Categories
ଆଜିର ଖବର ରାଜ୍ୟ ଖବର

ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କ ବିୟୋଗ: ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଶୋକ

ଭୁବନେଶ୍ୱର: ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲରେ ଦେହାନ୍ତ ହୋଇଯାଇଅଛି। ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। କଳାକ୍ଷେତ୍ରରେ ତାଙ୍କର ଯଶକୀର୍ତ୍ତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହେବା ସହ ସେ ସର୍ବଦା ଶିଳ୍ପୀକୂଳର ପ୍ରେରଣାର ପ୍ରତୀକ ଓ ଉତ୍ସହର ଉତ୍ସ ହୋଇ ରହିବେ। ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ଲଲାଟ ମୋହନ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ। ବନାରସ, ବମ୍ବେ, କୋଲକାତା ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ନିଜର କଳା ନୈପୁଣ୍ୟର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆ ରଙ୍ଗ, ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତିକରଣ ଏବଂ ସେମାନଙ୍କୁ ଆଧୁନିକ କୌଶଳ ପ୍ରୟୋଗରେ ମାର୍ଗଦର୍ଶକ ଥିଲେ।

୧୯୪୮ ମସିହା ଅପ୍ରେଲ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ଶାସନର ପ୍ରଖ୍ୟାତ ଜମିଦାର ଲକ୍ଷ୍ମୀଧର ପଟ୍ଟନାୟକ ଏବଂ ନକ୍ଷତ୍ରମଣି ପଟ୍ଟନାୟକଙ୍କ କୋଳ ମଣ୍ଡନ କରିଥିବା ଲଲାଟ ମୋହନ ପଟ୍ଟନାୟକ ନିଜର ସୃଜନଶୀଳ କଳାର ସାଧନା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ପୁରସ୍କାର ବିପ୍ର ଚରଣ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ ପୁରସ୍କାର, ରଘୁରାଜପୁର ଗୁରୁକୁଳ ଆଶ୍ରମ ପୁରସ୍କାର, ଶିଳ୍ପୀ ସମ୍ରାଟ ପୁରସ୍କାର, କଳା ଜ୍ୟୋତି ସମ୍ମାନ, ବୟନ ବିଭବ ସମ୍ମାନ (୨୦୧୮), ଶାରଳା ସମ୍ମାନ (୨୦୧୯), ଧର୍ମପଦ ପୁରସ୍କାର (୨୦୨୧) ସମେତ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ।

ସନ୍ଧ୍ୟାରେ ତାଙ୍କ ଶବାଧାର ଓଡ଼ିଶା ଲଳିତ କଳା ଏକଡମୀ ପରିସରକୁ ଆସିବା ପରେ ସେଠାରେ ଓଡ଼ିଶା ଲଳିତ କଳା ଏକାମେୀର ସଚିବ ପଞ୍ଚାନନ ସାମଲ, ଡାଃ ଅଲେଖ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଦାସ, ଚିନ୍ତାମଣି ବିଶ୍ୱାଳ, ମିନକେତନ ପଟ୍ଟନାୟକ, ଜନପ୍ରିୟ ଦେବତା, ସମୀର କୁମାର ରାଉତ ଓ ବହୁ ଶିଳ୍ପୀ, ବୁଦ୍ଧିଜୀବୀ ଶେଷଦର୍ଶନ ପୂର୍ବକ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦଯାପିତ ହେଲା ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର: ଡିସେମ୍ବର ୯ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହୋଇଥିବାରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ “ଅକ୍ଷର” ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପୁସ୍ତକ ମହୋତ୍ସବରେ ଯୋଗଦେଇମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ପୁସ୍ତକ ଜରିଆରେ ବିଶ୍ୱକୁ ଦେଖିବାରେ ଏକ ପରିବ୍ୟାପ୍ତ ଜୀବନକୁ ଲମ୍ଫ ପ୍ରଦାନ କରିବାକୁ ହୋଇଥାଏ। ପୁସ୍ତକ, ପାଠକମାନଙ୍କୁ ସୁବିଚାର ସହ ସେମାନଙ୍କର ଜୀବନକୁ ନିଖୁଣ କରି ଗଢିବାରେ ସହାୟକ ହୋଇଥାଏ।

