Categories
ଆଞ୍ଚଳିକ

ଆରଏସଏସ ପକ୍ଷରୁ ବାଣପୁରରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୂ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ମହାସମାରୋହରେ ଆଜି ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁମନ୍ଦିରର ପ୍ରଧାନ ଗୁରୁଜୀ ଅବିନାଶ ପଟ୍ଟନାୟକ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ହିନ୍ଦୁ ନବ ବର୍ଷ ପାଳନର ମହତ୍ୱ ଉପରେ ଆଲୋକପାତ କରିବା ସହ ସଂଘର ପ୍ରତିଷ୍ଠା ତଥା କେଶବ ବଳିରାମ ହେଡଗୱରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।  ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସଂଘଚାଳକ ସତ୍ୟ ନାରାୟଣ ଷଡଙ୍ଗୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି, ବରିଷ୍ଠ ସ୍ୱୟଂସେବକ କୈଳାସ ଚନ୍ଦ୍ର ଖୁଣ୍ଟିଆ, ବୈରାଗୀ ଚରଣ ଏବଂ ବହୁ ସ୍ୱୟଂସେବକ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ବ୍ଲକ ସ୍ତରୀୟ ପରାମର୍ଶ ଶିବିରମାନ ଆୟୋଜନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକର ଭେଟେଶ୍ୱର ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଏବଂ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଠାରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରାମର୍ଶ ଶିବିରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ଅନୁବନ୍ଧିତ ବିଭିନ୍ନ ସରକାରୀ ଓ ବେସରକାରୀ ତାଲିମ ପ୍ରଦାନକାରି ସଂସ୍ଥାମାନେ ଯୋଗ ଦେଇଥିଲେ।

ଏହି ତାଲିମ ପ୍ରଦାନକାରି ସଂସ୍ଥା ମାନେ ବିଭିନ୍ନ ଟ୍ରେଡ଼ ମାନଙ୍କରେ ଜାତୀୟ ବୈଷୟିକ ଦକ୍ଷତା ଓ କୌଶଳ କର୍ପୋରେସନ ଦ୍ୱାରା ଜାରି କରାଯାଇଥିବା ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ସୂଚୀରୁ ପ୍ରାର୍ଥୀ ମାନଙ୍କର ରୁଚି ଅନୁଯାୟୀ ତାଲିମ ପ୍ରଦାନ କରିବେ। ଏହାର ଅବଧି ଏକ ମାସରୁ ଛଅ ମାସ ମଧ୍ୟରେ ହେବା ଜଣାଯାଇଛି।

ତାଲିମ ସମୟରେ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ଓଡିଶା ସରକାର ବହନ କରିବେ। ତାଲିମ ପରେ ମୂଲ୍ୟ ନିର୍ଦ୍ଧାରଣ ପରୀକ୍ଷା କରାଯାଇ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ SSCଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯିବା ସହିତ ତିନିମାସ ମଧ୍ୟରେ ଦକ୍ଷତା ଅନୁସାରେ ରାଜ୍ୟ ଭିତରେ ଓ ବାହାରେ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ବୋଲି ବାଣପୁର ବିଇଓ ସନାତନ ଜାଲି କହିଛନ୍ତି।

ସେହିପରି ଦଶମ ଶ୍ରେଣୀରେ ପାସ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବୈଷୟିକ ଶିକ୍ଷା ଓ ବିଶ୍ୱ ଦକ୍ଷତା କେନ୍ଦ୍ର ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯିବ।

ଭେଟେଶ୍ୱର ହାଇସ୍କୁଲରେ ଆୟୋଜିତ ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସାବିତ୍ରୀ ଭୋଳ ଏବଂ ସମାଜସେବୀ ଜିତେନ୍ଦ୍ର ଭୋଳ ଯୋଗଦେଇ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଆୟୋଜିତ ପରାମର୍ଶ ଶିବିରରେ ଅଂଶ ଗ୍ରହଣ କରି ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମା ଭଗବତୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନ ଅନୁମୋଦନ ପରେ ବାଣପୁରରେ ଖୁସିର ଲହରି

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ତିନି ଗୋଟି ଶକ୍ତିପୀଠ ର ଉନ୍ନତିକରଣ ନିମନ୍ତେ 5T ଉପକ୍ରମରେ ମାଷ୍ଟର ପ୍ଲାନ ଗୁଡିକୁ ଅନୁମୋଦନ କରିଛନ୍ତି। ତନ୍ମଧ୍ୟରୁ ବାଣପୁର ମା’ ଭଗବତୀ ପୀଠ ଅନ୍ୟତମ। ତେବେ ଉକ୍ତ ଖବର ପ୍ରଚାର ହେବାପରେ ବାଣପୁରବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ଲୋକ ମା’ ଭଗବତୀଙ୍କ ମନ୍ଦିର ରେ ଏକାଠି ହେବା ସହ ମୁଖ୍ୟମନ୍ତ୍ରୀ, 5T ସଚିବ ଏବଂ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ କି ଶ୍ରୀ ମଙ୍ଗରାଜ ସାଂସଦ ହେବା ପରେ ପ୍ରଥମେ ମା ଭଗବତୀଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିବା ବେଳେ ଭଗବତୀ ମନ୍ଦିର କୁ 5T ଯୋଜନାରେ ସାମିଲ କରିବା ପାଇଁ ବାଣପୁରବାସୀ ଅନୁରୋଧ କରିଥିଲେ। ତାଙ୍କରି ପ୍ରଚେଷ୍ଠାରେ ବର୍ତ୍ତମାନ ଏହା ସଫଳ ରୂପାୟନ ହୋଇପାରିଛି ବୋଲି ଅଧ୍ୟକ୍ଷ ମିଟୁ ନାୟକ କହିଛନ୍ତି।

Categories
ଆଞ୍ଚଳିକ ଧର୍ମ

ଆସନ୍ତା ୨୨ ରୁ ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୨୨ ତାରିଖ ବୁଧବାର ଠାରୁ ନଅ ଦିନ ଧରି ଚାଲିବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମା’ ଭଗବତୀ ବାସନ୍ତିକ ମହାଯଜ୍ଞ କମିଟିର ସଦସ୍ୟମାନେ ଉକ୍ତ ଯଜ୍ଞର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯାୟରେ ପହଞ୍ଚିଛି ବୋଲି କମିଟି ସଦସ୍ୟ ସଞ୍ଜୟ କୁମାର ମହାପାତ୍ର (ଫୁକୁ) ମତପ୍ରକାଶ କରିଛନ୍ତି।

ତତସହିତ ମା’ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଉକ୍ତ ଯଜ୍ଞକୁ ଏଣ୍ଡାଉମେଣ୍ଟ କମିଶନର ଅନୁମତି ପ୍ରଦାନ କରିଛନ୍ତି। ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା ଏବଂ ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ। ଦୈନିକ ଚଣ୍ଡୀପାଠ, ରାମଚରିତ ମାନସ ପଠନ, ଭଜନ ଏବଂ ପ୍ରତ୍ୟେହ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଆସନ୍ତା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ନବ ଦିନ ଧରି ଚାଲୁ ରହିବ।

