Categories
ଆଜିର ଖବର ଜାତୀୟ ଖବର

ସାର୍ବଜନୀନ ପ୍ରସାରଣ ସେବା ନିମନ୍ତେ ବ୍ୟାପକ ପ୍ରୋତ୍ସାହନ: ୨୦୨୬ ସୁଦ୍ଧା ଖର୍ଚ୍ଚ ହେବ ୨୫୪୦ କୋଟି

ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଏକ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ଭାବେ ‘ପ୍ରସାରଣ ଭିତ୍ତିଭୂମି ଓ ନେଟୱର୍କ ବିକାଶ (ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ-ବିଆଇଏନଡି)’କୁ ଅନୁମୋଦନ କରିଛି। ଏ ସଂକ୍ରାନ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରସାର ଭାରତୀ- ଅର୍ଥାତ୍‌ ଅଲ ଇଣ୍ଡିଆ ରେଡିଓ (ଏଆଇଆର) ଏବଂ ଦୂରଦର୍ଶନ (ଡିଡି) ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଯୋଜନାରେ ମୋଟ୍‌ ୨୫୩୯.୬୧ କୋଟି ଟଙ୍କା ଖର୍ଚ୍ଚ ହେବ।  ପ୍ରସାର ଭାରତୀର ପ୍ରସାରଣ ଭିତ୍ତିଭୂମି ସମ୍ପ୍ରସାରଣ ଓ ଉନ୍ନତିକରଣ, ବିଷୟବସ୍ତୁ ବିକାଶ ଓ ସଂଗଠନର ସିଭିଲ କାର୍ଯ୍ୟ ଆଦି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ମନ୍ତ୍ରଣାଳୟ ଦ୍ବାରା ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ (ବିଆଇଏନଡି) ଯୋଜନାର ପରିକଳ୍ପନା କରାଯାଇଛି।

ପ୍ରସାର ଭାରତୀ ହେଉଛି ଦେଶର ସାର୍ବଜନୀନ ବା ଲୋକ ସେବା ପ୍ରସାରଣକାରୀ ସଂଗଠନ। ଏହି ସଂଗଠନ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ଦେଶର ଦୂର ସୁଦୂରବର୍ତ୍ତୀ କ୍ଷେତ୍ରରେ ଲୋକମାନଙ୍କୁ ଶିକ୍ଷା, ସୂଚନା, ମନୋରଞ୍ଜନ ଓ ସହଭାଗିତାର ସବୁଠୁ ବଡ଼ ସାଧନ ଯୋଗାଇ ଦେଉଛି। ପ୍ରସାର ଭାରତୀ କୋଭିଡ ମହାମାରୀ ସମୟରେ ସାର୍ବଜନୀନ ସ୍ବାସ୍ଥ୍ୟ ବାର୍ତ୍ତାର ପ୍ରସାରଣ ଓ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ବିଆଇଏନଡି ଯୋଜନା ଏହି ସାର୍ବଜନୀନ ପ୍ରସାରଣକାରୀ ସଂଗଠନକୁ ଉନ୍ନତ ମୌଳିକ ଭିତ୍ତିଭୂମି ସହିତ ନିଜସ୍ବ ସୁବିଧାକୁ ବ୍ୟାପକ ଭାବେ ଉନ୍ନତିକରଣ କରିବା ଲାଗି ସକ୍ଷମ କରିବ। ଫଳରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର, ସୀମାବର୍ତ୍ତୀ ଓ ରଣନୈତିକ କ୍ଷେତ୍ରରେ ଏହାର ପ୍ରସାରଣ ବୃଦ୍ଧି ପାଇବ। ଶ୍ରୋତା ଓ ଦର୍ଶକମାନେ ଉଚ୍ଚ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ବା ବିଷୟବସ୍ତୁ ପାଇପାରିବେ। ଏହି ଯୋଜନାର ଆଉ ଏକ ପ୍ରାଥମିକତା ଆଧାରିତ କ୍ଷେତ୍ର ହେଉଛି – ଘରୋଇ ଓ ଅନ୍ତର୍ଜାତୀୟ ଉଭୟ ଦର୍ଶକଙ୍କ ପାଇଁ ଉଚ୍ଚ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ବିକଶିତ କରିବା ଏବଂ ଅଧିକ ଘରୋଇ ଚ୍ୟାନେଲକୁ ସାମିଲ କରିବା ଲାଗି ଡିଟିଏଚ ପ୍ଲାଟଫର୍ମର କ୍ଷମତା ବିକାଶ। ଏହାଦ୍ବାରା ଦର୍ଶକଙ୍କ ପାଇଁ ବିବିଧ ବିଷୟବସ୍ତୁ ଓ କାର୍ଯ୍ୟକ୍ରମର ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ। ଓଭି ଭ୍ୟାନ୍‌ କ୍ରୟ ଏବଂ ଡିଡି ଓ ଆକାଶବାଣୀ ଷ୍ଟୁଡିଓକୁ ଏଚଡି ସ୍ତରରେ ପ୍ରସ୍ତୁତ କରିବା ଲାଗି ଡିଜିଟାଲ ଉନ୍ନତିକରଣକୁ ମଧ୍ୟ ଏହି ପରିଯୋଜନାର ଅଂଶବିଶେଷ ଭାବେ ସାମିଲ କରାଯିବ।

