Categories
ଆଞ୍ଚଳିକ

ନବଯୌବନ ରୂପରେ ଦର୍ଶନ ଦେଲେ ରଙ୍କନାଥ ଦେବ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ। ସ୍ନାନ ପୂର୍ଣ୍ଣିମା ଠାରୁ ବାଣପୁରର ଆରାଧ୍ୟ ଦେବ ପ୍ରଭୁ ରଙ୍କନାଥ ଓ ଚରଣ ଚକାଦେବ ଅଣସର ଘରେ ଜ୍ୱରରେ ପୀଡିତ ଥିଲେ।  ଦୀର୍ଘଦିନର ଅସୁସ୍ଥତା ଓ ବହୁ କଷ୍ଟ ସ୍ୱୀକାର ପରେ ପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି।

ସକାଳ ଧୂପ ଓ ଅବକାଶ ପରେ ବିଭିନ୍ନ ଭୋଗ ଲାଗିପରେ ଭକ୍ତଙ୍କୁ ପୂର୍ଣ୍ଣ ଅବୟବରେ ଦର୍ଶନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରୁ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଭକ୍ତଙ୍କର ସୁଅ ଛୁଟିବାରେ ଲାଗିଛି ରଙ୍କନାଥ ମନ୍ଦିରକୁ।

ଆସନ୍ତା କାଲି ଘୋଷଯାତ୍ରାରେ ରଥାରୁଢ଼ ହେବେ ରଙ୍କନାଥ ଓ ଚରଣ ଚକାଦେବ। ତେଣୁ ରଥରେ ଦର୍ଶନ କରିବାକୁ ଭକ୍ତଙ୍କ ମନରେ ଆବେଗ ବଢ଼ିବାରେ ଲାଗିଛି। ଶ୍ରୀ ଗୁଣ୍ଡିଚାକୁ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ମନ୍ଦିର କମିଟିଙ୍କ ସହ ବାଣପୁର ଅଧ୍ୟକ୍ଷ ମିଟୁ ନାୟକ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି।

ଘୋଷଯାତ୍ରାକୁ ଆକର୍ଷଣୀୟ କରିବାକୁ ଗତକାଲି ଠାରୁ ରଥ ଗଡିବାକୁ ଥିବା ପଥରେ ଅଧକ୍ଷଙ୍କ ତରଫରୁ ବିଭିନ୍ନ ଝୋଟି ତିଆରିରେ ଲାଗିପଡିଛନ୍ତି କୁଶଳୀ କାରିଗର ମାନେ।  ଏପଟେ ପ୍ରଭୁ ରଙ୍କନାଥଙ୍କ ଆଗମନକୁ ରଥ ପ୍ରସ୍ତୁତ ହୋଇ ରହିଛି। ମହିଳା ମାନେ ଚିତ୍ର ବିଚିତ୍ର କରିବାରେ ଲାଗି ପଡିଛନ୍ତି ତିନିରଥକୁ।

ଆସନ୍ତାକାଲି ୨ ଘଟିକା ସମୟରେ ପହଣ୍ଡି ବିଜେ, ଦିନ ତିନି ଘଟିକାରେ ଛେରାପହରା ପରେ ଚାରି ଘଟିକା ସମୟରେ ରଥ ଟଣାଯାଇ ପ୍ରଭୁ ମାଉସୀମା ଘରକୁ ଯାତ୍ରା କରିବାର ସମୟ ନିର୍ଘଣ୍ଟ କରାଯାଇଥିବା କମିଟି ସଭାପତି ଦାଶରଥି ସାହୁ ପ୍ରକାଶ କରିଛନ୍ତି। ଭାଷ୍ୟକାର ଭାବରେ ବାଳମୁକୁନ୍ଦ ଦାସ ରଥଯାତ୍ରାର ଧାରା ବିବରଣୀ ପ୍ରକାଶ କରିବେ।