ମା’ ଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ନବରାତ୍ରି ଯଜ୍ଞ ନିମନ୍ତେ ବାଣପୁର ଓ ପ୍ରବାସୀ ବାଣପୁର ଜନସାଧାରଣ ଆର୍ଥିକ ସହଯୋଗ କରୁଥୁବାର କହିଛନ୍ତି ଶ୍ରୀ ମହାପାତ୍ର। ଅଧିକରୁ ଅଧିକ ଶ୍ରଦ୍ଧାଳୁ ମା’ଙ୍କର ଏହି ମହାଯଜ୍ଞରେ ସାମିଲ ହୋଇ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ତତସହିତ ଉକ୍ତ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ମା’ ଭଗବତୀଙ୍କ ପିଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେବା ନେଇ ଆଶା ରଖିଛି କମିଟି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ‘ଗ୍ରାଣ୍ଡ ଆଲୁମନି ମିଟ୍’ ପାଇଁ ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଷାଠିଏ ବର୍ଷ ଅବସରରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଦୀର୍ଘବର୍ଷ ଧରି ପୁରାତନ ଛାତ୍ରଛାତ୍ରୀ କମିଟି ଗଠନ ହୋଇପାରିନଥିଲା। ନୂତନ ଭାବେ ବିନାୟକ ହୋତା କଲେଜର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର କମିଟି ଗଠନ କରି ଗ୍ରାଣ୍ଡ ଆଲୁମନି ମିଟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଗତ କିଛଦିନ ପୂର୍ବେ ପୁରାତନ ଛାତ୍ର ସଂଘର କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଉକ୍ତ କମିଟିର ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ଆଜି କଲେଜ ଅଧ୍ୟୟନ କକ୍ଷରେ ସଭାପତିଙ୍କ ଆବାହାନ କ୍ରମେ ପ୍ରଥମଥର କାର୍ଯ୍ୟକାରୀ କମିଟିର ବୈଠକ ଆହୁତ ହୋଇଥିଲା।

ସଂଗଠନକୁ ରେଜିଷ୍ଟ୍ରେସନ କରିବା, ଉଚ୍ଚ ପଦ ପଦବୀରେ ଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା, ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠନରେ ସାମିଲ କରିବା ଏବଂ ସେମାନଙ୍କ ମାଧ୍ୟମରେ କଲେଜର ଉନ୍ନତି କରିବାକୁ ଲକ୍ଷ୍ୟ ରଖି ଆଗକୁ ବଢିବାକୁ ସର୍ବସମ୍ମତ କ୍ରମେ ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା।

ତତସହିତ ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବଡଧରଣର ସମ୍ମିଳନୀ କରିବାକୁ ପ୍ରସ୍ତାବ ନିଆଯାଇଥିଲା। ଯେଉଁଥିପାଇଁ ସଂଗଠନରେ ସଦସ୍ୟମାନେଏକ ସର୍ବନିମ୍ନ ରାଶି ରସିଦ ଜରିଆରେ ସଂଗଠନକୁ ଦେବେ। ଯାହାକୁ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ନାମରେ ବ୍ୟାଙ୍କରେ ଜମା କରାଯିବ।

ଉକ୍ତ ସଂଗଠନରେ କଲେଜର ଉନ୍ନତି ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ ହେବାକୁ ସଭାପତି ଏବଂ ଅଧ୍ୟକ୍ଷ ନିବେଦନ କରିଛନ୍ତି।

ଏହି ବୈଠକରେ ସଭାପତି ଓ ଅଧ୍ୟକ୍ଷଙ୍କ ସମେତ ସମ୍ପାଦକ ଲକ୍ଷ୍ମୀପ୍ରସାଦ ମିଶ୍ର, ଉପ ସଭାପତି ଅମରେନ୍ଦ୍ର ରଣସିଂହ, ମହେଶ୍ୱର ଜେନା, ମୋହିନୁଲ ହକ, ଗୋପୀନାଥ ମହାରଣା, ସଂଗ୍ରାମ କେଶରୀ ସାହୁ, ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଏବଂ ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ କବି ତପନ ପଟ୍ଟନାୟକଙ୍କ ସ୍ମୃତି ସଭା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ଔପନ୍ୟାସିକ, ଗୀତିକାର ତପନ ପଟ୍ଟନାୟକଙ୍କ ବିୟୋଗରେ ଚିଲିକା ସାହିତ୍ୟ ସମାଜ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଶ୍ରୀରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ଏହି ସଭା କରାଯାଇଛି।

ଏଥିରେ ଗାଳ୍ପିକ ଶିବ ମିଶ୍ର, କବି ପୁରୁଷୋତ୍ତମ ମହାପାତ୍ର, ଓମ୍ ପ୍ରକାଶ ଅଗ୍ରୱ୍ୱାଲ, ଡ଼ଃ କୈଳାସ ମହାରଣା, ଡଃ ଲକ୍ଷ୍ମୀ ଧରସୁବୁଦ୍ଧି, ଲକ୍ଷ୍ମୀ ପ୍ରସାଦ ମିଶ୍ର, ମଦନ ମୋହନ ମହାପାତ୍ର, ଆନନ୍ଦ ଚନ୍ଦ୍ରସେନାପତି, ଦିଗମ୍ବର ବିଶ୍ଵାଳ, ଶିଶିର ଦାସ,ବୈରାଗୀ ବଳ ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମାର ସଦ୍ ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ସ୍କୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶ୍ରୀରଙ୍କ ନାଥଙ୍କ ଚରଣାରବିନ୍ଦରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ତାଙ୍କପ୍ରିୟ କାଳଜୟୀ ଭଜନ” ମୁଁ ଆସିଛି ଦେଖି ତୋ କଳା ବଦନକୁ “ଆବୃତ୍ତି କରାଯାଇଥିଲା। ଶେଷରେ କବୟତ୍ରୀ ପ୍ରିୟଦର୍ଶିନୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି, ଆଶା ଆଶଙ୍କାରେ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଆସନ୍ତା ସୋମବାର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସରିବାକୁ ଥିବାବେଳେ ଶନିବାର ପରୀକ୍ଷା ପ୍ରଶ୍ନ ପତ୍ରରେ ଦେଖାଯାଇଛି ବିଭ୍ରାଟ। ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ବିଷୟ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବଣ୍ଟା ହେଲା ପରେ ଉକ୍ତ ତ୍ରୁଟି ଦେଖିବାକୁ ମିଳିଥିଲା।

