Categories
ଆଞ୍ଚଳିକ

ଭୁବନେଶ୍ବରରେ ପାନୀୟ ଜଳ ସେବା: ମିଶ୍ରି ଲେମ୍ବୁ ପାଣି ପିଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଯାଉଛି ଉତ୍ସାହ

ଭୁବନେଶ୍ଵର: ଭୁବନେଶ୍ବରର ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଏକ ଅଭିନବ ପ୍ରୟାସ। ଏହି ଗ୍ରୁପ ପକ୍ଷରୁ ଏକ ପାନୀୟ ଜଳ ସେବା ଶିବିର ଆରମ୍ଭ ହୋଇଛି।

ରାମ ମନ୍ଦିର ନିକଟସ୍ଥ ପ୍ରଦର୍ଶନୀ ପଡିଆ ସମ୍ମୁଖରେ ଏହି ଅଟୋ ଗ୍ରୁପ ମାଗଣାରେ ବିଭିନ୍ନ ପ୍ରକାର ପାନୀୟ ଲୋକମାନଙ୍କୁ ଯୋଗାଇଦେଉଛି। କରୋନା କଟକଣା ନିୟମକୁ ମାନି ଏହି ଅଟୋ ଗ୍ରୁପ ପାନୀୟ ବଣ୍ଟନ କରିବା ସହ ଲୋକମାନଙ୍କ ପ୍ରତି ବେଶ୍ ଧ୍ୟାନ ଦିଆଯାଉଛି। ବିଶେଷ କରି ଏଠାରେ ସାମାଜିକ ଦୁରତ୍ଵକୁ ଅଧିକ ଗୁରତ୍ଵ ଦିଆଯାଉଛି।

ତେବେ ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଏଭଳି ସେବା ବିଗତ ୪ ବର୍ଷ ଧରି ଜାରି ରହିଛି ବୋଲି ଜଣେ ସଦସ୍ୟ କହିଛନ୍ତି। ଏହି ମହାମାରୀରେ ଅଟୋ ଚାଳକମାନେ ଅଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ନିଜର ସଞ୍ଚିତ ଅର୍ଥରୁ ଲୋକଙ୍କୁ ସେବା ଯୋଗାଇବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପାନୀୟ ଜଳ ଶିବିରଟି ବିଏମସି ଏବଂ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ, ଭୁବନେଶ୍ବରର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯାଉଛି। ବିଏମସି ଶୁଦ୍ଧ ଜଳ ଯୋଗାଉଥିବା ବେଳେ ମିଶ୍ରି, ଲେମ୍ବୁ, ପୁଦିନା, ଦହି, ରସ୍ନା ଆଦିକୁ ନେଇ ବିଭିନ୍ନ ପ୍ରକାର  ପାନୀୟ ଅଟୋ ଗ୍ରୁପ ପ୍ରସ୍ତୁତ କରୁଛି।

ଏହି ଶିବିରରେ ପୁଦିନା ଲେମ୍ବୁ ପାଣି, ମିଶ୍ରି ଲେମ୍ବୁ ପାଣି, ଦହି ପାଣି, ରସ୍ନା ପାଣି ଆଦି ଉପଲବ୍ଧ ହେଉଛି। ରାସ୍ତାରେ ଯାଉଥିବା ଯାତ୍ରୀମାନେ ଏସବୁକୁ ଉତ୍ସାହର ସହ ପିଇବା ସହ ଆୟୋଜକଙ୍କ ଉପରେ ଖୁସିବ୍ୟକ୍ତ କରୁଥିବା ଦେଖାଯାଉଛି।