Categories
ଆଜିର ଖବର

ଭୁବନେଶ୍ୱରରେ ଜାତୀୟ ଜନଜାତି ଶିଳ୍ପ ମେଳା ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି ଜାତୀୟ ଜନଜାତି ଶିଳ୍ପ ମେଳା ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ। ଶୁକ୍ରବାର ସନ୍ଧ୍ୟାରେ ଏହାକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଛନ୍ତି। ଏଥିରେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ଜନଜାତି ଶିଳ୍ପୀ ଓ କଳାକାରମାନେ ଭାଗ ନେଇଛନ୍ତି।

‘‘ଜନଜାତିଙ୍କ ଜୀବନ ଓ ଅନନ୍ୟ କଳା ସଂସ୍କୃତିର ଏକ ବିଶେଷ ଆକର୍ଷଣ ରହିଛି। ବର୍ତ୍ତମାନ ସମୟରେ ଜନଜାତି ବର୍ଗର ଯୁବପିଢ଼ି, ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜନଜାତିଙ୍କ ବିଷୟରେ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା ପାଇଁ ଗବେଷକମାନଙ୍କ ଭିତରେ ଉତ୍ସାହ ବଢ଼ିଛି। ଓଡ଼ିଶାରେ ଏଭଳି ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ ହେବା ଫଳରେ ବିଭିନ୍ନ ରାଜ୍ୟର ଜନଜାତି ଗୋଟିଏ ଜାଗାରେ ଏକାଠି ହୋଇପାରିଛନ୍ତି। ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ଆଗକୁ ଯିବାରେ ପ୍ରେରଣା ଦେବ’’, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ରୂପାରୋଶନ ସାହୁ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଜନଜାତି ଶିଳ୍ପୀ ଓ କଳାକାରଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ।

ଓଡ଼ିଶା ଏବଂ ବିଭିନ୍ନ ରାଜ୍ୟର ଜନଜାତି ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଅନନ୍ୟ କଳାକୃତିର ବିଶେଷ ଆକର୍ଷଣ ରହିଛି। ଏହାର ପ୍ରଦର୍ଶନ ଓ ବିକ୍ରି ପାଇଁ ଭୁବନେଶ୍ୱରଠାରେ ଆୟୋଜନ କରାଯାଇଛି ଜାତୀୟ ଜନଜାତି ଶିଳ୍ପ ମେଳା। ଏଥିରେ ୧୨ଟି ରାଜ୍ୟର ୨୦୦ରୁ ଅଧିକ ଜନଜାତି କାରିଗର ସେମାନଙ୍କ ହାତ ତିଆରି ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି। ୭୦ରୁ ଅଧିକ ଷ୍ଟଲରେ ଜନଜାତି ଅଳଙ୍କାର, ଆକର୍ଷଣୀୟ ପୋଷାକ, ବାଉଁଶ ଓ ଲୌହ ସାମଗ୍ରୀ ସହିତ ଢୋକ୍ରା, ଟେରାକୋଟା ଏବଂ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆଦି ଆକର୍ଷଣ ପାଲଟିଛି।

ସେହିପରି ଶିଳ୍ପ ମେଳାରେ ଓଡ଼ିଶାର ୧୬ଟି ଜନଜାତି କଳାକୃତିର ଲାଇଭ୍ ଡେମନଷ୍ଟ୍ରେସନ କରାଯାଉଛି। ଏହାକୁ ଲୋକମାନେ ଆଗ୍ରହର ସହିତ ଦେଖିବା ସହ ଜନଜାତି ଜୀବନ, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି। ଏହି ମେଳା ଜାନୁଆରି ୧୧ ତାରିଖ ଯାଏଁ ଚାଲିବ। ପ୍ରତିଦିନ ଅପରାହ୍ଣ ୨.୩୦ରୁ ରାତି ୯ଟା ଯାଏଁ ମେଳା ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।

