Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଦ୍ୱିତୀୟ ଦିବସରେ କେନ୍ଦ୍ର ପୁରସ୍କାରପ୍ରାପ୍ତ ୫ ସାହିତ୍ୟିକ ସମ୍ମାନିତ

ଭୁବନେଶ୍ୱର: ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସ। ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ ଯେ ପାଠକ ହେଉଛି ପୁସ୍ତକର ବାସ୍ତବ ବିଚାରକ। ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ବହିର ପାଠକୀୟ ଆଦରତା ଅକ୍ଷୁଣ୍ଣ ରହିଛି, ଯାହା ପୁସ୍ତକ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟକୁ ଯଥାର୍ଥ ପ୍ରତିପାଦନ କରୁଛି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟକର ବିଭାଗ ମୁଖ୍ୟ କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ପୁସ୍ତକ ହେଉଛି ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ, ଯାହା ମୃତୁ୍ୟ ପରେ ମଧ୍ୟ ବଞ୍ଚାଇ ରଖିଥାଏ। ପୁସ୍ତକ ମେଳା ହେଉଛି ସାହିତ୍ୟ, ଭାଷା ଓ ସଂସ୍କୃତିର ତି୍ରବେଣୀ ସମ୍ଭାର ଯାହା ମାନବୀୟ ଚେତନା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।

ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କନ୍ନଡ଼ ସାହିତି୍ୟକ ଡ. ମୁଦନାକୁଡ଼ୁ ଚିନ୍ନାସ୍ୱାମୀ, ମରାଠୀ ସାହିତି୍ୟକା ଅନୁରାଧା ପାଟିଲ, ମାଲାୟଲମ୍‌ ସାହିତି୍ୟକା ପି୍ରୟା ଏ. ଏସ୍‌., ବଙ୍ଗଳା ସାହିିତି୍ୟକ ସୁବୋଧ ସରକାର ଏବଂ ତାମିଲ ସାହିତି୍ୟକ ଆର୍‌.ଏନ୍‌. ଜୋଡି କୃଜ୍‌ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା ଓ ସାହିତ୍ୟର ବ୍ୟାପକତା ଓ ସମୃଦ୍ଧତା ଉପରେ ସେମାନେ ଆଲୋକପାତ କରିଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କବି ଜୟନ୍ତ ମହାପାତ୍ରଙ୍କ ପ୍ରତି ଉତ୍ସର୍ଗୀକୃତ ଅରୁଣ ଚନ୍ଦ୍ର ସାହୁଙ୍କ ଇଂରାଜୀ କବିତା ‘ଦି ବଟରଫ୍ଲାଏ ଅଫ୍‌ ଦି କେଜ୍‌’, ଭାନୁମତି ସାହୁଙ୍କ ଉପନ୍ୟାସ ‘ମୁଁ ବିକର୍ଣ୍ଣ’, ପଦ୍ମାଳୟା ପାଢ଼ୀଙ୍କ ଗଳ୍ପ ସଂକଳନ ‘ରକ୍ଷା କବଚ’, ଶିଶୁ ଲେଖିକା ଶୈଳବାଳା ରାଉତଙ୍କ ଗଳ୍ପ ସଂକଳନ ‘କେଦାରନାଥ’ ଓ ଶିଶୁ ଉପନ୍ୟାସ ‘ଗୁରବେ ନମଃ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ପୁସ୍ତକମେଳା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ଆୟୋଜିତ ହୋଇଛି। ଏହି ମେଳାରେ ୫୭୨ଟି ଷ୍ଟଲ ରହିଛି। ଏଥିରେ ବିଭିନ୍ନ ରାଜ୍ୟର ପ୍ରକାଶକମାନେ ସେମାନଙ୍କ ପୁସ୍ତକ ପ୍ରଦର୍ଶନ ଏବଂ ବିକ୍ରୟ କରୁଛନ୍ତି। ଏହି ମେଳା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ।

ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମଧୁମିତା ମହାନ୍ତି ଓ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାଚୀ ତାରା ସଂସ୍ଥା ଦ୍ୱାରା ଫକୀର ମୋହନ ସେନାପତିଙ୍କ ଡାକ୍‌ମୁନ୍‌ସୀର ଗଳ୍ପାୟନ ପରିବେଷିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଠାରୁ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ପଲ୍ଲୀଶ୍ରୀମେଳା, କୃଷି ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ପଲ୍ଲୀଶ୍ରୀମେଳା, କୃଷି ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା ଆସନ୍ତାକାଲି ଠାରୁ ୨୫ ତାରିଖ ମଧ୍ୟରେ ଖୋର୍ଦ୍ଧାର ହାବେଳି ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ୨୧ ତାରିଖ ଦିନ ଏହି ମହୋତ୍ସବକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିବେ।

ଏହି ଉଦଘାଟନୀ ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସତ୍ରୀକରଣ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେବେ।

ଏହି ପଲ୍ଲୀଶ୍ରୀ ମେଳାରେ ଖୋର୍ଦ୍ଧା ଜିଲ୍ଲା ଏବଂ ଅନ୍ୟାନ୍ୟ ୨୯ ଟି ଜିଲ୍ଲାରୁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ହସ୍ତକଳା ଓ ହସ୍ତଶିଳ୍ପୀ ପ୍ରଦର୍ଶନ କରାଯିବା ସହ କୃଷି ମେଳାରେ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବା ସହିତ କୃଷକ ଓ ଚାଷୀଭାଇମାନଙ୍କୁ ସଚେତନତା କରାଯିବ।

ଖୋର୍ଦ୍ଧାର ଐତିହ୍ୟ ଓ ସଂସ୍କୃତି ଉପରେ ଆଲୋଚନା କରାଯାଇ ପ୍ରତ୍ୟେକ ସନ୍ଧ୍ୟାକୁ ମନ୍ତ୍ରମୁଗ୍ଧ କରାଯିବ। ସ୍ଵତନ୍ତ୍ର ଫୁଡଜୋନ କରାଯାଇ ଦର୍ଶକମାନଙ୍କୁ ବିଭିନ୍ନ ପ୍ରକାର ଗ୍ରାମ୍ୟ ଓ ସହରୀ ଖାଦ୍ୟ ଯୋଗାଇଦେବାର ବନ୍ଦୋବସ୍ତ କରାଯାଇଛି।

ଏହି ମହୋତ୍ସବରେ ବିଭିନ୍ନ ଆଞ୍ଚଳିକ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପ୍ରତ୍ୟେକ ସନ୍ଧ୍ୟାକୁ ଆକର୍ଷଣୀୟ କରାଯିବ।

ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନଜିଣିବେ ଜାତୀୟ ସ୍ତରର ସାରେଗାମାପା ର ବିଜେତା କଣ୍ଠଶିଳ୍ପୀମାନେ। ଏହି ମହୋତ୍ସବକୁ ସର୍ବ ସଫଳତା ତଥା ସ୍ମରଣୀୟ ଓ ରାଜ୍ୟରେ ଏକକ ଦୃଷ୍ଟାନ୍ତ କରାଯିବା ଦିଗରେ ସମସ୍ତଙ୍କର ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ଆଶାବ୍ୟକ୍ତ କରିଛି।