Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପଞ୍ଚାୟତ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଶ୍ରମିକ, ଜଣେ ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ ବେଳେ ଅଘଟଣ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳରେ ସୋରଣ ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଶ୍ରାମ ଗୃହ ନିର୍ମାଣ ପାଇଁ ଲୁହା ଜିଆଇ ପାଇପ୍ ର ଫ୍ରେମ୍ ତିଆରି କରିବା ବେଳେ ଗୋଟିଏ ୨୦ ଫୁଟ ଲମ୍ବର ପାଇପ୍ କୁ ୱେଲଡିଂ ମିସ୍ତ୍ରୀ ଓ ହେଲପର ମିଶି ଉପରକୁ ଟେକି ଧରି ୱେଲଡିଂ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧୦୦ ଭୋଲଟ୍ ର ହାଇ ଭୋଲଟେଜ୍ ତାର ଜିଆଇ ପାଇପ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ।

ମୃତକ ୱେଲଡିଂ ମିସ୍ତ୍ରୀ ହେଲେ ସୋରଣ ଗ୍ରାମର ରସାନନ୍ଦ ମୁଦୁଲି (୧୮)। ଅନ୍ୟ ଗୁରୁତର ଜଣକ ହେଲେ ତାରୁ ଖାଁ (୨୦)। ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

ମୃତକ ଯୁବଙ୍କ ଶବକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।