ଏହି ପରିପ୍ରେକ୍ଷୀରେ ଜନଜାତି ବର୍ଗଙ୍କ ସମୃଦ୍ଧ କଳା ଓ ସଂସ୍କୃତିର ପ୍ରସାର ପାଇଁ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ସହିତ ୧୩ଟି ରାଜ୍ୟରୁ ଆସିଥିବା ଜନଜାତି କଳାକାରମାନେ ସେମାନଙ୍କ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରୁଛନ୍ତି।
ପ୍ରଥମ ଦିନରେ ଅରୁଣାଚଳପ୍ରଦେଶର ମିସିମି ଜନଜାତିଙ୍କ ପକ୍ଷରୁ ଲୋକନୃତ୍ୟ, ଗୁଜରାଟର କୁନ୍ ଜନଜାତିଙ୍କ କାହାଡ଼ିଆ ନୃତ୍ୟ, ତ୍ରିପୁରୀ ଜନଜାତିଙ୍କ ଲେବାଙ୍ଗ ବୁମାନି ନୃତ୍ୟ, ମହାରାଷ୍ଟ୍ରର ଗଣ୍ଡ ଜନଜାତିଙ୍କ ଖାପରି ନୃତ୍ୟ, ଓଡ଼ିଶାର ଗଦବା ଜନଜାତିଙ୍କ ଢ଼େମ୍ସା ନୃତ୍ୟ ଆଦି ଦର୍ଶକଙ୍କ ମନ ମୁଗ୍ଧ କରିଥିଲା। ଏହି ନୃତ୍ୟ ମହୋତ୍ସବ ଜାନୁଆରି ୭ ତାରିଖ ଯାଏଁ ଚାଲିବ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତି କାରିଗର ଓ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭାଗ ତରଫରୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ଏକ କଫିଟେବୁଲ ବୁକ୍ ଉନ୍ମୋଚନ କରାଯାଇଥିଲା। ଏଥିରେ ଆଦିବାସୀଙ୍କ ଜୀବନ, ସଂସ୍କୃତି ଓ ପରମ୍ପରାକୁ ନେଇ ଜନଜାତି ଯୁବଶିଳ୍ପୀମାନେ ଆଙ୍କିଥିବା ବିଭିନ୍ନ ଆକର୍ଷଣୀୟ ଚିତ୍ରକଳା ସ୍ଥାନ ପାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଭିତରେ ଏସଏସଟିଆରଟିଆଇ ଉପନିର୍ଦ୍ଦେଶକ ସନ୍ତୋଷ ରଥ ଏବଂ ଓଏସଡି ସମରେନ୍ଦ୍ର ଭୁତିଆ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ମନ ମୋହୁଛି ରାଜସ୍ଥାନୀ ସଂସ୍କୃତି

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ୟୁନିଟ୍‌-୧ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୧୩ ତାରିଖରୁ ଆରମ୍ଭ ହୋଇଛି। ଏହି କଳାବସ୍ତୁ ପ୍ରଦର୍ଶନୀରେ ହାତରେ ତିଆରି ଅତି ସୁନ୍ଦର କଳାବସ୍ତୁ ବିକ୍ରୟ ହେଉଛି। ଏଠାରେ ଦେଖିବାକୁ ମିଳୁଛି ପିଲାଙ୍କ ଖେଳଣା। ଖୁବ୍‌ ସରଳ ତିଆରି କୌଶଳ କିନ୍ତୁ ଅତ୍ୟନ୍ତ ଆକର୍ଷଣୀୟ। ହୁଇସିଲ୍‌ର ଦାମ୍‌ ମାତ୍ର ୩୦ ଟଙ୍କା। ତିନୋଟି ଛୋଟ ବାଉଁଶ ଖଣ୍ଡରେ ତିଆରି ୨ ଇଂଚ ଭିତରେ। ମାତ୍ର ତା’ର ନିର୍ମାଣ କୌଶଳ ଖୁବ୍‌ ସୁନ୍ଦର। ଏହିପରି ଅନେକ ଖେଳଣା ଓ ବୈଠକ ଘର ସାଜସଜ୍ଜା ସାମଗ୍ରୀରେ ପରିପୂର୍ଣ୍ଣ ମହାରାଷ୍ଟ୍ର ଷ୍ଟଲ।