ପ୍ରକାଶଥାଉ କି ବୋର୍ଡ଼ ଦ୍ୱାରା ପ୍ରତି ବିଷୟରେ ଏ’ ବି’ ସି’ ଡି’ ଚାରିଗୋଟି ସେଟ ମାଧ୍ୟମରେ ପିଲାମାନଙ୍କୁ ପ୍ରଶ୍ନ ପତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ବାଣପୁର ଓ ବାଲୁଗାଁ ଅଂଚଳର ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ସରକାରୀ ବାଳିକା ବିଦ୍ୟାଳୟ ଭଳି ପ୍ରାୟ ସମସ୍ତ ପରୀକ୍ଷା ସେଣ୍ଟରରେ ‘ଏ ସି’ ଡି’ ସେଟର ପ୍ରଶ୍ନପତ୍ର ଠିକ ଥିଲାବେଳେ ବି ସେଟର ପ୍ରଶ୍ନପତ୍ରରେ ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି ବାଣପୁର ବି ଇ ଓ ସନାତନ ଜାଲି କହିଛନ୍ତି।

‘ବି’ ସେଟ ପ୍ରଶ୍ନପତ୍ରରେ ‘ଏ’ ସେଟର କିଛି ପ୍ରଶ୍ନ ପଶିଯାଇଥିବା ଏବଂ ସମୁଦାୟ ୧୦୦ ମାର୍କ ପ୍ରଶ୍ନରୁ କିଛି ପ୍ରଶ୍ନ ଗାଏବ ହୋଇଯାଇଥିବା ପରିଲକ୍ଷିତ ହୋଇଥିଲା। ଏହିଭଳି ପ୍ରତି ସେଣ୍ଟରରେ ୧୦ ରୁ ୧୫ ଜଣ ଛାତ୍ରଛାତ୍ରୀ ଏହି ତ୍ରୁଟି ଜନିତ ପ୍ରଶ୍ନପତ୍ର ପାଇଥିଲେ। ଯାହାଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଥିଲେ।

ଏହିଭଳି ତ୍ରୁଟି ଦେଖିବାପରେ ପିଲାମାନଙ୍କୁ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ଯେଉଁ ଛାତ୍ରଛାତ୍ରୀ ମାନେ ଏହି ପ୍ରଶ୍ନପତ୍ର ପାଇଛନ୍ତି ସେମାନଙ୍କ ରୋଲ ନମ୍ବର ସହ ଖାତାର ଫୋଟୋ କପି ଇ ମେଲ ଜରିଆରେ ବୋର୍ଡ଼ ନିକଟକୁ ପଠାଇ ଦିଆଯାଇଛି। ତେଣୁ ଉକ୍ତ ଘଟଣା ସାରା ରାଜ୍ୟରେ ହୋଇଥିବା ଏବଂ ଏହା ବୋର୍ଡ଼ର ତ୍ରୁଟି ହୋଇଥିବାରୁ ବୋର୍ଡ଼ ଯାହା ନିଷ୍ପତି ନେବ ବୋଲି ମତ ରଖିଛନ୍ତି ଶ୍ରୀଯୁକ୍ତ ଜାଲି।

ତଥାପି ପିଲାମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ବାର୍ତ୍ତା ପଠାଇଥିବା ଖବର ମିଳିଛି।

Categories
ଆଞ୍ଚଳିକ

ବାଣପୁର: ସମାଜସେବୀ ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ଅଞ୍ଚଳର ଜଣେ ପରୋପକାରୀ ଓ ରାଜନେତା ଭାବେ ଜଣାଶୁଣା ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ ଘଟିଯାଇଛି। ଶ୍ରୀଯୁକ୍ତ ବଳିୟାରସିଂହ ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଟେକ୍ସଟାଇଲ ଇଞ୍ଜିନିଅର ଭାବରେ ଜୀବିକା ଆରମ୍ଭ କରିଥିବାବେଳେ ଚାକିରୀ ଛାଡି ବିଶ୍ଵଭୂଷଣ ହରିଚନ୍ଦନଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ବିଶ୍ୱଭୂଷଣ ହରିଚନ୍ଦନଙ୍କର ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟଲୋକ ଭାବରେ କାର୍ଯ୍ୟ କରୁଥିଲେ। ବିଶ୍ୱ ଭୂଷଣ ହରିଚନ୍ଦନ ଜନତା ଦଳରେ ଥିବାବେଳେ ସେ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ସେ ବାଣପୁର ଅଞ୍ଚଳରେ ବହୁ ଗରିବ ଲୋକଙ୍କର ବ୍ଲକ ଓ ତହସିଲରେ ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁରେ କରିବାରେ ସସିଦ୍ଧହସ୍ତ ଥିଲେ।

ତେବେ ସେ ୮୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ଧୂମଧାମରେ ପାଳନ ହେଲା ବାଣପୁରର ଐତିହାସିକ ପଞ୍ଚଦୋଳ ଓ ମେଳଣ ପର୍ବ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ଧରି ମେଳଣ ପଡିଆ ଖାଁ ଖାଁ ଲାଗୁଥିଲା। ସରକାରଙ୍କ କଟକଣା ପାଇଁ ନା ଥିଲା ଜନ ସମାଗମ ନା ଥିଲା ଦୋକାନ ବଜାର।

ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି। ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ରବିବାର ମାହେନ୍ଦ୍ର ବେଳା ରାତ୍ର ୧୨ ଘଟିକା ୧୭ ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁରମାନେ ମେଳଣ ପଡିଆକୁ ଆସିଥିଲେ।

ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବାଦେବୀ ମାନେ ସୁସଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ।

ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା। ବିଭିନ୍ନ ଗ୍ରାମର ଦେବାଦେବୀ ମାନେ ପ୍ରତିଯୋଗିତା ମୁଲକ ପଟୁଆରରେ ଆସିଥିବା ବେଳେ ମୁଖ୍ୟତଃ ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେବ, ବାଲିପଦର ଗ୍ରାମର ଲୋକନାଥ ଦେବଙ୍କ ପଟୁଆର ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା।

