Categories
ଆଜିର ଖବର ଜାତୀୟ ଖବର

ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍‌ଏଫ୍‌ର ଭୂମିକାକୁ ମୁଁ ପ୍ରଶଂସା କରୁଛି।’

Categories
ଆଜିର ଖବର ଜାତୀୟ ଖବର

ବିପର୍ଯ୍ୟୟ ସମୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଜିଓର “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା’

ଭୁବନେଶ୍ୱର: ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଯୋଗାଯୋଗ ବ୍ୟବସ୍ଥା ବିଫଳ ହେଲେ ସରକାର ଓ ପ୍ରଶାସନକୁ କଠିନ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ ଯାହା ଫଳରେ ଜରୁରୀ ଓ ସଠିକ୍ ସମୟରେ ସହାୟତା ପ୍ରଦାନ କରିବା କଷ୍ଟକର ହୋଇପଡ଼େ। ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ-୨୦୨୩ରେ ନିଜର “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା”କୁ ପ୍ରଦର୍ଶିତ କରାଯାଇଛି ଯାହା ଜୀବନ ବଂଚାଇବାରେ ସହାୟକ ହୋଇପାରିବ।

ଜିଓର ଟ୍ରୁ-୫ଜିରେ ଚାଲୁଥିବା ଏହି “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା” ବିଭିନ୍ନ ସ୍ତରରେ ଯୋଗାଯୋଗକୁ ସୁଦୃଢ଼ କରିବ। ସ୍ଥାନୀୟ ଟେଲିକମ୍ ବ୍ୟବସ୍ଥା ଅଚଳ ହୋଇପଡ଼ିଲେ ଏହି ବ୍ୟବସ୍ଥାରେ ଉପଗ୍ରହ ସହ ଯୋଡ଼ି ହୋଇଥିବା ଟାୱାର ଅନ୍ ହ୍ୱିଲ୍ କାମ କରିବ ଯାହାକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସ୍ଥିତିରେ ମୂତୟନ କରାଯାଇପାରିବ।

ସହାୟତା ପ୍ରଦାନ କରୁଥିବା ଟିମ୍‌ର କମାଣ୍ଡ୍ ସେଂଟର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ “ଏକ୍ସଆର୍ କମ୍ପାନିୟନ୍‌’ ନାମକ ଏକ ଶକ୍ତିଶାଳୀ ଆପ୍ ପ୍ରସ୍ତୁତ କରାଯାଇଛିି। ଏହି ଆପ୍ ସହାୟତା ଟିମ୍ ସହ ବାସ୍ତବ ସମୟରେ ଯୋଡ଼ିହୋଇରହିବ। ଆପ୍ ଜରିଆରେ କମାଣ୍ଡ୍ ସେଂଟରରେ କାର୍ଯ୍ୟ ବଂଟନ, ଉଭୟ ପାଶ୍ୱର୍ରୁ ଅଡିଓ ଭିଡିଓ କଲିଙ୍ଗ୍‌, ଜରୁରୀକାଳୀନ ଆମ୍ବୁଲାନ୍ସ କଲିଙ୍ଗ୍‌, ଟିମ୍‌ର ଗତିବିଧି, କାର୍ଯ୍ୟ ପ୍ରଗତି ରିପୋର୍ଟ ଉପରେ ବାସ୍ତବ ସମୟରେ ନଜର ରଖାଯାଇପାରିବ। ଏବେ ଏହି ଆପ୍‌ରେ ୨୦ଟି ଟିମ୍‌କୁ ଯୋଡ଼ିହେବ। ଆବଶ୍ୟକ ସ୍ଥଳେ ଟିମ୍ ସଂଖ୍ୟା ବଢ଼ାଇ ହେବ।

ଦୂରଦୂରାନ୍ତ ସ୍ଥାନରେ ଥିବା ଏନ୍‌ଡିଆର୍‌ଏଫ୍ କିମ୍ବା ସହାୟତା ଅଧିକାରୀ ୫ଜି ସହ ଯୋଡ଼ି ହୋଇଥିବା ଡ୍ରୋନ୍ ଜରିଆରେ ଦୁର୍ଗମ ସ୍ଥାନରେ ହୋଇଥିବା କ୍ଷତିର ଅନୁଧ୍ୟାନ କରିପାରିବେ। ଏହା ବ୍ୟତୀତ ସହାୟତା ପ୍ରଦାନ କରୁଥିବା କର୍ମୀମାନେ ପରସ୍ପର ସହିତ ଭଏସ୍ ଆକ୍ଟିଭେଟେଡ୍ ୫ଜି ଡିଭାଇସ୍‌ର ବ୍ୟବହାର କରି କଥାବାର୍ତା ହୋଇପାରିବେ। ହେଲ୍‌ମେଟ୍‌ରେ ଲାଗି ପାରୁଥିବା ଏହି ୫ଜି ଡିଭାଇସ୍‌ରେ କ୍ୟାମେରା, ଫ୍ଲାସ୍ ଲାଇଟ୍ ଏବଂ ଲେଜର ବିମ୍ ଭଳି ସୁବିଧା ରହିଛି ଯାହା ଫଳରେ ଶୀଘ୍ର ସହାୟତା ପହଂଚାଇ ହେବ।

ବିପର୍ଯ୍ୟୟ ସମୟରେ ଜିଓ ପକ୍ଷରୁ ଡିଜିଟାଲ୍ କମ୍ୟୁନିକେସନ ହାଇୱେରେ ନେଟ୍‌ୱର୍କ ସ୍ଲାଇସିଂ ଜରିଆରେ ଏକ ଉତ୍ସର୍ଗୀକୃତ ଓ ଅତ୍ୟଧିକ ସୁରକ୍ଷିତ ଯୋଗାଯୋଗ ଲେନ୍ ତିଆରି କରାଯିବ ଯାହା ଦ୍ୱାରା ବିନା କୌଣସି ପ୍ରତିବନ୍ଧକରେ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଟେଲିକମ୍ ଆବଶ୍ୟକତା ପୂରଣ କରାଯାଇପାରିବ। ପୁସ୍ ଟୁ ଟକ୍‌, ଡ୍ରୋନ୍ ନିରୀକ୍ଷଣ, ବାସ୍ତବ ସମୟ ଭିଡିଓ ଷ୍ଟ୍ରିମିଂ, ହାଇ-ବ୍ୟାଣ୍ଡ୍‌ୱିଡ୍‌ଥ ଆପ୍ଲିକେସନ ଭଳି ସୁବିଧା ଉତ୍ତମ ସମନ୍ୱୟ ଓ ନିଷ୍ପତି ଗହଣ କରିବାରେ ସହାୟକ ହେବ।

ବିପର୍ଯ୍ୟୟ ସମୟରେ ନିୟୋଜିତ ହେଉଥିବା ଏନ୍‌ଡିଆର୍‌ଏଫ୍‌କୁ ନିରବଚ୍ଛିନ୍ନ ହାଇ ସ୍ପିଡ୍ ସଂଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଜରୁରୀକାଳୀନ ବ୍ୟବସ୍ଥାର ବିକାଶ କରାଯାଇଛି। ବଡ଼ ଉଦ୍ୟୋଗରେ ହେଉଥିବା ଦୁର୍ଘଟଣାରେ ମଧ୍ୟ ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଇପାରିବ। ଏସ୍‌ଇଏସ୍ ସହିତ ସହଯୋଗିତାରେ ଜିଓ ପକ୍ଷରୁ ଏହି ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା ବିକାଶ କରାଯାଇଛିି। ଅତ୍ୟନ୍ତ ଭୟଙ୍କର ବିପର୍ଯ୍ୟୟ ସମୟରେ ମଧ୍ୟ ଜିଓର ଏହି ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟ କରିପାରିବ।

Categories
ଜାତୀୟ ଖବର ବିଶେଷ ଖବର

ଦକ୍ଷିଣ-ପଶ୍ଚିମ ମୌସୁମୀ 2021 ସମୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ହେଲା ସମୀକ୍ଷା

ଭୁବନେଶ୍ବର, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ 2021 କାରଣରୁ ଦେଖାଯିବାକୁ ଥିବା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିବା ଲାଗି ମୁଖ୍ୟତଃ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।

କେନ୍ଦ୍ର ଗୃହ ସଚିବ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସେ ତାଙ୍କର ଉଦଘାଟନୀ ଅଭିଭାଷଣରେ ବର୍ଷା ସାରା 24 ଘଣ୍ଟିଆ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କ୍ଷମତା ନିର୍ମାଣ ଏବଂ ତୁରନ୍ତ ପଦକ୍ଷେପ ନିମନ୍ତେ ସଜାଗ ରହିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ସେ ଦକ୍ଷିଣ-ପଶ୍ଚିମ ମୌସୁମୀ କିମ୍ବା ଅନ୍ୟ କୌଣସି ଆସନ୍ନ ବିପତ୍ତି ସମୟରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ସୁବିଧା, ଅକ୍ସିଜେନ ଜେନେରେସନ ପ୍ଲାଣ୍ଟଗୁଡ଼ିକର ସୁରକ୍ଷା ନିମନ୍ତେ ଅତିରିକ୍ତ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଗୃହ ସଚିବ କୋଭିଡ-19 ମହାମାରୀ ସମୟରେ ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହେବାକୁ ଥିବା କ୍ଷତିକୁ ସର୍ବନିମ୍ନ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଭଲ ଭାବେ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଗୃହ ସଚିବ ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର (ଏନଆରଏସସି) ଦ୍ୱାରା ବିକଶିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଡାଟାବେସ (ଏନଡିଇଏମ)ର 4.0 ଭର୍ସନକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହା ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କରିବା ଲାଗି ପୂର୍ବାନୁମାନ ଜାରି କରୁଥିବା ଏଜେନ୍ସିଗୁଡ଼ିକ ଠାରୁ ରିଅଲ ଟାଇମ ଆଲର୍ଟ ତଥା ଚେତାବନୀ ଜାରି କରିବା ଏବଂ ଜିଲ୍ଲାସ୍ତରର ବିପର୍ଯ୍ୟୟ ପ୍ରଶମନ ବିଭାଗ ପର୍ଯ୍ୟନ୍ତ ସୂଚନା ଏକତ୍ରୀକରଣ ପାଇଁ ବିଶେଷ ସହାୟକ ହେବ।

ଆଇଏମଡି ପକ୍ଷରୁ ପୂର୍ବାନୁମାନ, ସତର୍କତା ଓ ପ୍ରଚାର ବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ ଓ ପ୍ରସ୍ତୁତି ସହ ଜଡ଼ିତ ଉପାୟ ତଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କ୍ଷମତା ବୃଦ୍ଧି ଲାଗି ନିଜର ଭବିଷ୍ୟତ ଯୋଜନା ଉପରେ ଏକ ଉପସ୍ଥାପନା କରାଯାଇଥିଲା।

ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, କେନ୍ଦ୍ର ସଶସ୍ତ୍ର ପୁଲିସ ବାହିନୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି), ହିମପାତ ଓ ହିମସ୍ଖଳନ ଅଧ୍ୟୟନ ପ୍ରତିଷ୍ଠାନ (ଏସଏଏସଇ), ଏନଆରଏସସି, ଇସ୍ରୋ, ଜିଏସଆଇ ଏବଂ ଅନ୍ୟ ବୈଜ୍ଞାନିକ ସଂଗଠନଗୁଡ଼ିକ ସହିତ ସେନାବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ଆଗୁଆ ସତର୍କତା ପ୍ରଣାଳୀ, ବନ୍ୟା ଓ ନଦୀ ଏବଂ ଜଳାଶୟ ପରିଚାଳନା, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ବିପର୍ଯ୍ୟୟ ପରିଚାଳନା ଅନସାଇଟ୍ ଓ ଅଫସାଇଟ୍ ଯୋଜନା ସହ ଜଡ଼ିତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।