Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘଟଣ: ପାଣିରେ ବୁଡି ୧୫ ବର୍ଷ ନାବାଳକଙ୍କ ଗଲା ଜୀବନ

ସୀତାରାମ ଅଗ୍ରୱାଲ

ବାଣପୁର: ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଖଇରାପଲି ଗ୍ରାମରେ।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଅନ୍ତର୍ଗତ ଖଣ୍ଡିଆନାଳ ଗ୍ରାମର ସହଦେଵ ଶବରଙ୍କ ପୁତ୍ର ପ୍ରଦୀପ ଶବର (୧୫) ତାଙ୍କ ମାଉସୀ ଘର ଖଇରାପଲି ଗ୍ରାମକୁ କିଛି ଦିନ ହେଲା ଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ଗାଁର ଦୁଇ ଜଣ ନାବାଳକଙ୍କ ସହ ପ୍ରଦୀପ ନିକଟସ୍ଥ ଏକ ବଡ ନାଳରେ ଗାଧେଇବାକୁ ଯାଉଥିଲେ।

ତେବେ ଗାଧେଇଲା ବେଳେ ଅସାବଧାନତାବଶତଃ ପ୍ରଦୀପଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଚିତ୍କାର କରିବା ସହ ସଙ୍ଗେ ସଙ୍ଗେ ତାଙ୍କ ମାଉସୀଙ୍କ ଘରେ ଖବର ଦେଇଥିଲେ। ହେଲେ ସମ୍ପର୍କୀୟ ଲୋକ  ଘଟଣାସ୍ଥଳରେ ପହଁଚିଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ପାଣିରେ ବୁଡି ପ୍ରଦୀପଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାଣିରୁ ପ୍ରଦୀପଙ୍କ ଶବକୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରିଛନ୍ତି। ତେବେ ପ୍ରଦୀପ ଅତ୍ୟନ୍ତ ଗରିବଘର ପିଲା ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଅଘଟଣ, ଗଛ ଡାଳ ପଡ଼ି ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର, ଆଜି ସନ୍ଧ୍ୟାରେ ବାଣପୁର ପଲଟନ ପଡିଆ ବଜାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଯୁବକଙ୍କ ମୁଣ୍ଡ ଉପରେ ଗଛର ବିରାଟ ଡାଳ ଛିଣ୍ଡି ପଡ଼ିବାରୁ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହତ ବ୍ୟକ୍ତି ଜଣକ ହେଲେ ବାଣପୁର ଏନ.ଏ.ସି ଅନ୍ତର୍ଗତ ଅଚ୍ୟୁତରାଜପୁର ଗାଁର ବସନ୍ତ ଜେନାଙ୍କ ପୁଅ ୨୭ ବର୍ଷ ବୟସ୍କ ଶଙ୍କର ଜେନା। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଶଙ୍କର ଏବଂ ତାଙ୍କ ସହଯୋଗୀ ନଟକିଶୋର ଉଭୟେ ମୋଟରସାଇକେଲ ଯୋଗେ ପରିବା କିଣିବା ପାଇଁ ପଲଟନ ପଡିଆ ବଜାରକୁ ଯାଇଥିଲେ।  ପରିବା କିଣି ଘରକୁ ଫେରିବା ପାଇଁ ତତ୍ପର ହେଉଥିବା ବେଳେ ଦୁର୍ଭାଗ୍ୟବଶତଃ ଶଙ୍କର ଠିଆ ହୋଇଥିବା ସ୍ଥାନରେ ଉପରୁ ଏକ ବିରାଟ ଗଛ ଡାଳ ତାଙ୍କ ମୁଣ୍ଡ ଉପରେ ଖସି ପଡିଥିଲା। ସାଙ୍ଗେ ସାଙ୍ଗେ ଶଙ୍କର ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।

ତାଙ୍କୁ ସହଯୋଗୀ ମାନେ ତୁରନ୍ତ ବାଣପୁର ଡାକ୍ତରଖାନା ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ତାଙ୍କ ମସ୍ତିଷ୍କରେ ଆଠଟି ଷ୍ଟିଚ ପଡିଥିବା ସ୍ଥଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ବାଣପୁର ଡାକ୍ତରଖାନା ଡାକ୍ତର ସୁରଜ ମେହେର ସୂଚନା ଦେଇଛନ୍ତି।