ଚଳିତ ବର୍ଷ ଭୂଷଣ୍ଡପୁର ବାଣ ବିସ୍ଫୋରଣ ପରେ ଆତସବାଜି ପ୍ରଦର୍ଶନ ନିଷେଧ କରାଯାଇଥିବାରୁ ଲୋକଙ୍କ ମାନରେ ନିରାଶା ଭାବ ପରିଲକ୍ଷିତ ହୋଇଥିଲା। ସୋମବାର ମେଳଣ ପର୍ବରେ ପଞ୍ଚଦୋଳ କମିଟି ତରଫରୁ ପଟୁଆର ପାଇଁ ବାଲିପଦର ଲୋକନାଥ ଦେବ ଓ ଗାଲୁଆ ଗୁପ୍ତେଶ୍ୱର ଦେବଙ୍କୁ ପ୍ରଥମ ପୁରସ୍କାର ଏବଂ ଭେଟେଶ୍ୱର ଭେଟିନାଥ ଦେବଙ୍କୁ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସୋମବାର ଦିନତମାମ ହଜାର ହଜାର ଲୋକଙ୍କ ମେଳଣ ପଡିଆକୁ ଯିବା ଆସିବା ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ପଞ୍ଚଦୋଳ ପଡିଆରେ ପହଞ୍ଚି ଦେବଦେବୀଙ୍କ ଆଶୀର୍ବାଦ ଲାଭ କରି ବିଭିନ୍ନ ପ୍ରକାର ଘର ସରଞ୍ଜାମ, ଖଟ ପଲଙ୍କ ସହ ପିଲାଙ୍କ ପାଇଁ ଖେଳନା କିଣାବିକା କରି ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ଚଳିତ ବର୍ଷ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଜଣାପଡିଛି। ପିଲାମାନେ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଥିବା ନଜରକୁ ଆସିଥିଲା। ମଥୁରା କେକ ଖାଇବା ପାଇଁ ଦୋକାନ ଆଗରେ ଭିଡ଼ ପରିଲକ୍ଷିତ ହୋଇଥିଲା।

ତେବେ ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଏସପି ସିଦ୍ଧାର୍ଥ କଟାରିଆ ପଲଟନ ପଡିଆ ପହଞ୍ଚି ସମସ୍ତ ବ୍ୟବସ୍ଥା ପରଖିଥିଲେ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ର ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମେଳଣ ପଡିଆରେ ପହଞ୍ଚି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ। ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ମଧ୍ୟ ଆଶୀର୍ବାଦ ନେଇଥିଲେ।

ଅପରାହ୍ନ ପାଞ୍ଚ ଘଟିକା ଗୋଧୂଳି ଲଗ୍ନରେ ସବୁ ଦେବାଦେବୀ ଯଂଜ୍ଞ ମଣ୍ଡପର ଚତୁଃପାର୍ଶ୍ଵରେ ପହଂଚିବା ପରେ ଦେବୀ ଭଗବତୀ ଓ ଚନ୍ଦ୍ରଶେଖରଙ୍କର ମିଳନ ହୋଇଥିଲା। ପରେ ପରେ ସମସ୍ତ ଦେବାଦେବୀ ମେଳଣ ପର୍ବରେ ସାମିଲ ହୋଇ ଯଂଜ୍ଞ ମଣ୍ଡପକୁ ସାତ ଥର ପରିକ୍ରମା କରିଥିଲେ। ମା’ ଭଗବତୀ ପ୍ରଥମେ ମେଳଣ ପଡିଆରୁ ପ୍ରତ୍ୟାବର୍ତନ କଲାପରେ ଅନ୍ୟ ଠାକୁର ମାନେ ମେଳଣ ପଡିଆରୁ ସ୍ଵଗ୍ରାମକୁ ଗମନ କରିଥିଲେ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ପ୍ରଦାନ କରାଯାଇଥିଲା। ବହୁ ସଂଖ୍ୟକ ଲୋକଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା।

ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଉପସ୍ଥିତ ରହି ଯାତ୍ରାକୁ ଶୃଙ୍ଖଳିତ କରିଥିଲେ।

ଅନୁରୂପ ଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ପଞ୍ଚଦୋଳ କମିଟିକୁ ପୂର୍ଣ୍ଣ ସହଯୋଗ କରିଥିଲେ। ପଞ୍ଚୁଦୋଳ କମିଟିର ସଦସ୍ୟମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଅକ୍ଲାନ୍ତ ପରିଶ୍ରମର ଫଳସ୍ୱରୂପ ଚଳିତ ବର୍ଷ ସୁଚାରୁ ରୂପେ ମେଳଣ ପର୍ବ ସମାପନ ହୋଇପାରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଖବର ପ୍ରକାଶ ପରେ ଚେତିଲା ଅବକାରୀ ବିଭାଗ, ବିଭିନ୍ନ ସ୍ଥାନରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ଉପରେ ଏକ ଖବର ‘ସମୀକ୍ଷା’ ରେ ପ୍ରକାଶ ପାଇଥିଲା। ଏହାପରେ ଅବକାରୀ ବିଭାଗକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଅବକାରୀ ବିଭାଗ ବାଣପୁର ଓ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି।

ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ବିଦେଶୀ ମଦ ଏବଂ ପୋଚ ଜବତ କରିଛି ଅବକାରୀ ବିଭାଗ। ଚଢ଼ାଉରେ ବାଣପୁର ଥାନା ଅନ୍ତର୍ଗତ ବାଲିକଣିଆ ଛକରୁ ୧୪.୪୦ ଲିଟର ଜିଂଜର, କଟୁଆଳରୁ ୪୦ ଲିଟର ଦେଶୀ ମଦ ଓ ୪୦୦ କେଜି ପୋଚ, ବିଷ୍ଣୁଡିହ ଗ୍ରାମରୁ ୫.୭୬ ଲିଟର ବିଦେଶୀ ମଦ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଗ୍ରାମରୁ ୭.୪ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଛି।

ଅନୁରୂପ ଭାବେ ଚାରି ଜଣ ଅଭିଯୁକ୍ତ ଯଥା ସୁରେନ୍ଦ୍ର ଶବର (୩୭), ଅଞ୍ଜଳି ବେହେରା (୩୫), ନିରଞ୍ଜନ ଶବର (୨୭) ଏବଂ ଭିକାରି ବେହେରା (୫୨)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଏଏସଆଇ ବିଶ୍ୱମ୍ବର ବିଶ୍ୱାଳ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ। ତେବେ ଉକ୍ତ ଚଢ଼ାଉ ବାଣପୁର ବାଲୁଗାଁ ଅଞ୍ଚଳରେ ନିରନ୍ତର ଭାବେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବରିହା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାକୁ ଆଜି ପୁରିଲା ବର୍ଷେ, ଏକ ହିସାବନିକାସ

ଭୁବନେଶ୍ବର: ଆଜି ବାଣପୁର ପଲଟନ ପଡିଆରେ ଚାଲିଛି ପଞ୍ଚୁଦୋଳ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଏହି ସ୍ଥାନରେ ଘଟିଥିଲା ଏକ ରାଜନୈତିକ ହିଂସାକାଣ୍ଡ। ଯାହା ସାରା ରାଜ୍ୟରେ ସୃଷ୍ଟି କରିଥିଲା ହଟଚମଟ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏହି ସ୍ଥାନରେ ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ ବିଜେପି କର୍ମି।

ସେଦିନ ଥିଲା ୨୦୨୨ ମାର୍ଚ୍ଚ ୧୨ ତାରିଖ। ବର୍ତ୍ତମାନ ବର୍ଷକର ଏହି ଲମ୍ବା ସମୟ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି କଣ ରହିଛି, ଖୋଦ ବିଧାୟକଙ୍କ ସ୍ଥିତି କିପରି, ତାହାର ହିସାବ ନିକାସ କରିବାର ସମୟ ଆସିଛି।