ପାଠକ ପାଠିକାମାନଙ୍କର ପାଠକୀୟ ଅନୁରାଗ ବା କ୍ରେତାଙ୍କ ଆବେଗକୁ ନେଇ ଲେଖକମାନଙ୍କର ଲେଖା ଦ୍ୱାରା ପ୍ରକାଶକମାନେ ପୁସ୍ତକ ପ୍ରକାଶନ ପାଇଁ ଉତ୍ସାହିତ ହୁଅନ୍ତି । ଅନୁଷ୍ଠିତ ୪ର୍ଥ ପୁସ୍ତକ ମହୋତ୍ସବ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହିତ ଆସନ୍ତା ବର୍ଷ ୫ମ ପୁସ୍ତକମେଳାକୁ ଆହୁରି ନୂଆ କରି ଅଧିକ ଭଲ ଭାବରେ ଆୟୋଜନ କରିବାକୁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, ୧୦ ଦିନ ଧରି ଚାଲିଥିବା ଏହି ପୁସ୍ତକ ମହୋତ୍ସବ ସବୁ ଦିଗରୁ ସଫଳ ହୋଇଛି। ୨ ବର୍ଷ କରୋନା ସଂକ୍ରମଣ କଟକଣା ଫଳରେ ସାହିତ୍ୟିକଙ୍କ ପାଇଁ ନିରାଶା ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପୁସ୍ତକମେଳା ନେଇ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହୋଇଥିଲା। ପୁସ୍ତକ ମେଳା ସହିତ ଯୋଡି ହୋଇ ରହିଥିବା ସାହିତ୍ୟିକ, ଲେଖକ, ପାଠକ,ପାଠିକା, ପ୍ରକାଶକଙ୍କ ସହିତ ମେଳାରେ ବହୁ ଜନସମାଗମ ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ପୁସ୍ତକ ପଠନମାଧ୍ୟମରେ ପୁସ୍ତକ ଭିତରେ ଥିବା ବିଭିନ୍ନ ଚରିତ୍ର ସଂପର୍କରେ ଜାଣିବା ଓ ଦେଶ ବିଦେଶ ସଂପର୍କରେ ଅଧିକରୁ ଅଧିକ ଅବଗତ ହେବା ଦ୍ୱାରା ପାଠକର ଚରିତ୍ର ଗଠନ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥାଏ ଓ ସେମାନେ ଦେବୋପମ ଗୁଣର ଅଧିକାରୀ ହୋଇଥାନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ସମସ୍ତ ସହଯୋଗୀ ଆୟୋଜକ ଅନୁଷ୍ଠାନ ଓ ପୁସ୍ତକ ପ୍ରକାଶକମାନଙ୍କର ସହଯୋଗ ଯୋଗୁଁ ପୁସ୍ତକମେଳା ସଫଳ ହୋଇଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ପୁସ୍ତକ ମେଳାର ସଫଳ ଆୟୋଜନ ପାଇଁ ରାଜଧାନୀ ପୁସ୍ତକ ମେଳାର ସଭାପତି ଡଃ. ଉପେନ୍ଦ୍ର କୁମାର ଜେନା, ସଂପାଦକ ଶ୍ରୀ ବିଧୁଭୂଷଣ ପଟ୍ଟନାୟକ, ଆବାହକ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ଡଃ. ପୀତବାସ ରାଉତରାୟ ଓ ସଂପାଦକ ଶ୍ରୀ ଭାସ୍କର ଜେନା, ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର କାର‌୍ୟ୍ୟକାରୀ ସଭାପତି ଶ୍ରୀ ଗଙ୍ଗାଧର ତ୍ରିପାଠୀଓ ସାଧାରଣ ସଂପାଦକ ଶ୍ରୀ ଶୁଭେନ୍ଦୁ ଶେଖର ରଥଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ପୁସ୍ତକ ମହୋତ୍ସବ ଆୟୋଜନରେ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ୧୦ ଦିନ ମଧ୍ୟରେ ଶତାଧିକ ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ଆୟୋଜକ ଓ ପ୍ରକାଶକମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଉଦଯାପନୀ ସଂଧ୍ୟାରେ ଉଦଯାପନୀ ମଂଚରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ୟାପନୀ ସଂଧ୍ୟାର ଶୁଭାରମ୍ଭ କରାଯାଇଥିଲା। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସ୍ୱାଗତ ସଂଗୀତ ପରିବେଷଣ ପରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଅତିଥିମାନଙ୍କୁ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଏବଂ ଗାଳ୍ପିକ ଶ୍ରୀ ମଧୁସୂଦନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅନ୍ୟତମ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ , ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଚାଟାର‌୍ୟୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ- ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କୋଲକାତା ଠାରେ ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ମିଳିତ ସହଯୋଗରେ କୋଲକାତା ସ୍ଥିତ ଆଇ.ସି.ସି.ଆର. ଅବନୀନ୍ଦ୍ରନାଥ ଟାଗୋର ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଛି ଓଡ଼ିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ।

ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରି ଏହି ପ୍ରଦର୍ଶନୀ ଦ୍ୱାରା ଓଡ଼ିଶା ଓ କଲିକତାର ଆଧୁନିକ ଶିଳ୍ପୀମାନଙ୍କ ଭାବର ଆଦାନ ପ୍ରଦାନ ଆହୁରି ବଳିଷ୍ଠ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହି ପ୍ରଦର୍ଶନୀରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ ।

ଆଇ.ସି.ସି.ଆର. କ୍ଷେତ୍ର ନିର୍ଦ୍ଦେଶିକ ମିନାକ୍ଷୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ରକଳାର ଭୁୟସୀ ପ୍ରଶଂସା କରିଥିଲେ। ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀମାନଙ୍କଠାରୁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ସଂଗୃହିତ ୪୦ଟି ଚିତ୍ର ସ୍ଥାନ ପାଇଛି ।

ଉତ୍ସବ ଅବସରରେ ଶିଳ୍ପୀମାନଙ୍କ ଚିତ୍ରକଳାକୁ ନେଇ ଏକ ରଙ୍ଗିନ କ୍ୟାଟେଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ପ୍ରଦର୍ଶିତ ହୋଇଥିବା ଚିତ୍ର ଗୁଡିକରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରା, ନାରୀ ସ୍ୱାଧୀନତା, ଓଡ଼ିଶାର ସୁପ୍ରସିଦ୍ଧ ଧନୁଯାତ୍ରା, ଆଦିବାସୀ ସଂସ୍କୃତି ଓ କଳା, ଓଡ଼ିଶାର ଗ୍ରାମ୍ୟ ଜୀବନର ଦୃଶ୍ୟ ସହିତ ଅନେକ ସୃଜନଶୀଳ ଚିତ୍ରକଳା ସ୍ଥାନ ପାଇଛି। ଏହି ପ୍ରଦର୍ଶନୀ ନଭେମ୍ବର ୬ ତାରିଖ ପର‌୍ୟ୍ୟନ୍ତ ଚାଲିବ।

ଉଦଘାଟନୀ ଉତ୍ସବ ଓ ପ୍ରଦର୍ଶନୀକୁ ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସଂଚାଳନ କରିଥିଲେ। ପ୍ରଦର୍ଶନୀ ଅବସରେ କୋଲକାତାର ଅନେକ ବରିଷ୍ଠ ଓ ଯୁବଶିଳ୍ପୀ ତଥା କଳାପ୍ରେମୀ ଓ କଳା ସମୀକ୍ଷକ ଯୋଗ ଦେଇ ଓଡ଼ିଶାର ସମସାମୟିକ ଚିତ୍ରକଳାର ଭୂୟଶୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ, ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର ନିର୍ମାଣ କାର୍ଯ୍ୟ ତଦାରଖ

