Categories
ଆଞ୍ଚଳିକ

ବାଣପୁର ବ୍ଲକର ଦୁଇଟି ପଞ୍ଚାୟତରେ ଏହି ସବୁ ଗ୍ରାମକୁ ସଟ ଡ଼ାଉନ ଘୋଷଣା କଲେ ସରପଞ୍ଚ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତର କେତୋଟି ଗ୍ରାମକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସରପଞ୍ଚ ମନୋଜ କୁମାର ପ୍ରଧାନ। କୁମାରାଙ୍ଗ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମରେ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି କୋଭିଡ ସଂକ୍ରମିତ ହେବାରୁ ଚମ୍ପାଦେଇପୁର ଗ୍ରାମ, ହରିଜନ ସାହି ଏବଂ ପୁଞ୍ଜିଆମା ଶାସନକୁ ଆଜି ମଧ୍ୟାହ୍ନ ୧୨ ଘଟିକାରୁ ୨୭ ତାରିଖ ମଧ୍ୟାହ୍ନ ୧୨ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି।

ଏହି ସମୟରେ ସବୁ ଗ୍ରାମକୁ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଙ୍ଗ ଏବଂ ସ୍ୱାବ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ସଟ ଡ଼ାଉନ କଟକଣା ସମୟରେ କୌଣସି ବ୍ୟକ୍ତି ଘରୁ ନବାହାରିବା ପାଇଁ ଜନସାଧାରଣକୁ ନିବେଦନ କରିଛନ୍ତି ସରପଞ୍ଚ।

ଅନୁରୂପ ଭାବେ ଗତକାଲି ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜଣେ ସ୍ଥାନୀୟ ତେଜରାତି ଦୋକାନୀ କରୋନା ସଂକ୍ରମିତ ହୋଇଥିବାରୁ ସରପଞ୍ଚ ଜୋତ୍ସ୍ନା ରାଣୀ ମହାରଥା ଗମ୍ଭାରୀମୁଣ୍ଡା ବଜାରକୁ ଆଜିଠାରୁ ୭୨ ଘଣ୍ଟା ସଟ ଡ଼ାଉନ ଘୋଷଣା କରିଥିବା ସ୍ଥଳେ ପଦ୍ମପୁର ଗ୍ରାମକୁ ୩୧ ତାରିଖ ଯାଏଁ ସଟ ଡ଼ାଉନ ଘୋଷଣା କରିଛନ୍ତି। ସୂଚନା ଥାଉ କି ଦିନକୁ ଦିନ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।