Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୱେବସାଇଟର ହେଲା ଲୋକାର୍ପଣ

ଭୁବନେଶ୍ୱର: ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ,ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.in ର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ମଧୁସୂଦନ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଓ୍ୱେବ୍ ସାଇଟ୍ କୁ ଉନ୍ମୋଚନ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ।

ଏହି ଓ୍ୱେବ୍ ସାଇଟ୍ ଲୋକାର୍ପିତ ହେବା ଦ୍ୱାରା ଓଡିଶା ତଥା ଦେଶର ଜନସାଧାରଣ ଉପକୃତ ହେବା ସହିତ ଓଡିଆ କଳାକାରିତା ତଥା ସାମ୍ପ୍ରତିକ କଳାଚର୍ଚ୍ଚାର ପରିସର ସୁଦୂର ପ୍ରସାରି ହେବା ସଙ୍ଗେ ସଙ୍ଗେ କଳାର ଅଭିବୃଦ୍ଧିରେ ସହାୟକ ହେବ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଏହି ଓ୍ୱେବ୍ ସାଇଟ୍ ପ୍ରସ୍ତୁତି ଓ ଲୋକାର୍ପଣ ପାଇଁ ଉପସ୍ଥିତ ଅତିଥି ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଜୟନ୍ତ ଦାସ ଏବଂ ଅଧ୍ୟାପକମାନେ ଉପସ୍ଥିତ ଥିଲେ।