ବାଣପୁରରେ ଅଘଟଣ: ପାଣିରେ ବୁଡି ୧୫ ବର୍ଷ ନାବାଳକଙ୍କ ଗଲା ଜୀବନ

Published: May 29, 2021, 5:50 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଖଇରାପଲି ଗ୍ରାମରେ।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଅନ୍ତର୍ଗତ ଖଣ୍ଡିଆନାଳ ଗ୍ରାମର ସହଦେଵ ଶବରଙ୍କ ପୁତ୍ର ପ୍ରଦୀପ ଶବର (୧୫) ତାଙ୍କ ମାଉସୀ ଘର ଖଇରାପଲି ଗ୍ରାମକୁ କିଛି ଦିନ ହେଲା ଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ଗାଁର ଦୁଇ ଜଣ ନାବାଳକଙ୍କ ସହ ପ୍ରଦୀପ ନିକଟସ୍ଥ ଏକ ବଡ ନାଳରେ ଗାଧେଇବାକୁ ଯାଉଥିଲେ।

ତେବେ ଗାଧେଇଲା ବେଳେ ଅସାବଧାନତାବଶତଃ ପ୍ରଦୀପଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଚିତ୍କାର କରିବା ସହ ସଙ୍ଗେ ସଙ୍ଗେ ତାଙ୍କ ମାଉସୀଙ୍କ ଘରେ ଖବର ଦେଇଥିଲେ। ହେଲେ ସମ୍ପର୍କୀୟ ଲୋକ  ଘଟଣାସ୍ଥଳରେ ପହଁଚିଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ପାଣିରେ ବୁଡି ପ୍ରଦୀପଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାଣିରୁ ପ୍ରଦୀପଙ୍କ ଶବକୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରିଛନ୍ତି। ତେବେ ପ୍ରଦୀପ ଅତ୍ୟନ୍ତ ଗରିବଘର ପିଲା ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି।

Related posts