ବର୍ତ୍ତମାନ, ଦୂରଦର୍ଶନ ୨୮ଟି ଆଞ୍ଚଳିକ ଚାନେଲ ସହିତ ୩୬ଟି ଟିଭି ଚାନେଲ ପରିଚାଳନା କରୁଛି ଏବଂ ଅଲ ଇଣ୍ଡିଆ ରେଡିଓ ୫୦୦ରୁ ଅଧିକ ପ୍ରସାରଣ କେନ୍ଦ୍ର ପରିଚାଳନା କରିଥାଏ। ଏହି ଯୋଜନା ଦେଶରେ ଏଆଇଆର ଏଫଏମ ଟ୍ରାନ୍ସମିଟର କଭରେଜକୁ ଭୌଗଳିକ କ୍ଷେତ୍ର ଅନୁସାରେ ୫୯ ପ୍ରତିଶତରୁ ବଢ଼ାଇ ୬୬ ପ୍ରତିଶତ ଏବଂ ଜନସଂଖ୍ୟା ହିସାବରେ ୬୮ ପ୍ରତିଶତରୁ ବଢ଼ାଇ ୮୦ ପ୍ରତିଶତ କରି ଦେବ। ଏହି ଯୋଜନାରେ ଦୂରବର୍ତ୍ତୀ, ଜନଜାତୀୟ, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ, ସୀମାବର୍ତ୍ତୀ କ୍ଷେତ୍ର ଓ ଆକାଂକ୍ଷୀ ଜିଲ୍ଲାରେ ରହୁଥିବା ଲୋକମାନଙ୍କୁ ୮ ଲକ୍ଷ ଡିଡି ଫ୍ରି ଡିଶ ଡିଟିଏଚ ସେଟଅପ ବକ୍ସ (ଡିଟିବି) ନିଃଶୁଳ୍କ ବିତରଣ କରାଯିବାକୁ ପରିକଳ୍ପନା କରାଯାଇଛି।

ସାର୍ବଜନୀନ ପ୍ରସାରଣ ପରିଧିକୁ ବଢ଼ାଇବା ବ୍ୟତୀତ, ପ୍ରସାରଣ ଉପକରଣ ଯୋଗାଣ ଓ ପ୍ରତିଷ୍ଠା ସହ ଜଡ଼ିତ ନିର୍ମାଣ ଓ ସେବା ମାଧ୍ୟମରେ ପରୋକ୍ଷ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଟିଭି/ରେଡିଓ ପ୍ରଯୋଜନା, ଟ୍ରାନ୍ସମିଶନ ଓ ଆନୁସଙ୍ଗିକ ମିଡିଆ ସହ ଜଡ଼ିତ ସେବା ସମେତ ବିଭିନ୍ନ ବିଷୟବସ୍ତୁ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପରୋକ୍ଷ ରୋଜଗାର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାବ୍ୟତୀତ, ଡିଡି ଫ୍ରି ଡିଶର ପ୍ରସାର ବିସ୍ତାର ପ୍ରକଳ୍ପ ଜରିଆରେ ଡିଡି ଫ୍ରି’ ଡିଶ ଡିଟିଏଚ ବକ୍ସ ନିର୍ମାଣରେ ମଧ୍ୟ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଭାରତ ସରକାର ଦୂରଦର୍ଶନ ଓ ଆକାଶବାଣୀ (ପ୍ରସାରଣ ଭାରତୀ)ର ମୌଳିକ ଭିତ୍ତିଭୂମି ଓ ସେବାର ବିକାଶ, ଆଧୁନିକୀକରଣ ଓ ଦୃଢ଼ତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଉଛନ୍ତି ଏବଂ ଏହା ଏକ ନିରନ୍ତର ପ୍ରକ୍ରିୟା ଅଟେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ

ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବିଶିଷ୍ଟ ସାମ୍ବାଦିକ ତଥା ପ୍ରସାର ଭାରତୀ ସଦସ୍ୟ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ କଲ୍ୟାଣ ଯୋଜନାର ବର୍ତ୍ତମାନ ନିୟମାବଳୀର ଅନୁଧ୍ୟାନ ପାଇଁ ଏକ ଦଶଜଣିଆ କମିଟି ଗଠନ କରିଛି । ମନ୍ତ୍ରଣାଳୟ ଦ୍ୱାରା ସାମ୍ବାଦିକ କଲ୍ୟାଣ ଯୋଜନା ଦେଇଥିବା ନିର୍ଦ୍ଦେଶାବଳୀ ତର୍ଜମା କରିବା ସହ ଆବଶ୍ୟକ ସୁପାରିଶ ଏହି କମିଟି କରିବ । ଗଣମାଧ୍ୟମରେ ପରିବର୍ତ୍ତନ ତଥା କୋଭିଡ-୧୯ ଯୋଗୁଁ ଅନେକ ସାମ୍ବାଦିକଙ୍କ ପ୍ରାଣହାନୀ ଓ କାର‌୍ୟ୍ୟରତ ସାମ୍ବାଦିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ।

ଦେଶରେ ବହୁଦିନରୁ ରହିଆସିଥିବା ସାମ୍ବାଦିକ କଲ୍ୟାଣ ଯୋଜନା ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ସାମ୍ବାଦିକମାନଙ୍କ ସୁବିଧା ଦୃଷ୍ଟିରୁ ସମୀକ୍ଷାର ଆବଶ୍ୟକତା ରହିଛି । ପେଶାଗତ, ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର‌୍ୟ୍ୟାବସ୍ଥା ସଂହିତା ୨୦୨୦ ଲାଗୁ ହେବା ପରେ ଉଭୟ ପାରମ୍ପରିକ ଓ ଡିଜିଟାଲ ଗଣମାଧ୍ୟମରେ କାର‌୍ୟ୍ୟରତ ସାମ୍ବାଦିକ ମାନଙ୍କ ସଂଜ୍ଞା ପରିସର ବ୍ୟାପକ ହୋଇଯାଇଛି । ଯୋଜନା ଅଧୀନରେ କଲ୍ୟାଣମୂଳକ ସୁବିଧା ସୁଯୋଗ ଅଧିସ୍ୱୀକୃତ ଓ ଅଣସ୍ୱୀକୃତ ସାମ୍ବାଦିକ ମଧ୍ୟରେ ସମାନ ଆଣିବା ପାଇଁ ଏହି ଯୋଜନାର ପୁନଃ ଅନୁଧ୍ୟାନ ଆବଶ୍ୟକତା ଉପୁଜିଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ସକ୍ରିୟ ପଦକ୍ଷେପ ନେଇ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି । ଶହେରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କ ପରିବାରକୁ ପ୍ରତ୍ୟେକ ପାଂଚ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
କମିଟି ଦୁଇମାସ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବ । ଏହାର ସୁପାରିଶ ଗୁଡିକ ସରକାରଙ୍କୁ ସାମ୍ବାଦିକଙ୍କ ସୁବିଧା ନିମନ୍ତେ ମାର୍ଗଦର୍ଶିକା ତିଆରିରେ ସାହାଯ୍ୟ କରିବ ।

ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମୂର୍ତ୍ତି (ଦି ୱିକର ଆବାସିକ ସମ୍ପାଦକ), ମୁକ୍ତ ସାମ୍ବାଦିକ ଶ୍ରୀ ଶେଖର ଆୟାର, ନ୍ୟୁଜ ୧୮ର ଶ୍ରୀ ଅମିତାଭ ସିହ୍ନା,ବିଜିନେସ୍ ଲାଇନର ଶ୍ରୀ ଶିଶିର କୁମାର ସିହ୍ନା, ଜୀ ନ୍ୟୁଜର ସ୍ୱତନ୍ତ୍ର ସମ୍ବାଦଦାତା ଶ୍ରୀ ରବିନ୍ଦର କୁମାର, ପାଞ୍ଚଜନ୍ୟର ସମ୍ପାଦକ ଶ୍ରୀ ହିତେଶ ଶଙ୍କର, ହିନ୍ଦୁସ୍ତାନ ଟାଇମ୍ସର ଶ୍ରୀମତୀ ସ୍ମିତୀ କାକ୍ ରାମଚନ୍ଦ୍ରନ, ଟାଇମ୍ସ ନାଓଁର ଶ୍ରୀ ଅମିତ କୁମାର, ଇକନମିକ ଟାଇମ୍ସର ଶ୍ରୀମତୀ ବସୁଧା ଭେନୁଗୋପାଳ ଏବଂ ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀମତୀ କାଞ୍ଚନ ପ୍ରସାଦ ସଦସ୍ୟ ଅଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

୨୦୨୦ରେ ପ୍ରସାର ଭାରତୀ ଅଧିନସ୍ଥ ଦୂରଦର୍ଶନ ଏବଂ ଆକାଶବାଣୀର ଡିଜିଟାଲ ଦର୍ଶକ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ, ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ ୧୦୦ କୋଟି ଡିଜିଟାଲ ଭିଉଜ ଏବଂ ୬୦୦ କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି । ୨୦୨୦ରେ ନିଉଜ୍‍ ଅନ୍‍ ଏୟାର ଆପ୍‍ ଏହାର ପ୍ଲାଟଫର୍ମରେ ୨.୫ ନିୟୁତ ୟୁଜରଙ୍କୁ ଯୋଡିଥିଲା । ଫଳରେ ୩୦୦ ନିୟୁତରୁ ଅଧିକ ଲାଇଭ ରେଡିଓ ଷ୍ଟ୍ରିମିଂ ଦେଖିଥିଲେ । ସେଥିରେ ସ୍ଥାନ ପାଇଥିବା ୨୦୦ରୁ ଅଧିକ ଷ୍ଟ୍ରିମ୍‍ ବେଶ୍‍ ଲୋକପ୍ରିୟ ଥିଲା ।

ଡିଡି ନ୍ୟାସନାଲ ଓ ଡିଡି ନିଉଜ୍‍ ଚାନେଲ ସହିତ ପ୍ରସାର ଭାରତୀର ଶ୍ରେଷ୍ଠ ୧୦ଟି ଡିଜିଟାଲ ଚାନେଲ ମଧ୍ୟରେ ମରାଠି ଡିଡି ନିଉଜ୍‍ ଚାନେଲ ସହାଦ୍ରି, କନ୍ନଡର ଡିଡି ଚନ୍ଦନ, ବାଂଲାର ଡିଡି ବାଂଲା ଏବଂ ତେଲୁଗୁର ଡିଡି ସପ୍ତଗିରି ସ୍ଥାନ ପାଇଛି । ଲାଇଭ କମେଣ୍ଟ୍ରିରେ ଡିଡି ସ୍ପୋର୍ଟ୍ସ ଓ ଆକାଶବାଣୀ ସ୍ପୋର୍ଟ୍ସର ଡିଜିଟାଲ ଫଲୋଅର ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ପ୍ରସାର ଭାରତୀ ଆର୍କାଇଭସ୍‍ ଏବଂ ଡିଡି କିଷାନର ଡିଜିଟାଲ ପ୍ରଦର୍ଶନ ବେଶ୍‍ ଭଲ ରହି ବୃଦ୍ଧି ପାଉଛି ଏବଂ ଏହା ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛି।

ଉତ୍ତର ପୂର୍ବାଞ୍ଚଳରେ ନିଉଜ୍‍ ପ୍ରତି ଡିଜିଟାଲ ଅର୍ଡିୟାନ୍ସ ବଢିଛି । ଫଳରେ ଆକାଶବାଣୀର ଉତ୍ତର ପୂର୍ବାଞ୍ଚଳ ନିଉଜ ସର୍ଭିସର ଶ୍ରୋତା ସଂଖ୍ୟା ବଢି ଏହା ଡିଜିଟାଲ ଅର୍ଡିୟାନ୍ସ ବର୍ଗର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛି । ଉଲ୍ଲେଖନୀୟ ହେଲା ଯେ ଏହି ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ଏବେ ଡିଜିଟାଲ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।ମଜାଦାର କଥା ହେଉଛି ୨୦୨୦ରେ ଡିଡି ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଓ ଶ୍ରୋତା ପାକିସ୍ତାନର ଥିଲେ। ଏହା ପରେ ତୃତୀୟରେ ରହିଛି ଆମେରିକା । ଅର୍ଥାତ୍‍ ଭାରତରେ ଆକାଶବାଣୀ ଓ ଦୂରଦର୍ଶନର ସର୍ବାଧିକ ଦର୍ଶକ ଓ ଶ୍ରୋତା ରହିଥିବାବେଳେ ଦେଶ ବାହାରେ ଏ କ୍ଷେତ୍ରରେ ପାକିସ୍ତାନ ଓ ଆମେରିକା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

୨୦୨୦ରେ ସବୁ ଲୋକପ୍ରିୟ ଡିଜିଟାଲ କାର‌୍ୟ୍ୟକ୍ରମ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍କୁଲ ପିଲାଙ୍କ ସହ  ଧାରଣତନ୍ତ୍ର ପରେଡର ବାର୍ତ୍ତାଳାପ ସବୁଠୁ ଲୋକପ୍ରିୟ ଥିଲା । ସେହିଭଳି ୧୯୭୦ ଦଶକରେ ଶକୁନ୍ତଳା ଦେବୀଙ୍କ ଉପରେ ଦୂରଦର୍ଶନ ପକ୍ଷରୁ ପ୍ରସ୍ତୁତ ଏକ ବିରଳ ଭିଡିଓକୁ ମଧ୍ୟ ସର୍ବାଧିକ ଲୋକ ଦେଖିଥିଲେ। ପ୍ରସାର ଭାରତୀର ଉତ୍ସର୍ଗୀକୃତ ୟୁଟ୍ୟୁବ ଚାନେଲରେ ସଂସ୍କୃତ ଭାଷାରେ ଏକ କାର‌୍ୟ୍ୟକ୍ରମ ୨୦୨୦ରେ ଆରମ୍ଭ ହୋଇଥିଲା। ଏହାଛଡା ରେଡିଓ ଓ ଟିଭିରେ ମଧ୍ୟ ସଂସ୍କୃତ ଭାଷାରେ କେତେକ କାର‌୍ୟ୍ୟକ୍ରମ ପ୍ରସ୍ତୁତ ହୋଇ ଶ୍ରୋତା ଓ ଦର୍ଶକଙ୍କ ପାଖରେ ପହଞ୍ଚିଥିଲା। ଏସବୁ ଦେଖିବା ପାଇଁ ସହଜ ବ୍ୟବସ୍ଥା କରାଯାଇଥିଲା । ଉତ୍ସର୍ଗୀକୃତ ମନ୍‍ କୀ ବାତ୍‍ ୟୁଟ୍ୟୁବ ଚାନେଲ ଏବଂ ଟ୍ୱିଟର ହ୍ୟାଣ୍ଡେଲ କ୍ଷେତ୍ରରେ ୨୦୨୦ରେ ବେଶ୍‍ ତୀବ୍ର ଅଭିବୃଦ୍ଧି ହାସଲ ହୋଇଛି ।

ଏବେ ମନ୍‍ କୀ ବାତ୍‍ ଟ୍ୱିଟର ହ୍ୟାଣ୍ଡେଲର ଫଲୋଅରଙ୍କ ସଂଖ୍ୟା ୬୭୦୦୦ରୁ ଅଧିକ । ମନ୍‍ କୀ ବାତ୍‍ କାର‌୍ୟ୍ୟକ୍ରମର ବିଭିନ୍ନ ଅଧ୍ୟାୟକୁ ଆଞ୍ଚଳିକ ଭାଷାରେ ୟୁଟ୍ୟୁବ୍‍ ଚାନେଲରେ ପ୍ରସାରଣ କରାଯାଉଛି । ବିଭିନ୍ନ ଭାଷାର ପ୍ରାୟ ୧୫୦୦ ରେଡିଓ ନାଟକ ଡିଡି ଓ ଏଆଇଆର ନେଟୱାର୍କରେ ଉପଲବ୍‍ଧ । ସେଗୁଡିକୁ ଏବେ ଡିଜିଟାଇଜ କରାଯାଇ ଆମ ୟୁଟ୍ୟୁବ୍‍ ଚାନେଲରେ ଅପ୍‍ଲୋଡ କରାଯାଉଛି ।

ଶିକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁର ହଜାର ହଜାର ଘଣ୍ଟା କାର‌୍ୟ୍ୟକ୍ରମ ଏବଂ ଟେଲିକ୍ଲାସେସ ଏବେ ୟୁଟ୍ୟୁବ୍‍ ଚାନେଲରେ ବିଭିନ୍ନ ଭାଷାରେ ଉପଲବ୍ଧ । ବିରଳ ଅଭିଲେଖାତ୍ମକ ବିଷୟବସ୍ତୁ ଯାହାର ବିଶେଷ ଐତିହାସିକ ମୂଲ୍ୟ ରହିଛି ତାହା ଏବେ ଆକାଶବାଣୀ ଓ ଦୂରଦର୍ଶନରେ ଉପଲବ୍ଧ । ସେଗୁଡିକୁ ଡିଜିଟାଇଜ କରାଯାଇ ପ୍ରସାର ଭାରତୀ ଆର୍କାଇଭ ୟୁଟ୍ୟୁବ୍‍ ଚାନେଲରେ ଅପ୍‍ଲୋଡ କରାଯାଉଛି ।

ଜନସ୍ୱାର୍ଥରେଏକ ଉତ୍ସର୍ଗୀକୃତ ଟିମ୍‍ ଏ ସବୁ ଗୀତ ଓ ସଂଗୀତ, ସଂସ୍କୃତି, ରାଜନୀତି ବିଷୟକ ତଥ୍ୟାବଳୀକୁ ବିଭିନ୍ନ ଟେପ୍‍ରୁ ଉଦ୍ଧାର କରି ଡିଜିଟାଇଜ କରୁଛନ୍ତି । ଆକାଶବାଣୀ ଓ ଦୂରଦର୍ଶନର ବିଭିନ୍ନ କେନ୍ଦ୍ରରେ ବିଭିନ୍ନ ସମୟରେ ଏସବୁ କାର‌୍ୟ୍ୟକ୍ରମ ରେକର୍ଡ ହୋଇଥିଲା; ଯାହା ଏବେ ଟେପ୍‍ରେ ରହିଛି । ଏସବୁ ଉଦ୍ଧାର ହୋଇ ସହଜ ଏବଂ ସୁବିଧାରେ ସର୍ବସାଧାରଣଙ୍କୁ ଉପଲବ୍‍ଧ ହେଲେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ।