Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ୬୩ଟି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ ହଜାର ସ୍କୁଲକୁ ଚୟନ କରାଯିବ । ଆଜି  ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୬୩ଟି ତଥା ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ଆଜି ଠାରୁ ପିଏମ – ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ସ୍କୁଲ ପାଇଁ ପାଖାପାଖି ୫୦.୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୨.୭ କୋଟି ଟଙ୍କା ଏହି ବିଦ୍ୟାଳୟଗୁଡ଼ିକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି । ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ  ମୋଟ ୭.୨୭ କୋଟି ଟଙ୍କା ଏବଂ ୨୬ଟି ନବୋଦୟ ବିଦ୍ୟାଳୟ ପାଇଁ ୫.୪୩ କୋଟି ଟଙ୍କା ବ୍ୟୟ କରାଯାଇ ସ୍କୁଲର ଉନ୍ନତିକରଣ ଆରମ୍ଭ କରାଯିବ ।

ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ ।  ସ୍କୁଲ ଗୁଡିକୁ ପ୍ରତିଯୋଗିତା ଆଧାରରେ ରାଜ୍ୟମାନେ କେନ୍ଦ୍ରକୁ ନାଁ ପଠାଇବାର ଆବଶ୍ୟକତା ଅଛି । ମାତ୍ର ଓଡ଼ିଶା ସରକାର ପିଏମ ଶ୍ରୀ ପାଇଁ ଏମଓୟୁ କରିନାହାନ୍ତି । ଏଥିପାଇଁ ଗତ ୧ ବର୍ଷ ମଧ୍ୟରେ ୩ ଥର ବ୍ୟକ୍ତିଗତ ଭାବରେ ଚିଠି ଲେଖାଯାଇଛି । କୌଣସି ନା କୌଣସି କାରଣରୁ ଓଡ଼ିଶା ଏହି ଯୋଜନା ଲାଗୁ କରୁନାହାନ୍ତି । ଗୋଟିଏ ଦୁଇଟି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ପିଏମ ଶ୍ରୀ ଯୋଜନା ଲାଗୁ କରୁନାହାନ୍ତି । ସେ ରାଜ୍ୟ ଗୁଡ଼ିକ ଭଳି ଓଡ଼ିଶା ସରକାରଙ୍କର ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବ ବୋଲି ଭାବୁଛି ।

ଏହି ମର୍ମରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସରକାରୀ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଯୋଜନା ପିଏମ ଶ୍ରୀ ଯୋଜନାକୁ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଶ୍ରୀ ଯୋଜନା ଓଡ଼ିଶା ସରକାର ଲାଗୁ କଲେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ । ଗୋଟିଏ ସ୍କୁଲରେ ୨ କୋଟି ଟଙ୍କାର ଅନୁଦାନର ଦାୟିତ୍ଵ ନେବେ କେନ୍ଦ୍ର ସରକାର । ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୦୦ କୋଟିରୁ ଅଧିକ ଟଙ୍କା ଆସିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସର୍ବମୋଟ ୬୨, ୨୯୧ ସ୍କୁଲ ଥିବା ବେଳେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୭୬ ଲକ୍ଷ । ସରକାରୀ ସ୍କୁଲ ୪୯,୦୭୨ଟି ଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି  ୫୩ ଲକ୍ଷ । ଉଚ୍ଚ ଶିକ୍ଷାରେ ପଢୁଥିବା ଛାତ୍ରଛାତ୍ରୀ ସଂଖ୍ୟା ୧୧ ଲକ୍ଷ । ସାମଗ୍ରିକ ଭାବେ ଓଡିଆ ପିଲା ମାନଙ୍କୁ ବୈଶ୍ୱିକ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ କରାଇବାକୁ ହେବ ।  ଓଡିଶାରୁ ବିଶ୍ୱକୁ ବିଜୟ କଲା ଭଳି ପିଲା ତିଆରି ହେବେ । ଏଥିରେ ବାଛ ବିଚାର ଏବଂ ଭେଦଭାବ ନ ହେବା ଉଚିତ । ମୁଖ୍ୟମନ୍ତ୍ରୀ ଏହା ଉପରେ ସହୃଦୟ ସହ ବିଚାର କରନ୍ତୁ । ରାଜନୀତି ତା ବାଟରେ ଥାଇପାରେ । ପ୍ରତିଯୋଗିତା ତା’ ବାଟରେ ଥାଇପାରେ । କିନ୍ତୁ ୧ କୋଟି ଓଡ଼ିଆ ପିଲା ମାନଙ୍କୁ ତାଙ୍କ ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବାର ଆବଶ୍ୟକତା ଅଛି । ଓଡ଼ିଶା ସରକାର ଏଥିପ୍ରତି ଯତ୍ନବାନ ହେବେ ବୋଲି ବିଶ୍ୱାସ ।

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମର ଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ପାଇଁ ପଡିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ଏକବିଂଶ ଶତାବ୍ଦୀରେ ଉଚ୍ଚଶିକ୍ଷିତ କରି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିର ବିଚାରରେ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରାଯିବ, ଯେଉଁମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପିଏମ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି। ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ୱାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ ସ୍କୁଲ) ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ। ଏହା, ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ। ପିଏମଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମୟଓୁ ସ୍ୱାକ୍ଷର କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଏମଓୟୁ ସ୍ୱାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ସମ୍ପୂର୍ଣ୍ଣ ହୋଇସାରିଛି। ପିଏମ ଶ୍ରୀ ସ୍କୁଲ ଯୋଜନାର କ୍ରିୟାନ୍ୱୟନ ପାଇଁ ପ୍ରଥମ କିସ୍ତି ମଧ୍ୟ ଜାରି ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପିଏମ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ। ଏଥିପାଇଁ ପୂର୍ବରୁ ଗତ ଅକ୍ଟୋବର ୯ ଏବଂ ମାର୍ଚ୍ଚ ୧୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯିବା ସତ୍ତ୍ୱେ ଏମଓୟୁ ସ୍ୱାକ୍ଷରିତ ହୋଇନାହିଁ।

ତେଣୁ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ପିଏମ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପିଏମ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ। ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ।

ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ। ମୋଦି ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ। ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ। ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ।

Categories
ଆଜିର ଖବର ଜାତୀୟ ଖବର

ହରିୟାଣାରେ ପିଏମ-ଶ୍ରୀ ସ୍କୁଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ତଥା ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ରାଜ୍ୟର ଲୋକମାନଙ୍କୁ ବିଜୟା ଦଶମୀର ଉପହାର। ପିଏମ୍ ଶ୍ରୀସ୍କୁଲ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ଉତ୍କୃଷ୍ଟତାର ପ୍ରତୀକ ହେବ ବୋଲି ଆଜି ପ୍ରଥମ ପର୍ଯ୍ୟାୟରେ ହରିୟାଣାରେ ୧୨୪ଟି ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଆଧାରରେ ଉନ୍ନତ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ହରିୟାଣାର ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆଜି ଏକ ଐତିହାସିକ ଦିନ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଜାତୀୟ ଶିକ୍ଷା ନୀତିର ଦ୍ୱାରା ପରିକଳ୍ପିତ ବିଦ୍ୟାଳୟ ଶିକ୍ଷାକୁ ଭାଇବ୍ରେଣ୍ଟ କରିବା ପାଇଁ ହରିୟାଣା ବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଉପକ୍ରମ ଏବଂ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି । ସ୍କିଲ୍ ଆଧାରିତ, ଜନ ଜୀବନ ସଂସ୍କୃତି ଏବଂ ମାତୃଭାଷା ଆଧାରିତ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ପିଏମ ଶ୍ରୀ ସ୍କୁଲ ଉତ୍କୃଷ୍ଟତାର ପ୍ରତୀକ ହେବ । ଏହି ସ୍କୁଲର ଶୁଭାରମ୍ଭ ଦ୍ୱାରା ହରିୟାଣାରେ ବିଦ୍ୟାଳୟ ଶିକ୍ଷାର କ୍ଷମତା ବଢିବ ଓ ହରିୟାଣାର ପିଲାମାନେ ଲାଭାନ୍ୱିତ ହେବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁରୁ ଦିବସ ଅବସରରେ ପିଏମ ଶ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ୨୦୨୨-୨୩ ରୁ ୨୦୨୬-୨୦୨୭ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ପାଇଁ ଆର୍ଥିକ ବ୍ୟୟବରାଦ ମଧ୍ୟ କରିଥିଲେ । ଆଜି ଶିକ୍ଷା ବ୍ୟବସ୍ଥାରେ ଅନେକ ସଂସ୍କାର ଅଣାଯାଉଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ- ସଭିଏଁ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ ଠାରୁ ଆରମ୍ଭ କରି ମୋଦି ସରକାରରେ ପିଏମ ଶ୍ରୀସ୍କୁଲର ବିକଶିତ କରାଯାଉଛି । ଦେଶରେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା଼ ନୀତି ପ୍ରଣୟନ କରାଯାଇଛି । ନୂଆ ଶିକ୍ଷା ନୀତିରେ ବିଶେଷତଃ ତିନୋଟି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବାଲବାଟିକା ମାଧ୍ୟମରେ ଖେଳକୁଦ ଓ ବିଭିନ୍ନ ଆକ୍ଟିଭିଟି ଜରିଆରେ ପାଠପଢା, ପାଠ ପଢିବାର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ତୃତୀୟତଃ ଦକ୍ଷତା ଆଧାରିତ ଶିକ୍ଷାକୁ ବିଶେଷ ଗୁରୁତ୍ୱାରୋପ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ, ରାଜ୍ୟ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ କନଓ୍ୱର୍ ପାଲ୍ ଓ ଲୋକସଭା ସାଂସଦ ଡା. ଅରବିନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।