେ।

କେବଳ ସେତିକି ନୁହେଁ ବିଜଦ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ଭାରତକୁ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିଥିବାରୁ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକ ନୂଆ ଦିଗ ସ୍ଥିର କରିଛନ୍ତି ଏବଂ ଆମେ ଏକ ଅର୍ଥନୈତିକ ମହାଶକ୍ତି ହେବାର ପଥରେ ଭଲ ଭାବରେ ଗତି କରୁଛୁ ବୋଲି ନବୀନ ପଟ୍ଟନାୟକ କହିଥିବା ପ୍ରକାଶ ପାଇଛି।

ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ ଉଦ୍‍ଘାଟନ ପରେ ସମ୍ବଲପୁର ରିମେଡ ମଇଦାନରେ ଏକ ପ୍ରାକ୍ ନିର୍ବାଚନୀ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ନବୀନ ପଟ୍ଟନାୟକ ଓ ତାଙ୍କ ବିଜଦ ଉପରେ ଚୁପ୍ ରହିଥିଲେ। ବରଂ ୩୫ ମିନିଟର ସାର୍ବଜନୀନ ଅଭିଭାଷଣରେ ମୋଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ସଫଳତା ଓ ଯୋଜନା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଗରିବ, କୃଷକ ଓ ମହିଳାଙ୍କ ସମେତ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ବୋଲି କହିଥିଲେ।

ମୋଦିଙ୍କ ଗସ୍ତ ପୂର୍ବରୁ ସମସ୍ତଙ୍କ ନଜର ତାଙ୍କ ସାର୍ବଜନୀନ ଅଭିଭାଷଣ ଉପରେ ରହିଥିଲା, କାରଣ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ନିର୍ବାଚନ ପୂର୍ବରୁ ବିଜଦ ବିରୋଧରେ ଦଳର ଆଭିମୁଖ୍ୟ ପାଇଁ ଦିଗ ନିର୍ଦ୍ଧାରଣ କରିବ ବୋଲି ଦଳର ରାଜ୍ୟ ନେତାମାନେ ଆଶା ବ୍ୟକ୍ତ କରିଥିଲେ। ଯଦିଓ ରାଜ୍ୟ ବିଜେପି ନେତାମାନେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି, ତଥାପି ଦଳର କେନ୍ଦ୍ରୀୟ ନେତାମାନେ ତାଙ୍କ ପ୍ରତି ନରମ ମନୋଭାବ ପୋଷଣ କରି ଆସୁଛନ୍ତି।

ସାମ୍ପ୍ରତିକ ସମୟରେ ନବୀନ ପଟ୍ଟନାୟକ ଅନେକ ବିବାଦୀୟ ଆଇନ, ରାଷ୍ଟ୍ରପତି ନିର୍ବାଚନ, ନୀତିକୁ ଅନୁମୋଦନ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରିଥିବାରୁ ରାଜନୈତିକ ଗତିବିଧି ଗୁରୁତ୍ୱପୂର୍ଣ୍ଣ। ଏହାବ୍ୟତୀତ ସେ ମୋଦି ସରକାରଙ୍କୁ ୧୦ରୁ ୮ ରେଟିଂ ମଧ୍ୟ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟ ଓଡ଼ିଶାରେ ବିଜଦ-ଭାଜପାର ଘନିଷ୍ଠତାକୁ ନେଇ କ୍ରମାଗତ କଳ୍ପନାଜଳ୍ପନା ସୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଦୁଇ ଦଳ ମେଣ୍ଟ ସରକାର କରିଛନ୍ତି।

ଓଡ଼ିଶା ତା’ର ଅଧିକାର ହରେଇବା ଓ ରାଜ୍ୟର ବିକାଶରେ ବାଧା ସୃଷ୍ଟି ଦିଗରେ କଂଗ୍ରେସ ପାପ କରିଛି ବୋଲି ମୋଦି କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିବା ଅଭିଯୋଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ମୋଦି। ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ହିଁ ସ୍ୱୀକୃତି ଦେଇ ରାଷ୍ଟ୍ରପତି କରିଛି। କିନ୍ତୁ କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ତାଙ୍କ ବିରୋଧରେ ଯଥାସମ୍ଭବ ଚେଷ୍ଟା କରିବା ସହ ତାଙ୍କୁ ଅପମାନିତ ମଧ୍ୟ କରିଥିଲେ ମୋଦିଙ୍କ ବକ୍ତବ୍ୟ ଖବର କାଗଜରେ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବିଧାନସଭାରେ ଭାଷା ଆଇନ ପୁସ୍ତକ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନ ସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୯୪୮ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନା ଠାରୁ ଆରମ୍ଭ କରି ୧୯୫୪ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ ୨୦୧୮ ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ଯ ଏହି ପୁସ୍ତକ ରେ ସ୍ଥାନିତ ହୋଇଅଛି।

ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ। ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ରେ ଏ କ୍ଷେତ୍ର ରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତର ରେ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ଏହା ଦ୍ଵାରା ସମସ୍ତ ଭାଷାଭାଷୀ ଅଞ୍ଚଳ ଗୋଟିଏ ସୁତ୍ରରେ ରେ ବାନ୍ଧି ହୋଇ ଓଡ଼ିଶା ର ବିକାଶ ରେ ଭାଗିଦାରୀ ହେବେ ବୋଲି ସେ ଆଶା ରଖିଛନ୍ତି।

ପୁସ୍ତକ ଟି ଭାଷା ଆନ୍ଦୋଳନ ର ଆବାହକ ପବିତ୍ର ମହରଥା ଙ୍କ ଦ୍ଵାରା ସମ୍ପାଦିତ ଓ ଶବ୍ଦସ୍ପର୍ଶ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି।

