Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ଟୀକା କେନ୍ଦ୍ରରେ ଦଲାଲି ରୋକିବା ଲାଗି ସଜବାଜ ହେଉଛି ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବିଭିନ୍ନ ଟୀକାକେନ୍ଦ୍ର ଗୁଡିକରେ ସ୍ଥାନୀୟ ଦଲାଲମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାର ଖବର ଗତକଲି ଏବଂ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ପ୍ରଶାସନ।

ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ବ୍ୟକ୍ତିଗତ ଭାବେ କଳକଳେଶ୍ୱର, ବିରିବାଡି ଏବଂ ବଉଳାବନ୍ଧ ଟୀକା କେନ୍ଦ୍ର ଗୁଡିକ ପରିଦର୍ଶନକୁ ଯାଇ ଟୀକାକରଣ ପ୍ରକ୍ରିୟା ତଦାରଖ କରିଥିଲେ। ପ୍ରତି କେନ୍ଦ୍ରରେ ଟୀକାକରଣ କିପରି ସରଳିକରଣ ହେଇପାରିବ ଏବଂ ଟୀକା କେନ୍ଦ୍ରରେ ବାହ୍ୟ ହସ୍ତକ୍ଷେପ କିପରି ବନ୍ଦ ହେବ ସେ ନେଇ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ମାନଙ୍କ ସହ ଶ୍ରୀ ପଟ୍ଟନାୟକ ଆଲୋଚନା ମଧ୍ୟ କରିଥିଲେ।

ସେହିପରି ଭାବେ ଗସ୍ତ ସମୟରେ ବିଭିନ୍ନ ନାଗରିକମାନଙ୍କୁ ଦ୍ଵିତୀୟ ଡୋଜର ଗୁରୁତ୍ୱ ବିଷୟରେ ଅବଗତ କରାଇବା ସହ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ପ୍ରାଧାନ୍ୟ ଦେବାପାଇଁ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଥିଲେ।

ଅନୁରୂପ ଭାବେ ଆଜି ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ ଏବଂ ଅତିରିକ୍ତ ବିଡ଼ିଓ ଅପରାଜିତା ସ୍ୱାଇଁ ମଧ୍ୟ ବିରିବାଡି, କଳକଳେଶ୍ୱର ସ୍ଥିତ ଟୀକା କେନ୍ଦ୍ର ପରିଦର୍ଶନକୁ ଯାଇ ବିଭିନ୍ନ ବ୍ୟବସ୍ଥା ପରଖିଥିଲେ। ଟୀକା କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ଉପସ୍ଥିତି ରହିବା ସହ ପୋଲିସ ପ୍ରଶାସନ ଦ୍ୱାରା ଶୃଙ୍ଖଳିତ ଭାବେ ଟୀକାକରଣ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ ବିଡ଼ିଓ।

ତେବେ ଟୀକାକେନ୍ଦ୍ର ଗୁଡିକକୁ ଦଲାଲମୁକ୍ତ ନିମନ୍ତେ ପ୍ରଶାସନର ଉକ୍ତ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାର ପ୍ରଭାବ କିଭଳି ରହୁଛି, ତାହା ଦେଖିବା ବାକି ରହିଲା।