ଭୁବନେଶ୍ୱର: ଆଜି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରାଇବଣିଆ ଫୋର୍ଟ(କିଲ୍ଲା) ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ ପୂର୍ବକ ଏହି ପୁରାତନ କିଲ୍ଲାର ସଂରକ୍ଷଣ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ପ୍ରସିଦ୍ଧ ଲେଖକ ସ୍ୱର୍ଗତ ପଦ୍ମଭୂଷଣ ମନୋଜ ଦାସ ଓ ପ୍ରଖ୍ୟାତ ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କର ପୈତୃକ ଗ୍ରାମ ଭୋଗରାଇ ବ୍ଲକର ଶଙ୍ଖାରୀଗ୍ରାମ ଗସ୍ତ କରି ନିର୍ମାଣ ହେବାକୁ ଥିବା ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର କାର‌୍ୟ୍ୟ ସଂପର୍କରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ ସମୟରେ ଭୋଗରାଇ ବିଧାୟକ ତଥା ବାଲେଶ୍ୱର ଜ଼ିଲ୍ଲା ଯୋଜନା କମିଟି ଅଧକ୍ଷ ଶ୍ରୀ ଅନନ୍ତ ଦାସ, ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଟିବ ଶ୍ରୀ ମଧୁସୂଦନ ପାଢୀ,ବାଲେଶ୍ୱର ଜ଼ିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା ଓ ସଂପୃକ୍ତ ବ୍ଲକ ପ୍ରଶାସନର ଅଧିକାରୀ, ମନ୍ମଥନାଥ ଦାସଙ୍କ ପୁତ୍ରବଧୂ ରଂଜିତକ୍ଷ ଦାସ, ମନ୍ମଥ ମନୋଜ ଫାଉଣ୍ଡେସନର ସଭାପତିପ୍ରମୁଖ ଉପସ୍ଥିତ ଥିଲେ କ୍ଷମନ୍ମଥ- ମନୋଜ ଫାଉଣ୍ଡେସନ ତରଫରୁ ସଂସ୍କୃତି ତଥା ପର‌୍ୟ୍ୟଟନ ମନ୍ତ୍ରୀକୁ ମ୍ୟୁଜିୟମ ନିର୍ମାଣ ପରିପ୍ରେକ୍ଷୀରେ ଏଠାରେ ଆନୁଷଙ୍ଗିକ ବିକାଶ କାର‌୍ୟ୍ୟ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କର ଗସ୍ତ ପରିପ୍ରେକ୍ଷୀରେ ଉଦୟପୁର ବେଳାଭୂମି ପରିଦର୍ଶନ କରିବା ସହିତ ୱାଟରସ୍ପୋର୍ଟସ୍ ଉଦଘାଟନ କରିଥିଲେ କ୍ଷ ମନ୍ତ୍ରୀ ମଧ୍ୟ ତାଳସାରୀ ସ୍ଥିତ ପାନ୍ଥଶାଳା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ତାଳସାରୀ ବେଳାଭୂମିର ସୌନ୍ଦଯ୍ୟକରଣ, ପ୍ରାଚୀର ନିର୍ମାଣଓ଼ ବିଦ୍ୟୁତକରଣ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ବିଧାୟକ ଶ୍ରୀ ଦାସ, ଜିଲ୍ଲାପାଳ, ବାଲେଶ୍ୱର, ଭୋଗରାଇ ତହସିଲଦାର ଓ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୱେବସାଇଟର ହେଲା ଲୋକାର୍ପଣ

ଭୁବନେଶ୍ୱର: ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ,ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.in ର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ମଧୁସୂଦନ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଓ୍ୱେବ୍ ସାଇଟ୍ କୁ ଉନ୍ମୋଚନ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ।

ଏହି ଓ୍ୱେବ୍ ସାଇଟ୍ ଲୋକାର୍ପିତ ହେବା ଦ୍ୱାରା ଓଡିଶା ତଥା ଦେଶର ଜନସାଧାରଣ ଉପକୃତ ହେବା ସହିତ ଓଡିଆ କଳାକାରିତା ତଥା ସାମ୍ପ୍ରତିକ କଳାଚର୍ଚ୍ଚାର ପରିସର ସୁଦୂର ପ୍ରସାରି ହେବା ସଙ୍ଗେ ସଙ୍ଗେ କଳାର ଅଭିବୃଦ୍ଧିରେ ସହାୟକ ହେବ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଏହି ଓ୍ୱେବ୍ ସାଇଟ୍ ପ୍ରସ୍ତୁତି ଓ ଲୋକାର୍ପଣ ପାଇଁ ଉପସ୍ଥିତ ଅତିଥି ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଜୟନ୍ତ ଦାସ ଏବଂ ଅଧ୍ୟାପକମାନେ ଉପସ୍ଥିତ ଥିଲେ।