Categories
ଆଞ୍ଚଳିକ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉଦଘାଟିତ: ସମ୍ବର୍ଦ୍ଧିତ ହେଲେ ବାଣପୁର ମଣ୍ଡଳର ସମସ୍ତ କବି ଓ ଲେଖକ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଆମ ଓଡ଼ିଶା ର ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିବା ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଆମ ପ୍ରିୟ ମାତୃଭାଷା ଓଡ଼ିଆ ଭାଷାର “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ” ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅକ୍ଷର ଧାମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନନ୍ଦ ଉଲ୍ଲାସର ସହିତ ଉଦ୍‌ଘାଟିତ ହୋଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ତଥା ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ଥ କବି, ଗାଳ୍ପିକ, ଗୀତିକାର, ନାଟ୍ୟକାର, ସ୍ତମ୍ବକାର, ପ୍ରାବନ୍ଧିକ, ଗବେଷକଙ୍କୁ ବାଣପୁର ମଣ୍ଡଳ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି।

ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହର ପ୍ରାରମ୍ଭରେ ପ୍ରଥମେ ଉତ୍କଳର ଜାତୀୟ ସଂଗୀତ “ବନ୍ଦେ ଉତ୍କଳଜନନୀ “ସାମୁହିକ ଭାବେ ଗାନକରାଯାଇଥିଲା। ପରେ ଶ୍ରୀମତୀ ଅଗ୍ରୱାଲ ସମାରୋହର ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରି ଆଜିର ଦିବସକୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ଭାବରେ ବର୍ଣ୍ଣନା କରି ଓଡ଼ିଆସାହିତ୍ୟ ଭଣ୍ଡାର କୁ ରୁଦ୍ଧିମନ୍ତ କରିଥିବା ବାଣପୁର ମାଟିର ସେହି ସାରସ୍ଵତ ପ୍ରତିଭାଧରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବାଣପୁର ମାଟିରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଘୋଷଣା କରି ସମସ୍ଥ ସାହିତ୍ୟକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ “ଭାଷା ହିଁ ଭବିଷ୍ୟତ” ଉପରେ ଆଲୋଚନା କରାଯାଇ ଏ ମାଟିରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀନକାବ୍ୟ “ସର୍ବାଙ୍ଗ ସୁନ୍ଦରୀ'”ର ପ୍ରଖ୍ୟାତ କବି ପାତ୍ରଲୋକନାଥ ବିଦ୍ୟାଧର, କବି ରଘୁନାଥ ହରିଚନ୍ଦନ,କବିଗୌରଚନ୍ଦ୍ର ମାନସିଂହ, ଦାଶରଥି କବିଚ଼ନ୍ଦ୍ରଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାର କବି ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପର୍ଶୁରାମହରିଚନ୍ଦନଙ୍କ ସମେତ ଅନେକ ସାରସ୍ଵତ ପ୍ରତିଭାଧରଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ଭାଷା ସାହିତ୍ୟକୁ ଚ଼ିର ଉଜ୍ବଳ କରୁଥିବ ବୋଲି ବର୍ଣ୍ଣନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ସାଧୁ ପ୍ରୟାସ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ କବି ଶିବମିଶ୍ର, ସଂଗ୍ରାମ କେଶରୀ ସାହୁ, ଆନନ୍ଦ ଚନ୍ଦ୍ର ସେନାପତି, ରଂକନାଥ ସେଠୀ ରମେଶ ମହାପାତ୍ର ଓ ମପ୍ରକାଶ ଅଗ୍ରୱାଲ, ଡ଼ା ସୁରେନ୍ଦ୍ର ଦାସ, ଶେଷ ଦେବ ମହାରଣା, ଲକ୍ଷ୍ମୀପ୍ରସାଦ ମିଶ୍ର, ସର୍ବେଶ୍ଵର ଷଡ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ, କବୟତ୍ରୀ ଶ୍ରୀମତୀ କୃଷ୍ଣା ମିଶ୍ର, ସ୍ତମ୍ବକାର ନୃସିଂହ ପ୍ରସାଦ ମିଶ୍ର, ପ୍ରଦୋଷ କୁମାର ଦାସ, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ମହେଶ୍ୱର ଜେନା, ଗାଳ୍ପିକ ରାମଚ଼ନ୍ଦ୍ର ସେଠୀ, ରାଜେନ୍ଦ୍ର ପ୍ରସାଦ ରଥ ଓ ଗୀତିକାର ସୁରେଶ ଚନ୍ଦ୍ର ବିଗ୍ରହଙ୍କୁ ଉପଢ଼ୌକନ ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଚ଼ିଲିକା ସାହିତ୍ୟ ସମାଜ ତରଫରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବାକୁବାଣପୁରରେ ଏକ ପୁସ୍ତକମେଳାର ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ଷର ଭୂମି।

ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ। ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ।

କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି ଅକ୍ଷର ଭୂମିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡିଆ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ ଯେପରି କଳାତ୍ମକ ଭାବେ ସେଠାରେ ସଜ୍ଜିତ କରି ରଖାଯାଇଛି ତାହା ଓଡିଆ ଭାଷାର ସୌନ୍ଦର୍ଯ୍ୟକୁ ସଫଳ ଭାବେ ଉପସ୍ଥାପିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେବା ସହ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି।

ଅକ୍ଷର ଭୂମିର ନିର୍ମାଣ ଦାୟିତ୍ୱ ନେଇଥିବା ଏବଂ ତାକୁ ସଫଳ ଭାବେ ସମ୍ପନ୍ନ କରିଥିବା ପୂର୍ତ୍ତ ବିଭାଗକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ବିରୋଧରେ ମୋଦି କହିବେ କି ନାହିଁ ! ଚିନ୍ତାରେ ରାଜ୍ୟ ବିଜେପି ନେତା

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଏକ ସରକାରୀ ଗସ୍ତ ହୋଇଥିଲେ ମଧ୍ୟ ସେ ସମ୍ବଲପୁରରେ ଏକ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଯାହା ସଂପୂର୍ଣ୍ଣ ଦଳିୟ କାର୍ଯ୍ୟକ୍ରମ। ସେଥିପାଇଁ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପୁରା ଟିମ ବର୍ତ୍ତମାନ ସମ୍ବଲପୁରରେ ଡେରା ପକାଇଛନ୍ତି।

ମୋଦି ଏହି ଗସ୍ତରେ ଓଡିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବଚନ ପ୍ରଚାରର ମୂଳଦୂଆ ପକାଇବେ। ଅନ୍ୟପକ୍ଷରେ ସମ୍ବଲପୁରର ଲୋକସଭା ପାଇଁ ପ୍ରାର୍ଥୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ମୋଦି ଟିକିଏ ଅଧିକ ପ୍ରଚାର କରିବେ ବୋଲି ଦଳୀୟ କର୍ମି ବେଶ ଆଶା ପ୍ରକଟ କରିଛନ୍ତି। ସେହିପରି ମୋଦିଙ୍କ ଏହି ଗସ୍ତରେ ଧର୍ମେନ୍ଦ୍ର ମଧ୍ୟ ବହୁ ବଡ ଆଶା କରି ରହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ, ମୋଦି ସମ୍ବଲପୁରର ସାଧାରଣ ସଭାରେ ନବୀନ ପଟ୍ଟନାୟକଙ୍କୁ ହଟାଅ ବୋଲି କହିବେ କି? ସେ ରାଜ୍ୟ ସରକାରଙ୍କ ବିଫଳତା ନେଇ ଭାଷଣ ଦେବେ କି ? ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଚାଲିଛି ଚର୍ଚ୍ଚା। ଏପରିକି ଦଳୀୟ ନେତାମାନେ ମଧ୍ୟ ମୋଦି କଣ କହିବେ ସେ ନେଇ ସନ୍ଦେହରେ ରହିଛନ୍ତି। ଯଦି ସେ ବିଜେଡି ସରକାର ବିରୋଧରେ କିଛି ନ କୁହନ୍ତି ତେବେ କଣ ହେବ ସେ ନେଇ ସେମାନେ ଏକ ଚିନ୍ତାଜନକ ସ୍ଥିତିରେ ଅଛନ୍ତି।

କାରଣ ବର୍ତ୍ତମାନ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯେଉଁ ସଂପର୍କ ରହିଛି ସେଥିରେ ସେ ଏହା କହିବେ ତାହା ବିଶ୍ବାସ କରି ହେଉ ନାହିଁ। କେନ୍ଦ୍ର ସରକାରଙ୍କୁ ସବୁବେଳେ ନବୀନ ସହଯୋଗ ଦେଇ ଆସିଛନ୍ତି। ବିଭିନ୍ନ ଅସମୟରେ ସେ ବିଜେପି ସରକାରଙ୍କୁ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ମୋଦି ମଧ୍ୟ ଓଡିଶା ସରକାରଙ୍କୁ ବେଶ ସହଯୋଗ ମଧ୍ୟ କରି ଆସୁଛନ୍ତି।

ତେବେ ମୋଦିଙ୍କ ସମ୍ବଲପୁର ଗସ୍ତ ଧର୍ମେନ୍ଦ୍ରଙ୍କ ପାଇଁ ଏକ ଅଗ୍ନୀ ପରୀକ୍ଷା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଯଦି ସମ୍ବଲପୁର ଦଳିୟ ସଭାରେ ମୋଦି ବିଜେଡି ସରକାର ଏବଂ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ନ କହିବେ ତେବେ କଥା ସରିଲା। ଏହା ନିଶ୍ଚିତ ଭାବେ ଧର୍ମେନ୍ଦ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। ମୋଦିଙ୍କୁ ସମ୍ବଲପୁର ଗସ୍ତକୁ ନେଇ ଧର୍ମେନ୍ଦ୍ର ଯେଉଁ ବଡ ଆଶା କରିଛନ୍ତି ତାହା ସଂପୂର୍ଣ୍ଣ ଫସର ଫାଟିଯିବ।

Categories
ଆଜିର ଖବର

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କଲେ ନବୀନ ପଟ୍ଟନାୟକ, ୪ଟି ଜିଲ୍ଲାକୁ ଶ୍ରେଷ୍ଠ ସମ୍ମାନ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀ, ଜିଲ୍ଲା, ବ୍ଲକ ସମସ୍ତଙ୍କ ଅବଦାନ ପାଇଁ ମିଳିଛି “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।

ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଦୁଇଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୬ଟି ବିଭାଗରେ ୭୫୧୯ ଟି ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।

ବ୍ୟକ୍ତିଗତ ପୁରସ୍କାର (ମାଧ୍ୟମିକ) ବର୍ଗରେ ମାଟ୍ରିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ମେଧାବୀ ଛାତ୍ରଛାତ୍ରୀ, ୭୦୦ ଶିକ୍ଷକ ଶିକ୍ଷୟତ୍ରୀ, ୪୧୯ ଜଣ ପ୍ରଧାନ ଶିକ୍ଷକ, ୫୮ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ୧୦ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର ପାଇଛନ୍ତି।

ସେହିପରି ବ୍ୟକ୍ତିଗତ ପୁରସ୍କାର (ପ୍ରାଥମିକ) ବର୍ଗରେ ୩୫୦ ଜଣ ପ୍ରଧାନ ଶିକ୍ଷକ ଓ ୩୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପୁରସ୍କାର ପାଇଛନ୍ତି। ସେହିପରି ଆନୁଷ୍ଠାନିକ (ମାଧ୍ୟମିକ) ବର୍ଗରେ ୪ଟି ଜିଲ୍ଲା, ୧୦ଟି ବ୍ଲକ, ୧୦୫୭ଟି ସ୍କୁଲ, ୪୧୯ଟି ବିଦ୍ୟାଳୟ ପରିଚାଳନା କମିଟି, ୪୧୯ଟି ପୁରାତନ ଛାତ୍ର କମିଟି, ୪୧୪ଟି ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଛନ୍ତି।

ସେହିପରି ଆନୁଷ୍ଠାନିକ (ପ୍ରାଥମିକ) ବର୍ଗରେ ୧୩୦୭ଟି ବିଦ୍ୟାଳୟ ପୁରସ୍କାର ପାଇଛନ୍ତି। ଏହା ବ୍ୟତିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବର୍ଗରେ ୩ଟି ଆନୁଷ୍ଠାନିକ ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ସହ ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ପଞ୍ଚାୟତରାଜ ପାନୀୟ ଜଳ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟମାନଙ୍କୁ ଉଦ୍‌ବୋଧନ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ କହିଲେ ଯେ କୋଭିଡ ସମୟରୁ ପିଲାଙ୍କ ପାଠପଢାର ଅସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀ ଅନଲାଇନ ଜରିଆରେ ପାଠପଢାର ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା 5T ହାଇସ୍କୁଲ ରୂପାନ୍ତର। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର ସ୍କୁଲର ରୂପାନ୍ତର ହୋଇସାରିଛି।

ସେ କହିଲେ ଯେ ହାଇସ୍କୁଲ ରୂପାନ୍ତର ଟିମ୍‌ ୱାର୍କର ଅନନ୍ୟ ଉଦାହରଣ। ପୁରାତନ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ପ୍ରଶାସନ ସମସ୍ତେ ଏକ ଟିମ୍‌ ଭଳି କାମ କରିଛନ୍ତି। ଆପଣମାନେ ସମସ୍ତେ ଓଡିଶାର ବିକାଶର ଗୋଟିଏ ଗୋଟିଏ ସ୍ତମ୍ବ। ଆପଣମାନେ ପିଲାଙ୍କ ଭିତରେ ରୂପାନ୍ତରଣର ବୀଜ ବପନ କରିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହା ଦ୍ୱାରା ଆଜି ପିଲାଙ୍କ ଉତ୍ସାହ ବଢିଛି। ଆଜିର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷା ପରିବେଶ ସହିତ ଜଡିତ ସମସ୍ତଙ୍କ ଉତ୍ସାହ, ମନୋବଳ ବୃଦ୍ଧି କରିଛି। ପିଲାଙ୍କ ସ୍ୱପ୍ନକୁ ଅଧିକ ଉଚ୍ଚ କରିବା ଏବଂ ପୂରଣ କରିବାର ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ଦିଗରେ ଏହି ପୁରସ୍କାର ସହାୟକ ହେବ। ଓଡିଶାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆସିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଦିଗରେ ଆଜି ସମସ୍ତେ ଜଣେ ଜଣେ ଚମ୍ପିଅନ ହୋଇପାରିଛନ୍ତି ବୋଲି ସେ କହିଥିଲେ। ମାଧ୍ୟମିକ ସ୍କୁଲ ସହିତ ଉଚ୍ଚ ମାଧ୍ୟମିକ ଓ କଲେଜର ମଧ୍ୟ ରୂପାନ୍ତରଣ ଚାଲିଛି। ଖୁବ୍‌ ଶୀଘ୍ର ଏହି ଅନୁଷ୍ଠାନ ଗୁଡିକ ଲୋକାର୍ପିତ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି। ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଆଜି ଏହି ବ୍ୟବସ୍ଥାରେ ଆଉ ୩ଟି ଜିଲ୍ଲା ଯୋଡି ହେଲା।

ଆଜିର ଶୁଭାରମ୍ଭ ପରେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌ ଚାଲିବ। ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌ ଚାଲିବ ଏବଂ ୩ ଲକ୍ଷ ଲୋକ ଉପକୃତ ହେବେ। ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍‌ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ୍‌ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ।

ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ବୋଲି ସେ କହିଥିଲେ।

ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ସେ କହିଥିଲେ ଯେ ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରାଗଲା । ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ।

ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଦେବଗଡଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ଢେଙ୍କାନାଳରେ ଉପସ୍ଥିତ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଗାଁର ଲୋକମାନେ ସହରର ସୁବିଧା ପାଉଛନ୍ତି। ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳର ଜନଜୀବନକୁ ସୁଗମ କରିଛି। ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କହିଲେ ଯେ ଲକ୍ଷ୍ମୀ ବସ୍‌ ହେଉଛି ଲୋକଙ୍କ ସମ୍ପତ୍ତି। ଆପଣଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ ବସ୍‌ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଢେଙ୍କାନାଳରେ ବିଧାୟକ ଶ୍ରୀ ସୁଧିର କୁମାର ସାମଲ, ଅନୁଗୋଳରେ ବିଧାୟକ ଶ୍ରୀ ରଜନିକାନ୍ତ ସିଂ, ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଏବଂ ଦେବଗଡରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ କୌଶିକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ସେମାନଙ୍କର ଅଭିଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ବାଧିନତା ସଂଗ୍ରାମୀ ନୀଳମଣିଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ଵର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନ ର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ବୟସରେ ସ୍ବାଧିନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ବାଧିନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ।

ସ୍ବାଧିନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ସେ କହିଛନ୍ତି।

ସ୍ବର୍ଗତ ନାୟକଙ୍କ ଶେଷ କୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବରପୁତ୍ରଙ୍କୁ ପ୍ରଣାମ ଜଣାଇ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ।

ସେ କହିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ୍‌ ଉଦ୍‌ଘାଟିତ ହେଲା। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି ଏବଂ ଫେବୃଆରୀ ୩ ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଗୌରବର ସମୟ, ଅସ୍ମିତାର ସମୟ।

ଏହି ଅବସରରେ ବିଶ୍ବ ବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ, ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସଂସ୍କୃତି, ଆମ ଜୀବନଧାରା, ଆମ ପରମ୍ପରାକୁ ଭିତ୍ତି କରି ଭଲ ଭଲ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଦରକାର। ଏ ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସତ୍ୟବାଦୀକୁ ଓଡିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ସେ କହିଲେ ଯେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ହେଉଛି ସତ୍ୟବାଦୀ।

ଏହି ଅବସରରେ ସେ ଆଦି କବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କୁ ସେ ତାଙ୍କର ସମ୍ମାନ ଜଣାଇ ଥିଲେ । ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀ ମାନଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ତା’ର ଭାଷା। ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ।

ସେ ପୁଣି କହିଲେ ଯେ ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି। ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଦରକାର। ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଦରକାର। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଦରକାର ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ଓଡିଆ ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏକ ବଡ ଅବଦାନ । ଓଡିଆ ବିଶ୍ବବିଦ୍ୟାଳୟ ଯୋଗୁ ଓଡିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ଦେଶ ବିଦେଶରେ ରହୁଥିବା ଓଡିଆ ମାନେ ଖୁବ ଉତ୍ସାହିତ ବୋଲି ସେ କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, କୁଳପତି ପ୍ରଫେସର ସବିତା ପ୍ରଧାନ ପ୍ରମୁଖ ସେମାନଙ୍କ ଅଭିଭାଷଣ ଦେଇଥିଲେ। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିଲେ ଏବଂ କୁଳସଚିବ ରଶ୍ମୀରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଯୋଗ୍ୟ ଯେ ସତ୍ୟବାଦୀ ଠାରେ ୨୦୧୮ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵ ବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି।

ପ୍ରଶାସନିକ ବିଲ୍ଡିଂ ରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ଅତୀବ ମନୋରମ ପରିଦୃଶ୍ୟ ହେଉଛି। ଏଥିରେ ସ୍କୁଲ ଅଫ ଲର୍ଣିଂ, ଗ୍ରନ୍ଥାଗାର, ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏ ସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଅପରାହ୍ନରେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା ୫୦ରେ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସେ ବ୍ୟାଟିର ଗାଡିରେ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିବେ।

ଗତ 17 ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ କରିଥିଲେ। ଏହାପରେ ସେ ଆଜି ପୁଣି ଥରେ ଏହି ପ୍ରକଳ୍ପ ଦେଖିବା ସହିତ ଜଗନ୍ନାଥ ପ୍ରଦର୍ଶନୀ ବୁଲିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବଦଳି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରବିବାର ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ- ୧୬ ନିକଟରେ ଆରମ୍ଭ ହୋଇଥିବା ନୂଆ ହସ୍ପିଟାଲରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ବ୍ୟବସ୍ଥା ରହିଛି ।
ମୁଖ୍ୟମନ୍ତ୍ରୀ ହସ୍ପିଟାଲ କ୍ୟାମ୍ପସ୍‌ରେ ପଂହଚିବା ପରେ ତାଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର )ମନୋଜରଂଜନ ନାୟକ ସ୍ୱାଗତ କରିଥିଲେ । ହସ୍ପିଟାଲଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରଖାନା ପରିସରରେ ଉପଲବ୍ଧ ଥିବା ସୁବିଧା ଗୁଡିକକୁ ବୁଲି ଦେଖିଥିଲେ । ଏହି ଅବସରରେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ୍ , ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁରେଶ କୁମାର ମହାପାତ୍ର, ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏବଂ ପୂର୍ବତନ କୁଳପତି ତଥା ପ୍ରମୁଖ ଉପଦେଷ୍ଟା ( ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ଏହି ନୂତନ ହସ୍ପିଟାଲ ରାଜ୍ୟ ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଂଟ ହେବାର ଲକ୍ଷ୍ୟ ରଖିଛି ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।
ଦୀର୍ଘ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଏବେ ଓଡ଼ିଶା ତଥା ପୂର୍ବାଂଚଳ ରାଜ୍ୟଗୁଡ଼ିକର ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଫୁଲନଖରା ଠାରେ ଉଦ୍‌ଘାଟିତ ଏହି ନୂତନ ହସ୍ପିଟାଲରେ ବର୍ତମାନ ୭୫୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇ ୩୦୦୦ ହେବ ।
ଏହି ନୂତନ ଡାକ୍ତରଖାନାରେ ଜେନେରାଲ୍ ମେଡିସିନ୍‌, ରେସ୍‌ପିରେଟୋରୀ ମେଡିସିନ୍‌, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍‌, ସାଇକିଆଟ୍ରି, ଆନେସ୍‌ଥେସିଓଲୋଜି, ରେଡିଓ-ଡାଏଗ୍ନୋସିସ୍‌, ଇମର୍ଜେନ୍ସି ମେଡିସିନ୍‌, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍‌, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର୍ ମେଡିସିନ୍‌, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବ୍‌ଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍‌ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଇତ୍ୟାଦି ବିଭାଗ ରହିବ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଡାକ୍ତରମାନେ ଓ ନୂତନ ଭାବେ ନିଯୁକ୍ତ ଡାକ୍ତର ମାନେ ଫୁଲନଖରା ଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ । ଏଠାରେ ୨୪ ଘଂଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ
ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ହେବ । ସୁଲଭ ମୂଲ୍ୟରେ ଏଠାରେ ଉତମ ମାନର ସ୍ପେଶିଆଲିଷ୍ଟ୍ ଓ ସୁପର ସ୍ପେଶିଆଲିଷ୍ଟ୍ ଚିକିତ୍ସା ସୁବିଧା ରୋଗୀମାନଙ୍କୁ ପ୍ରଦାନ କରାଯିବ ।

ଏଠାରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ଯନ୍ତ୍ରପାତି ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଂଚିବାରେ ସୁବିଧା ହେବ । ଖୁବ୍ ଶୀଘ୍ର ଦ୍ୱିତୀୟ କ୍ୟାମ୍ପସ୍ ରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରାଯିବାର ମଧ୍ୟ ଯୋଜନା ରହିଛି ।

ପ୍ରଫେସର ନନ୍ଦ କହିଥିଲେ ଯେ ଚଳିତ ମାସ ଶେଷ ସୁଦ୍ଧା ସମ୍ ହସ୍ପିଟାଲ ର ଅନ୍ୟଏକ କ୍ୟାମ୍ପସ୍ ଗଞ୍ଜାମ ଜିଲ୍ଲାର ଶିତଳାପଲ୍ଲୀ ଠାରେ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବାର ଯୋଜନା ରହିଛି । ୩୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ସମସ୍ତ ଆବଶ୍ୟକୀୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ନିମନ୍ତେ ଭିତିଭୂମି ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।
ଏହି ତିନୋଟି ହସ୍ପିଟାଲରେ ରାଜ୍ୟସରକାର ଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ଉପଲବ୍ଧ ଏବଂ ତିନୋଟି ହସ୍ପିଟାଲ ଲୋକମାନଙ୍କୁ ଉତମମାନ ର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ, ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଫୁଲନଖରା କ୍ୟାମ୍ଫସ୍ ର ନୂତନ ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା ଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

୨୦୦୫ ମସିହାରେ ଆରମ୍ଭ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପ୍ରତ୍ୟେକ ବର୍ଷ ଏମ୍‌ବିଏସ୍‌ଏସ୍ ପାଠ୍ୟକ୍ରମରେ ୨୫୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହସ୍ପିଟାଲ ଆରମ୍ଭ ହେବା ପରଠାରୁ ଉତମ ଓ ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଛି ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ କଲେ ଭିତ୍ତପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୪,୬୦୦ କୋଟି ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ (Instream Storage Structure) ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡାରେ ୧୫ ହଜାର ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଥିଲେ ମହିଳା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ। ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ସୁବିଧା ହେବ। ଏହା ସହିତ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ। ଏହି ପ୍ରକଳ୍ପ ସବୁ ଭୂତଳ ଜଳ ସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ।

ଆମର ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହିତ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଏହି ପ୍ରକଳ୍ପଗୁଡିକ ସହାୟକ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ରେ ଅନ୍ତଃ ନଦୀ ଜଳାଶୟ (Instream Storage) ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ଆଜି ୧୩ଟି ଜିଲ୍ଲା- ବରଗଡ, ବଲାଙ୍ଗିର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ୧୯ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖାଗଲା।

ଏଥି ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ସବୁ କାର୍ଯ୍ୟକ୍ରମ ଲୋକମତ ଓ ଜନ ସହଭାଗିତା ଭିତ୍ତିରେ କରାଯାଉଛି।

ସେ କହିଲେ ତାଙ୍କ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ସମୟରେ ଲୋକଙ୍କ ଠାରୁ ଏପରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା। ଲୋକଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ସେ ପୁଣି କହିଥିଲେ ଯେ 5T ଉପକ୍ରମରେ ଏହି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଏହି ପ୍ରକଳ୍ପଗୁଡିକର ନିର୍ମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକଳ୍ପ ଦ୍ୱାରା କୌଣସି ଲୋକ ବିସ୍ଥାପିତ ହେବେ ନାହିଁ।

ରାଜ୍ୟରେ ଚାଷୀମାନଙ୍କର କଲ୍ୟାଣାର୍ଥେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ଚାଷୀର ବିକାଶ ଓ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଆମର କାଳିଆ ଯୋଜନା, କୃଷକମାନଙ୍କ ପାଇଁ ବିନା ସୁଧରେ ଋଣ ସୁବିଧା, ଶସ୍ୟ ବୀମା ପ୍ରିମିୟମ ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ରାଜ୍ୟରେ ଚାଷୀମାନଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି। ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ। ସେମାନଙ୍କ ଉନ୍ନତି ପାଇଁ ଆମେ କାମ କରୁଛୁ ଓ ଆଗାମୀ ଦିନରେ କାମ କରି ଚାଲିବୁ ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ବଲାଙ୍ଗୀରରେ ଉପସ୍ଥିତ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଚାଷୀମାନଙ୍କର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ସଂକଳ୍ପ ରହିଛି। ଖରାଦିନେ ଯେପରି ପାଣି ପାଇବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଆରମ୍ଭ କରିଛନ୍ତି।

କେନ୍ଦ୍ରାପଡ଼ା ମହାକାଳପଡାଠାରେ ଉପସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। କେବଳ ଏହି ପ୍ରକଳ୍ପ ନୁହେଁ, କେନ୍ଦ୍ରାପଡାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆର୍ସେଲର୍ ମିତ୍ତଲ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ।

5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ଉନ୍ନତି ପାଇଁ ପ୍ରକଳ୍ପ କରୁଛନ୍ତି। କେନ୍ଦ୍ରାପଡାରେ ଆର୍ସେଲର୍ ମିତ୍ତଲ ନିପନ୍ ଷ୍ଟିଲ ପ୍ରକଳ୍ପ ପାଇଁ ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଖୁବ୍ ଉଦ୍ୟମ କରିଥିଲେ ବୋଲି ପ୍ରକାଶ କରି ସେ କହିଲେ ଲୋକଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏଥିପାଇଁ ଶୁଭ ଦେବେ।

ବଉଦ କଣ୍ଟାମାଳ ରେ ଉପସ୍ଥିତ ବିଧାୟକ ଶ୍ରୀ ମହିଧର ରଣା ମଧ୍ୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ତିନି ଜଣ ଚାଷୀ ସେମାନଙ୍କ ମତାମତ ଦେଇଥିଲେ। କେସିଙ୍ଗାରେ ଶ୍ରୀ ପାନାଲାଲ ବେମାଲ, ଆଖୁଆପଦାରେ ଶ୍ରୀ ଶରତ ଚନ୍ଦ୍ର ଜେନା ଓ ବୀରମହାରାଜପୁରରେ ଶ୍ରୀ ବିବଶ୍ୱତି ପଣ୍ଡା ପ୍ରମୁଖ ମତ ଦେଇ କହିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ଆମ ଭଳି ଚାଷୀ ମାନଙ୍କର ମରୁଡି ସମସ୍ୟା ଦୂର ହେବ। ଆମେ ବିଭିନ୍ନ ପ୍ରକାର ଚାଷ କରିପାରିବୁ ଓ ପିଇବା ପାଣିର ସମସ୍ୟା ମଧ୍ୟ ରହିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିତ୍କ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇଥିଲେ। ବିଭାଗୀୟ EIC ଧନ୍ୟବାଦ୍ ଦେଇଥିଲେ। ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ କେତେବେଳେ କଣ ହେବ

ଭୁବନେଶ୍ବର: ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ମନ୍ଦିର ପ୍ରଶାସନ ତରଫରୁ ଆଜି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା

ଅପରାହ୍ନ ୧ଟା ୧୫ରୁ ୧ଟା ୩୦-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ।

ଅପରାହ୍ନ ୧ଟା ୩୦ରୁ ୨ଟା- ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ।

ଅପରାହ୍ନ ୨ଟାରୁ ୨ଟା ୩୦- ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ।

ଅପରାହ୍ନ ୨ଟା ୩୦ରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ।

ଅପରାହ୍ନ ୩ଟା ପରେ – ସର୍ବସାଧାରଣଙ୍କ ପରିକ୍ରମା ମାର୍ଗ ପ୍ରବେଶ।

ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି। ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ପ୍ରଦକ୍ଷିଣ ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ରହିଛି ଚଲାପଥ ରହିଛି।

Categories
ବିଶେଷ ଖବର

୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନ: ଆଜି ୪ର୍ଥ ପର୍ଯ୍ୟାୟର ପ୍ରଥମ ଦିନରେ ୩୮୯ଟି ସ୍କୁଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପିଲାମାନଙ୍କ ମଧ୍ୟରେ ବିପୁଳ ଆନନ୍ଦ ଉତ୍ସାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୫ଟି ଜିଲ୍ଲା – ଗଞ୍ଜାମ, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ ବରଗଡ ଜିଲ୍ଲାର ୩୮୯ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।

ଏଥିରେ ଗଞ୍ଜାମ ଜିଲ୍ଲାର ୧୪୯ଟି ହାଇସ୍କୁଲ, ଝାରସୁଗୁଡାର ୧୧ଟି,    ଜଗତସିଂହପୁରର ୫୭ଟି, କେନ୍ଦ୍ରାପଡାର ୧୧୨ଟି ଓ ବରଗଡର ୬୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ।

ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି। ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି। ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ୫-ଟି ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ  ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ।

ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି। ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଏକ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି। ତେଣୁ ତୁମେମାନେ ଏହି ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ ୫-ଟି ନୀତିର ପ୍ରୟୋଗ କର। ଏହା ତୁମ ମାନଙ୍କ ପାଇଁ  ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି। ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର। ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଲେ ଯେ ୨୦୨୧ ଫେବୃଆରୀ ୧୬ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରୁ ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଚତୁର୍ଥ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ। ସ୍ଥାନୀୟ ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇ ସେ କହିଲେ ଯେ ଆପଣମାନଙ୍କ ସମସ୍ତଙ୍କ ଆନ୍ତରିକ ସହଯୋଗ ଯୋଗୁଁ ଆମେ ଏହି ସଫଳତା ହାସଲ କରିଛୁ। ୫-ଟି ସ୍କୁଲ ରୂପାନ୍ତର ଆଜି ପିଲାଙ୍କ ମଧ୍ୟରେ ଭଲ ପାଠ ପଢି ବଡ ହେବାର ସ୍ବପ୍ନକୁ ଜାଗ୍ରତ କରିପାରିଛି ବୋଲି ସେ କହିଥିଲେ।

ଏହି ଅବସରରେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଗଞ୍ଜାମରେ ୧୦ମ ଶ୍ରେଣୀର ଛାତ୍ର ରୁଦ୍ରପ୍ରସାଦ ସାହୁ, ଝାରସୁଗୁଡାର ୧୦ମ ଶ୍ରେଣୀ ଛାତ୍ରୀ କୁମାରୀ ଋତୁପୂର୍ଣ୍ଣା ବେହେରା, ଜଗତସିଂହପୁରରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପଣ୍ଡା, କେନ୍ଦ୍ରପଡାରେ ୧୦ମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ସାହୁ ଏବଂ ବରଗଡରେ ୧୦ମ ଶ୍ରେଣୀ ଛାତ୍ରୀ ସାଇପ୍ରିୟା ଭୁଏ ପ୍ରମୁଖ ସେମାନଙ୍କ ମତାମତ ଦେଇ କହିଲେ ଯେ ଆମେ ଏବେ ଆମର ସ୍ବପ୍ନର ସ୍କୁଲ ପାଇଛୁ। ଆମ ସ୍କୁଲରେ ଏବେ ସ୍ମାର୍ଟ କ୍ଲାସ ରୁମ୍, ଡିଜିଟାଲ ଇଣ୍ଟରଆକ୍‌ଟିଭ ବୋର୍ଡ, ଇ-ଲାଇବ୍ରେରୀ, କଂପ୍ୟୁଟର, ଇଣ୍ଟରନେଟ, ଆଧୁନିକ ଟଏଲେଟ୍‌, ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା, ଉନ୍ନତ ଖେଳ ପଡିଆ, ଖେଳ ଉପକରଣ – ସବୁ ସୁବିଧା ରହିଛି। ସ୍ମାର୍ଟ ସ୍କୁଲର ଆମେ ଏବେ ସ୍ମାର୍ଟ ଛାତ୍ରଛାତ୍ରୀ। ଆମେ ଏବେ ଆମର ଶିକ୍ଷା ଓ ଆମର ଭବିଷ୍ୟତ ନେଇ ଦୃଢ ଆତ୍ମବିଶ୍ବାସର ସହ ଆଗକୁ ବଢିବାର ପ୍ରେରଣା ପାଇଛୁ।

ପିଲାମାନେ ସମସ୍ତେ ଶିକ୍ଷକ, ଡାକ୍ତର, କୃଷି ବିଜ୍ଞାନୀ ହେବେ ବୋଲି ଆତ୍ମବିଶ୍ବାସ ସହ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ପିଲାମାନଙ୍କ ଉତ୍ସାହ ଓ ଗଭୀର ଆତ୍ମବିଶ୍ବାସକୁ ଦେଖି ଖୁସି ହେବା ସହିତ ପିଲାମାନଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଗଞ୍ଜାମରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଝାରସୁଗୁଡାରେ ବିଧାୟିକା ଦିପାଳୀ ଦାସ, ଜଗତସିଂହପୁରରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କେନ୍ଦ୍ରାପଡାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରଗଡରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବରେ ଉଚ୍ଚ ପ୍ରଶଂସା କରିଥିଲେ। ସ୍କୁଲ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ବଳ ଓ ସୁଦୃଢ କରିବ ବୋଲି ସେମାନେ ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ। ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ: ମାଲକାନଗିରିରେ ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି। ଆକାଶ  ପଥରେ ଯୋଡି ହୋଇ ଇତିହାସ ରଚିଲା ମାଲକାନଗିରି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରେ ଏକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ମାଲକାନଗିରି  ସ୍ୱପ୍ନ ପୁରଣ ହୋଇଛି। ମାଲକାନଗିରି  ଆକାଶପଥ ମାନଚିତ୍ର ରେ  ସ୍ଥାନିତ  ହୋଇଛି। ଏହା ଦ୍ୱାରା ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍‌କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ସ୍ଥାପନ କରାଯାଇଛି। ଏହା ପରେ ଆଜି ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବାପରେ ସାରା ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଥିରେ ୧୬୨୦ ମିଟର ଦୀର୍ଘ୍ୟ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ଏକ ରନୱେ ନିର୍ମାଣ କରାଯାଇଛି। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଉଦ୍‌ଘାଟନ ସମୟରେ ମୁଖମନ୍ତ୍ରୀଙ୍କ ସହିତ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ଆଜି ମାଲକାନଗିରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପ  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ ଯେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରି  ସ୍ଥାନୀୟ ଜନସାଧାରଣଙ୍କ ସହିତ  ସପ୍ତଧାରା ନଦୀରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଲୋକଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପର ଡ଼ିପିଆର ପ୍ରସ୍ତୁତ କରାଯାଇ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ନିମନ୍ତେ କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରେରଣ କରାଯାଇଅଛି। ଏହି ପ୍ରକଳ୍ପ ଅଧୀନରେ ସପ୍ତଧାରା ଓ ଗରିଆଠାରେ ଦୁଇଗୋଟି ଡ୍ୟାମ, ଏକ ସଂଯୋଗୀକରଣ ଟନେଲ ଓ ଭୂତଳ ପାଇପଲାଇନ ଦ୍ଵାରା ଜଳସେଚନର ବ୍ୟବସ୍ଥା ରହିଛି।

ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଚାରିଗୋଟି ବ୍ଲକ ଯଥା – ମାଲକାନଗିରି, ମାଥିଲି, ଖଇରିପୁଟ ଓ କୋରକୁଣ୍ଡାରେ ଅତିରିକ୍ତ ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା ସୃଷ୍ଟି କରାଯିବା ସହିତ ୧.୫୦ ଲକ୍ଷ ସ୍ଥାନୀୟ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ କରାଯାଇପାରିବ।

ଆସନ୍ତା ଜୁଲାଇ ମାସ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି।