Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପୁଣି ସକ୍ରିୟ ହେଲେ ଗୋରୁ ମାଫିଆ: ଗାଡି ସମେତ ଦୁଇ ଅଟକ, ୭ ଜୀବନ୍ତ ଗାଈଙ୍କୁ ଉଦ୍ଧାର କଲା ବାଘମାରୀ ପୋଲିସ

ଖୋର୍ଦ୍ଧା:  କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ କମିଥିବାବେଳେ ପୁଣିଥରେ ଗୋରୁ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଗତକାଲି ନାଚୁଣୀରୁ ୪ ଗୋଟି ଗୋରୁକୁ ପୋଲିସ ଉଦ୍ଧାର କରିଥିବାବେଳେ ଆଜି ପୁଣି ୭ ଗୋଟି ଗୋରୁଙ୍କୁ ବାଘମାରୀ ପୋଲିସ ଉଦ୍ଧାର କରିଛି। ଏହା ସହ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବକ ଆଜି ସଂଧ୍ୟାରେ ଏକ ବେଆଇନ ଗୋରୁ ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ବାଘମାରି ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ସୂଚନା ମିଳିଥିଲା। ଗୋରୁ ବୋଝେଇ ଟାଟା ଏସି ଗାଡ଼ି (ଓଡ଼ି-୦୨-୧୪୦୯) କଟକ ଜିଲ୍ଲା ବାଙ୍କୀ ଥାନା ନରଗଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତରତୁଆ ଗ୍ରାମକୁ ଯାଉଥିବାର ଆଇଆଇସିଙ୍କୁ ଖବର ମିଳିଥିଲା। ବିଳମ୍ବ ନକରି ତୁରନ୍ତ ଆଇଆଇସି ଏବଂ ଟିମ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରି ରଖିଥିଲେ। ପରିଶେଷରେ ସାରୁଅ ବ୍ରିଜ ନିକଟରୁ ଉକ୍ତ ଗାଡିକୁ ପୋଲିସ ଠାବ କରିଥିଲା। ଉକ୍ତ ଗାଡ଼ିରୁ ୭ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରାଯାଇଛି।

ଅନୁରୂପ ଭାବେ ଗାଡ଼ି ଚାଳକ ମୁନିର ଖାନ (୨୦) ଏବଂ ହେଲ୍ପର ଇନାମ ଖାନ (୩୫) ଙ୍କୁ ପୋଲିସ ଅଟକ ରଖିବା ସହ ଗାଡ଼ି ଟିକୁ ଜବତ କରିଛି। ଅଟକ ଅଭିଯୁକ୍ତଙ୍କ ବିରୋଧରେ ବାଘମାରି ଥାନାରେ କେସ ନମ୍ବର ୫୧/୨୧ ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଗୋଶାଳାକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ ସାମିଲ ଥିଲେ।