Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଗୁରୁଙ୍କ ପ୍ରତି ସମ୍ମାନ ସ୍ୱରୂପ ଏନ୍‌ଏମ୍‌ଏସିସିର ସ୍ୱତନ୍ତ୍ର ଉତ୍ସବ “ପରମ୍ପରା’  ଆୟୋଜିତ

ମୁମ୍ବାଇଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି)ର ସ୍ୱତନ୍ତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ “ପରମ୍ପରା’ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶିକା ନୀତା ଅମ୍ବାନି ରିଲାଏନ୍ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କୁ ନିଜର ଗୁରୁ କହିଛନ୍ତି। ଗୁରୁମାନଙ୍କ ପ୍ରତି ସମ୍ମାନ ସ୍ୱରୂପ ପରମ୍ପରା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ଅବସରରେ ନୀତା ଅମ୍ବାନି ଦେଶବାସୀଙ୍କୁ ଗୁରୁ ପୂର୍ଣ୍ଣିମାର ଶୁଭକାମନା ଜଣାଇଛନ୍ତି। ପ୍ରଦର୍ଶନୀର ଉଦ୍‌୍‌ଘାଟନୀ ସମାରୋହରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର କିମ୍ବଦନ୍ତୀ ପଦ୍ମ ବିଭୂଷଣ ହରିପ୍ରସାଦ ଚୌରସିଆ ଓ ପଣ୍ଡିତ କାର୍ତିକ କୁମାର ନିଜ ଶିଷ୍ୟ ରାକେଶ ଚୌରସିଆ ଓ ନୀଳାଦ୍ରୀ କୁମାରଙ୍କ ସହିତ ଉତ୍ସବର ଶୋଭା ବଢ଼ାଇଥିଲେ।

ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର୍‌ରେ ଉପସ୍ଥିତ ପ୍ରାୟ ୨୦୦୦ ଦର୍ଶକଙ୍କୁ ସମ୍ବୋଧିତ କରି ନୀତା ଅମ୍ବାନି ନିଜ ଶ୍ୱଶୂରଙ୍କୁ ଧୀରୁଭାଇ ଅମ୍ବାନିଙ୍କୁ ଜଣେ ସରଳ ହୃଦୟର ଗୁରୁ ଭାବେ ମନେ ପକାଇଥିଲେ। ନୀତା କହିଛନ୍ତି ଯେ, “ପାପା (ଧୀରୁଭାଇ ଅମ୍ବାନି) ନିଜ ସରଳ ସ୍ୱଭାବ ଢଙ୍ଗରେ ପ୍ରଶ୍ନ କରୁଥିଲେ। ବେଳେ ବେଳେ ସେହି ପ୍ରଶ୍ନ ଶୁଣି ମୋତେ ଭୟ ଲାଗୁ ଥିଲା, କିନ୍ତୁ ଆଜି ମୁଁ ଜାଣିପାରୁଛି ଯେ ସେହି ପ୍ରଶ୍ନଗୁଡ଼ିକ ହିଁ ମୋତେ ଜୀବନର ରୀତିନୀତି ଶିଖାଇଥିଲା। ଧୀରୁଭାଇ ମୋତେ ବଡ଼ ଲକ୍ଷ୍ୟ ଦେଇଥିଲେ । ମୋତେ ଶିଖାଇଥିଲେ କିଭଳି ଶୃଙ୍ଖଳା ଜ୍ଞାନ ଓ କଠୋର ପରିଶ୍ରମ ବଦଳରେ ସବୁ ସ୍ୱପ୍ନ ପୂରଣ କରାଯାଇପାରିବ। ସମ୍ପର୍କକୁ ମହତ୍ୱ ଦେବା ମଧ୍ୟ ମୋତେ ସେ ଶିଖାଇଥିଲେ ବୋଲି ନୀତା ଅମ୍ବାନି କହିଥିଲେ।

ଶନିବାର ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ୮୫ତମ ଜନ୍ମଦିନ ଥିଲା ଓ ସେ ବଂଶୀରେ ହାପି ବାର୍ଥଡେ ସ୍ୱର ଶୁଣାଇ ତାହାକୁ ସ୍ମରଣୀୟ କରିଦେଇଥିଲେ। ଦର୍ଶକମାନେ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। “ତିିନି ପିଢ଼ି-ଗୋଟିଏ ପରମ୍ପରା ‘ (ଥ୍ରି ଜେନେରେସନ୍‌, ୱାନ୍ ଲିଗାସି)କୁ ନେଇ ଆୟୋଜିତ ପରମ୍ପରା ଉତ୍ସବରେ ରବିବାର ଉସ୍ତାଦ ଅମଜଦ୍ ଅଲ୍ଲୀ ଖାନ୍ ଓ ତାଙ୍କ ପୁଅ ଅମାନ ଅଲ୍ଲୀ ବଂଗଶ ଏବଂ ଅୟାନ ଅଲ୍ଲୀ ବଂଗଶ ଏବଂ ତାଙ୍କ ସହିତ ଉସ୍ତାଦଙ୍କ ନାତି-୧୦ ବର୍ଷୀୟ ଯମଜ ସନ୍ତାନ ଜୋହାନ ଓ ଅବୀର ଅଲ୍ଲୀ ବଂଗଶଙ୍କୁ ଏକସଙ୍ଗେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

“ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ୍‌’ ସୋ’କୁ ଉପଭୋଗ କଲେ ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକ

ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଏନ୍‌ଜିଓଗୁଡ଼ିକର ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି)ରେ ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ବ୍ରଡ୍‌ୱେର ସଙ୍ଗୀତ କାର୍ଯ୍ୟକ୍ରମ “ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ୍‌’ର ଆୟୋଜନ କରାଯାଇଥିଲା। ଏହାକୁ ସେହିମାନଙ୍କ ପାଇଁ ନୀତା ଅମ୍ବାନି ଉତ୍ସର୍ଗ କରିଥିଲେ, ଯେଉଁଠାରେ ସେମାନେ ଏକ ନିବିଡ଼ ସମ୍ପର୍କ ଓ ହସଖୁସିର ସମୟ ବିତାଇବାର ସୁଯୋଗ ପାଇଥିଲେ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇର ବିଭିନ୍ନ ଅଂଚଳର ଦିବ୍ୟାଙ୍ଗ ପିଲାଙ୍କ ସମେତ ୩୪୦୦ ପିଲା ଓ ବରିଷ୍ଠ ନାଗରିକମାନଙ୍କ ଲାଗି ସପ୍ତାହନ୍ତରେ ଦୁଇଟି ସ୍ୱତନ୍ତ୍ର ସୋ’ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଇଏସ୍‌ଏ) କାର୍ଯ୍ୟକ୍ରମର ସମର୍ଥିତ ୧୮ଟି ଏନ୍‌ଜିଓ ସହିତ ରିଲାଏନ୍ସର କର୍ମଚାରୀ ସ୍ୱେଚ୍ଛାସେବୀମାନେ ସମର୍ଥନ ପ୍ରଦାନ କରିଥିଲେ ଓ ସମସ୍ତଙ୍କ ପାଇଁ ଏହାକୁ ଏକ ଆରାମଦାୟକ ଓ ଯାଦୁକରୀ ଅନୁଭବରେ ପରିଣତ କରିଥିଲେ। ଇଏସ୍‌ଏ କାର୍ଯ୍ୟକ୍ରମ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବହୁ ବର୍ଷ ଧରି ବିଭିନ୍ନ ଶିକ୍ଷା ଓ କ୍ରୀଡ଼ା କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କ ଅଭିଳାଷକୁ ପୂରଣ କରାଯାଉଛି। ଏନ୍‌ଜିଓମାନଙ୍କ ସହ ମିଶି ଆୟୋଜନ କରାଯାଇଥିବା ଏହି ସ୍ୱତନ୍ତ୍ର ସୋ’ଗୁଡ଼ିକ ହେଉଛି ପିଲାମାନଙ୍କୁ ଅନୁପ୍ରାଣିତ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ଜାରି ରଖିିଥିବା ଉଦ୍ୟମ ଦିଗରେ ଆଉ ଏକ ପଦକ୍ଷେପ।

“ସାଉଣ୍ଡ୍ ଅଫ୍ ମ୍ୟୁଜିକ୍‌’ ପ୍ରତି ବିପୁଳ ସମର୍ଥନ ଭାରତ ଓ ଦୁନିଆର ଶ୍ରେଷ୍ଠତା ପ୍ରଦର୍ଶିତ କରିବା ପାଇଁ ଏନ୍‌ଏମ୍‌ଏସିସିର ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ସାରା ଦେଶରୁ ପରିବାରଗୁଡ଼ିକ ଆସି ଏକଜୁଟ ହେବା ଓ ଏହି ଯାଦୁକରୀ ଅନୁଭୂତି ହାସଲ କରିବା ବେଶ ହୃଦୟସ୍ପର୍ଶୀ ଥିଲା। ଶେଷ ଦୁଇ ସୋ’କୁ ୩୪୦୦ ଅନଗ୍ରସର ପିଲା ଓ ବରିଷ୍ଠ ନାଗରିକଙ୍କ ପ୍ରତି ଉତ୍ସର୍ଗ କରି ଆମେ କୃତଜ୍ଞ। ସ୍ୱତନ୍ତ୍ର ଦର୍ଶକମାନଙ୍କ ସହ ଏହି ଚମତ୍କାର ସଙ୍ଗୀତ କାର୍ଯ୍ୟକ୍ରମକୁ ସମାପନ କରିବାର ତାହା ଥିଲା ଶ୍ରେଷ୍ଠ ଉପାୟ। ଆମର ଏଜୁକସେନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ କାର୍ଯ୍ୟକ୍ରମକୁ ଜାରି ରଖି ଆମେ ସମସ୍ତଙ୍କ ପାଖରେ କଳାକୁ ପହଂଚାଇବାକୁ ପ୍ରତିବଦ୍ଧ ରହିଛୁ ବୋଲି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି।’’

ଏହି ବିଶାଳ ପ୍ରେକ୍ଷାଳୟରେ ଚଳିତ ବର୍ଷ ମେ’ରେ “ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ’ ସୋ’ ଆରମ୍ଭ ହୋଇ ଐତିହାସିକ ଭାବେ ୮ ସପ୍ତାହବ୍ୟାପୀ ଚାଲିଥିଲା ଯାହା ଥିଲା ଏସିଆର ଦୀର୍ଘତମ ଓ ଭାରତରେ ପ୍ରଥମ ଥର ପାଇଁ ଏହାକୁ ଆୟୋଜନ କରାଯାଇଥିଲା।

ଭନ୍ ଟ୍ରାପ୍ ପରିବାରର ନାଟକକୁ ଜୀବନ୍ତ କରିଥିବା ଚମତ୍କାର ପ୍ରଦର୍ଶନରେ ରୋମାଂଚିତ ହୋଇ ପିଲା ଓ ବରିଷ୍ଠ ନାଗରିକମାନେ ବିମୋହିତ ହୋଇପଡ଼ିଥିଲେ ଏବଂ ଅର୍କେଷ୍ଟାର ତାଳେ ତାଳେ “ମାଇଁ ଫେଭୋରାଇଟ୍ ଥିଙ୍ଗସ୍‌’ ଓ “ଡୁ ରେ-ମି’ ଗୀତକୁ ଉପଭୋଗ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବା ପରେ ଭନ୍ ଟ୍ରାପ୍ ପରିବାରର ଭୂମିକା ନିର୍ବାହ କରୁଥିବା ଅଭିନେତାମାନଙ୍କୁ ସାକ୍ଷାତ କରି ସେମାନେ ଉଲ୍ଲସିତ ହୋଇପଡ଼ିଥିଲେ।

ସ୍କୁଲ ଓ କଲେଜ ଆଉଟ୍‌ରିଚ୍ ପ୍ରତିଯୋଗିତା, ପ୍ରାପ୍ତବୟସ୍କଙ୍କ ପାଇଁ କଳା ସାକ୍ଷରତା କାର୍ଯ୍ୟକ୍ରମ ଆଦି ଗୋଷ୍ଠୀ ସମୃଦ୍ଧ କାର୍ଯ୍ୟକ୍ରମ ପାଇଁ ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର ପ୍ରତିବଦ୍ଧ ରହିଛି। କିଛି ମାସ ପୂର୍ବେ ଶୁଭାରମ୍ଭ ହେବା ପରଠାରୁ ଏହା ପିଲା, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ଦି ସାଉଣ୍ଡ୍ ଅଫ ମ୍ୟୁଜିକ୍‌, ସଙ୍ଗମ୍‌/ କନ୍‌ଫ୍ଲୁଏନ୍ସ ଓ ଇଣ୍ଡିଆ ଇନ୍ ଫେସନ୍ ପ୍ରଦର୍ଶନୀ ଆଦି ମାଗଣାରେ ଉପଭୋଗ କରିବାର ସୁଯୋଗ ପ୍ରଦାନ କରିଛି।

୨୦୧୦ ପରଠାରୁ ରିଲାଏନ୍ସ ଫାଉଣ୍ଡେସନର ଏଜୁକେସନ୍ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଏସ୍‌ଏସ୍‌) କାର୍ଯ୍ୟକ୍ରମ ପିଲାମାନଙ୍କ ଅଭିଳାଷ ପୂରଣ କରିବା ସହ ସେମାନଙ୍କୁ ନିଜ ଭିତରେ ଥିବା ସମ୍ଭାବନା ହାସଲ କରିବାରେ ସକ୍ଷମ କରି ସେମାନଙ୍କ ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ଦୀର୍ଘସ୍ଥାୟୀ ଅଭିଯାନ ପ୍ରଦାନ କରୁଛି। ଇଏସ୍‌ଏ କାର୍ଯ୍ୟକ୍ରମର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଶହ ଶହ ଉପେକ୍ଷୀତ ପିଲାମାନଙ୍କ ପାଇଁ ଆଇପିଏଲ୍ ମ୍ୟାଚ୍ ଦେଖିବା, ଧୀରୁଭାଇ ଅମ୍ବାନି ସ୍କୋୟାର ଫାଉଁଟେନ୍ ସୋ’କୁ ଉପଭୋଗ କରିବା ଏବଂ ଜିଓ ୱଣ୍ଡରଲ୍ୟାଣ୍ଡ୍‌ରେ ଗୋଟିଏ ଦିନ ବିତାଇବା ଭଳି କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କୁ ଖୁସି ଓ ଆନନ୍ଦିତ କରାଯାଉଛି। ଭବିଷ୍ୟତ ପାଇଁ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ବିକାଶ ପାଇଁ ଭାରତୀୟ କଳାକାରଙ୍କ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର୍ ପକ୍ଷରୁ କଳା ଓ ହସ୍ତକଳା ପ୍ରଦର୍ଶନୀ “ସ୍ୱଦେଶ’ର ସମ୍ପ୍ରସାରଣ

ମୁମ୍ବାଇ/ ଭୁବନେଶ୍ୱର: ପାରମ୍ପରିକ କାରିଗରମାନଙ୍କ କାର୍ଯ୍ୟକୁ ଦେଖିବା ପାଇଁ ବିପୁଳ ଜନ ସମର୍ଥନକୁ ଦୃଷ୍ଟିରେ ରଖି ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି) ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନର “ସ୍ୱଦେଶ’ ପ୍ରଦର୍ଶନୀ ଅବଧି ସମ୍ପ୍ରସାରଣ କରାଯାଇଛି। ଏହି ପ୍ରଦର୍ଶନୀ ହେଉଛି ଏକ ଅନୁଭୂତି ଜୋନ୍ ଯାହା ପିଚୱାଇ, ତାଞ୍ଜୋର, ପଟ୍ଟଚିତ୍ର, ପଟୋଲାର ବୁଣାବୁଣି, ଭେଙ୍କଟଗିରି, ବନାରସ, ପୈଥାନ, କାଶ୍ମୀର ଓ ଜୟପୁରର ନୀଳ ମାଟିପାତ୍ର ଭଳି ବିଭିନ୍ନ ପ୍ରକାର ପ୍ରସିଦ୍ଧ ପାରମ୍ପରିକ କଳାକୃତିକୁ ଦକ୍ଷ କାରିଗର ଓ ବିଶେଷଜ୍ଞମାନେ ତିଆରି କରୁଥିବା ବେଳେ ଦେଖିବା ଓ ସେମାନଙ୍କ ସହ ଭାବ ବିନିମୟ କରିବା ଲାଗି ପରିଦର୍ଶନକାରୀମାନଙ୍କୁ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରୁଛି। ପାରମ୍ପରିକ ଅରଟରେ ଚଟେଇ ଓ ଶାଢ଼ି ବୁଣିବା, ପନିପରିବା କାଳିର ବ୍ୟବହାର କରିବା ବେଳେ କାରିଗରମାନଙ୍କୁ ଦେଖିବା ଏବଂ ପରିଦର୍ଶକମାନଙ୍କ ସହ ଭାବ ବିନିମୟ ସମୟରେ ଚିତ୍ରାଙ୍କନ କରିବା ଆଦି କାର୍ଯ୍ୟ ଏହି କେନ୍ଦ୍ରର ପରିଦର୍ଶକମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଓ ଚିତାକର୍ଷକ ଅନୁଭବ ସୃଷ୍ଟି କରୁଛି।

“ଭାରତୀୟ କାରିଗରମାନେ ହେଉଛନ୍ତି ଦେଶର ଗର୍ବ। ସେମାନଙ୍କ କଳା ଓ ହସ୍ତକଳା ହେଉଛି ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କ ଦକ୍ଷତା ଓ ପ୍ରତିଭାକୁ ପ୍ରଦର୍ଶନ କରିବା, ତାହାକୁ ଆହୁରି ଶାଣିତ କରିବା ସହ ଆଗାମୀ ପିଢ଼ିଙ୍କ ପାଖରେ ପହଂଚାଇବା ଲାଗି ସେମାନଙ୍କୁ ଏକ ବିଶ୍ୱସ୍ତରୀୟ ମଂଚ ପ୍ରଦାନ କରିଥିବାରୁ ଏନ୍‌ଏମ୍‌ଏସିସିରେ ଆମେ ଗର୍ବିତ ମନେ କରୁଛୁ ବୋଲି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି। “ଆମ ଭାରତୀୟ ଓ ଆନ୍ତର୍ଜାତିକ ଅତିଥିମାନଙ୍କଠାରୁ ସେମାନେ ଯେଉଁଭଳି ବିପୁଳ ପ୍ରଶଂସା ପାଉଛନ୍ତି ଓ ଧ୍ୟାନ ଆକର୍ଷଣ କରିଛନ୍ତି ତାହା ଦେଖି ମୋତେ ବହୁତ ଆନନ୍ଦିତ ଲାଗୁଛି। ସେମାନଙ୍କ ସହିତ ଭାବ ବିନିମୟକୁ ମୁଁ ସ୍ମରଣ କରୁଛି ଏବଂ ସେମାନଙ୍କ କାହାଣୀ ଶୁଣିବା ତଥା ନିଜ କଳା ପ୍ରତି ସେମାନଙ୍କ ଅସାଧାରଣ ଆବେଗ ଦେଖିବା ବେଶ ଉଲ୍ଲେଖନୀୟ। ସ୍ୱଦେଶ ହେଉଛି ଆମ ଐତିହ୍ୟର ଏକ ଉତ୍ସବ ଏବଂ ମୁଁ ଆଶା କରୁଛି ଯେ ଏହା ଆମ କାରିଗରମାନଙ୍କ ପାଇଁ ସମ୍ମାନ, ସ୍ୱୀକୃତି ଓ ରୋଜଗାରର ଏକ ନୂଆ ଶୁଭାରମ୍ଭ।’’

ଯେତେବେଳେ କାରିଗରମାନେ ଏନ୍‌ଏମ୍‌ଏସିସିରେ ଘରକୁ ଆସିଲେ: ସାରା ଦୁନିଆ ପାଇଁ ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର ଖୋଲିବା ପରଠାରୁ ଏହି କେନ୍ଦ୍ରର ବିଭିନ୍ନ ବିଷୟ ଓ ଏହା ପ୍ରଦାନ କରୁଥିବା ସୁବିଧାସୁଯୋଗକୁ ପରିଦର୍ଶନକାରୀମାନେ ବେଶ ପ୍ରଶଂସା କରୁଛନ୍ତି। ସ୍ୱଦେଶ ଅନୁଭୂତି ଜୋନ୍‌ରେ ସୁନ୍ଦର ଡିଜାଇନ୍ ଷ୍ଟଲ୍ ସହିତ ପାରମ୍ପରିକ କାରିଗରମାନଙ୍କ ଲାଗି କ୍ଷେତ୍ରକୁ ପୁନଃ ସୃଷ୍ଟି କରାଯାଇଛି ଯେଉଁଠାରେ କଲ୍‌ଚରାଲ୍ ସେଂଟର୍‌ର ଦର୍ଶକମାନେ ଦକ୍ଷ କାରିଗରମାନଙ୍କ କାମକୁ ଦେଖିବା ସହିତ ସେମାନଙ୍କ କଳାକୃତିକୁ ମଧ୍ୟ କିଣିପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ତିନି-ଦିନିଆ କାର୍ଯ୍ୟକ୍ରମ ଭାବେ ଏହି ପ୍ରଦର୍ଶନୀକୁ ଆୟୋଜନ କରିବାର ଯୋଜନା ରହିଥିଲେ ମଧ୍ୟ କାରିଗରମାନଙ୍କୁ ମିଳୁଥିବା ବିପୁଳ ପ୍ରଶଂସା, ବହୁସଂଖ୍ୟକ ପରିଦର୍ଶନକାରୀଙ୍କ ଆଗମନ ଓ କାରିଗରମାନଙ୍କ ସାମଗ୍ରୀ ପାଇଁ ଦୈନିକ ଦିଆଉଥିବା ବରାଦ ସଂଖ୍ୟା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରାଯାଇଛି। ବିକ୍ରିଲବ୍ଧ ସମସ୍ତ ରାଶି କାରିଗରମାନଙ୍କ ପାଖକୁ ଯାଉଛି।

ପରିବର୍ଦ୍ଧିତ ପ୍ରଦର୍ଶନୀରେ ସାମିଲ କରାଯାଇଛି ପଲାଗାଇ ପଦମ୍‌-ଯେଉଁଥିରେ ରହିଛି ତାମିଲନାଡ଼ୁର ତାଞ୍ଜୋର ଚିତ୍ରକଳା, ଆନ୍ଧ୍ରପ୍ରଦେଶର ଭେଙ୍କଟଗିରି ବୁଣିବା କଳା, ଗୁଜରାଟର ପଟୋଲା ବୁଣାବୁଣି ଏବଂ ଆନ୍ଧ୍ରପ୍ରଦେଶର ଥୋଲୁ ବୋମଲତା ଚମଡ଼ା ଛାଇ କଣ୍ଢେଇ।
ତାଞ୍ଜୋର ଚିତ୍ରକଳାରେ ଆକର୍ଷଣୀୟ ସୁନା ଫଏଲ୍‌ରେ ଦେବାଦେବୀଙ୍କୁ ଉପସ୍ଥାପନା; ଭେଙ୍କଟଗିରି ବୁଣାବୁଣିରେ ଉତ୍କୃଷ୍ଟ କପଡ଼ା ସହିତ ସୂକ୍ଷ୍ମ ଜରି କାମ; ଗୁଜରାଟର ପଟୋଲା ବୁଣାବୁଣିରେ ଏକତ୍ର ବୁଣିବା ପୂର୍ବରୁ ବୁଣାସୂତାକୁ ବାନ୍ଧିବା ଓ ରଙ୍ଗ କରିବା; ଥୋଲୁ ବୋମାଲତା ଛାଇ କଣ୍ଢେଇ ହେଉଛି ଭାରତୀୟ ଘୂର୍ଣ୍ଣାୟମାନ ମୁଣ୍ଡ କଣ୍ଢେଇ ଯାହାକୁ କାଗଜ ଓ ଚୂନର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି ତାହାକୁ ଏହି ପରିବର୍ଦ୍ଧିତ ପ୍ରଦର୍ଶନୀରେ ସାମିଲ କରାଯାଇଛି।

ଅଥଙ୍ଗୁଡ଼ି ପରିବେଶ ମିତବ୍ୟୟୀ ଟାଇଲ୍ ଓ ଦକ୍ଷିଣ ଭାରତର ଚମତ୍କାର “ଦି ଉଡେନ୍ ଟଚ୍‌’ ଡେକରରେ ପ୍ରସ୍ତୁତ ଏହି ସମଗ୍ର ଅଂଚଳ ନିଜକୁ ଏକ ଜୀବନ୍ତ ଅନୁଭୂତିରେ ରୂପାନ୍ତରିତ କରିପାରିଛି।

ପାରମ୍ପରିକ ଭାରତୀୟ କାରିଗରମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ବ୍ୟାପକ ବର୍ଗର ଲୋକଙ୍କ ପାଖରେ ପହଂଚାଇବା ଲାଗି ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କୁ ଏକ ମଂଚ ପ୍ରଦାନ କରାଯାଇଛି। ବିଲୁପ୍ତ ପ୍ରାୟ କଳାକୁ ନୂତନ ଜୀବନଦାନ ମିଳିଥିବା ବେଳେ ପାରମ୍ପରିକ କଳାକାର ଓ କାରିଗରମାନଙ୍କୁୁ ଜୀବନଜୀବିକାର ସୁଯୋଗ ମିଳିଛି ଏବଂ ସେମାନଙ୍କ କାର୍ଯ୍ୟକୁ ଦୀର୍ଘସ୍ଥାୟୀ କରିବାକୁ ସୁନିଶ୍ଚିତ କରାଯାଇଛି। ସେମାନଙ୍କ ଉଦ୍ୟମର ଅସମ୍ଭବ ସଫଳତା ନୂଆ କଲ୍‌ଚରାଲ୍ ସେଂଟରରେ ଆଉ ଏକ ଚମତ୍କାର ବିଷୟ ଯୋଡ଼ିଛି ଯାହା ଜାତୀୟ ଓ ବିଶ୍ୱ ମଂଚରେ ଭାରତର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରୁଛି।

ଏହି ଉଦ୍ୟମଗୁଡ଼ିକ ପାରମ୍ପରିକ କଳାକୃତିର ସଂରକ୍ଷଣ ଓ ସୁରକ୍ଷାରେ ସହାୟକ ହୋଇଥିବା ବେଳେ କାରିଗରମାନଙ୍କୁ ନିରନ୍ତର ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି। କାରିଗରମାନଙ୍କ ପ୍ରତି ରହିଥିବା ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାର ଅଂଶ ଦିଗରେ ସ୍ୱଦେଶ ହେଉଛି ଆଉ ଏକ ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜିଠୁ ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର

ଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର୍ ଖୋଲିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି। ମାର୍ଚ୍ଚ ୩୧ ତାରିଖ ଶୁକ୍ରବାର ଦିନ ଦର୍ଶକମାନଙ୍କ ଲାଗି ଏହି ସେଂଟରକୁ ଉଦ୍‌ଘାଟନ କରାଯିବ। ଏଥିପାଇଁ ଦିନ ସାରା ବିଭିନ୍ନ ସୋ’ ଆୟୋଜିତ ହେବ। ସେଥିରେ ଦେଶବିଦେଶର କଳାକାର, ବଲିଉଡ୍ ଓ ହଲିଉଡ୍ ତାରକାମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସେଂଟର ଶୁଭାରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଜି ରାମ ନବମୀ ଅବସରରେ ନୀତା ଅମ୍ବାନି କଲଚାଲ ସେଂଟର ପହଂଚି ପୂଜାର୍ଚ୍ଚନା କରିଛନ୍ତି।

କଲ୍‌ଚରାଲ୍ ସେଂଟର ଉଦ୍‌ଘାଟନୀ ଅବସରରେ “ସ୍ୱଦେଶ’ ନାମକ ଏକ ସ୍ୱତନ୍ତ୍ର କଳା ଓ ଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯିବ। “ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍‌: ସିଭିଲାଇଜେସନ ଟୁ ନେସନ୍‌’ ନାମକ ଏକ ସଙ୍ଗୀତମୟ ନାଟକ ପ୍ରଦର୍ଶିତ ହେବ। ଭାରତୀୟ ପୋଷାକ ପରିଚ୍ଛଦକୁ ବର୍ଣ୍ଣନା କରୁଥିବା “ଇଣ୍ଡିଆ ଇନ୍ ଫେସନ୍‌’ ନାମକ ଏକ ପୋଷାକ କଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଭାରତୀୟ ସାଂସ୍କୃତିକ ପରମ୍ପରାର ସାରା ଦୁନିଆ ଉପରେ ପ୍ରଭାବକୁ ପ୍ରଦର୍ଶିତ କରିବା ଲାଗି “ସଙ୍ଗମ’ ନାମରେ ଏକ ଭିଜୁଆଲ ଆର୍ଟ ସୋ’ ଅନୁଷ୍ଠିତ ହେବ।

ନୀତା ମୁକେଶ ଅମ୍ପାନି କଲଚରାଲ୍ ସେଂଟର ହେଉଛି ଦେଶରେ ଏଭଳି ଧରଣର ପ୍ରଥମ ସାଂସ୍କୃତିକ କେନ୍ଦ୍ର। ଭାରତୀୟ ଓ ଆନ୍ତର୍ଜାତିକ କଳାକାରମାନଙ୍କ ପ୍ରଦର୍ଶନୀ ପାଇଁ ଏଥିରେ ୧୬ ହଜାର ବର୍ଗଫୁଟରେ ବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍ ରହିଛି। ୮୭୦୦ ସ୍ୱାରୋକ୍ସି କ୍ରିଷ୍ଟାଲ୍‌ରେ ସଜ୍ଜିତ ପଦ୍ମ ଆକୃତିର ଏକ ଝୁମର ମଧ୍ୟ ରହିଛି। ଦୁଇ ହଜାର ସିଟ୍ ବିଶିଷ୍ଟ ଏକ ବିଶାଳ ଥିଏଟର ମଧ୍ୟ ଏଥିରେ ରହିଛି। ଏଥିରେ ଦେଶର ସବୁଠୁ ବଡ଼ ଅର୍କେଷ୍ଟ୍ରା ପିଟ୍‌କୁ ପ୍ରସ୍ତୁତ କରାଯାଇଛି । ଛୋଟ ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ଲାଗି ଷ୍ଟୁଡିଓ ଥିଏଟର ଓ ଦି କ୍ୟୁବ୍ ଭଳି ସୁନ୍ଦର ଥିଏଟର ରହିଛି। ଏହି ସବୁ ବ୍ୟବସ୍ଥାରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି।

ଏହି ଅବସରରେ ନୀତା ଅମ୍ବାନି କହିଛନ୍ତି ଯେ, “କଲଚାଲ ସେଂଟର ସ୍ୱପ୍ନକୁ ସାକାର କରିବା ମୋ ପାଇଁ ଏକ ପବିତ୍ର ଯାତ୍ରା ଭଳି ଥିଲା। ଆମେ ଏଭଳି ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଚାହୁଥିଲି ଯେଉଁଥିରେ ଆମ ସାଂସ୍କୃତିକ ପରମ୍ପରା ଆହୁରି ସମୃଦ୍ଧ ହେବ। ସିନେମା ହେଉ ଅଥବା ସଙ୍ଗୀତ, ନୃତ୍ୟ ହେଉ ଅଥବା ନାଟକ, ସାହିତ୍ୟ ହେଉ ଅଥବା ଲୋକକଥା, କଳା ହେଉ ଅଥବା ଶିଳ୍ପ, ବିଜ୍ଞାନ ହେଉ ଅଥବା ଆଧାତ୍ମ୍ୟ। କଲଚରାଲ ସେଂଟରରେ ଦେଶ ଓ ଦୁନିଆର ଉତ୍କୃଷ୍ଟ କଳା ପ୍ରଦର୍ଶନୀ ଆୟୋଜନ କରିବା ସମ୍ଭବ ହେବ। ଦୁନିଆର ସର୍ବଶ୍ରେଷ୍ଠ କଳା ଓ କଳାକାରମାନଙ୍କୁ ଭାରତକୁ ସ୍ୱାଗତ କରାଯିବ।’’

ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ଶିଶୁ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ସ୍କୁଲ କଲେଜର ଆଉଟ୍‌ରିଚ୍ ପ୍ରୋଗ୍ରାମ, କଳା ଶିକ୍ଷକମାନଙ୍କ ପୁରସ୍କାର କାର୍ଯ୍ୟକ୍ରମ, ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମ ଭଳି ସବୁ ପ୍ରକାର କାର୍ଯ୍ୟକ୍ରମ ସେଂଟରରେ ଆୟୋଜନ କରିବା ଉପରେ ଧ୍ୟାନ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର

ନୀତା ମୁକେଶ ଅମ୍ବାନିଙ୍କ ଦ୍ୱାରା “ହର ସର୍କଲ୍‌’ ଉନ୍ମୋଚିତ

ମୁମ୍ବାଇ/ଭୁବନେଶ୍ୱର: ଚଳିତ ବର୍ଷ ମହିଳା ଦିବସ ଅବସରରେ ନୀତା ମୁକେଶ ଅମ୍ବାନି ଉଲ୍ଲାସର ସହ ହର୍ ସର୍କଲ୍ ବିଷୟରେ ଘୋଷଣା କରିଛନ୍ତି ଯାହା ହେଉଛି ଏକ ସ୍ୱତନ୍ତ୍ର ଅଭିଯାନ ଯାହା ଡିଜିଟାଲ୍ ବିପ୍ଳବର ଶକ୍ତି ଜରିଆରେ ମହିଳାଙ୍କ ଶକ୍ତିକୁ ଆହୁରି ସୁଦୃଢ଼ କରିବ। ଏହା ହେଉଛି ପ୍ରଥମ ଧରଣର ଡିଜିଟାଲ୍ ନେଟ୍‌ୱର୍କିଂ ପ୍ଲାଟଫର୍ମ ଯେଉଁଥିରେ ଆଲୋଚନା, ସଂପୃକ୍ତି, ସହଯୋଗିତା ଓ ଆପୋଷ ସମର୍ଥନ ପାଇଁ ଏକ ଉଲ୍ଳାସପୂର୍ଣ୍ଣ ଓ ସୁରକ୍ଷିତ ସ୍ଥାନ ପ୍ରଦାନ କରି ବିଶ୍ୱସ୍ତରରେ ଭଗିନୀତ୍ୱର ସମ୍ପର୍କୁ ସୁଦୃଢ଼ କରିବା ସହ ମହିଳାଙ୍କ ସଶକ୍ତୀକରଣରେ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି।

ହର୍ ସର୍କଲ୍ ବିଶ୍ୱସ୍ତରରେ ମହିଳାମାନଙ୍କ ପାଇଁ ଏକ ଡିଜିଟାଲ୍ କଲେକ୍ଟିଭ୍ ହେବ-ଭାରତୀୟ ମହିଳାଙ୍କ ଠାରୁ ଆରମ୍ଭ ହେବ କିନ୍ତୁ ସାରା ବିଶ୍ୱର ମହିଳାଙ୍କ ଅଂଶଗ୍ରହଣ ପାଇଁ ଏହା ଉନ୍ମୁକ୍ତ ରହିବ। ଏହା ହେଉଛି ଏକ ସମ୍ପୂର୍ଣ୍ଣ କନ୍‌ଟେଂଟ୍‌, ସୋସିଆଲ ମିଡିଆ ଓ ଲକ୍ଷ୍ୟପୂରଣକାରୀ ଗୋଷ୍ଠୀ ଯାହା ସବୁ ସାମାଜିକ ବର୍ଗର ମହିଳମାନଙ୍କ ଦ୍ରୁତ ଗତିରେ ବଢ଼ୁଥିବା ଅଭିଳାଷ, ଆକାଂକ୍ଷା, ସ୍ୱପ୍ନ ଏବଂ ପ୍ରତିସ୍ପର୍ଦ୍ଧାକୁ ପୂରଣ କରିବ।

ଏହାର ଉନ୍ମୋଚନ ଅବସରରେ ଶ୍ରୀମତୀ ନୀତା ଏମ୍ ଅମ୍ବାନି, ଅଧ୍ୟକ୍ଷା, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି ଯେ, “ଯେତେବେଳେ ମହିଳାମାନେ ମହିଳାଙ୍କ ଧ୍ୟାନ ରଖନ୍ତି ସେତେବେଳେ ଅବିଶ୍ୱସନୀୟ ଘଟଣା ଘଟିଥାଏ। ମୁଁ ସାରା ଜୀବନ ମଜଭୂତ ମହିଳାଙ୍କ ଗହଣରେ ରହିଛି ଯେଉଁମାନଙ୍କ ଠାରୁ ମୁଁ କରୁଣା, ଆପଣାର ଭାବ ଏବଂ ସକାରାତ୍ମକ ଭାବନା ଶିଖିଛି ଏବଂ ଏହାର ପ୍ରତିବଦଳରେ ମୁଁ ସେହି ଶିକ୍ଷା ଅନ୍ୟମାନଙ୍କୁ ଦେବାକୁ ପ୍ରୟାସ କରିଛି। ମୁଁ ୧୧ ବାଳିକା ଥିବା ପରିବାରରେ ବଢ଼ିଛି ଯେଉଁଠାରେ ମୋତେ ନିଜ ଉପରେ ବିଶ୍ୱାସ ରଖିବା ଶିଖାଯାଇଥିଲା। ନିଜ ସ୍ୱପ୍ନକୁ ସାକାର କରିବା ଲାଗି ବିନା ସର୍ତର ପ୍ରେମ ଓ ବିଶ୍ୱାସର ଶିକ୍ଷା ମୋତେ ମୋ ଝିଅ ଈଶା ଠାରୁ ମିଳିଛି। ମୋ ବୋହୂ ଶ୍ଳୋକା ଠାରୁ ମୁଁ ସହାନୁଭୂତି ଓ ଧୈର୍ଯ୍ୟ ଶିଖିଛି। ରିଲାଏନ୍ସ ଫାଉଣ୍ଡେସନରେ ମୋ ସହିତ କାମ କରୁଥିବା ମହିଳାମାନେ ହୁଅନ୍ତୁ କିମ୍ବା ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସତରର ମହିଳା ନେତା, ଆମକୁ ମିଳିଥିବା ଅନୁଭବରୁ ମୋତେ ଏହି ଶିକ୍ଷା ମିଳିଛି ଯେ ଆମର ସଂଘର୍ଷ ଏବଂ ବିଜୟ ପରସ୍କର ସହିତ ଯୋଡ଼ି ହୋଇରହିଛି।’’

ନୀତା ଅମ୍ବାନି କହିଛନ୍ତି ଯେ, “ମୁଁ ବହୁତ ଖୁସି ଯେ ହରସର୍କଲ୍ ଡଟ୍ ଇନ୍ ଜରିଆରେ ଆମେ ଲକ୍ଷାଧିକ ମହିଳାମାନଙ୍କ ପାଇଁ ସମର୍ଥନ ଏବଂ ଏକଜୁଟତାର ଏକ ବିସ୍ତୃତ ସର୍କଲ୍ ପ୍ରସ୍ତୁତ କରିପାରିବା ଯେଉଁଥିରେ ସବୁ ମହିଳାଙ୍କୁ ସ୍ୱାଗତ କରାଯିବ। ଚବିଶ ଗଂଟା ବିଶ୍ୱସ୍ତରୀୟ ନେଟ୍‌ଓ୍‌ବର୍କିଂ, ଡିଜିଟାଲ୍ ବିପ୍ଳବ ଏବଂ ସମସ୍ତଙ୍କ ସହଯୋଗରେ ହର୍‌ସର୍କଲ୍ ସବୁ ପ୍ରକାର ସଂସ୍କୃତି, ସମୁଦାୟ ଏବଂ ଦେଶର ମହିଳାମାନଙ୍କ ବିଚାର ଏବଂ ଅଭିଯାନକୁ ସ୍ୱାଗତ କରିବ। ସମନତା ଓ ସିଷ୍ଟରହୁଡ୍ ବା ଭଗିନୀତ୍ୱ ହେବ ଏହି ପ୍ଲାଟଫର୍ମର ବିଶେଷତା।’’

ହର୍‌ସର୍କଲ୍ ମହିଳାମାନଙ୍କ ସମ୍ପର୍କିତ ସାମଗ୍ରୀ ପ୍ରଦାନ କରିବା ଲାଗି ଏକ ୱାନ୍ ଷ୍ଟପ୍ ଡେଷ୍ଟିନେସନ ବା ଏକକ ସ୍ଥାନ ହେବ। ଏହା ଆକର୍ଷକ ଏବଂ ମହିଳାଙ୍କ ବିକାଶ ସମ୍ପର୍କିତ ସାମଗ୍ରୀରେ ଭରପୁର ରହିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଏହି ମହିଳାମାନଙ୍କୁ ପରସ୍ପର ସହ ଯୋଡ଼ିପାରିବ। ଏଥିରେ ଭିଡିଓ ଦେଖିହେବ। ଏହା ସହିତ ଅର୍ଥ, କାର୍ଯ୍ୟ, ବ୍ୟକ୍ତିତ୍‌ବ ବିକାଶ, ସାମୁଦାୟିକ ସେବା, ସୌନ୍ଦର୍ଯ୍ୟ, ଫେସନ, ମନୋରଂଜନ, ରଚନାତ୍ମକ ଆତ୍ମଅଭିବ୍ୟକ୍ତିର ଲେଖା ପଢ଼ିହେବ। ମହିଳାମାନଙ୍କ ସାର୍ବଜନୀନ ଜୀବନରେ ସକ୍ରିୟ ସହଯୋଗିତା ରଖୁଥିବା ସମ୍ପର୍କିତ ସମାଧାନ ଜୀବନ ରଣନୀତି ଭିତିକ ଲେଖା ମଧ୍ୟ ଏଥିରେ ମିଳିବ।

ପ୍ଲାଟଫର୍ମରେ ରିଲାଏନ୍ସର ବିଶେଷଜ୍ଞ ପ୍ୟାନେଲ୍ ମହିଳାମାନଙ୍କୁ ସ୍ୱାସ୍ଥ୍ୟ, କଲ୍ୟାଣ, ଶିକ୍ଷା, ଉଦ୍ୟମିତା, ବିତ, ପରୋପକାର ଏବଂ ନେତୃତ୍ୱ ଆଦି ଉପରେ ନିଶୁଳ୍କ ପରାମର୍ଶ ପ୍ରଦାନ କରିବେ। ଦକ୍ଷତାରେ ଉନ୍ନତି ଏବଂ ନିଯୁକ୍ତି ଚୟନରେ ପ୍ରୋଫାଇଲ୍ ଅନୁକୂଳ ଚାକିରି ସୁବିଧା ମଧ୍ୟ ମିଳିବ। ଡିଜିଟାଲ୍ ପାଠ୍ୟକ୍ରମ ମାଧ୍ୟମରେ ମହିଳାମାନେ ସଫଳ ଉଦ୍ୟୋଗୀ ହେବାର ଗୁଣ ଶିଖିପାରିବେ। ହରସର୍କଲ୍‌ର ସୋସିଆଲ ନେଟ୍‌ୱର୍କିଂ କେବଳ ମହିଳାମାନଙ୍କ ପାଇଁ ହିଁ ରହିବ। ଭିଡିଓ ଓ ନିବନ୍ଧ ବର୍ଗ ସମସ୍ତଙ୍କ ପାଇଁ ଖୋଲା ରହିବ । ସୋସିଆଲ ନେଟୱର୍କିଂରେ କେବଳ ମହିଳାମାନେ ରହିବା ଦ୍ୱାରା ସେମାନେ ବିନା କୌଣସି ଚିନ୍ତାରେ ବାନ୍ଧବୀ ସୃଷ୍ଟି କରିପାରିବେ ଓ ପ୍ରଶ୍ନ କରିପାରିବେ। ବିତ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସମପର୍କିତ ପ୍ରଶ୍ନ ପାଇଁ ବିଶେଷ ଚାଟ୍‌ରୁମ୍ ରହିବ। ଫିଟନେସ୍‌, ଗର୍ଭ ଏବଂ ପ୍ୟାରେଟିଂ (ଳାଳନପାଳନ) ସମ୍ପର୍କିତ ବିଷୟ ପାଇଁ ଏଥିରେ ସ୍ୱତନ୍ତ୍ର ଭାବେ “ହର୍ ଗୁଡ୍ ହାବିଟ୍ ଟ୍ରାକ୍ଟର’ ଉପଲବ୍ଧ ରହିବ।

ହର୍ ସର୍କଲ୍ ଡେକ୍ସଟପ୍ ଓ ମୋବାଇଲ୍‌ରେ ଖୋଲି ହେଉଥିବା ଏକ ୱେବସାଇଟ୍। ଏହା ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ମାଇଁ ଜିଓ ଆପ୍ ଷ୍ଟୋର୍‌ରେ ମାଗଣାରେ ଉପଲବ୍ଧ ହୋଇଛି। ହର ସର୍କଲ୍‌ର ବ୍ୟବହାରକାରୀମାନେ ମାଗଣାରେ ପଞ୍ଜୀକରଣ କରିପାରିବେ। ଏବେ ଏହି ୱେବସାଇଟ୍ ଇଂରାଜି ଭାଷାରେ ଉପଲବ୍ଧ ରହିଥିବା ବେଳେ ଅନ୍ୟ ଭାରତୀୟ ଭାଷାରେ ଏହାକୁ ଶୀଘ୍ର ଉନ୍ମୋଚନ କରାଯିବ।