ଆଦିବାସୀ ପଡ଼ିଆରେ ଚାଲୁଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତିଙ୍କ ହାତତିଆରି ସାମଗ୍ରୀକୁ ଦେଖିଲେ ଆଖି ଖୋସି ହୋଇଯାଉଛି।

ସେହିପରି ପରମ୍ପରା ଓ ପ୍ରଗତିର ଏକ ସୁନ୍ଦର ଝଲକ ରାଜସ୍ଥାନର ଦୁଇଟି ଚିତ୍ରକଳା ଷ୍ଟଲରେ ଦେଖିବାକୁ ମିଳୁଛି। ଗୋଟିଏ ପାରମ୍ପରିକ ଚିତ୍ରକଳାର ଷ୍ଟଲ ହୋଇଥିବାବେଳେ ଚିତ୍ରଶିଳ୍ପୀଙ୍କ ତୂଳିରେ ଗ୍ରାମୀଣ ରାଜସ୍ଥାନର ନିଚ୍ଛକ ଚିତ୍ରର ସମ୍ଭାର ନେଇ ଖୋଲିଛି ଆଉ ଗୋଟିଏ ଷ୍ଟଲ। ୱାଟର କଲରରେ ଏତେ ସୁନ୍ଦର ଏବଂ ଜୀବନ୍ତ ଚିତ୍ର ଯେ ଫୁଟି ଉଠେ, ନ ଦେଖିଲେ ଜାଣି ହୁଏନାହିଁ। ମେୱାଡ଼ି ସଂସ୍କୃତିର ସଂପୂର୍ଣ୍ଣ ପ୍ରତିଫଳନ ନେଇ ରାଜସ୍ଥାନ ଆସିଛି ଓଡ଼ିଶାକୁ।

କଳାବସ୍ତୁ ସାମଗ୍ରୀର ସମସ୍ତ ଷ୍ଟଲ ସେଇ ରାଜ୍ୟର ପାରମ୍ପରିକ ସଂସ୍କୃତିକୁ ଦର୍ଶାଉଅଛି ଏବଂ ଦକ୍ଷତା ବିକାଶ ପାଇଁ ଜନଜାତି କଳାକାରଙ୍କୁ ମାର୍ଗ ପ୍ରଦର୍ଶନ କରୁଛି।

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଅପରାହ@ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦଯାପିତ ହେଲା ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର: ଡିସେମ୍ବର ୯ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହୋଇଥିବାରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ “ଅକ୍ଷର” ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପୁସ୍ତକ ମହୋତ୍ସବରେ ଯୋଗଦେଇମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ପୁସ୍ତକ ଜରିଆରେ ବିଶ୍ୱକୁ ଦେଖିବାରେ ଏକ ପରିବ୍ୟାପ୍ତ ଜୀବନକୁ ଲମ୍ଫ ପ୍ରଦାନ କରିବାକୁ ହୋଇଥାଏ। ପୁସ୍ତକ, ପାଠକମାନଙ୍କୁ ସୁବିଚାର ସହ ସେମାନଙ୍କର ଜୀବନକୁ ନିଖୁଣ କରି ଗଢିବାରେ ସହାୟକ ହୋଇଥାଏ।

ପାଠକ ପାଠିକାମାନଙ୍କର ପାଠକୀୟ ଅନୁରାଗ ବା କ୍ରେତାଙ୍କ ଆବେଗକୁ ନେଇ ଲେଖକମାନଙ୍କର ଲେଖା ଦ୍ୱାରା ପ୍ରକାଶକମାନେ ପୁସ୍ତକ ପ୍ରକାଶନ ପାଇଁ ଉତ୍ସାହିତ ହୁଅନ୍ତି । ଅନୁଷ୍ଠିତ ୪ର୍ଥ ପୁସ୍ତକ ମହୋତ୍ସବ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହିତ ଆସନ୍ତା ବର୍ଷ ୫ମ ପୁସ୍ତକମେଳାକୁ ଆହୁରି ନୂଆ କରି ଅଧିକ ଭଲ ଭାବରେ ଆୟୋଜନ କରିବାକୁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, ୧୦ ଦିନ ଧରି ଚାଲିଥିବା ଏହି ପୁସ୍ତକ ମହୋତ୍ସବ ସବୁ ଦିଗରୁ ସଫଳ ହୋଇଛି। ୨ ବର୍ଷ କରୋନା ସଂକ୍ରମଣ କଟକଣା ଫଳରେ ସାହିତ୍ୟିକଙ୍କ ପାଇଁ ନିରାଶା ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପୁସ୍ତକମେଳା ନେଇ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହୋଇଥିଲା। ପୁସ୍ତକ ମେଳା ସହିତ ଯୋଡି ହୋଇ ରହିଥିବା ସାହିତ୍ୟିକ, ଲେଖକ, ପାଠକ,ପାଠିକା, ପ୍ରକାଶକଙ୍କ ସହିତ ମେଳାରେ ବହୁ ଜନସମାଗମ ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ପୁସ୍ତକ ପଠନମାଧ୍ୟମରେ ପୁସ୍ତକ ଭିତରେ ଥିବା ବିଭିନ୍ନ ଚରିତ୍ର ସଂପର୍କରେ ଜାଣିବା ଓ ଦେଶ ବିଦେଶ ସଂପର୍କରେ ଅଧିକରୁ ଅଧିକ ଅବଗତ ହେବା ଦ୍ୱାରା ପାଠକର ଚରିତ୍ର ଗଠନ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥାଏ ଓ ସେମାନେ ଦେବୋପମ ଗୁଣର ଅଧିକାରୀ ହୋଇଥାନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ସମସ୍ତ ସହଯୋଗୀ ଆୟୋଜକ ଅନୁଷ୍ଠାନ ଓ ପୁସ୍ତକ ପ୍ରକାଶକମାନଙ୍କର ସହଯୋଗ ଯୋଗୁଁ ପୁସ୍ତକମେଳା ସଫଳ ହୋଇଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ପୁସ୍ତକ ମେଳାର ସଫଳ ଆୟୋଜନ ପାଇଁ ରାଜଧାନୀ ପୁସ୍ତକ ମେଳାର ସଭାପତି ଡଃ. ଉପେନ୍ଦ୍ର କୁମାର ଜେନା, ସଂପାଦକ ଶ୍ରୀ ବିଧୁଭୂଷଣ ପଟ୍ଟନାୟକ, ଆବାହକ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ଡଃ. ପୀତବାସ ରାଉତରାୟ ଓ ସଂପାଦକ ଶ୍ରୀ ଭାସ୍କର ଜେନା, ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର କାର‌୍ୟ୍ୟକାରୀ ସଭାପତି ଶ୍ରୀ ଗଙ୍ଗାଧର ତ୍ରିପାଠୀଓ ସାଧାରଣ ସଂପାଦକ ଶ୍ରୀ ଶୁଭେନ୍ଦୁ ଶେଖର ରଥଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ପୁସ୍ତକ ମହୋତ୍ସବ ଆୟୋଜନରେ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ୧୦ ଦିନ ମଧ୍ୟରେ ଶତାଧିକ ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ଆୟୋଜକ ଓ ପ୍ରକାଶକମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଉଦଯାପନୀ ସଂଧ୍ୟାରେ ଉଦଯାପନୀ ମଂଚରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ୟାପନୀ ସଂଧ୍ୟାର ଶୁଭାରମ୍ଭ କରାଯାଇଥିଲା। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସ୍ୱାଗତ ସଂଗୀତ ପରିବେଷଣ ପରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଅତିଥିମାନଙ୍କୁ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଏବଂ ଗାଳ୍ପିକ ଶ୍ରୀ ମଧୁସୂଦନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅନ୍ୟତମ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ , ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଚାଟାର‌୍ୟୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ- ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

ଭୁବନେଶ୍ବରରେ ପାନୀୟ ଜଳ ସେବା: ମିଶ୍ରି ଲେମ୍ବୁ ପାଣି ପିଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଯାଉଛି ଉତ୍ସାହ

ଭୁବନେଶ୍ଵର: ଭୁବନେଶ୍ବରର ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଏକ ଅଭିନବ ପ୍ରୟାସ। ଏହି ଗ୍ରୁପ ପକ୍ଷରୁ ଏକ ପାନୀୟ ଜଳ ସେବା ଶିବିର ଆରମ୍ଭ ହୋଇଛି।

ରାମ ମନ୍ଦିର ନିକଟସ୍ଥ ପ୍ରଦର୍ଶନୀ ପଡିଆ ସମ୍ମୁଖରେ ଏହି ଅଟୋ ଗ୍ରୁପ ମାଗଣାରେ ବିଭିନ୍ନ ପ୍ରକାର ପାନୀୟ ଲୋକମାନଙ୍କୁ ଯୋଗାଇଦେଉଛି। କରୋନା କଟକଣା ନିୟମକୁ ମାନି ଏହି ଅଟୋ ଗ୍ରୁପ ପାନୀୟ ବଣ୍ଟନ କରିବା ସହ ଲୋକମାନଙ୍କ ପ୍ରତି ବେଶ୍ ଧ୍ୟାନ ଦିଆଯାଉଛି। ବିଶେଷ କରି ଏଠାରେ ସାମାଜିକ ଦୁରତ୍ଵକୁ ଅଧିକ ଗୁରତ୍ଵ ଦିଆଯାଉଛି।

ତେବେ ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଏଭଳି ସେବା ବିଗତ ୪ ବର୍ଷ ଧରି ଜାରି ରହିଛି ବୋଲି ଜଣେ ସଦସ୍ୟ କହିଛନ୍ତି। ଏହି ମହାମାରୀରେ ଅଟୋ ଚାଳକମାନେ ଅଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ନିଜର ସଞ୍ଚିତ ଅର୍ଥରୁ ଲୋକଙ୍କୁ ସେବା ଯୋଗାଇବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପାନୀୟ ଜଳ ଶିବିରଟି ବିଏମସି ଏବଂ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ, ଭୁବନେଶ୍ବରର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯାଉଛି। ବିଏମସି ଶୁଦ୍ଧ ଜଳ ଯୋଗାଉଥିବା ବେଳେ ମିଶ୍ରି, ଲେମ୍ବୁ, ପୁଦିନା, ଦହି, ରସ୍ନା ଆଦିକୁ ନେଇ ବିଭିନ୍ନ ପ୍ରକାର  ପାନୀୟ ଅଟୋ ଗ୍ରୁପ ପ୍ରସ୍ତୁତ କରୁଛି।

ଏହି ଶିବିରରେ ପୁଦିନା ଲେମ୍ବୁ ପାଣି, ମିଶ୍ରି ଲେମ୍ବୁ ପାଣି, ଦହି ପାଣି, ରସ୍ନା ପାଣି ଆଦି ଉପଲବ୍ଧ ହେଉଛି। ରାସ୍ତାରେ ଯାଉଥିବା ଯାତ୍ରୀମାନେ ଏସବୁକୁ ଉତ୍ସାହର ସହ ପିଇବା ସହ ଆୟୋଜକଙ୍କ ଉପରେ ଖୁସିବ୍ୟକ୍ତ କରୁଥିବା ଦେଖାଯାଉଛି।

Categories
ବିଶେଷ ଖବର

ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଉଚ୍ଛେଦ, କରୋନା ପାଇଁ ବେକାରି ଓ ଦାରିଦ୍ର୍ୟର ପ୍ରଦର୍ଶନୀ ପଡିଆ ପାଲଟିବ ଓଡିଶା

କେଦାର ମିଶ୍ର

ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ ବଞ୍ଚାଇବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସରକାରଙ୍କର କଥା ଓ କାମ ଭିତରେ ବହୁତ ବଡ ଫାଙ୍କ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସରେ ଯେତେବେଳେ ସରକାର ଲୋକଙ୍କ ଉପରେ ଲକ ଡାଉନ ଲଦିଦେଲେ, ସେତେବେଳେ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି  ଦିଆଗଲା ଯେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କଥା ସରକାର ଚିନ୍ତା କରିବେ। ସମୟ କ୍ରମେ କରୋନା ଜନିତ କଟକଣା ବଢିଲା ଓ ଲକ ଡାଉନ ଯୋଗୁଁ ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଶୁଡିବା ଆରମ୍ଭ କଲା। ସଂକ୍ରମଣର  ଚାରି ମାସ ପରେ ମଧ୍ୟ ଓଡିଶାରେ ଅର୍ଥନୈତିକ ଗତିବିଧି ଓ ଜନଜୀବନ ସ୍ଵାଭାବିକ ହୋଇନି, ବରଂ ଅଧିକ ଜଟିଳ ହୋଇଛି। ଯଦିଓ ରାଜ୍ୟରେ ସାମଗ୍ରିକ ଲକ ଡାଉନ ନାହିଁ, ହେଲେ ରାଜ୍ୟର ୯୦ ଭାଗ ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ହୋଇ ରହିଛି। ଲୋକଙ୍କର ଜୀବିକା ସହିତ ଜୀବନ ଆଜି ସବୁଠୁ ଅଧିକ ବିପନ୍ନ ହୋଇଛି। ଏଥିଲାଗି ସରକାର ନିଜକୁ ଦାୟୀ କରିବା ଉଚିତ ହେବନାହିଁ କି?

ଲକ ଡାଉନର ପ୍ରଥମ ପର୍ଯ୍ୟାୟରେ ସରକାର ଘରୋଇ ସଂସ୍ଥାମାନଙ୍କୁ ନିଜର କର୍ମଚାରୀମାନଙ୍କ ଦରମା ନ କାଟିବାକୁ ଓ ଛଟେଇ ନ କରିବାକୁ ଅନୁରୋଧ କରୁଥିଲେ। ଓଡିଶା ସରକାର ତାଙ୍କର ନିୟମିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାଧାରଣ ଲୋକେ ନିଜ ଘରେ କାମ କରୁଥିବା ଲୋକଙ୍କ ପ୍ରତି ସଂବେଦନଶୀଳ ହେବାକୁ ଓ ସେମାନଙ୍କ ଦରମା ନ କାଟିବାକୁ ପରାମର୍ଶ ଦେଉଥିଲେ। ହେଲେ ଗତ ଚାରିମାସର ଆର୍ଥିକ ଦୁର୍ଗତି ସରକାରଙ୍କର ମାନବିକ ଅଙ୍ଗକୁ ଅଚଳ କରି ଦେଇଛି। ଏବେ ଖୋଦ ଓଡିଶା ସରକାର ରାଜ୍ୟର ଲକ୍ଷାଧିକ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ କାମ କରୁଥିବା ଅସ୍ଥାୟୀ ତଥା ଠିକା ଭିତ୍ତିକ କର୍ମଚାରୀଙ୍କ କାର୍ୟକାଳ ସମ୍ପ୍ରସାରିତ କରିବାକୁ ସରକାର ମନା କରି ଦେଇଛନ୍ତି। ଏହି କର୍ମଚାରୀମାନେ ପ୍ରାୟତଃ ୩ ମାସିଆ କିମ୍ବା ବାର୍ଷିକ ଠିକା ରେ କାମ କରିଥାନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ ଲକ୍ଷ ପରିବାର ଆକ୍ରାନ୍ତ ହେବେ ଇଂରାଜୀ ଖବର କାଗଜ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” କହିଛି।

କରୋନା କଟକଣା ଆଳରେ ଓଡିଶା ସରକାର ପ୍ରଥମେ ନୂଆ ନିଯୁକ୍ତି ଆଉ ହେବନାହିଁ ବୋଲି କହିଥିଲେ। ଏହା ସହିତ ଗତ ୫ ପାଞ୍ଚ ବର୍ଷ ଭିତରେ ସରକାରରେ ଖାଲି ପଡିଥିବା ପଦବୀ ଆଉ ପୂରଣ କରିବେ ନାହିଁ ବୋଲି ମଧ୍ୟ ଘୋଷଣା କଲେ। ଏ ପ୍ରକାର ନିଷ୍ପତ୍ତିର ପ୍ରତ୍ୟେକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବା ସ୍ଵାଭାବିକ। ତେବେ କୌଣସି ସରକାରୀ ନିଷ୍ପତ୍ତି କୁ ବିରୋଧ କରିବାର ସ୍ଥିତି ବର୍ତ୍ତମାନ ଆମ ପାଖରେ ନାହିଁ। ମହାମାରୀର ଆତଙ୍କ ସହିତ ସରକାରୀ କଟକଣା ଭିତରେ ସାଧାରଣ ଲୋକ ଡରି ମରି ବଞ୍ଚୁଛନ୍ତି। ସେହି ସମୟରେ ଲକ୍ଷାଧିକ ଲୋକଙ୍କୁ ସରକାରୀ ଚାକିରିରୁ ବିଦା କରିବାର ନିଷ୍ପତ୍ତି, ଅତ୍ୟନ୍ତ ଅମାନବୀୟ। ଆଜିର ମହାମାରୀ ସମୟରେ ସରକାର ନିଜ କର୍ମଚାରୀ (ସେ ଅସ୍ଥାୟୀ ବା ଠିକା କର୍ମଚାରୀ ହୁଅନ୍ତୁ ପଛକେ)ଙ୍କ ପ୍ରତି ଏ ପ୍ରକାର ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ।

ସଂକ୍ରମଣ ସମୟରେ ଗତ ଚାରି ମାସ ହେଲା ସରକାରୀ ଅଫିସ ଗୁଡିକ ପ୍ରାୟତଃ କାମ କରୁନାହିଁ। ଅନେକ ଅଫିସକୁ ଲୋକଙ୍କ ପ୍ରବେଶ ବାରଣ କରା ଯାଇଛି। ୩୦% କର୍ମଚାରୀଙ୍କୁ ନେଇ କାମ କରନ୍ତୁ ବୋଲି ସରକାରୀ ନିର୍ଦ୍ଦେଶ  ପଛରେ ବାକି ୭୦% କର୍ମଚାରୀଙ୍କୁ ବିଦା କରିବାର ଏକ ଗୋପନ ଇଙ୍ଗିତ ରହିନାହିଁ ତ! ପ୍ରଲମ୍ବିତ ଲକ ଡାଉନ ଓ ଆର୍ଥିକ ଦୁର୍ଗତିକୁ ଆଖି ଆଗରେ ରଖି ଅନେକ ବିଭାଗ ଓ ଅଫିସର ସଂକୋଚନ ତଥା ଉଚ୍ଛେଦ କଥା ସରକାର ଚିନ୍ତା କରିପାରନ୍ତି। ଓଡିଶା ଭଳି ରାଜ୍ୟ ଯେଉଁଠି ସଂଖ୍ୟାଧିକ ଶିକ୍ଷିତ ଯୁବକ ଯୁବତୀ ସରକାରୀ ଚାକିରିକୁ ଆଶା କରି ରହିଛନ୍ତି, ସେମାନଙ୍କ ଅବସ୍ଥା ଆଗାମୀ ଦିନରେ ଶୋଚନୀୟ ହେବାକୁ ଯାଉଛି।

କରୋନା ଭୂତାଣୁରୁ ହୁଏତ ବର୍ତ୍ତିବା ସହଜ, କାରଣ ଦେଶରେ ମୃତ୍ୟୁହାର ୨% ରୁ ସାମାନ୍ଯ ଅଧିକ ରହିଛି। ହେଲେ ଭୋକ, ବେକାରି ଓ ଅର୍ଥନୈତିକ ଦୁଃସ୍ଥିତି ରୁ ବଞ୍ଚିବା ସହଜ ନୁହେଁ। ଆଗକୁ ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯିବା ଓ ବ୍ୟବସାୟ ଉଜୁଡି ଯିବାର ସଙ୍କଟ ବିଷୟରେ ରାଜ୍ୟ ସରକାରଙ୍କର ବିଶେଷ କିଛି ଯୋଜନା ଥିଲା ଭଳି ଦେଖା ଯାଉନାହିଁ। ବର୍ଷ ବର୍ଷ ଧରି ଅଳ୍ପ ଦରମାରେ  ଅଧିକ କାମ କରୁଥିବା ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ଜୀବିକାରୁ ବଞ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ସବୁ ସ୍ତରରେ କଡା ବିରୋଧ ହେବା ଉଚିତ।