ବିଧାୟକଙ୍କ ଉପରେ ଆରୋପ ଥିଲା ଯେ, ସେ ଲୋକଙ୍କୁ ଗାଡି ମଡାଇ ଦେଇଥିଲେ। ବର୍ତ୍ତମାନ କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ଏହା କେତେ ସତ ତାହାର ରାୟ ଏ ପର୍ଯ୍ୟନ୍ତ ଆସି ନାହିଁ। ତେବେ ପୋଲିସ ରିପୋର୍ଟ ଆଧାରରେ ବିଧାୟକଙ୍କୁ ଗିରଫ କରାଗଲା। ସେ ଜେଲ ଗଲେ।

ସେତିକିରେ କଥା ସରିଲା ନାହିଁ, ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରି ଦିଆଗଲା। ଶେଷରେ ବିଧାୟକଙ୍କୁ ବର୍ଷକ ପାଇଁ ନିର୍ବାଚନ ମଣ୍ଡଳୀ ଯିବାକୁ କୋର୍ଟ ବାରଣ କରିଦେଲେ। ଗୋଟିଏ ପଟେ ମାଡଖାଇ ରକ୍ତାକ୍ତ ହେବା, ଜେଲ ଯିବା, ଦଳରୁ ବହିସ୍କାର ହେବା ଏବଂ ନିର୍ବାଚନ ମଣ୍ଡଳି ଭିତରେ ପଶି ନ ପାରିବା ପ୍ରଭୃତି ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ବହୁ ମୂଲ୍ୟ ଦେବାକୁ ପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ଅବସ୍ଥାରେ ଚିଲିକା ନିର୍ବାଚନ ମଣ୍ଡଳ ସଂପୂର୍ଣ୍ଣ ଭାବେ ନେତୃତ୍ବ ଛେଉଣ୍ଡ ହୋଇଯାଇଛି। କର୍ମିମାନେ କିଏ କାହାକୁ କିପରି ଗୁହାରି କରିବେ ତାହାର କେହି କିଛି ଥଳକୁଳ ପାଉ ନାହିଁନ୍ତି। ଏପରିକି ବିଜେଡିର ନିର୍ବାଚିତ ପଞ୍ଚାୟତ ଓ ପୌର ପ୍ରତିନିଧିମାନେ ମଧ୍ୟ କଣ କରିବେ କାହାକୁ କହିବେ, ରାସ୍ତା ନ ପାଇ ବାଉଳେଇ ହେଉଛନ୍ତି।

ହେଲେ ଏପରି ପରିସ୍ଥିତିରେ ବିଧାୟକ ନ ଆସିଲେ ନାହିଁ, ଯଦି ସାଂସଦ ପିନାକୀ ମିଶ୍ର ଆସି ଥାଆନ୍ତେ ତେବେ ହୁଏତ ଚିଲିକା କର୍ମି ନେତୃତ୍ବ ଛେଉଣ୍ଡ ହୋଇ ନ ଥାଆନ୍ତେ। ବିଧାୟକ ବଦଳରେ ତାଙ୍କ ନିର୍ଦ୍ଦେଶରେ ହୁଏତ କର୍ମିମାନେ କାମ କରିଥାଆନ୍ତେ। କିନ୍ତୁ ଦୁଃଖର କଥା ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳିକୁ ହେୟ ଜ୍ଞାନ କଲେ। ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ସ୍ବଦେହରେ ଦେଖିବା ସ୍ବପ୍ନରେ ପରିଣତ ହୋଇଗଲା। ଚିଲିକାରେ ପିନାକୀଙ୍କ ପାଇଁ ପ୍ରଚାର କରି ଭୁଲ କରିଛୁ ବୋଲି କର୍ମିମାନେ ଭାବି ସାରିଲେଣି।

ଏ ସବୁ ପରିସ୍ଥିତି ଭିତରେ ଦୀର୍ଘ ଦିନ ଧରି ଚୁପ ରହିଥିବା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ହଠାତ୍ ମୁଣ୍ଡ ଟେକିବା ଆରମ୍ଭ କଲେ। ତେବେ ହାସ୍ୟସ୍ପଦ କଥା ଯେ, ସେ ଏପରି ଅସୁବିଧା ସମୟରେ କର୍ମିମାନଙ୍କୁ ସାଥ୍ ଦେବେ କଣ ଓଲଟି ତାଙ୍କୁ ଗାଳି କରିବା ଆରମ୍ଭ କଲେ। ଯେଉଁମାନେ ରଘୁଙ୍କଆଡକୁ ଟିକିଏ ଢଳିବାକୁ ଚାହୁଁଥିଲେ ସେମାନେ ସବୁ ଫିଡିକି ଗଲେ। ଫଳରେ ଚିଲିକାର ରାଜନୈତିକ ପାଣିକୁ ରଘୁ ପରିସ୍କାର କରିବେ କଣ ତାହାକୁ ଆହୁରି ଗୋଳିଆ କରି ଦେଲେ।

ସର୍ବୋପରି କହିବାକୁ ଗଲେ ଗତବର୍ଷ ଆଜିର ଦିନରେ ବାଣପୁର ପଲଟନ ପଡିଆରେ ଯାହା ଘଟିଲା ତାହା ଥିଲା ଚିଲିକା ରାଜନୈତିକ ଇତିହାସରେ ଏକ ସ୍ମରଣୀୟ ଘଟଣା। ଯାହା କେବେ ପୂର୍ବରୁ ହୋଇ ନ ଥିଲା କିମ୍ବା ଭବିଷ୍ୟତରେ ଏପରି ହେବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଚିଲିକାର ବିଜେଡି କର୍ମି ଓ ନେତାଙ୍କୁ ଏପରି ବିପଦ ସମୟରେ ନା ବିଧାୟକ, ନା ସାଂସଦ, ନା ପୂର୍ବତନ ବିଧାୟକ, ନା ବିଜୁ ଜନତା ଦଳ, କେହି ଛିଡା ନ ହେବା ହିଁ ସବୁଠୁ ବଡ ଦୁଃଖଦାୟକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଞ୍ଚଳିକ

ବାଣପୁରରେ ବଢୁଛି ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ: ପ୍ରଶାସନ ନୀରବଦ୍ରଷ୍ଟା

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାଣପୁର ପ୍ରସିଦ୍ଧ ଐତିହାସିକ ପଞ୍ଚଦୋଳ ଯାତ୍ରା। ଏଥିନିମନ୍ତେ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସହ। ଗାଁ ଗାଁ ଉତ୍ସବମୁଖର। ସାରା ବାଲୁଗାଁ ବାଣପୁର ଓ ଚିଲିକାବାସୀ ପଞ୍ଚଦୋଳ ଏବଂ ନଈରୀ ଦଶଦୋଳ ଉତ୍ସବକୁ ପାଳନ କରିବା ପାଇଁ ସଜବାଜ ହେଉଛନ୍ତି।

ଅପରପକ୍ଷରେ ଉକ୍ତ ସବୁ ଅଞ୍ଚଳରେ ମଦ୍ୟପ ଓ ଜୁଆଡ଼ିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି। ବାଣପୁରର ବିଭିନ୍ନ ଗ୍ରାମରେ ଜୁଆଡ଼ିମାନେ ଦିନରାତି ତାସ ପସରା ମେଲାଉଛନ୍ତି ଏବଂ ହଜାର ହଜାର ଟଙ୍କା ବାଜି ଲଗାଉଛନ୍ତି। ଏପରିକି ସକାଳ ୯ ରୁ ସନ୍ଧ୍ୟା ୮ ଯାଏଁ ଜୁଆ ବେପାର ଚାଲୁଥିବା ଅଭିଯୋଗ ହେଉଛି।

ଅନୁରୂପ ଭାବେ ଉକ୍ତ ସବୁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ବୁଦ୍ଧିଜିବୀଙ୍କ ଚିନ୍ତା ବଢ଼ାଇଦେଇଛି। ମଦ ବେପାର ବଢିବା ଦ୍ୱାରା ଯୁବପିଢ଼ି ନିଶାଗ୍ରସ୍ତ ହେବା ସହ ଘରେ ଘରେ ପାରିବାରିକ କଳହ ବୃଦ୍ଧି ପାଉଛି। ଆଗକୁ ପଞ୍ଚଦୋଳ ଥିବା ବେଳେ ବେଆଇନ ମଦ ବେପାରୀଙ୍କ ପାଇଁ ଏହା ସତେ ଯେମିତି ସୁବର୍ଣ୍ଣ ସୁଯୋଗ। ଅବକାରୀ ବିଭାଗର ନିଷ୍କ୍ରିୟତା ଲାଗି ଅବାଧ ବେଆଇନ ମଦ ବିକ୍ରି ଉପରେ ରୋକ ଲଗପାରୁନି।

ବାଣପୁର ବାଲୁଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଅବକାରୀ କାର୍ଯ୍ୟାଳୟ ଥିଲେ ସୁଦ୍ଧା କର୍ମଚାରୀ ମାନେ ଚଢାଉ କରିବାକୁ କଣ ପାଇଁ କୁଣ୍ଠିତ ହେଉଛନ୍ତି, ତାହା ଏବେ ସନ୍ଦେହଘେରରେ ଅଛି। ଯାତ୍ରା ପୁର୍ବରୁ ଯଦି ବାଣପୁର ଓ ଚିଲିକା ଅଞ୍ଚଳରେ ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରାନଯାଏ, ତେବେ ଯାତ୍ରା ସମୟରେ ଅସାମାଜିକ ପ୍ରାଦୁର୍ଭାବ ବଢିବ ବୋଲି ବୁଦ୍ଧିଜିବୀମାନେ ସନ୍ଦେହ ପ୍ରକଟ କରିଛନ୍ତି।

ଅନୁରୂପ ଭାବେ ଜୁଆ ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ପୋଲିସ ନିକଟରେ ଦାବି କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

ସୀତାରାମ ଅଗ୍ରୱାଲ
ବାଣପୁର:- ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଅନୁରୂପ ଭାବେ ବାଣପୁର ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି।  ବିଗତ ଦିନରେ କରୋନା ପାଇଁ ଶିକ୍ଷା ବିଭାଗ ବହୁ ବାଧା ବିଘ୍ନରେ ପରୀକ୍ଷା ପରିଚାଳିତ କରିଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ହୋଇ ପରୀକ୍ଷା ଆରମ୍ଭ ହୋଇଛି।  ଯାହାଫଳରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ ଘଟିକାରେ ଶେଷ ହୋଇଛି। ବାଣପୁର ଗୋଦାବରୀଶ ବିଦ୍ୟାପୀଠ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ବାଣପୁର ବ୍ଲକର ୮ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୮ ଟି ସ୍କୁଲର ୧୮୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୧୮୦୬ ଜଣ ପରୀକ୍ଷା ଦେଇଛନ୍ତି ଓ ୨୭ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ଶିକ୍ଷା ଅଧିକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ପ୍ରଶ୍ନପତ୍ର ପ୍ରଘଟ ପାଇଁ ବୋର୍ଡ଼ ନିଷ୍ପତି ଅନୁସାରେ ସମସ୍ତ ପ୍ରକାର ବନ୍ଦୋବ୍ୟସ୍ତ କରାଯାଇଥିବା ଶ୍ରୀଯୁକ୍ତ ଜାଲି ପ୍ରକାଶ କରି କହିଛନ୍ତି ଯେ, ନୋଡାଲ ସ୍କୁଲ ଗୋଦାବରୀଶ ବିଦ୍ୟାପୀଠରେ ପରୀକ୍ଷା ପର୍ଯ୍ୟବେକ୍ଷକ ଓ ପୋଲିସ ଉପସ୍ଥିତିରେ ପ୍ରଶ୍ନପତ୍ର ଓ ଖାତାଗୁଡିକ ପରୀକ୍ଷା ପୂର୍ବରୁ ପହଂଚିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି। ତତ ସହିତ ପରୀକ୍ଷା ହଲକୁ ମୋବାଇଲ ଯିବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯଇଅଛି। ନକଲ ରୋକିବା ପାଇଁ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର: ଦୀର୍ଘ ୫ ଦିନ ଧରି ବଙ୍କାଡ଼ ଜଙ୍ଗଲରୁ ଲିଭୁନି ନିଆଁ, ବନବିଭାଗ ଓ ଅଗ୍ନିଶମ ବାହିନୀ ନୟାନ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଧାରାରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଜଙ୍ଗଲ ରହିଲେ ଜୀବନ ସମ୍ଭବ। ତେଣୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ସରକାରଙ୍କ ବିଭିନ୍ନ ପ୍ରୟାସ ପରେ କିଛି ଦୁର୍ବୃତ୍ତ ଏହାକୁ ଅଣଦେଖା କରି ନିଜ ସ୍ଵାର୍ଥ ପାଇଁ ଲାଗିପଡିଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ସତେ ଯେମିତି ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି। ଯାହାଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଗତ ୫ ଦିନ ହେଲା ନିଆଁ ଜଳୁଛି। ଫଳରେ ବହୁ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁ ମଧ୍ୟ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତମାନେ ପୁନଶ୍ଚ ଜଙ୍ଗଲରେ ଅଗ୍ନି ସଂଯୋଗ କରୁଛନ୍ତି।  ଯାହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହେଉଛନ୍ତି।

ତେବେ ଯଦି ଏହିପରି ଜଙ୍ଗଲରେ ନିଆଁ ଲାଗି ରହେ, ତେବେ ଆଗକୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ବନ୍ୟଜନ୍ତୁ ଜନବସତି ମୁହାଁ ହେବେ। ଖୋର୍ଦ୍ଧା ଡ଼ିଏଫଓ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର: ବରିଷ୍ଠ ବିଜେପି ନେତାଙ୍କ ବିୟୋଗ

ସୀତାରାମ ଅଗ୍ରୱାଲ
ବାଣପୁର: ଗୁରୁବାର ପୂର୍ବାହ୍ନରେ ଗମ୍ଭାରୀମୁଣ୍ଡା ଅଞ୍ଚଳର ତଥା ଦେଓଗାଁ ଗ୍ରାମପଞ୍ଚାୟତର ବିଜେପିର ଜଣେ ପ୍ରତିଷ୍ଠିତ ନେତା ଭାବରେ ଜଣାଶୁଣା ବ୍ୟକ୍ତିତ୍ୱ ସୁଶୀଲ କୁମାର ବିଶୋଇଙ୍କର ନିଜ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିବା ଜଣାଯାଇଛି। ଦୀର୍ଘଦିନ ଧରି ଶରୀର ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ତରଫରୁ କୁହାଯାଇଛି।

ସେ ପିଲାଟି ବେଳରୁ ଜନସେବାରେ ନିଜକୁ ଉତ୍ସର୍ଗ କରି ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଓଗାଁ ପଞ୍ଚାୟତର ଥରେ ସରପଞ୍ଚ, ଥରେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ଅଂଚଳର ବହୁ ବିକାଶମୁଖି କାର୍ଯ୍ୟ କରିଥିଲେ। ତାଙ୍କ ଧର୍ମପତ୍ନୀ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇ ବାଣପୁର ବ୍ଲକ ଅଧ୍ୟକ୍ଷା ପଦରେ ଅଧିଷ୍ଠିତ ହୋଇଥିବା ବେଳେ ବାଣପୁର ଅଂଚଳର ବହୁ ଉନ୍ନତି ମୁଲକ କାର୍ଯ୍ୟ କରିଛନ୍ତି।

ଅଂଚଳର ଜଣେ ନିର୍ଭିକ ଓ ଅପ୍ରତିଦ୍ବନ୍ଦି ନେତା ଭାବରେ ସେ ଜଣାଶୁଣା ଥିଲେ। ସୁଶୀଲ ଭାଇ ଭାବରେ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କର ଅବର୍ତମାନରେ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତେଷ୍ଟି କ୍ରିୟାରେ ଯୋଗଦେଇ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ।

Categories
ଅପରାଧ ଆଞ୍ଚଳିକ

ବେଆଇନ ବାଣ ତିଆରି ସ୍ଥାନରେ ଚଢ଼ାଉ କଲା ବାଣପୁର ପୋଲିସ, ପ୍ରଚୁର ପରିମାଣର ବିସ୍ପୋରକ ସାମଗ୍ରୀ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଠାରେ ଘଟିଥିବା ବାଣ ବିସ୍ଫୋରଣରେ ଅଦ୍ୟାବଧି ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହା ପରେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଅଞ୍ଚଳରେ ବେଆଇନ ବାଣ ଦୋକାନ ତଥା ବାଣ ତିଆରି କେନ୍ଦ୍ର ଗୁଡିକରେ ଛାପା ମାରୁଛି ପୋଲିସ ଓ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ଗତକାଲି ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ବିଭିନ୍ନ ବାଣ ତିଆରି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ଆଙ୍କୁଲାପଦର ଗ୍ରାମର ଏକ ଘରୁ ପ୍ରଚୁର ପରିମାଣର ବାଣ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ତେବେ ଘର ମାଲିକ ଫେରାର ହୋଇଯାଇଥିବା ବେଳେ ପୋଲିସ କେସ ନମ୍ବର ୯୮/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

ଅପରପକ୍ଷେ ଉକ୍ତ ଅଘଟଣକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ବାଣପୁର ଐତିହାସିକ ପଞ୍ଚଦୋଳ ଯାତ୍ରା ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ପଞ୍ଚଦୋଳ କମିଟିର ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଦାଖଲ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା ୨୫ ତାରିଖରେ ଓକିଲ ସଂଘ ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ ଥିଲା। ତେବେ ସଭାପତି, ସମ୍ପାଦକ ଓ ଉପ ସଭାପତି ପଦବୀ ପାଇଁ ଦୁଇ ଦୁଇ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସହ ସମ୍ପାଦକ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ପାର୍ଥୀପତ୍ର ଦାଖଲ କରିଛନ୍ତି।

ସଭାପତି ପଦବୀ ପାଇଁ ବୃନ୍ଦାବନ ପ୍ରଧାନ ଓ ଗୌରୀ ଶଙ୍କର ଷଡ଼ଙ୍ଗୀ , ଉପ ସଭାପତି ପଦବୀ ପାଇଁ ପଦ୍ମଜା ପଟ୍ଟନାୟକ ଓ ରାମଚନ୍ଦ୍ର ପଲେଇ, ସମ୍ପାଦକ ପଦବୀ ପାଇଁ ସୁଧୀର କୁମାର ପ୍ରଧାନ ଓ ଜଗନ୍ନାଥ ଭୋଳ, ସହ ସମ୍ପାଦକ ପଦବୀ ପାଇଁ ନରେନ୍ଦ୍ର ନାୟକ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ପାଇଁ ଦେବବ୍ରତ ବଡ଼ଜେନା,ପ୍ରଶାନ୍ତ କୁମାର ମହାନ୍ତି ଏବଂ ପ୍ରଦୀପ କୁମାର ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାର ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ଜଗଦୀଶ ପଟ୍ଟନାୟକ।

ତେବେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ମାର୍ଚ୍ଚ ୧୦ ତାରିଖରେ ଥିବା ବେଳେ ନାମାଙ୍କନ ପତ୍ର ପ୍ରତ୍ୟାହାର ୧୨ ତାରିଖ ଏବଂ ପ୍ରତିଦ୍ବନ୍ଦୀଙ୍କ ନାମ ୧୩ ତାରିଖରେ ପ୍ରକାଶ ପାଇବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଦୁର୍ଘଟଣାରେ ଚାଲିଗଲା ବିଜେଡି ନେତାଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାତି ନଅ ଘଟିକା ସମୟରେ ବାଣପୁର ଅଂଚଳର ଜଣେ ବିଜେଡି ନେତା ତଥା ଏନଏସି ପାଞ୍ଚ ନମ୍ବର ୱାର୍ଡ କାଉନସିଲର ଅନୁସୟା ପ୍ରଧାନଙ୍କ ସ୍ୱାମୀ ସତ୍ୟନାରାୟଣ ପ୍ରଧାନଙ୍କର ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ପ୍ରକାଶ ଥାଉକି କୌଣସି ଏକ ଜରୁରୀ କାମରେ ବାଣପୁର ସ୍ଥିତ ସାନହନ୍ତୁଆଡ଼ ଗ୍ରାମକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିଲେ ସତ୍ୟ। ତାଙ୍କୁ ସଙ୍ଗେ ସଙ୍ଗେ ବାଣପୁର ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ସ୍ଥାନୀୟ ଲୋକ ପ୍ରୟାସ କରୁଥିବା ଜଣାଯାଇଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ଗଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ୧୯୬୩ ମସିହାରେ ପ୍ରତିଷ୍ଠିତ ଏବଂ ଓଡିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ରବିବାର ଦିନ ମହାବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଓ ସ°ଯୋଜକ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ପରିଚାଳିତ ଏହି ବୈଠକରେ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜନିଜର ଅନୁଭୂତି ବଖାଣିବା ସହ ପୁରାତନ ଛାତ୍ର ସ°ଘ ଜରିଆରେ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ବିଭିନ୍ନ ମତ ଉପସ୍ଥାପନ କରିଥିଲେ।

ଆହୂତ ବୈଠକରେ ପୁରାତନ ଛାତ୍ର ଓ ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂହଙ୍କୁ ପୁରାତନ ଛାତ୍ର ସଂଘର ସଭାପତି ଭାବରେ ମନୋନୀତ କରାଯାଇଥିବା ବେଳେଡ ଡ଼ା ନୃସିଂହ ଚରଣ ପ୍ରଧାନ କାର୍ଯ୍ୟକାରୀ ସଭାପତି, ଅମରେନ୍ଦ୍ର ରଣସି°ହ ଓ ମିଟୁ ନାୟକ ଉପସଭାପତି, ଲକ୍ଷ୍ମୀ ପ୍ରସାଦ ମିଶ୍ର ସମ୍ପାଦକ, ଏସ୍ କେ ମୋହିନୁଲ୍ ହକ୍ ଓ ମହେଶ୍ଵର ଜେନା ଯୁଗ୍ମ ସମ୍ପାଦକ, ଜିତେନ୍ଦ୍ର ଭୋଳ କୋଷାଧ୍ୟକ୍ଷ, ସୁନୀଲ କୁମାର ପଣ୍ଡା ସହ କୋଷାଧ୍ୟକ୍ଷ ଓ ସର୍ବଶ୍ରୀ ସର୍ବେଶ୍ଵର ଷଡ଼ଙ୍ଗୀ, ପ୍ରକାଶ ପ୍ରଧାନ, ସୀତାରାମ୍ ଅଗ୍ରୱାଲ, ଅରୁଣ କୁମାର ପଣ୍ଡା ,ଶକ୍ତି ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ମହାପାତ୍ର , ଅନନ୍ତ ବାରିକୀ, ସୁନୀଲ ସୁବୁଦ୍ଧି ,ଉମାକାନ୍ତ ଲାଠି,ମନ୍ମଥ ମିଶ୍ର ,ଅଜୟ ଦାଶ,ଦୁର୍ଯୋଧନ ସାହୁ, ବିର°ଚି ନାରାୟଣ କାଣ୍ଡି ପ୍ରମୁଖ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।

ପ୍ରାଧ୍ୟାପକ ଶୂର ପ୍ରତାପ ନରେନ୍ଦ୍ର ସି°ହ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଅପ୍ରେଲ ୨ ତାରିଖ ରବିବାର ଦିନ ଆଲୁମିନି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି।

Categories
ଆଞ୍ଚଳିକ

ବାଣପୁର: ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ
ବାଣପୁର: ରବିବାର ଅପରାହ୍ନରେ ବାଣପୁର ମେଡିକାଲ ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବରରୁ ଜଣାଯାଇଛି ଓଡି ୦୨ ବିଡି ୧୫୪୪ ନମ୍ବର ବିଶିଷ୍ଟ ଏକ ଟାଟାନିଅମ କାରରେ ଭୁବନେଶ୍ୱରରୁ ଚାଳକ ତାଙ୍କର ମାଙ୍କୁ ନେଇ ବାଣପୁର ଅଂଚଳର ତାଙ୍କ ବନ୍ଧୁଙ୍କ ଘରକୁ ଆସିଥିଲେ।

ଭୁବନେଶ୍ୱର ଫେରୁଥିବା ବେଳେ ଚାଳକଙ୍କ ଅସାବଧାନତା ପାଇଁ ବଜାର ଅଂଚଳରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ କାରଟି ପିଟି ହୋଇଯାଇଥିଲା। ଯାହାଫଳରେ ଦୁର୍ଘଟଣାରେ ଚାଳକ ଏବଂ ତାଙ୍କ ମାଙ୍କର ଗଭୀର ଆଘାତ ହୋଇଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି। ରିପୋର୍ଟ ଲେଖା ହେଲାବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁରଗସ୍ତ: ପ୍ରଧାନ ଶିକ୍ଷକଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅଚାନକ ବାଣପୁର ପହଞ୍ଚି ବ୍ଲକ ଏବଂ ଏନଏସି ର ୫-ଟି ରେ ସାମିଲ ହୋଇଥିବା ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।  ସେଠାରେ ୫-ଟି ଅନ୍ତର୍ଗତ ନିର୍ମାଣଧୀନ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ।

ଏନଏସି ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ବ୍ଲକ ର ମାଣିକପୁର ସ୍ଥିତ ଶାଳିଆ ବିଦ୍ୟା ନିକେତନ, ଅଲାଇଡିହ ସ୍ଥିତ ପଦ୍ମଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣତ ସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ସିରେଇପୁର ସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବାଙ୍କିଆପଲ୍ଲିସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ପରିଦର୍ଶନ କରିବା ସହ ୫-ଟି ନିମିତ୍ତ ଆସିଥିବା ଅନୁଦାନରେ ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ ଗୁଡିକର ତଦାରଖ କରିଥିଲେ। ସମସ୍ତ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଭାବେ ଜିଲ୍ଲାପାଳ ବାଣପୁର ଏନଏସି ରେ ଡ୍ରେନେଜ ନିର୍ମାଣ, ବାଇପାସରୁ ନନ୍ଦପୁର ପର୍ଯ୍ୟନ୍ତ ନୂତନ ଷ୍ଟ୍ରିଟ ଲାଇଟ ସ୍ଥାପନ ଏବଂ ପୂର୍ତ୍ତବିଭାଗ ଅଧୀନରେ ଥିବା ରୋଡ ମରାମତି ବିଷୟରେ ଗୁରୁତ୍ୱ ଦେଇଥିଲେ।

ସୂଚନା ମୁତାବକ ଖଣତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ପ୍ରପର ୟୁନିଫର୍ମ ପରିଧାନ କରିନଥୁବାରୁ ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡ଼ିଓ ବୁଲବୁଲ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ।